Unknown

 

 

 

 

 

 

 

 

 

 

 

କଅଁଳ ଚୁମ୍ବନ

ଉମାକାନ୍ତ ବେହେରା

 

ପ୍ରକାଶକଙ୍କର ପଦେ—

 

ପ୍ରିୟ ପାଠକ ଓ ପାଠିକା ସୁଧୀବୃନ୍ଦ,

ଲେଖକ ଶ୍ରୀ ଉମାକାନ୍ତ ବେହରାଙ୍କ ରଚିତ କଅଁଳ ଚୁମ୍ବନ ଉପନ୍ୟାସ ଗ୍ରାହକ ଓ ଅନୁଗ୍ରାହକ ମାନଙ୍କର ବହୁ ଆଗ୍ରହ ହେଉଥିବାରୁ ଉକ୍ତ ଉପନ୍ୟାସଟି ପ୍ରକାଶ ନିମନ୍ତେ ପ୍ରୟାସୀ ହେଲି ।

ଲେଖକ, ପାଠକ ମାନଙ୍କର ଅପରିଚିତ ନୁହଁନ୍ତି । ନାଟକ ସଙ୍ଗୀତ, ଉପନ୍ୟାସ ମିଳି ଶତାଧିକ ପୁସ୍ତକ ଲେଖି ସେ ବହୁ ପ୍ରଶଂସିତ ହୋଇଛନ୍ତି ଓ ନାଟ୍ୟଭୂଷଣ ଉପାଧି ମଧ୍ୟ ପାଇଛନ୍ତି, କଅଁଳ ଚୁମ୍ବନ ଉପନ୍ୟାସଟି ତାଙ୍କର ଅପୂର୍ବ ସୃଷ୍ଟି । ଏହାପରେ ମଧ୍ୟ ଉକ୍ତ ଲେଖଙ୍କର ରଚିତ ‘‘ତୁମକୁ ମୁଁ ଭଲପାଏ’’ ଉପନ୍ୟାସ ନୂତନ ପ୍ରକାଶ ପାଇଛି ଓ ଉକ୍ତ ଉପନ୍ୟାସ ଖଣ୍ଡିକ ସୁଖପାଖ ବୋଲି ବିବେଚିତ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ।

ସୂର୍ଯ୍ୟମଣି ବିଦ୍ୟାଭଣ୍ଡାର’ର ପ୍ରତିଷ୍ଠାତ୍ରୀ ମୋର ଜେଜୀ ମା’ ସ୍ୱର୍ଗିୟା ସୂର୍ଯ୍ୟମଣୀ ଦେଈଙ୍କ ଆଶୀର୍ବାଦ ଓ ଶ୍ରୀଚରଣ ରେଣୁ, ସମ୍ବଳ କରି ଆଜି ପ୍ରକାଶକ ରୂପେ ପରିଚିତ । ଅତୀତର ସେହି ଆଶୀର୍ବାଦ ଆଜି ବାସ୍ତବରେ ପରିଚିତ ହେଉଥିବା ହେତୁ, ମୁଁ ନିଜକୁ ଭାଗବାନ ବୋଲି ମନେ କରୁଛି-। ସେହି ମୋର ପରମ ପୂଜ୍ୟନିୟା ଜେଜୀ ମା’ଙ୍କୁ ଭକ୍ତିଭରେ ପ୍ରଣାମ ଜଣାଉଛି । ଜାଣେନା ଅଦୃଶ୍ୟ ଲୋକରେ ସେହି ପ୍ରଣାମ ଟିକକ ପହଞ୍ଚିବ କି ନା....

ଆଶୀର୍ବାଦ ଭିକ୍ଷୁ (ବିଶ୍ୱଜିତ୍)

 

ଶ୍ରୀ

 

––––––––––––––––––––––––––––––

 

––––––––––––––––––––––––––––––

 

....ଧୋବ ଫର ଫର ତୁଳିତଳ୍ପ ବିଛଣା ଉପରେ ପୁଷ୍ପାକୁ ବକ୍ଷରେ ଭିଡ଼ିଧରେ ମନୋଜ....ପୁଷ୍ପା ଖିଲ୍ ଖିଲ୍ ହୋଇ ହସି ଉଠେ......ତା’ର କରବୀ—ଫୁଲିଆ ଗାଲରେ ମନୋଜ ଆଙ୍କିଦିଏ କଅଁଳ ଚୁମ୍ବନ !

 

ଚଣାଚୁର୍ ଭଜା !! ଗରମା ଗରମ ଚଣାଚୁର୍ ଭଜା !! ବଡ଼ି ମଜାଦାର ଚଣାଚୁର୍ ଭଜା !!

 

ରାତି ନଅଟାର କେଇ ମୁହୂର୍ତ୍ତ ପୂର୍ବରୁ ବା କେଇ ମୁହୂର୍ତ୍ତ ପଛରୁ ଏହି ଲୋକଟାର ଆଗମନ ସବୁଦିନେ ହୁଏ । ଲୋକମାନେ ବୁଝନ୍ତି ଏହି ଚଣାଚୁର୍ ବାଲା । ଲୋକଟା ହାତରେ ଘଡ଼ି ନ ଥାଏ, କିନ୍ତୁ ସମୟଜ୍ଞାନ ଉପରେ ତା’ର ଯଥେଷ୍ଟ ଅଧିକାର ।

 

ନାଁ, ଆଉ ନୁହେଁ ।

 

ପୁଷ୍ପା ଚଞ୍ଚଳ ହୋଇ ଉଠିଲା ।

 

କଳରେ ଜଳ ଆସିଛି ଦିନ ସାଢ଼େ ତିନିଟାରେ । ସେଇ ଜଳରେ ସେ ବାଲତି ଗରା ଭର୍ତ୍ତି କରିଚି—ଫୁଲ ଗଛରେ ଜଳ ଦେଇଚି—ସଞ୍ଜ ଗାଧୁଆ ସାରିଚି—ବାସନା ତେଲରେ କେଶ ବାନ୍ଧିଚି–କାଞ୍ଚି ବିଲେଇକି ଖାଇବାକୁ ଦେଇଚି । କିନ୍ତୁ ଆଉ ନୁହେଁ । ଆଉ ସେ ଅପେକ୍ଷା କରି ପାରୁନି-

 

ରାସ୍ତା ପାଖ ଘର । ସନ୍ଧ୍ୟା ହେବା ପୂର୍ବରୁ ଗଳିର ବତୀଗୁଡ଼ିକ ଜଳି ଉଠିଛି । ଛୁଆ ସବୁ ଖେଳ ସାରି ଯିଏ ଯାର ଘରକୁ ଫେରିଲେଣି । ଫେରିବାଲା ଫେରି କରି କେତେବେଳୁ ଫେରି ଗଲାଣି ବସାକୁ । କେତେ ଲୋକ ଯାଆନ୍ତି—କେତେ ଲୋକ ଆସନ୍ତି ଏଇ ରାସ୍ତାଦେଇ । କିନ୍ତୁ ଯା’ ଯୋଚାର ଶବ୍ଦ ଶୁଣିବାପାଇଁ ପୁଷ୍ପା ଏତେ ବ୍ୟାକୁଳ–ଶିରା ପ୍ରଶିରାରେ ଉଦ୍‌ବେଗ—ଦୃଷ୍ଟି ଲାଳାୟିତ–କାହିଁ, ତା’ର ତ ଦେଖା ନାହିଁ ? ସେଇ ଖାଲି ଏ ପର୍ଯ୍ୟନ୍ତ ଫେରିନାହିଁ ଘରକୁ । ଚାକିରି କଣ ଆଉ କେହି କରେନା ?

 

ବାହାରପଟରୁ ଦରଜାରେ ଶୁଭେ ଠକ୍ ଠକ୍ ଶବ୍ଦ । ଚଟ୍ କରି ପୁଷ୍ପା ଥରେ ଟାଇମ୍‌ ପିସ୍‌ ଘଡ଼ିଟା ଆଡ଼କୁ ଅନାଇଦିଏ । ସାଢ଼େ ନଅଟା ହେବାକୁ ଆଉ ପାଞ୍ଚ ମିନିଟ୍ । ତା’ପରେ ଜଲ୍‌ଦି ଛୁଟି ଯାଇ ଘରର ଦରଜାଟା ଖୋଲିଦିଏ ସେ ।

 

ମନୋଜ ଘର ଭିତରକୁ ପଶିଆସେ । ଭଙ୍ଗା ଟୁଲଟା ଘୁଞ୍ଚେଇ ଦିଏ ସେ ସ୍ୱାମୀଙ୍କ ପାଖକୁ ।

 

ଶ୍ରାନ୍ତ କ୍ଳାନ୍ତ ମନୋକ ସେହି ଟୁଲଟା ଉପରେ ବସିପଡ଼େ ।

 

ସ୍ୱାମୀ ତ ନୁହେଁ, ଯେପରି ଗୋଟିଏ ଶିଶୁ ଭୋଳାନାଥ ।

 

ପୁଷ୍ପା ନିଜେ ମନୋଜ ପାଦରୁ ଜୋତା ଯୋଡ଼ାକ ଖୋଲିନିଏ । ପାଦରୁ ମୋଜା ଓହ୍ଲାଏ ମନୋଜ । ତା ପରେ ତା’ର ଝାଳ ଗରଗର ଦେହରୁ ସେ ଖୋଲେ ସାର୍ଟ ଗଞ୍ଜି ଓହ୍ଲାଏ । ସୁଟ୍ ବଦଳେଇ ଧୋତି ପିନ୍ଧେ ।

 

ଆଉ, ଖଣ୍ଡିଏ ହାତ ପଙ୍ଖା ଧରି—ଯେତେ ଯୋର୍ ଅଛି ପୁଷ୍ପା ଦେହରେ ତେତେ ଯୋର୍‌ରେ ସେ ପବନ କରେ ମନୋଜକୁ । ମନୋଜ ମୃଦୁ ହସି ହସି କହେ—ଥାଉ, ତୁମେ କ୍ଳାନ୍ତ, ମୋତେ ପଙ୍ଖାଟା ଦିଅ !

 

—ଓ.... ! ମୁଁ କ୍ଳାନ୍ତ, ଆଉ ତୁମେ ଭାରି ସତେଜ !

 

ପୁଷ୍ପା ପଙ୍ଖା ଛାଡ଼େନା । ପଙ୍ଖା କରୁ କରୁ ସହସା ତାର ହାତ କେତେବେଳେ ଧୀମେଇ ଆସେ । ଆଉ ତା ମନର ଶତ ଅଭିମାନ ଆତ୍ମପ୍ରକାଶ କରେ ଦୁଇ ଚକ୍ଷୁର ଦରବିଗଳିତ ତତଲା ଅଶ୍ରୁରେ ।

 

ଆଉ କଣ କେହି ଚାକିରି କରେନା କେଉଁ ଅଫିସରେ ? ଏକା ତୁମେ ଦୁନିଆରେ ଚାକିରି କରିଛ ? ସବୁଦିନେ କଣ ତୁମର ଏହି କଷ୍ଟ ମୋତେ ଆଖିରେ ଦେଖିବାକୁ ହେବ ?

 

ମନୋଜ କିଛି ନ କହି ନୀରବ ରହେ ।

 

ପୁଷ୍ପା କହିଚାଲେ—ପାଞ୍ଚଟାରେ ତ ତୁମର ଅଫିସ ଛୁଟି । ଏଇ ଯେ ଅତିରିକ୍ତ ନଅଟା ରାତି ଯାଏଁ ଖଟ ଏଥିପାଇଁ ତୁମକୁ କିଛି ଦିଅନ୍ତି ?

 

ଦେଲେ ବି ଖଟିବାକୁ କ’ଣ ଭଲ ଲାଗେ ? ମନୋଜ ଜବାବ୍ ଦେଲା—ଆଗରୁ ଦେଉଥିଲେ, ଏଇକ୍ଷଣି ବନ୍ଦ କରି ଦେଉଛନ୍ତି । ଇଏ ତ ଆଉ ଦିନକର ବ୍ୟାପାର ନୁହେଁ—ବାରମାସର । ଆଠଟା ଲୋକର କାମ ଯଦି ତିନିଜଣଙ୍କୁ କରିବାକୁ ହୁଏ, ଡେରି ହେବ ନାହିଁ ?

 

ପୁଷ୍ପା କହେ—ଥାଉ ସେ କଥା । ଉଠ, ବାହାରେ ଜଳ ରଖିଛି ହାତ ଗୋଡ଼ ଧୋଇ ଆସ, ଜଳଖିଆ ଆଣୁଛି ।

 

ମନୋଜ ଉଠିପଡ଼େ ।

 

ପୁଷ୍ପା କହେ ଏତେ ରାତିରେ ଯଦି ଚା ଜଳଖିଆ ଖାଅ, ଭାତ ଖାଇବ ଆଉ କେତେବେଳେ ? ସେଇ ସଞ୍ଜ ପହରୁ ଆଞ୍ଚରେ କେଟ୍‌ଲି ଥୋଇ ଚାହିଁ ରହିଚି—ତୁମେ ଆସି ଚା ଖାଇବ । ଏଇ ରକମ ଖଟିଲେ ମଣିଷ କେତେଦିନ ବଞ୍ଚିବ ?

 

ପୁଷ୍ପା ଚାଲିଗଲା ରାନ୍ଧଣା ଘରକୁ । ଯେତେବେଳେ ଫେରେ, ତା’ର ହାତରେ ଡିସ୍‌ରେ ଦୁଇଖଣ୍ଡ ରୋଟି—କେଇଖଣ୍ଡ ଆଳୁଭଜା ଆଉ ଗୋଟିଏ ହାତରେ ଚା’ର କେଟ୍‌ଲି ।

 

ସନ୍ଧ୍ୟା ସାରି ମନୋଜ ରୋଟି ଖାଏ—ଜଳ ପିଏ—ତା ପରେ ଚା । ଖିଆପିଆ ପରେ ସ୍ୱଭାବତଃ ଦେହଟା ସତେଜ ହୋଇ ଉଠେ ।

 

ମନୋଜ କହେ, ଆରେ ବାଃ ଆ ଜି ତୁମେ ଭାରି ବଢ଼ିଆ ଦେଖା ଯାଉଛ ପୁଷ୍ପା !

 

ଚିପା ହସ ହସି ପୁଷ୍ପା କହେ, ଏତେବେଳେକେ ବୋଧେ ମୋତେ ଦେଖିବାକୁ ତୁମକୁ ଅବସର ହେଲା ?

 

—ସେଇଆତ ।

 

—ଆଉ ଅନ୍ୟ ଦିନେ ବୋଧେ ମୁଁ ତୁମକୁ ଖରାପ ଦେଖାଯାଏଁ ?

 

—ତୁମେ କଣ ଦେଖିବାକୁ ଖରାପ ଯେ, ଖରାପ ଦେଖାଯିବି !

 

ତୁମରି ଭଳି ସୁନ୍ଦରୀ ସ୍ତ୍ରୀ କେଇଜଣ ପାଇଛନ୍ତି ? ତୁମ ଭଳି ଲକ୍ଷ୍ମୀଟିଏ ମୁଁ ଯେ ପାଇପାରିଚି, ଏଇଟା ମୋର ସୌଭାଗ୍ୟ ।

 

—ଲକ୍ଷ୍ମୀ ନା ଆହୁରି କିଛି । ଲକ୍ଷ୍ମୀ ଯଦି ହୋଇଥାନ୍ତି, ତେବେ କ’ଣ ମୋର ଇମିତି ସ୍ୱାମୀଙ୍କୁ ଏହି ବାଜେ ଜାଗାରେ ଚାକିରି କରିବାକୁ ଦିଅନ୍ତି ? ସମସ୍ତଙ୍କର ସ୍ୱାମୀ କିପରି ଛ’ଟା ନ ବାଜୁଣୁ ଘରକୁ ଫେରନ୍ତି, ଆଉ ମୋର କି ଭାଗ୍ୟ ଭାବିଲ ଥରେ ? ସେଇ ଛଅଟା ବେଳଠୁ ଝରକା ଫାଙ୍କରେ ବସି ବସି ବଡ଼ ଖରାପ ଲାଗେ ମୋତେ ।

 

—ଗୋଟିଏ କାମ କଲେ ତ ଖରାପ ଲାଗନ୍ତାନି ?

 

—କି କାମ ?

 

—କିଛି ଖଣ୍ଡେ ବହି ପଢ଼ିଲେ ।

 

—ମନରେ ଦୁଶ୍ଚିନ୍ତା ନେଇ କଣ ବହି ପଢ଼ାଯାଏ, ନା ସେ ପଢ଼ାରୁ ଆନନ୍ଦ ମିଳେ ? ତୁମଠାରୁ ବଡ଼ ବହି ଆଉ ମୋର କଣ ଅଛି ? ତୁମେ ତ ମୋର ବହି ! ମୋ ଦେହ ଛୁଇଁ କହିଲ, କାଲିଠାରୁ ଆଉ ଡେରି କରିବ ନାଇଁ, ଶୀଘ୍ର ଆସିବା ପାଇଁ ଚେଷ୍ଟା କରିବ ?

 

ଟିକିଏ ହସି ଜବାବ୍ ଦିଏ ମନୋଜ—ଆଚ୍ଛା, ତା’ ପରେ ଆଉ ଖବର କ’ଣ ?

 

—ଖବର ଶୁଣିବ ? ଶୁଣ ! ତୁମ ଆଦରର ପୁଷି ବିଲେଇର ଖବର ଶୁଣ ଆଗେ । ତା ପାଇଁ କାଲି ଅଫିସରୁ ଫେରିବାବେଳେ ଦି’ ଚାରି ପଇସାର ମୁଢ଼ି କିଣି ଆଣିବ । ସକାଳେ ଖାଲି ପେଟରେ ଚା’ ଖାଇଲେ ୟାର ଲିଭର୍ ନଷ୍ଟ ହୋଇଯିବ ।

 

ମନୋଜ ହୋ ହୋ ହୋଇ ହସି ପୁଷିକି କୋଳକୁ ଉଠାଇ ଆଣି ଗେଲ କରିବାକୁ ଲାଗିଲା । ମନୋଜ କୋଳରେ ଉଷୁମ ପାଇଁ ପୁଷି ମନ ଆନନ୍ଦରେ ଘୁଂଗୁଡ଼ି ମାରିଲା ।

 

ଏ ଘରକୁ ପୁଷିକି ଯେତେବେଳେ ପ୍ରଥମେ ଅଣାହୁଏ, ସେତେବେଳେ ସେ ଦୁଇ ମାସର ଛୁଆ । ଘରେ ସେତେବେଳେ ଭୀଷଣ ଆନ୍ଦୋଳନ, ମୂଷା ଗୁଡ଼ାଙ୍କର ଖାଲି ଅତ୍ୟାଚାର ନୁହେଁ—ସଶସ୍ତ୍ର ବିଦ୍ରୋହ ମଧ୍ୟ । ଅସ୍ତ୍ର ଥିଲା ସେମାନଙ୍କର ଦାନ୍ତ । ସେଇ ଦାନ୍ତରେ ସେମାନେ ଲୁଗା କାଟନ୍ତି, ବହି କାଟନ୍ତି, ସାବୁନ ଟାଣି ନିଅନ୍ତି ଗାତକୁ । ପୁଷି ଆସିଲା ଦିନଠୁ ମୂଷାମାନେ ପଳାଇଛନ୍ତି, କେହିବା ଧରାପଡ଼ିଛି ପୁଷିର ଖାପଚରେ । ସେଇଦିନଠୁଁ ପୁଷିର ସ୍ଥାନ ଘରେ କାଏମି ହୋଇ ଯାଇଛି-

 

—ସାଢ଼େ ଦଶଟା ବାଜିଲା, ଏଥର ଉଠ । ତୁମର ସିନା ଭୋକ ଶୋଷ ନାହିଁ ଚାକିରି ପାଇଁ ମୋ’ର ତ ପୁଣି ଅଛି । ପୁଷ୍ପା କହିଲା ।

 

ମନୋଜ ହସି ହସି କହିଲା—ଏଇତ ଜଳଖିଆ ଖାଇ ଉଠିଲି, ୟା’ ପରେ ଏତେ ଚଞ୍ଚଳ କି ଭାତ ଖିଆ ଯାଏ ? ଲକ୍ଷ୍ମୀଟା ପରା ମୋର, ଅପରାଧ ନିଅନା, ପୁଣି ତ କାଲି ଅଫିସ ଅଛି ।

 

—ତୁମ ଅପରାଧର କି ଶେଷ ଅଛି ?

 

ମନୋଜ ପୁଷ୍ପାକୁ ବକ୍ଷରେ ଭିଡ଼ିଧରି ତାର ଦୁଇ ଗାଲରେ ଦୁଇଟି ଚୁମା ଆଙ୍କି ଦେଇ କହିଲା—ଏତେ ସୁନ୍ଦର ତୁମେ ପୁଷ୍ପା ।

 

ତୁମକୁ ପାଇ ମୁଁ ଧନ୍ୟ । ଏତେ ଭଲପାଇ କି ଚାକିରି ଦୁଃଖ ମଧ୍ୟରୁ ମୋତେ ବଞ୍ଚାଇ ପାରିବ ତୁମେ ?

 

—ବଞ୍ଚାଇ ପାରିବି ନାହିଁ ବୋଲିତ ଭଗବାନଙ୍କ ନିକଟରେ ତୁମର ମଙ୍ଗଳ କାମନା କରେ—କେତେ କାନ୍ଦେ, କେତେ ପ୍ରାର୍ଥନା କରେ—‘‘ହେ ଠାକୁର ! ମୋର ସ୍ୱାମୀଙ୍କି ଯେମିତି ବେଶୀ ଖଟଣି ନ ପଡ଼େ । ତାଙ୍କର ଶରୀର ଯେମିତି ଭଲ ରହେ ।’’ ବାବା ମୋର ଧନୀ ନ ଥିଲେ । ଯଦି ଧନୀ ଘରର ଝିଅ ହୋଇଥାନ୍ତି, ତୁମକୁ କି ଏତେ ଖଟିବାକୁ ଦିଅନ୍ତି ନା ସହ୍ୟ କରନ୍ତି ତୁମର ଏହି ଡେରି କରି ଆସିବା ।

 

—କ’ଣ କରନ୍ତ ଶୁଣେ ?

 

ସେ କଥା କହି ଲାଭ କ’ଣ ? ଯାହା ହବାର ନୁହେଁ, ତା ନେଇ ମଥା ଖେଳାଇବା ବୃଥା-। ପର ଜନ୍ମ ତୁମେ ସିନା ମାନନା, ମୁଁ କିନ୍ତୁ ମାନେ । ପର ଜନ୍ମକୁ ପାରତ ଖୁବ୍ ବଡ଼ ଘରେ ବିବାହ କରିବ । ବଡ଼ଲୋକ ଯେପରି ଶ୍ୱଶୂର ହୁଏ ତୁମର ।

 

—ସେଥିରେ ମୋର ଆଉ ଦୁଃଖ ମେଣ୍ଟିବ କଣ ? ବଡ଼ଲୋକ ଶ୍ୱଶୁର ହେଲେ ଯେ ସେ ଜୋଇଁକି ବଡ଼ ଲୋକ କରିଦେବ, ଏହାର କିଛି ମାନେ ନାହିଁ । ଆଉ ତା ପଇସା ବା ମୁଁ ନେବାକୁ ଯିବି କେଉଁ ମୁହଁରେ ? ତା ଅପେକ୍ଷା ତୁମରି ଭଳି ସ୍ତ୍ରୀ ଯେପରି ଜନ୍ମ ଜନ୍ମାନ୍ତରେ ପାଏଁ, ଏହି ମୋର କାମନା ।

 

—ଆଉ ଇମିତି କାମନା ତୁମକୁ କରିବାକୁ ହେବନି । ତୁମରି ପାଦରେ ଯେମିତି ମୁଣ୍ଡ ରଖି ମରିପାରେ, ଖାଲି ଏହି ବର ମୋତେ ଦିଅ ।

 

ଏତକ କହି ମନୋଜ ପାଦରେ ମଥା ରଖିଲା ପୁଷ୍ପା । ତାର ନିଟୋଳ ଅଧରକୁ ହଲାଇ ଦେଇ ତାକୁ ବକ୍ଷରେ ଭିଡ଼ି ଧରିଲା ମନୋଜ ।

☆☆☆

 

ପର ଦିନ ସକାଳେ ମନୋଜ ନିତ୍ୟକର୍ମ ସାରି କ’ଣ ଖଣ୍ଡିଏ ବହି ବସି ପଢ଼ୁଥାଏ । ଟାଇମ୍ ପିସ୍‌ କୁ ଚାହିଁ ଦେଖେତ ନଅଟା ବାଜିଲାଣି । ଖିଆପିଆ କାମ ସାରି ଦେଇ ଅଫିସକୁ ବାହାରି ପଡ଼ିଲା ।

 

ପୁଷ୍ପା ବରାଦ ଦେଲା ମୋ ପାଇଁ ଖଣ୍ଡିଏ ବହି ଆଣିବ ।

 

—କି ବହି, ଉପନ୍ୟାସ ?

 

—ନାଁ ଝିଅମାନଙ୍କର ବ୍ରତ କଥା ।

 

ମନୋଜ ହସି ହସି କହିଲା—କ’ଣ ଛୁଆ ପିଲା ପାଇଁ ବ୍ରତ କରିବ କି ? କିନ୍ତୁ ସାବଧାନ, ଠାକୁର ବେଶୀ ସନ୍ତୁଷ୍ଟ ହୋଇ ଯେପରି ଗୁଡ଼ାଏ ଛୁଆପିଲା ଦେଇ ନ ପକାନ୍ତି ।

 

ପୁଷ୍ପା ଲାଜକୁଳୀ ଲତାଟି ପରି ଝାଉଁଳି ଗଲା । ସରମ ମିଶା ସ୍ୱରରେ କହିଲା—ତୁମର ଯେଉଁ କଥାନା ! ଏଇଥି ପାଇଁ କହିବି ନାହିଁ ବୋଲି ଭାବୁଥିଲି ।

 

—ଆଚ୍ଛା ହେଉ, ଆଣିବି ।

 

—ଆଚ୍ଛା ପୁଷି ପାଇଁ ଖାଇବାର ଆଣିବ ।

 

—ଆଚ୍ଛା !

 

ମନୋଜ ଅଫିସକୁ ଚାଲିଗଲା । କିନ୍ତୁ ସେଦିନ କେଉଁ ଦିଗରୁ ଯେ ସୂର୍ଯ୍ୟ ଉଠିଥିଲା—ମନୋଜ ଯେତେବେଳେ ଘରକୁ ଫେରେ, ସୂର୍ଯ୍ୟ ଡୁବିନି । ସେତେବେଳକୁ ସମୟ ସାଢ଼େ ପାଞ୍ଚଟା...ଗ୍ରୀଷ୍ମର ଗୋଧୂଳି । ଚାରିଆଡ଼େ ବିଛୁଡ଼ି ପଡ଼ୁଚି ଅସ୍ତରାଗର ରକ୍ତ ଜବା ।

 

—ଏତେ ସଅଳ ?

 

ବେଗାବେଗି ଛୁଟିଆସିଲା ପୁଷ୍ପା ।—କିଛି ଅସୁଖ କରିନି ତ ?

 

—ନାଁ ।

 

ହସ ପରିପୂର୍ଣ୍ଣ ଦୃଷ୍ଟିରେ ଚାହିଁଲା ମନୋଜ ପୁଷ୍ପା ଆଡ଼କୁ ।

 

ପୁଷ୍ପା ଟୁଲଟା ଆଗେଇ ଦେଲା । କହିଲା—ବସ, ଜୋତା ଜାମା ଖୋଲିଦିଏଁ ।

 

ମନୋଜ ବସିଲା । କହିଲା, ମୁଁ ନିଜେ ଖୋଲୁଛି । ବ୍ୟସ୍ତ ହୁଅନା । ହଁ, ମୋ ପାଖକୁ ଆସିଲ ପୁଷ୍ପା ।

 

—ଆରେ ବାଃରେ । ଏଇକ୍ଷଣି ଯେ ମୋର ଚୁଳ ବନ୍ଧା ହୋଇନି ।

 

—ଭଲ କଥା । ଅଫିସରୁ ଆସି ସ୍ତ୍ରୀର ଚୂଳବନ୍ଧା ଦେଖିବାଟା କଣ ସ୍ୱାମୀର କମ୍ ଭାଗ୍ୟ-। କେଇଟା ସ୍ୱାମୀଙ୍କ ଭାଗ୍ୟରେ ଏ ସୁଯୋଗ ଯୁଟେ କହିଲ ?

 

ଗୋଟି ଗୋଟି କରି ଜିନିଷଗୁଡ଼ିକ ମନୋଜ ପୁଷ୍ପା ହାତରେ ଦେବାକୁ ଲାଗିଲା । ଏହି ନିଅ ତୁମର ମୀରା ସ୍ମୋ, ଏହି ନିଅ ପୁଷର ଖାଇବାର, ଏହି ନିଅ ତୁମର ଝିଅ ମାନଙ୍କର ବ୍ରତ କଥା, ଆଉ ଏହି ନିଅ ଗରମାଗରମ ଚଣାଚୂର ।

 

ପୁଷ୍ପା ସପ୍ରଶଂସ ଦୃଷ୍ଟିରେ ମନୋଜ ମୁହଁକୁ ଅନାଇଁ କହିଲା—ଏତେ ଜିନିଷ ତୁମେ ଆଣିଛ ? ଯିବାବେଳେ ତ ନେଇ ଯାଇଥିଲା ମାତ୍ର ଦୁଇଟି ଟଙ୍କା, ଏତେ ପଇସା ତୁମେ କେଉଁଠୁ ପାଇଲ ?

 

—ସେଇଠିତ ମଜା ! କେଉଁଠୁ ପାଇଲି କହିଲ ଦେଖି ?

 

—ମୁଁ କେମିତି ଜାଣିଲି ?

 

—ଆଜି ତିନିଟଙ୍କା ରୋଜଗାର କରିଛି । ସେୟାର ଟ୍ରାନ୍‌ସଫର ଷ୍ଟାଫ୍ ଆସିଥିଲେ, ତିନିଟଙ୍କା ମୁଁ କମିଶନ ପାଇଚି ।

 

—କିନ୍ତୁ ସ୍ନୋଟା କିଣିଆଣିଲ କାହିଁକି ମିଛଟାରେ ?

 

—ମୋର ବୋଧେ ଅଧିକାର ନାହିଁ ତୁମକୁ କିଛି ଦେବାକୁ ?

 

—ମୋ ପାଇଁତ ତୁମେ ସବୁ କରିଛ, ନିଜପାଇଁ କଣ କଲ ? ଲୋକେ ଶୁଣିଲେ କହିବେ ତୁମେ ଗୋଟିଏ ସ୍ତ୍ରୈଣ ।

 

ଲୋକଙ୍କ କଥାରେ କଣ ଯାଏ ଆସେ ? ତୁମେ କିଛି ନ କହିଲେ ହେଲା ।

 

—ମୁଁ କଣ ତୁମ ମନରେ ଦୁଃଖ ଦେଇ କେଉଁଦିନ କିଛି କହିଛି ଯେ, ମୋତେ ଏକଥା କହୁଚ ଆଜି ? ତୁମ ଖୁସିରେ ମୋର ଖୁସି ।

 

—କିନ୍ତୁ ମୁଁ ଆଉ ଖୁସି ହୋଇ ପାରୁଛି କେଉଁଠି ? ତୁମ ଭଳି ସ୍ତ୍ରୀକି କଣ ଏ ଘର ସାଜୁଛି ଯେ, ତୁମକୁ ଦେଖି ମୁଁ ଖୁସି ହେବି । ଏପରି ସୁନ୍ଦରୀ ସ୍ତ୍ରୀ ପାଇଁ କଣ ନା ଇମିତି ଗୋଟାଏ କୁତ୍ସିତ ସ୍ୱାମୀ । ଭଗବାନଙ୍କର ବିଚିତ୍ର ବିଚାର ! ଯଦି ତୁମେ ଆଜି ଜଣେ ବାରିଷ୍ଟର କିମ୍ବା କେଉଁ ଜମିଦାରର ସ୍ତ୍ରୀ ହୋଇଥାନ୍ତ, ତାହେଲେ ବି ଗୋଟାଏ କଥା ଥିଲା । କିନ୍ତୁ ଏଠି କଣ ? ସକାଳୁ ସଞ୍ଜ ଯାଏ ହାଣ୍ଡି ପୋଡ଼ା । ଆଉ ଦାସୀବୃର୍ତ୍ତି । ଜୀବନରେ ଅଛି ଆଶା ନା ଆକାଂକ୍ଷା !

 

ଏମିତି କହି ତୁମେ ମୋତେ ଅପମାନ କରିବ ନାହିଁ କହି ଦେଉଚି । ପୁଷ୍ପାର ଚକ୍ଷୁ ଦୁଇଟି ଛଳ ଛଳ ହୋଇ ଉଠିଲା । କାହିଁକି, ମୁଁ ତୁମର କଣ କରିଚି, ଯେତେବେଳେ ନାଇଁ ସେତେବେଳେ ସୁନ୍ଦରୀ ବୋଲି ଖୁଣ୍ଟା ଦେବ । ଆଜକୁ ବିଭାଘର ଗଲା ସାତ ବରଷ ତୁମ ସାଙ୍ଗରେ ମୋର । ଛୁଆ ପିଲା ହୋଇଥିଲେ କେଉଁ ଦିନରୁ ବୁଢ଼ୀ ହୋଇ ଯାଆନ୍ତିଣି । ଏ ଯାଏଁ ରୂପର ଖୁଣ୍ଟାଦେବା ତୁମର ଗଲା ନାହିଁ ? କାହିଁକି, ଦୁନିଆରେ ମୋ ଠାରୁ କି ଆଉ ସୁନ୍ଦରୀ କେହି ନାହିଁ ? ତୁମ ମରଦ ଜାତିଟା ଅନ୍ଧ, ନ ହୁଏତ ଖୋସାମଦିଆ । ତେଣୁ ତୁମେ ଏଇ କଥା ବାରମ୍ବାର କହି ଆନନ୍ଦ ପାଅ । ଅନ୍ୟ କେଉଁ ଝିଅ ପାଲରେ ପଡ଼ିଥିଲେ ବୁଝେଇ ଦେଇଥାନ୍ତା ତୁମ ଏ ଖୁଣ୍ଟା ଦେବାର ପ୍ରତିଫଳ କଣ ।

 

–ସତ କହୁଛି ପୁଷ୍ପା, ଅନ୍ୟ ଝିଅଙ୍କ ପାଲରେ କେତେ ବନ୍ଧୁ ମୋର ପଡ଼ିଛନ୍ତି । ମୋ’ର ଏପରି ଦୁର୍ଭାଗ୍ୟ, ଆଜି ଅବଧି କୌଣସି ଝିଅ ବା ପତିତା ସାଙ୍ଗରେ ଆଳାପ କରିବା ବି ସୁଯୋଗ ପାଇଲି ନାହିଁ । ନିଜର ସ୍ତ୍ରୀକୁ ଛାଡ଼ି ଅପର ଝିଅ ବୋହୂ ଯେ କିପରି ହୁଅନ୍ତି, ତା ମୋର ଧାରଣାର ବାହାରେ ।

 

—ଆଉ ଗୋଟିଏ ବିବାହ କରୁନ ।

 

କାହାକୁ ? ପତିତାକୁ ?

 

—ଦୁନିଆରେ କ’ଣ ଖାଲି ପତିତା ଅଜନ୍ତି ? ସତୀ ନାହାନ୍ତି ?

 

—ତାଳପତ୍ର କୋଷ୍ଠି ଦେଖି ତାହା ଆଉ ଠିକ୍ କରି ହୁଏନା । ସତୀ ବୋଲି ଭାବି ଯାହାକୁ ବିବାହ କରିବୁ, ତା’ର ହୁଏତ କେଉଁ ଧରମଭାଇ ଥିବ ସନ୍ନ୍ୟାସୀ ହୋଇ । ଯାହାକୁ ରୂପସୀ ଦେଖି ଘରକୁ ଆଣିବୁ, ତା’ର ହୁଏତ ଗୋଟିଏ ରୂପବାନ ପୁରୁଷ ବିରହୀ କପୋତର ଭଳି କେଉଁ ଝରକା ପାଖରେ ମୁଣ୍ଡ ବାଡ଼ୋଉଥିବ । କାହ୍ନାକୁ ବିବାହ କରିବି କୁହ ? ଆଉ ବିବାହ କଲେ ତୁମେ କଣ ସହ୍ୟ କରିବ ? ତୁମ ନାରୀଜାତିର ତ ବିରାଡ଼ି ଠାରୁ ଆହୁରି ହିଂସା ।

 

—ଆଜି ବେଳାବେଳି ଅଫିସରୁ ଆସିଚ, ବୋଧେ ଏଇସବୁ କଥା ଶୁଣେଇବା ପାଇଁ ?

 

ଅଭିମାନ ଆଉ ରାଗରେ ପୁଷ୍ପାର ଆଖି ଦୁଇଟି ଛଳ ଛଳ ହୋଇ ଉଠିଲା । କାନ୍ଦ କାନ୍ଦ ହୋଇ ବାହାରିଗଲା ରାନ୍ଧଣା ଘରକୁ ।

 

ମନୋଜ ବୁଝିଲା, ଏହି ଅପୂର୍ବ ସନ୍ଧ୍ୟାଟା ବୋଧେ ମାଟି ହୋଇଗଲା । ଅଫିସରୁ ଫେରି ମନୋଜର ଆହ୍ନିକ କରିବାର ଅଭ୍ୟାସ, ଯେତେବେଳେ ଯେତେ ରାତିରେ ଆସୁ ପଛେ । ସେ ସାର୍ଟ ପେଣ୍ଟ ଖୋଲି ଆଉ ସ୍ଥିର ରହି ପାରିଲା ନାହିଁ । ଛୁଟିଗଲା ରୋଷ ଘରକୁ । କହିଲା, ଜଳ ଦେବ ନାହିଁ ହାତ ଗୋଡ଼ ଧୋଇବାକୁ ? ସନ୍ଧ୍ୟା କରିବି ନାହିଁ । ବେଳାବେଳି ଆସିଲେ ତୁମେ ଇମିତି ରାଗିବ....ବେଶ୍ କାଲିଠାରୁ ଡେରିକରି ଆସିବି ।

 

ଏଇ କଥା ପଦକରେ ପୁଷ୍ପା ବିଚଳିତ ହୋଇ ଉଠିଲା । ସେତେବେଳେ ସେ ରୋଟି ସେକୁଥିଲା ଆଞ୍ଚରେ, ମନୋଜକୁ ଖାଇବାକୁ ଦେବ ବୋଲି । କହିଲା—ଜଳ ତ ବାଲ୍‌ଟିରେ ରଖି ଆସିଛି ଘର ସାମନାରେ । ଆଉ ଏସବୁ କଥା କହିଲେ ବୋଧେ ନ ରାଗି ଶ୍ରଦ୍ଧା ଆସିବ ତୁମ ଉପରେ ? ତୁମେ କାହିଁକି ଏମିତି କଥା କୁହ ଭଲା ?

 

—ମୁଁ ତ ଆଉ ପର ନୁହେଁ, ମୋ ଉପରେ ଇମିତି ରାଗିଚ । ପର କେହି କହିଲେ ବରଂ ରାଗ କରିପାର । ଏଇକ୍ଷଣି ଆସିଲ ମୋ ପାଖକୁ, ରୋଟି ସେକିବ ପରେ ।

 

ପୁଷ୍ପାର ହାତ ଧରି ନିଜ ଆଡ଼କୁ ଟାଣିଲା ମନୋଜ ।

 

—ହାତ ଛାଡ଼, ଯାଉଚି ।

 

ପୁଷ୍ପା ନିଜ ଘରକୁ ଚାଲି ଆସିଲା ଆଞ୍ଚରୁ ତାଉଆଟା ଓହ୍ଳେଇ ଦେଇ ।

 

—କାହିଁକି ଡାକିଲି କୁହ !

 

—ଆରେ ତୁମେ ତ ଏଯାଏଁ ବି ପଚାରିନା, ଆଜି ଏତେ ବେଳାବେଳି ଆସିଲ କେମିତି-

 

—ପାଞ୍ଚଟାରେ ଆସିଚ, ସେଥିରେ ପୁଣି ବେଳାବେଳି ?

 

ଏଇ ରକମ ତ ଆମ ଅଫିସର ବରଦାପ୍ରସନ୍ନବାବୁ କହନ୍ତି, ଯଦି ରାତି ଦେଢ଼ଟାରେ ଅଫିସରୁ ନଗଲ, ତା’ହେଲେ ଆଉ ଡିଉଟି ବଜାଇଲ କ’ଣ ? ୟା ପୁଣି କହନ୍ତି କାମ ?

 

—ଭଦ୍ରଲୋକର କ’ଣ ସ୍ତ୍ରୀ ନାହିଁ ?

 

—ଥିଲେ, ଆଜି ସକାଳ ଚାରିଟାରେ ମରିଛନ୍ତି ରସି ଦେଇ ।

 

—ତେଣୁ ବୋଧେ ତୁମେ ଆଜି ବେଳାବେଳି ଆସିଛ ? ହଉ, ଆହ୍ନିକ ଶେଷ କର, ମୁଁ ଜଳଖିଆ ଆଣୁଛି ।

 

ପୁଷ୍ପା ଚାଲିଗଲା ।

 

ଚା ଜଳଖିଆ ଖାଇ ସାରିବା ପରେ ମନୋଜ କହିଲା—ଆଜି ଟିକିଏ ବୁଲିଯିବା ଚାଲ । ଜଲଦି ବାହାରି ପଡ଼ । ସାତଟା ପନ୍ଦର ମିନିଟ୍ ହୋଇଛୁ ।

 

—କୁଆଡ଼େ ଯିବା କହିଲ ?

 

—ଚାଲ ସିନେମା ଦେଖିଯିବା ।

 

—ଏଇକ୍ଷଣି ଆଉ ସିନେମା କେଉଁଠି ? ....ସାତଟା ବାଜି ଯେ ପନ୍ଦର ମିନିଟ୍ ହେଲାଣି-

 

—ଆରେ ସତେ ତ;

 

—ତା ଅପେକ୍ଷା ମୁଁ ଗୋଟିଏ ଜାଗା କହୁଚି, ନେଇଯିବ ?

 

—କେଉଁଠିକି ?

 

—ନିମତଲା ଘାଟକୁ । ଚାଲନା, କେଉଁ ଦିନରୁ ଦେଖି ନାହିଁ ।

 

—ତୁମ ରୁଚିକି ଧନ୍ୟବାଦ ! ଦୁନିଆରେ କି ଆଉ କେଉଁଠି ଜାଗା ନାହିଁ ?

 

—ନେଇଯିବ କି ନାଇଁ କୁହ !

 

—କ୍ଷମା କର ! ତା’ ଅପେକ୍ଷା ତୁମେ ଅନ୍ୟ କିଛି କାମ କର, ମୁଁ ମଧ୍ୟ ବସି ବସି ସକାଳର କାଗଜଟା ଓଲଟାଏଁ ।

 

—ମୁଁ ତେବେ ଏଇଠି ବସି ଝିଅମାନଙ୍କର ବ୍ରତ କଥା ପଢ଼ୁଛି ।

 

—ବେଶ୍ ପଢ଼ ।

 

ରାତିରେ ଖାଇବସି ମନୋଜ ଆଶ୍ଚର୍ଯ୍ୟ ହୋଇଗଲା । କେତେ ରକମର ତରକାରୀ ! ଅଧସେର ଦୁଧ ବି ଗ୍ଲାସରେ ଥୁଆ ହୋଇଛି ତା’ର ଥାଳି ପାଖରେ

 

ଏ ଦୁଧ କେଉଁଠାରୁ ଆସିଲା ପୁଷ୍ପା ? ବିସ୍ମିତ ହୋଇ ପଚାରିଲା ମନୋଜ ।

 

ଆମରି ପଢ଼ୁଆଁଳି ଗାଈଟା ଦୋଆଁଳ ହୋଇଛି ଯେ, ତା’ଠାରୁ ଏ ନୂଆ ଦୁଧ ଆମଦାନୀ କରା ହୋଇଛି । ପୁଷ୍ପା ହସି ହସି ଜବାବ ଦେଲା ।

 

—ନା ନା ଥଟ୍ଟା ନୁହେଁ, ଏ ଦୁଧ କାହାକୁ ଦେଇଚ ?

 

ତୁମକୁ...ତୁମକୁ ...ତୁମକୁ, ହେଲା ! ପୁଷ୍ପା ହସି ହସି ଲୋଟିଗଲା ।

 

—ମୁଁ ଏତେ ଦୁଧ ଖାଇବି ନାହିଁ ।

 

—ଯଦି ନ ଖାଅ କୋଳକୁ ଟାଣି ଆଣି ଜୋର୍ କରି ଖୋଇଦେବି ଜାଣିଥା ।

 

ସତେ ନା କଣ ! ହସି ହସି କହିଲା ମନୋଜ ।

 

ପୁଷ୍ପା ବି ନଛୋଡ଼ବନ୍ଧା....ଯଦି ଟିକିଏ ଦୁଧ ଘିଅ ନ ଖାଅ ବ୍ୟାଙ୍କରେ କାମ କରିବ କିପରି ? ଗୋପାଳ ସାଙ୍ଗରେ ବନ୍ଦୋବସ୍ତ କରିଚି ନିତି ଅଧସେର କରି ଦୁଧ ଦେବ । ଦୁଧତକ ଖାଇଦିଅ କହୁଚି । ନ ଖାଇଲେ ମୋ ମୁଣ୍ଡ ଖାଇବ ।

 

....ତୁମର ମୁଣ୍ଡ ଖାଇବାକୁ ହେବ, ତା ସାଙ୍ଗରେ ଦୁଧ ବି ? ନାଁ, ଦେଖୁଛି ତୁମେ ମୋତେ ପାଗଳ ନକରି ଛାଡ଼ିବ ନାହିଁ । କାହିଁକି କହିଲ ଦେଖି ଏତେ ସବୁ ଲମ୍ବା ଖର୍ଚ୍ଚ ଆରମ୍ଭ କରୁଚ ?

 

ଲମ୍ବା ଖର୍ଚ୍ଚ କିଛି ନୁହେଁ, ତୁମେ ଆଗେ ଖାଇଦେଲ ।

 

ଶୋଇବା ସମୟରେ ମନୋଜ ଜିଦ୍ ଧରିଲା—ଗୋଟିଏ ଗପ କହିବ ।

 

ଫିକ୍ କରି ହସି ଉଠିଲା ପୁଷ୍ପା....ବାଃରେ, ମୁଁ କଣ ତୁମର ଆଈବୁଢ଼ୀ ଯେ, ଗପ କହି ତୁମକୁ ଶୋଇ ପକେଇବି ? ଗପ ଆହୁରି ତୁମେ କହିବାର କଥା ।

 

—ମୁଁ କଣ ଗପ ଜାଣେ ଯେ କହିବି ?

 

—ବାଃ, ବି.ଏ. ପର୍ଯ୍ୟନ୍ତ ପାଠ ପଢ଼ିଚ, ଆଉ ଗପ ଜାଣନା ? ତୁମେ ପୁରୁଷ ଲୋକ, କେତେଆଡ଼େ ବୁଲୁଚ, କେତେ ଲୋକଙ୍କ ସାଙ୍ଗରେ ମିଶୁଚ, ତୁମେ ଗପ ଜାଣନା ତ କ’ଣ ମୁଁ ଜାଣେ-

 

—ସତ କଥା ଏକା ପୁଷ୍ପା ! ତୁମକୁ ପାଇବା ଦିନଠୁଁ ମୁଁ ସବୁ କିଛି ଭୁଲି ଯାଇଛି । ଏଇନେ ଖାଲି ଗୋଟିଏ ଗପ ମୋର ମନେ ଅଛି । ....ଗୋଟିଏ ଗ୍ରାମରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଥିଲେ ।

 

—ତା’ପରେ ?

 

—ରୁହ, ମୁଁ ମନେ ପକାଏ । ଆଚ୍ଛା ମୁଁ ଏତେ ଭାବି ଚିନ୍ତି କହିବା ଅପେକ୍ଷା ତୁମେ ତ କହିଲେ ଭଲ ହୁଅନ୍ତା ।

 

—ମୁଁ ପୁଣି ଗପ କହିବି ?

 

—ବ୍ରତ କଥାରୁ ଗୋଟିଏ ଗପ କୁହ, ଆଜି ତ ବ୍ରତବହି ପଢ଼ୁଥିଲ ।

 

—କେଉଁ ଗପଟା ଶୁଣିବ କୁହ ?

 

—ଯା ତୁମର ଖୁସି ।

 

—ଆଚ୍ଛା, ମଙ୍ଗଳ ସଂକ୍ରାନ୍ତିର କଥା ଶୁଣ । ଗୋଟିଏ ଗ୍ରାମରେ ବାରିକ ଘରଟିଏ ଥିଲା । ଦିନେ ସେ ଘରର ବୋହୂ ତାର ଶାଶୁ ବୁଢୀକି କହିଲା—ମା ଆଜି ସଂକ୍ରାନ୍ତି, ମଙ୍ଗଳବାର, ଶୁକ୍ଳପକ୍ଷ, ତୁମକୁ ମଙ୍ଗଳ ସଂକ୍ରାନ୍ତି କରିବାକୁ ହେବ ।

 

ଶାଶୁ ବୁଢ଼ୀ କହିଲା, ନାଇଁଲୋ ମା ! ମୁଁ ଏସବୁ କିଛି କରି ପାରିବି ନାହିଁ । ସେ ଉପାସ ଫୁପାସ ମୋ ଦ୍ୱାରା ହେବନାହିଁ । ତା ଅପେକ୍ଷା ତୁ ଭଲ ଭାବରେ ରନ୍ଧାବଢ଼ା କର ମୁଁ ଖାଇବି । ତୁ ପାରିବୁତ ମଙ୍ଗଳ ସଂକ୍ରାନ୍ତି କର ।

 

ସେଇଆ ହେଲା । ବୋହୂ ଉପାସ କଲା । ଶାଶୁବୁଢ଼ୀ ମାଛ ଭାତ ପେଟେ ଖାଇ ଖଟରେ ଶୋଇଲା । କିଛିଦିନ ପରେ ଶାଶୁ ବେମାର ପଡ଼ିଲା । ଭୟାନକ ବେମାର । ଯେତେ ସେ ଓଷଦପତ୍ର ଖାଇଲା କିଛି ଫଳ ହେଲା ନାହିଁ । ଶେଷରେ ତା ଦେହରୁ ଏମିତି ଗୋଟାଏ ଦୁର୍ଗନ୍ଧ ବାହାରିଲା ଯେ କେହି ତା ପାଖ ପଶି ପାରିଲେନି । ତାର ଶୋଇବା ଘରୁ ରାତିରେ ଗୋଟାଏ ବିକଟ ଶବ୍ଦ ଶୁଣାଗଲା । ଦିନେ ପୁଅ ବୋହୂ, ମିଶି ଠିକ୍ କଲେ, ସେମାନେ ରାତିରେ ଜଗି ଦେଖିବେ ଶବ୍ଦଟା କେଉଁ ଆଡ଼ୁ କିପରି ଭାବରେ ଆସୁଛି ।

 

ଦେଖିଲେ ବୁଢ଼ୀ ପ୍ରଥମ ପ୍ରହରରେ ଶଙ୍ଖ ହେଉଚି, ଦ୍ୱିତୀୟ ପ୍ରହରେ ତମ୍ବାକୁଣ୍ଡ, ତୃତୀୟ ପ୍ରହରରେ ଗୋରୁ । ଆଉ ଚତୁର୍ଥ ପ୍ରହରରେ...କି ଶୋଇଗଲନା କଣ ?

 

—ଏସବୁ କଥା ଶୁଣି କି ନିଦ ଆସେ ? ହଁ, ତା’ପରେ କଣ ହେଲା କହିଯାଅ ।

 

—ଶେଷରେ ଦିନେ ପୁଅ ବୋହୂ ଜଣେ ପଣ୍ଡିତ ବ୍ରାହ୍ମଣ ଡାକିଲେ । ପଣ୍ଡିତ କହିଲେ, ତୁମର ମା ଆଉ ମା ହୋଇ ନାହିଁ । ମାଇକିନା ଝିଅ ଅଶୁଚି ଅବସ୍ଥାରେ ଦେବତା ବ୍ରାହ୍ମଣ ଛୁଇଁଲେ ମହାପାପ ହୁଏ । ଶଙ୍ଖ ଛୁଇଁଲେ ଶଙ୍ଖ, ତମ୍ବା ଛୁଇଁଲେ ତମ୍ବା, ଆଉ ଗୋରୁ ଛୁଇଁଲେ ଗୋରୁ ହୁଏ ! ମା ତୁମର ସବୁ ଛୁଇଁ ବସିଛନ୍ତି । ତା’ହେଲେ ଗୋଟିଏ କଥା ଶୁଣ । ବୈଶାଖ ମାସ ଶୁକ୍ଳପକ୍ଷ ମଙ୍ଗଳବାରରେ ସଂକ୍ରାନ୍ତି ପଡ଼େ, ତାକୁ ମଙ୍ଗଳ ସଂକ୍ରାନ୍ତି କୁହନ୍ତି । ସେଇ ବ୍ରତ କଲେ ସ୍ତ୍ରୀ ଜାତିର କୌଣସି ଦୋଷ ରହେନା । ତୁମରି ମା କଣ ମଙ୍ଗଳ ସଂକ୍ରାନ୍ତି କରିଛନ୍ତି ? ପୁଅ ବୋହୂ କହିଲେ—ଦଁ, । ତେବେ ଯଦି କିଛି ଉପାୟ ଥାଏ କୁହ !

 

ପଣ୍ଡିତ କହିଲେ—ଯଦି କେହି ତୁମର ମା’ ପାଇଁ ମଙ୍ଗଳ ସଂକ୍ରାନ୍ତି କରେ, ତା’ହେଲେ ତୁମର ମା ଭଲ ହୋଇଯିବେ ।

 

ପୁଷ୍ପା ଅଟକି ଅଟକି ଯାଇ କହିଲା—କିଗୋ, ହୁଁ ଦେଉନା ଯେ ?

 

ହୁଁ ସେତେବେଳକୁ ଦେବ କିଏ ? ସାରାଦିନ ଅବିଶ୍ରାନ୍ତ ଖଟଣିରେ ମନୋଜ ଶୋଇ ଯାଇଥିଲା । ସେ ହଲାଇ ଡାକିଲା ମନୋଜକୁ । ମନୋଜର ଛାଇନିଦଟା ଚାଉଁକିନା ଭାଙ୍ଗିଗଲା । ସେ ପୁଷ୍ପାକୁ ଛାତି ଉପରକୁ ଟାଣିନେଇ ତା ଶଙ୍ଖ ସିନ୍ଦୂର ଗାଲରେ ଆଙ୍କି ଦେଲା କଅଁଳ ଚୁମ୍ବନ... ।

☆☆☆

 

ବାତାୟନ ପଥରେ ଦେଖା ଯାଉଥାଏ, ଆକାଶ ସହରରେ ତାରାର ଅସଂଖ୍ୟ ବତୀଖୁଣ୍ଟ, ସେପଟରେ ଚନ୍ଦ୍ରର ସର୍ଚ୍ଚଲାଇଟ୍ ।

ଏଇ ଭିତରେ ପ୍ରାୟ ଛଅଟା ମାସ ବିତିପାଇଛି । ଗୋଟାଏ ସାନ୍ତ୍ୱନା ଯେ, ବରଦାପ୍ରସନ୍ନବାବୁ ଚିରଦିନ ପାଇଁ ବିଦାୟ ନେଇ ଯାଇଛନ୍ତି ଏହି ଅଫିସରୁ । ସହସା ପଙ୍ଗୁହୋଇ ଯାଇଚି ପକ୍ଷାଘାତରେ ତାଙ୍କର ଡାହାଣ ହାତ । ଫଳରେ ମନୋଜ ପ୍ରତିଦିନ ସାଢ଼େ ପାଞ୍ଚଟାରେ ଛୁଟିହୋଇ ଆସେ ବ୍ୟାଙ୍କରୁ । ଆଉ ବରଦାପ୍ରସନ୍ନବାବୁଙ୍କ ଜାଗାରେ ଯିଏ ଆସିଛନ୍ତି, ସେ ବରଦାପ୍ରସନ୍ନବାବୁଙ୍କ ଭଳି ସେମିତି କିଟିକିଣିଆ ଲୋକ ନୁହନ୍ତି । ଡିପାର୍ଟମେଣ୍ଟର ପ୍ରତ୍ୟେକ ଲୋକର କାର୍ଯ୍ୟ ଦେଖନ୍ତି, ପ୍ରତି ଲୋକଙ୍କୁ ସେ ବାଧ୍ୟ କରନ୍ତି ସାଢ଼େ ପାଞ୍ଚଟା ମଧ୍ୟରେ ଘରକୁ ଯିବାକୁ । ଆଉ ଯେଉଁଠାରେ ପ୍ରକୃତରେ ଲୋକର ଅଭାବ, ବଡ଼ ସାହେବଙ୍କ ସାଙ୍ଗରେ ଝଗଡ଼ା କରି ଯେ କୌଣସି ପ୍ରକାରେ ହେଉ, ସେ ଲୋକ ଅଣାନ୍ତି । ମାଲିକ ପକ୍ଷ ତାଙ୍କୁ ବିଷ ନଜରରେ ଦେଖିଲେ ବି, କିରାନୀକୁଳର ସେ ମା ବାପ । ଆଉ ରବିବାର ଖଟଣୀ ସେ ବେପରୁଆ ଭାବରେ ବନ୍ଦ କରିଛନ୍ତି । ବରଦାପ୍ରସନ୍ନ ବାବୁ ଥିବାବେଳେ ଅନେକ ରବିବାର ଛୁଟି ହୁଏନା । ୟାଙ୍କର ଇଚ୍ଛା କିନ୍ତୁ ତା ନୁହେଁ, ୟେ କୁହନ୍ତି ମୋର ସହକର୍ମୀମାନେ ପ୍ରତ୍ୟେକ ହିଁ ଅଭାବଗ୍ରସ୍ତ । ସେମାନଙ୍କୁ ଯଦି ପଇସା ବିନିମୟରେ ପ୍ରତ୍ୟେକ ରବିବାର ଖଟିବାକୁ କୁହାଯାଏ କେହି ମନା କରିବେ ନାହିଁ । କିନ୍ତୁ ପଇସାଟାତ ବଡ଼ ନୁହେଁ । ଶ୍ରମ ଯେଉଁମାନେ କରନ୍ତି, ବିଶ୍ରାମ ବି ସେମାନଙ୍କର ପ୍ରୟୋଜନ । ପାଞ୍ଚଟା ଟଙ୍କା ରୋଜଗାର କରିବାକୁ ଯେଉଁମାନେ ଆସନ୍ତି ଅଫିସକୁ—ପଚାଶ ଟଙ୍କା ଔଷଧ ପତ୍ରରେ ଖର୍ଚ୍ଚ କରିବାକୁ ସେମାନେ ବି ଦିନେ ବାଧ୍ୟ ହୁଅନ୍ତି । ପାଞ୍ଚଟା ଟଙ୍କା ଦେଇ ଅଫିସରେ ଖଟାଇ ନେଇ ପାରିବେ ଛୁଟି ଦିନରେ ବାବୁମାନେ—କିନ୍ତୁ ଯେଉଁବେଳେ ସେମାନେ ଅସୁସ୍ଥ ହୋଇ ପଡ଼ିବେ—ସେଇ ଅସୁସ୍ଥତାକୁ ହଟେଇବା ପାଇଁ ପଚାଶ ଟଙ୍କା ସେମାନଙ୍କୁ ଖର୍ଚ୍ଚ କରିବାକୁ ହେବ—ସେଇବେଳେ ଅଫିସ୍‌ ଏତେ ଟିକିଏ ସାନ୍ତ୍ୱନାର ବାଣୀ ବି ଶୁଣାଇବାକୁ ଆସିବ ନାହିଁ ସେମାନଙ୍କ ପାଖକୁ । ପଠାଇ ଦେବେନି ସେମାନଙ୍କର ପରିଚିତ କୋଉ ଡାକ୍ତରକୁ ରୋଗୀର ବସାକୁ, ବରଂ ସେମାନେ ଉପହାସ କରିବେ—ଅବିଶ୍ୱାସ କରିବେ, ଯେତେବେଳେ କେହି ଜଣେ ରୋଗୀ—କର୍ମୀ ଛୁଟିର ଦରଖାସ୍ତ ଧରି ପହଞ୍ଚିବେ ସେମାନଙ୍କ ଦରବାରରେ ।

ବଡ଼ ସାହେବ ୟାଙ୍କୁ କୁଆଡ଼େ ଥରେ ଡାକିଥିଲେ । ଡାକିଥିଲେ ତାଙ୍କର ଘରକୁ । କହିଲେ—କଣ କରୁଛନ୍ତି ମି—ସିଂହ ! ଦିନକୁ ଦିନ ଯେ ଅଫିସ କମ୍ୟୁନିଷ୍ଟ ହୋଇ ଉଠୁଚି ।

ମି—ସିଂହ ଟାଇଟାକୁ ସିଧା କରିନେଇ, ଦେଖିନେଲେ ଥରେ—ଦାମୀ ସୁଟ୍‌ରେ ତ୍ରିଜଟା ଅଛି କି ନା ନିର୍ଭୁଲ । ତା ପରେ ନିର୍ଭୟରେ କହିଥିଲେ—କିପରି ।

ଷ୍ଟାଫ୍‌କୁ ଆପଣ ଏ ରକମ ଛୁଟି ଦେଉଛନ୍ତି—ସେମାନଙ୍କର ରବିବାର ଖଟଣି ବନ୍ଦ କରିଛନ୍ତି–ଏଇଟା କଣ ଭଲ ହେଉଚି ?

—ତାହେଲେ କଣ କରିବାକୁ କହୁଚନ୍ତି ମୋତେ ?

—ମାନେ, ମୁଁ କିଛି କହୁନାହିଁ । ତେବେ କଥା ହେଉଛି କ’ଣ, ଯେମିତି ଚଳୁଥିଲା ସେମିତି ଚଳୁ ।

—ଆପଣ କଣ କହିବାକୁ ଚାହାଁନ୍ତି, ସେଇ ରାତି ନଅଟାରେ ଘରକୁ ଯିବାପାଇଁ ବରଦାପ୍ରସନ୍ନ ବାବୁଙ୍କ ଭଳି ? ଆଉ ଷ୍ଟାଫ୍‌କୁ ଅଟକାଇ ରଖିବା ଲେଟ୍ ଆଓୟାରସ ପର୍ଯ୍ୟନ୍ତ ? ମୋ ଦ୍ୱାରା ତା’ ହୋଇପାରିବ ନାହିଁ । କହିବେତ ରିଜାଇନ୍ ଦେବି ।

 

ମି—ସିଂହ ଗ୍ଳେଜକିଡ୍‍ ଜୋତାର ଆଓ୍ୱାଜ କରି ସିଧା ବାହାରି ଆସିଥିଲେ ବଡ଼ ସାହେବଙ୍କ ଡ୍ରଇଁ ରୁମ୍‌ରୁ ।

 

ଏଇ ସାହେବଙ୍କ ପାଖରେ ଏଇକ୍ଷଣି କାମ କରେ ମନୋଜ...କାହିଁକି ବା ତା ଜୀବନରେ ଆସିବ ନାହିଁ ପୁଣି ନୂତନ ସମ୍ଭାବନା.... । ଜୀବନକୁ ଉପଭୋଗ କରିବାର ନୂତନତ୍ୱ ଦୃଷ୍ଟି କୋଣ ।

 

ତେଣୁ କଲିକତାକୁ ବସନ୍ତ ଆସିବା ସଙ୍ଗେ ସଙ୍ଗେ ବୋଧହୁଏ ବୟସ ବି ମନୋଜର ସାତବର୍ଷ ପଛେଇ ଯାଇଚି ।

 

ମିସ୍ ଲୀନାକୁ ଅଫିସରେ କିଏ ନ ଚିହ୍ନେ ? କିଏ ବା ନ ଦେଖିଚି ? ଖାଲି କଣ ଅଫିସ୍‌ରେ, ଅଦ୍ୱିତୀୟ ଟେଲିଫୋନ୍ ଅପରେଟାର ହିସାବରେ ତାର ପରିଚୟ ? ଆଉ କିଛି ନୁହେଁ, ଆହୁରି ଅଛି ନିଶ୍ଚୟ । ଲୀନା ହିନ୍ଦୁ ନୁହେଁ କିନ୍ତୁ ଚମତ୍କାର ଗୋଟିଏ ଆଙ୍ଗ୍‌ଲୋଇଣ୍ଡିୟାନ୍ ଝିଅ । ମୁଣ୍ଡରେ କେଶ ତାର କଳା ନୁହେଁ—ସୁନେଲି । ସୁନେଲି ଆଉ ବବ କରା ! ମୁହଁରେ ଅନବରତ ପାଉଡ଼ର—ଗାଲରେ ରୁଜ୍....ଅଧରରେ ଲିପ୍‌ଷ୍ଟିକ୍...ଟଣା ଟଣା ଆଖିରେ ସୁର୍ମ୍ମା । ଆର୍ଟ ପୁରି ରହିଛି ତାର ସମସ୍ତ ଅବୟବରେ । ତାର ନଗ୍ନ ଦୁଇଟି ବାହୁ..... ତାର ଆଙ୍ଗୁଳି......ତାର ଗ୍ରୀବା....ଏପରିକି ତାର ମାଂସଳ ଯୌବନ ମଦମତ୍ତ ବକ୍ଷସ୍ଥଳରେ ମଧ୍ୟ । ତାର ଏହି ନଗ୍ନ ସୌନ୍ଦର୍ଯ୍ୟ ଆଣି ଦେଇଚି ନୟନର ବିରାଟ ସାର୍ଥକତା ଅଫିସର ପ୍ରତ୍ୟେକ ଲୋକର ପ୍ରତି ଅନୁଭୂତିର ଅଣୁ ପରମାଣୁରେ ।

 

ଲୀନା ଏ ଅଫିସକୁ ଆସିଚି ମାତ୍ର ମାସ ଛଅଟା ହେବ । ତା ଆଗରୁ ସେ କଣ କରୁଥିଲା, କେଉଁଠି ଥିଲା ସେ ସବୁ ଖବର ଆମକୁ ଅଜଣା । ତଥାପି ତାର ଏହି ଉଜ୍ଜଳ ଉପସ୍ଥିତି ସମସ୍ତ ଅଫିସ ଭିତରେ ଏକ ଅଦ୍ଭୁତ ଚମକ ଆଣି ଦେଇଚି । ପହିଲି ବସନ୍ତର କଅଁଳ ସକାଳର ଏ ଯେପରି ସ୍ୱର୍ଣ୍ଣଚମ୍ପାର ସୁଗନ୍ଧ । ଆଉ ଲୀନାର ଯେଉଁଟା ସୌନ୍ଦର୍ଯ୍ୟ....ଯାହା ବିହୁନରେ ତାର ଅନେକ ଦିପ୍ତି କମି ଯାଆନ୍ତ—ସେଇଟା ହେଉଛି ତାର ଆୟତ ଚକ୍ଷୁର ରମଣୀୟ ଚାହାଣୀ ! ଆଉ ତା ସଙ୍ଗରେ ତାର ଅକ୍ଳାନ୍ତ କର୍ମ–ସୁଲଭ ଆଚରଣ—ମନ ଭୁଲା ସୁନ୍ଦର କଣ୍ଠସ୍ୱର ।

 

ଲୀନା ଆସିବା ଆଗରୁ ଜଣେ ପୁରୁଷ ଅପରେଟାର ଥିଲେ ଏହି ପଦରେ ଦରକାରୀ ଲାଇନ୍ ଚାହିଁଲେ ବି ମଳୁ ନ ଥିଲା ତା ପାଖରୁ । ହୁଏତ ତୁମେ ଡିପାର୍ଟମେଣ୍ଟରୁ ରିସିଭର ଉଠାଇଲ....ତେଣେ ଅପରେଟାର ଢୁଳାଉଛି । ତାର ଦୁଇ କଳ ଦେଇ ପାନ ବାଚୁ ଗଡ଼ିବାକୁ ଲାଗିଚି-। ତୁମେ ଯାଇ ଡାକିଦେଲ—ସାର !

 

ଏଁ, ବୋଲି କହି ଧଡ଼ପଡ଼ ହୋଇ ଉଠି ବସନ୍ତି ଅପରେଟାର ।

 

କିନ୍ତୁ ବର୍ତ୍ତମାନ ?

 

ତୁମେ ଯାଇ ରିସିଭର୍ ଉଠାଇବାକ୍ଷଣି, ସଙ୍ଗେ ସଙ୍ଗେ ଲୀନା ପ୍ରଶ୍ନ କରିବ—ସ୍ପିକିଂ ?

 

ଇୟେସ !

 

ସ୍ପିକିଂ ହିୟାର ପ୍ଲିଜ୍ !

 

ଆହା ! କାନରେ ଯେମିତି ଅମୃତ ଢାଳି ଦିଏ । ଆଉ ତାର ସୁନ୍ଦର କଣ୍ଠରେ ଯେତେବେଳେ ସେ କାହାରି ନାଁ ଧରି ଡାକେ.......ସେଇବେଳେ କେତେ ଭଲ ଯେ ଲାଗେ....

 

ଫଳରେ ହେଲା, ଫୋନ୍ କରିବା ଅପେକ୍ଷା ଫୋନ୍ ଅପରେଟାରର ସୁ—ନଜରରେ ପଡ଼ିବାରେ ଯେପରି ଗୋଟାଏ ପ୍ରତିଜ୍ଞାବଦ୍ଧ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଗଲା । କିଏ କେତେ ନମ୍ବର ଚାହିଁପାରେ......କିଏ କେତେ ଲୀନାକୁ ବିରକ୍ତ କରିପାରେ....ଥରେ ନମ୍ବର ଚାହିଁ କିଏ କେତେ ବେଶି କଥା କହିବାର ସୁଯୋଗ ପାଏ, ମାନେ ପଚାରିପାରେ—

 

—ମେ ଆଇ ଏକ୍‌ସପେକ୍‌ଟ ଦି ଲାଇନ୍ ସୁନ୍ ? ଯେପରି ଏକ ଅସୀମ ସାହସିକ ଅଙ୍ଗୀକାର ଲାଗିଲା ଯୁବକର୍ମୀମାନଙ୍କ ମଧ୍ୟରେ । ୟାଙ୍କ ଭିତରୁ ମନୋଜ ବି ବାଦ ପଡ଼ି ନ ଥିଲା । ଘରେ ତାର ସୁନ୍ଦରୀ ସ୍ତ୍ରୀ ଅଛି ସତ, କିନ୍ତୁ ଭଗବାନ ପୁରୁଷ ଦେହରେ ଏପରି ଉଗ୍ର କ୍ଷୁଧା ଦେଖିଛନ୍ତି ଯେ, ସେ ଯେତେ ସଂଯମୀ ହେଉ ପଛେ ପର ଝିଅ ବୋହୂଙ୍କ ଉପରେ ଦୃଷ୍ଟି ପଡ଼ିଲେ ସେ କେବେହେଲେ ଦୃଷ୍ଟି ଛଡ଼ା ଶିବଲିଙ୍ଗ ହୋଇ ପାରେନା ।

 

ସେହିପରି ମନୋଜ ବି ହର ଘଡ଼ି ଟେଲିଫୋନ କରିବାକୁ ଲାଗିଲା । ଲୀନା ମନୋଜ ଚୌଧୁରୀର ନାମ ଅଚିରେ ହିଁ ଜାଣିଗଲା । ସାମାନ୍ୟ କଥାରେ ମିଛି ମିଛିକା କାରଣ ନେଇ ମନୋଜ ଯାତାୟତ କଲା ଟେଲିଫୋନ୍ ଘରକୁ । ଯଥା ଅଯଥାରେ ଏଣୁ ତେଣୁ ପ୍ରଶ୍ନ ମଧ୍ୟ କରେ, କେବଳ ଲୀନା ମୁହଁରୁ କଅଁଳ କଥା ପଦଟିଏ ଶୁଣିବା ପାଇଁ ।

 

ଲୀନା ଯାଦୁଭରା ଦୃଷ୍ଟିରେ ଚାହେଁ ମନୋଜ ଆଡ଼କୁ । ଆଉ ଅମୃତ ବୋଳା କଥା ଦି’ପଦ ମଧ୍ୟ ଢାଳିଦିଏ ମନୋଜ କାନରେ ।

 

ତଡ଼ିତ ଖେଳିଯାଏ ମନୋଜ ଶିରା ପ୍ରଶିରାରେ । ଦୂରରୁ କଳ୍ପନାରେ ଯାର ସଙ୍ଗଲାଭ କରିବା ସହଜ, ବାସ୍ତବରେ ତାର ପାଖକୁ ଗଲେ କାହିଁକି ଏହି କରୁଣ ଦୁର୍ବଳତା ।

 

କଥା ଛଳରେ ଲୀନା ଖିଲି ଖିଲି ହୋଇ ହସି ଉଠେ ତାର ଆଇଭରୀ ନିନ୍ଦିତ ଧଳା ଧଳା ଦାନ୍ତଗୁଡ଼ିକ ଦେଖାଇ । ଆଉ ତାର ଅନ୍ତରଦଳା ବେଦନା ବୋଳା ଚାହାଣୀରେ ପୁରି ରହିଥାଏ ମନର କେତେ ଅକୁହା କଥା ।

 

ମନୋଜ ଯାଏ ଏଇ ଏତକ ପାଇଁ, ଆଉ ପାଏ ମଧ୍ୟ । ମନ ତାର ଆନନ୍ଦରେ ପୁରିଉଠେ-। ମନ ନରୁରେ ଗୁରାଇ ହୁଏ ଅସରନ୍ତି ଲତିକା ।

 

ରାତିରେ ଫେଣଧୂଆ ଦେହରେ ଚନ୍ଦ୍ରର ଚୁନା ଚୁନା ଜୋତ୍ସ୍ନା । ହାଓ୍ୟାର ଉଦାସିଆ ପରଶ । ଆଉ ତା ଭାବନାରେ ସାତତରଙ୍ଗର ପୁରବୀ । ଯୌବନରେ ଶୋଣିତର ମଶାଲ....

 

ଶୋଇ ଶୋଇ ସ୍ୱପ୍ନ ଦେଖେ ମନୋଜ ଲୀନାକୁ । ତା ସାଙ୍ଗରେ ଯେମିତି ବୁଲୁଚି ବୋଟାନିକାଲ ଗାର୍ଡେନରେ । ସେ ସୌଭାଗ୍ୟ କି ସତେ ତାର ହେବ ! ନିଦ ଭାଙ୍ଗେ । ମନୋଜ ବସି ବସି ଭାବେ—ଲୀନା ଜାତିରେ ଖ୍ରୀଷ୍ଟିୟାନ, ଆଉ ସେ ଜାତିରେ ହିନ୍ଦୁ । ଉଭୟଙ୍କର ସମାଜ ପୃଥକ । ଧର୍ମ ବି ଅଲଗା । ସବୁକିଛି ଅଲଗା ହେଲେ ବା କ୍ଷତି କଣ । ସେ ତ ଆଉ ଲୀନାକୁ ବିବାହ କରିବାକୁ ଯାଉନି । ଲୀନା ସଙ୍ଗରେ ପ୍ରେମ କରିବାକୁ ଯାଉଛି । ସେଥିରେ ବା ଅନ୍ୟାୟ କଣ ? ଈଶ୍ୱର ପ୍ରସନ୍ନ ହେଲେ ତ ପ୍ରେମ.... ଆଉ ପ୍ରେମ ପ୍ରସନ୍ନ ହେଲେ ତ ପୂର୍ଣ୍ଣତା ।

 

ମନୋଜର ଭାବନାର ଖିଅ ଛିଡ଼ାଇ କିଏ ଯେପରି କହି ଉଠେ—ବୃମେ ତାକୁ ଭଲ ପାଇବାକୁ ଯାଉଛ, ପାରିବ.... ?

 

କାହିଁକି ପାରିବିନି.... ?

 

ତୁମର ସମ୍ବଳ କଣ ? ପୂଜା କରିବାକୁ ଗଲେ ନୈବେଦ୍ୟର ପ୍ରୟୋଜନ । ପୋଷା ମନାଇବାକୁ ହେଲେ ଘୋଷ୍ ଲୋଡ଼ା । ତୁମର କଣ ଅଛି ? କେଉଁ ପଥରେ ତୁମେ ଯିବାକୁ ଚାହଁ ।

 

ଯେଉଁ ପଥରେ ଖରଚ ନାହିଁ । ....ଯେଉଁ ପଥରେ ଅଛି ଆତ୍ମ ଉତ୍ସର୍ଗ ।

 

ତୁମେ ଗୋଟିଏ ମୁର୍ଖ । ୟାକୁ ଆତ୍ମ ଉତ୍ସର୍ଗ କୁହାଯାଏନା, କୁହାଯାଏ ଆତ୍ମ ଅପଚୟ । ପାଞ୍ଚଜଣଙ୍କ ମଝିରେ ରହି ଜଣକୁ ଜୟ କରିବାକୁ ହେଲେ ଦରକାର ଗାଡ଼ି.....ଲୋଡ଼ା ଦାମୀ ଉପଢ଼ୌକନ....ଲୋଡ଼ା ହୀରା ଜହରଚ୍ଚ୍....ସିଲିକନ୍ ନାଇଲେନ୍ ଆଉ ଧନ ଦୌଲତ ।

 

କିନ୍ତୁ ଧନ ଦୌଲତ ଠାରୁ ଯଦି ଧାନ୍ୟ—ଦୁର୍ବାରେ କାର୍ଯ୍ୟୋଦ୍ଧାର ହୁଏ.... ?

 

ଦିନକର ଘଟଣା । ଚାରି ପାଞ୍ଚ ଖଣ୍ଡ ଅତି ସୁନ୍ଦର କ୍ୟାଲେଣ୍ଡର ମନୋଜ ଯୋଗଡ଼ କରିଛି । ସେ ଗୁଡ଼ିକ ଉପହାର ଦେବ ଲୀନାକୁ....ମନରେ ଭୟ....ଯଦି ଲୀନା ତାର ଉପହାରକୁ ପ୍ରତ୍ୟାଖ୍ୟାନ କରେ । ଯାହା ହେଉ, ହୃଦୟରେ ଦ୍ୱନ୍ଦ ଆଉ ମନର ଆଗ୍ରହ ନେଇ ଲୀନାର ଘରେ ପହଞ୍ଚିଲା ମନୋଜ ।

 

ଲୀନା ତାର ରୁମ୍‌ରେ ବସି ଯୌବନ ପସରା ବହି ଖଣ୍ଡେ ପଢ଼ୁଥାଏ । ମନୋଜକୁ ଦେଖି ସେହିପରି ହସିଲା...ସେହି ଭୂବନଭୁଲା ହସ । ପଚାରିଲା—

 

କେଉଁ ନମ୍ବର ଦରକାର ?

 

ମନୋଜର ଛାତି ଭିତରଟା ଥରି ଉଠିଲା ଭୟରେ । କ୍ୟାଲେଣ୍ଡରଗୁଡ଼ିକ ନ ଦେଇ ଯଦି ଫେରେଇ ଦିଏ ? ବିନ୍ଦୁ ବିନ୍ଦୁ ହୋଇ ଝାଳ ବୋହିବାକୁ ଲାଗିଲା ତାର କପାଳରୁ । ତଥାପି ସାହସ ବାନ୍ଧି ସେ କହିଲା—

 

—ନମ୍ବର ନୁହେଁ, କେଇଖଣ୍ଡ କ୍ୟାଲେଣ୍ଡର ଦେବାକୁ...

 

କ୍ୟାଲେଣ୍ଡର ? କାହିଁ ଦେଖି ଦେଖି ।

 

ସତେ ଯେମିତି ହାତ ବଢ଼ାଇ ବସିଥିଲା ଲୀନା । ସଙ୍ଗେ ସଙ୍ଗେ ମନୋଜ ହାତରୁ କ୍ୟାଲେଣ୍ଡର ଗୁଡ଼ିକ ଟାଣିନେଇ ଖେଳାଇ ଦେଖିଲା । ମନରେ ତାର କି ଆନନ୍ଦ !

 

—ବାଃ ଚମତ୍କାର ! ମେନି ଥଙ୍କସ୍‌ ମି—ଚୌଧୁରୀ ।

 

ପୁଣି ସେଇ କମନୀୟ ଚାହାଣୀ ଲୀନା ଦେଲା ମନୋଜକୁ ଉପହାର । ମନୋଜ ବିଜୟୀ ଭଳି ଫେରି ଆସିଲା ସେଦିନ । ଆନନ୍ଦ ତାର କହିଲେ ନ ସରେ ।

 

କାହିଁ ଫେରାଇ ଦେଲାନି ତ ମିସ୍ ଲୀନା, ମନୋଜକୁ ତାର କ୍ୟାଲେଣ୍ଡର ଫେରାଇ ଦେବ ତାର କ୍ଷମତା କାହିଁ ? ମନୋଜ କଣ କମ ଫିଟ୍—ଫାଟ୍ ହୋଇ ଅଫିସକୁ ଆସେ । ମନୋଜୀ ରୂପ ସୌନ୍ଦର୍ଯ୍ୟ ହିଁ ତାର ଫେରାଇ ଦେବାର ପଥରୋଧ କରିଛି । ଅଫିସ ମଧ୍ୟରେ କିରାନୀ କୁଳର ଏହି ଯେ ଆତ୍ମାହୁତି....ୟା ମଧ୍ୟରେ ପ୍ରାଣ କେଉଁଠି ? କେଉଁଠି ପ୍ରେରଣା ? କେଉଁଠି ଉନ୍ମାଦନା ? ଏଇ ସକଳଙ୍କ ଠାରୁ ଆଜି ମନୋଜ ଭଳି କିଏ ସୁଖୀ ? କିଏ ସମ୍ପୂର୍ଣ୍ଣ ?

 

ସେଇଦିନଠୁଁ ଫୋନ୍ ଉପରେ ଆସିଲା ତାର ଅପ୍ରତିହାତ ଅଧିକାର । ଖାଲି ନମ୍ବରଟା ଚାହିଁ ଦେଲାକ୍ଷଣି, ଯେଉଁଠୁ ହେଉ ଯେପରି ହେଉ ମନୋଜ ଲାଇନ୍ ପାଇବ । ତାହା ଦେଖି ଅବାକ୍ ହୁଅନ୍ତି ମନୋଜର ସହକର୍ମୀମାନେ ।

 

ଦେଖୁ ଦେଖୁ ବିତିଗଲା ଗୋଟିଏ ବରଷ । ମନୋଜର ଏଇକ୍ଷଣି ଅନେକ ସାହସ... ଅନେକ ଧୈର୍ଯ୍ୟ ।

 

କେଉଁଠି କିଛି ନାହିର୍ । ହଠାତ୍ ଦିନେ ଟିଫିନ୍ ସମୟରେ ସେ ଭୀମ ନାଗ ଦୋକାନରେ ଯାଇ ହାଜର । ପାଞ୍ଚ ଟଙ୍କିଆ ନୋଟ ଖଣ୍ଡିଏ ପକାଇ ହେଇ ସନ୍ଦେସ ବାକ୍‌ସଟି ଧରି ସେ ଫେରି ଆସିଲା ଅଫିସକୁ । ଲୀନାକୁ ଦେବା ପାଇଁ ଆସିଛି ସତ, କିନ୍ତୁ ଦେବାପାଇଁ ଯିବାରେ କାହିଁକି ଏତେ ଦୁର୍ବଳତା, ସେ ବୁଝିପାରେନି ।

 

ସାମାନ୍ୟ ବୋଲି ଲୀନା ହସରେ ଉଡ଼େଇଦେବ ? ଏଇଆ ଭାବି ତାର ଏ ଦୁର୍ବଳତା ନା ବିବେକର ଦଂଶନ ? ମିସ୍‌ ଲୀନାର ଚଟକ ଅଛି ବୋଲି କଣ ତାକୁ ଅକାରଣ ପାଞ୍ଚ ଟଙ୍କାର ସନ୍ଦେସ ଦେବ ? ଆଉ ପୁଷ୍ପା ଘରର ବୋହୂ ବୋଲି ତା ଭାଗ୍ୟରେ ଜୁଟେନା ଦି ଚାରି ପଇସାର ମୁଢ଼ି ଉଖୁଡ଼ା ?

 

ଏମିତି କେତେ ଭାବନା ଗୁଡ଼େଇ ତୁଡ଼େଇ ହୁଏ ମନୋଜ ମନରେ । ପୁଣି ସବୁ ଭାବନାକୁ ଦୂରେଇ ଦେଇ ଆଗେଇଯାଏ ସନ୍ଦେସ ବାକ୍‌ସଟି ଧରି । ଲୀନାର ଟେବୁଲ ଉପରେ ଥୋଇ ଦେଇ କହେ—

 

—ଏଇଟା ରହିଲା, ସାମାନ୍ୟ ଜଳଖିଆ ।

 

ଧନ୍ୟ ଲୀନାର ଧୈର୍ଯ୍ୟ ! ସାରା ଦିନ ଧରି ଡିଉଟିର ଟିକିଏ ବି ବିରାମ ନାହିଁ । ସବୁବେଳେ କାର୍ଯ୍ୟବ୍ୟସ୍ତ ସେ । ତଥାପି ତା ଭଦ୍ର ଆଚରଣର କେଉଁଠି ବ୍ୟତିକ୍ରମ ନାହିଁ । ସଙ୍ଗେ ସଙ୍ଗେ ହସ ହସ ମୁହଁରେ ସେ ପ୍ରଶ୍ନ କରେ—

 

—କଣ ଅଛି ଏଥିରେ ?

 

—ସନ୍ଦେସ, ଦେଶୀ ମିଠାଇ ।

 

ହସି ହସି ଫାଟିପଡ଼େ ଲୀନା...

 

—କାହିଁକି ଖର୍ଚ୍ଚାନ୍ତ ହେଇ ତୁମେ ଏସବୁ ମତେ ଦେଉଛ ?

 

ମନୋଜ କିଛି କହେନା । ଧୀର ହସଟିଏ ହସି ଦିଏ । ଲୀନା ସନ୍ଦେସ ବାକ୍‌ସଟି ନାଇ ନିଜ ଡୟାରରେ ରଖିଦିଏ ।

 

ନିଶ୍ଚିତ ବିଜୟୀଙ୍କ ଭଳି ଚାଲି ଯାଉଥିଲା ମନୋଜ । ଲୀନା ପଛରୁ ଡାକିଲା—

 

—ଶୁଣ !

 

—କିଛି କହିବ ?

 

—ହଁ ଗୋଟିଏ କଥା କହିବାକୁ ଥିଲା ।

 

ଲୀନା କଣ କହିବାକୁ ଯାଉଥିଲା ମନୋଜକୁ । ଏହି ସମୟରେ ସହସା ଗୋଟିଏ ଲାଇନ୍ ଆସି ପହଞ୍ଚିଲା । ଆଉ ସେ ଲାଇନ୍ ବଡ଼ ସାହେବଙ୍କର । ଲୀନା ବ୍ୟସ୍ତ ହୋଇ ଉଠିଲା । ମନୋଜ ଏ ଅବସ୍ଥାରେ ଚାଲି ଯାଉଛି ବା କିପରି । ଲୀନା କଣ ଯେ ତାକୁ କହିବ ତା ସେ ଜାଣେନା-। ଏଣେ ଭୟ ହେଉଛି ଯଦି କେହି ଉପର ପାହ୍ୟା ଅଫିସର ତାକୁ ଅବସ୍ଥାରେ ଦେଖନ୍ତି, କଣ ଭାବିବେ ମନରେ । ଭୟରେ ସେ ଚଞ୍ଚଳ ଆଉ ଅସ୍ଥିର ହୋଇ ଉଠିଲା ।

 

ଲୀନା ତଥାପି କିଛି କହି ପାରିଲାନି । ବଡ଼ ସାହେବ ଲାଇନ୍ ଦେଲା ତ ପୁଣି ଆସିଲା ଗୋଟାଏ ଟ୍ରଙ୍କ୍ କଲ । ଲୀନା ମନ ଦୁଃଖରେ କହିଲା—

 

—ଦେଖୁଚତ ଅବସ୍ଥାଟା, କାଲି କହିବି ।

 

ମନୋଜ ପଳାଇ ଆସି ବଞ୍ଚିଲା ସତ, କିନ୍ତୁ ସୁଖ ପାଇଲା କଣ ? ଆଜିର ରାତିଟା କଟିଲେ ତେବେ ତ ଯାଇ କାଲି । କି କୁକ୍ଷଣରେ ମନୋଜ ଯାଇଥିଲା ଲୀନା ପାଖକୁ । ଯଦିବା ଲୀନା ତାକୁ କିଛି ଗୋଟିଏ କହିବାକୁ ଚାହୁଁଥିଲା, ସେତକ ବି ସୁଯୋଗ ପାଇଲାନି । ଇମିତି କଡ଼ା ଡିଉଟି ପୁଣି ମଣିଷ କରେ । ମନୋଜର ମନ ହେଉଥାଏ, ଯାଇ ପଚାରନ୍ତା—କାହିଁକି ତୁମେ ଏ କାର୍ଯ୍ୟ କରିବାକୁ ଆସିଲ ? ଆଉ କିଛି ଦୁନିଆରେ କାମ ନ ଥିଲା ?

 

ଅତି ଚିନ୍ତିତ ମନରେ ନିହାତି ଅସୁସ୍ଥ ଅବସ୍ଥାରେ ମନୋଜ ବସାକୁ ଆସିଲା । ଶରୀର ଅସୁସ୍ଥ ହୁଏ ତ ସବୁ ସମୟରେ ହୁଏନା, କିନ୍ତୁ ମନ ଅସୁସ୍ଥ ହୋଇପାରେ ଯେ କେଉଁ ମୁହୂର୍ତ୍ତରେ । ଆଉ ସେ ଅସୁସ୍ଥତାର ଖୋରାକ ଯୋଗାଏ ଏଇ ଚିନ୍ତା । ତେଣୁ ଅତ୍ୟନ୍ତ ଅସୁସ୍ଥ ଅବସ୍ଥାରେ ମନୋଜକୁ ବସାକୁ ଫେରିବାକୁ ହେଲା ।

 

କିନ୍ତୁ ବସାରେ ତ ଲୀନା ନାହିଁ—ସେଠାରେ ଅଛି ପୁଷ୍ପା । ଲୀନା ବିରାଟ ଅଫିସର...ପୁଷ୍ପା । ଲୀନା ବିରାଟ ଅଫିସର...ପୁଷ୍ପା ତାର ଏକା । ଲୀନା ଧନୀ ଘରର ଆସବାବ୍...ପୁଷ୍ପା ଆକାଶ ପ୍ରଦୀପ । ଲୀନା ଦୂର...ପୁଷ୍ପା ନିକଟ ।

 

ପୁଷ୍ପାର ସେବା—ଯତ୍ନର ଆଜି ତ୍ରୁଟି ନାହିଁ ।

 

ମନୋଜ ଭାବିଲା, ପୁଷ୍ପା ପାଇଁ ଆଜି ଗୋଟାଏ କିଛି ସେ କିଣି ନେବ ଅଫିସ୍‌ ଫେରିବା ବାଟରୁ । କିନ୍ତୁ ଚିନ୍ତାରେ ସେ ଏପରି ଅନ୍ୟମନସ୍କ ହୋଇ ପଡ଼ିଥିଲା ଯେ ତା’ବି ଭୁଲ୍‌ରେ ଆଣି ପାରିନି ।

 

ପୁଷ୍ପା ଅବଶ୍ୟ ସେଥିପାଇଁ ଦୁଃଖିତ ନୁହେଁ । ଦୁଃଖିତ ସେ ଯେଉଁଥିପାଇଁ ସେ ଖରାପ ଖବରଟା ମନୋଜକୁ ଦେଲା ସେ ପରଦିନ ସକାଳେ । କହିଲା—କହିବି ଗୋଟିଏ କଥା ।

 

—କଣ ?

 

—କାଲି ଦି’ପହରେ ଗୋଟାଏ ସର୍ବନାଶ ହୋଇ ଯାଇଛି ।

 

ସର୍ବନାଶ ! ସର୍ବନାଶ ପୁଣି କଣ ହେଲା ? ତୁମେ ମୁଁ ପୁଷି ସମସ୍ତେ ତ ବଞ୍ଚିଛନ୍ତି....ଘର ନିଆଁ ଲାଗି ନାହିଁ...କେହି ଖୁନ୍ ଖରାପ ବି ହୋଇ ନାହିଁ....ସର୍ବନାଶ ହେଲା ପୁଣି କଣ ? ସର୍ବନାଶ ହେଲେ ତ’ ତାର ଗୋଟାଏ କିଛି ଚିହ୍ନ ଥାଆନ୍ତା ! ନା, ତା ବି ରହିବ ନାହିଁ ?

 

ତୁମେ କଣ ଚିହ୍ନ ଦେଖି ନିଶ୍ଚିନ୍ତ ହେବାକୁ ଚାହଁ ?

 

ହଁ, ଚାହେଁ ।

 

—ଚିହ୍ନ ତୁମେ ଦେଖିବ ? କିନ୍ତୁ ସବୁ ଜିନିଷର କି ଚିହ୍ନ ସଙ୍ଗେ ସଙ୍ଗେ ଦେଖାଯାଏ । ଛୁରାମାଡ଼ ବେତ ପାହାରର ଚିହ୍ନ ରହିପାରେ, କିନ୍ତୁ କେଉଁ ଝିଅ ଯଦି ତାର ନୟନ ବାଣରେ କ୍ଷତ ବିକ୍ଷତ କରେ, ସେଇବେଳେ ତାର ଚିହ୍ନ ଦେଖାଇ ପାରିବ ?

 

ସହସା ମନୋଜର ଆଖି ଦୁଇଟା ତାଳୁକୁ ଉଠିଲା....ପୁଷ୍ପା କହୁଛି କଣ ? ପୁଷ୍ପା କଣ କେମିତି ଜାଣି ପାରିଚି, ମିସ୍‌ ଲୀନାକୁ ତାର ଭଲ ପାଇବାର କଥା । କାହିଁ, କେବେହେଲେ ତ ସେ ଏ ସମସ୍ତ କଥା କହି ନାହିଁ ପୁଷ୍ପା ପାଖରେ ।

 

ମନୋଜ ଭୟାର୍ତ୍ତର ଭଳି ଜାବୁଡ଼ି ଧରିଲା ପୁଷ୍ପାକୁ ।

 

—ନା ନା, ତୁମର ସେ ଥଟ୍ଟା ପରିହାସ ରଖି ସତ କୁହ, କଣ ହୋଇଛି ।

 

—ମୁଁ ପରା ରାନ୍ଧିବାକୁ ଯିବି । ତୁମେ ଏମିତି ଭାବରେ ମୋତେ ଜାବୁଡ଼ି ଧଇଲେ ତୁମର ଅଫିସ ଯିବା ଚଳିବ ? ଛାଡ଼—ମୁଁ କହୁଛି ।

 

—ନା, ମୁଁ ଛାଡ଼ିବିନି । ତୁମେ ଆଗେ କୁହ, କଥାଟା କଣ ?

 

—ସେ କଥା ଇମିତି କିଛି ସୁହାଗର ନୁହେଁ ଯେ, ପ୍ରେମ ଗଦଗଦ ଛନ୍ଦାଛନ୍ଦି ହୋଇ କହିବାକୁ ହେବ । ସେ କଥା ଶୁଣିବା ମାତ୍ରେ ମୁଁ ଜାଣୁଛି ତୁମେ ରାଗିଯିବ ।

 

—ପାଗଳ ନା କଣ, ତୁମ ଉପରେ ମୁଁ କେବେ ରାଗିଛି ?

 

—କିନ୍ତୁ ସିଏ ଯେ ବଡ଼ ଖରାପ କଥା, ଶୁଣିଲେ ତୁମେ ନିଶ୍ଚୟ ରାଗିବ ।

 

—ମୁଁ ଜମା ରାଗିବିନି, ତୁମେ କୁହ ।

 

—ଯେ କେଇଖଣ୍ଡ ମୋର ଗହଣା ଥିଲା, ତାହା ଚୋରି ହୋଇଯାଇଛି କାଲି ଖରାବେଳେ ।

 

ଏହିକଥା କହିବାକୁ ଯାଇ ପୁଷ୍ପାର ଗଳା କମ୍ପି ଉଠିଲା । ତା’ର କଣ୍ଠସ୍ୱର ଶୁଣାଗଲା ବିଭତ୍ସ ଯନ୍ତ୍ରଣା ଯନ୍ତ୍ରଣା ଭଳି ।

 

ଆଉ ଧୀରେ ଧୀରେ ଶିଥିଳ ହୋଇ ଆସିଲା ମନୋଜର ପ୍ରସାରିତ ନିବିଡ଼ ବାହୁଦ୍ୱୟ । ଯେଉଁ ବାହୁ ଦୁଇଟି ଘେରି ରହିଥିଲା କଠିନ ଭାବରେ ମୁହୂର୍ତ୍ତକ ଆଗରୁ ପୁଷ୍ପାର ସୁଶ୍ରୀ, ସୁକୋମଳ ଦେହ ଖଣ୍ଡି କରେ ।

 

କେମିତି ଚୋରି ହେଲା ? ପଚାରିଲା ମନୋଜ ।

 

ପୁଷ୍ପା କହିଲା—ଠିକ୍ ଦୁମ୍‌ଦୁମିଆ ଖରାବେଳ, ଏଠାରେ ଆଉ ଚେହି ଥାଆନ୍ତି ନାହିଁ, ଏଇ ବେଳେ ହିନ୍ଦୁସ୍ଥାନୀ ସନ୍ନ୍ୟାସୀ ଆସିଲେ । କହିଲେ ସେମାନେ ବୈଦ୍ୟନାଥ ଧାମରୁ ଆସିଛନ୍ତି । ମୋତେ କହିଲେ, ତୋର ସ୍ୱାମୀ ଶୀଘ୍ର ଦୂରେଇ ଯିବ ତୋ ପାଖରୁ । ସେ କଥା ଶୁଣି ମୋର ଭାରି ଭୟ ହେଲା, କାନ୍ଦି କାନ୍ଦି କହିଲି, ମୁଁ ତୁମର ଗୋଟିଏ ଝିଅ, କିଛି ଉପାୟ କର ସେ ଯେମିତି ସବୁଦିନେ ମୋର ହୋଇ ରହିବେ । ତାହା ଶୁଣି ସେମାନେ କହିଲେ—ତୋ ଘରେ ବସି ଆମେ କିଛି ସମୟ ନାମ ଜପ କରିବୁ । ତୁ କିନ୍ତୁ ଆମକୁ ଦେଖିବୁ ନାହିଁ । ତୁ କାହାରିକି କିଛି ନ କହି ଚାଲିଯିବୁ ଘରର ଛାତ ଉପରକୁ । ସେମାନଙ୍କ କଥାମାନି ମୁଁ ସେଇଆ କଲି । କିଛି ସମୟ ପରେ ଆସି ଦେଖେ ତ ମୋର ସୁଟ୍‌କେଶ ଖୋଲା । ଗହଣା ନାହିଁ, କି ସେମାନେ ବି ନାହାନ୍ତି ।

 

—ବାଃ ! ଖୁବ୍ ଚାଲାଖ ତ ତୁମେ । ଏଇ ବୁଦ୍ଧିନେଇ ସଂସାରରେ ଘର କରି ରହିବ ।

 

ମନୋଜ ତୀବ୍ର ଭର୍ତ୍ସନା କଲା—ତୁମେ କଣ ମଣିଷ ନା ଗଧ ? ଦେଖୁଚି, ତୁମକୁତ ଦିନେ କେହି ନେଇ ପଳାଇ ଯାଇପାରେ ।

 

ଜାଣେ ତୁମେ ଏକଥା ଶୁଣିଲେ ରାଗିବ । କିନ୍ତୁ ମାଇକିଣା ଝିଅର ସ୍ୱାମୀ ବିନା ଯେ ଅନ୍ୟଗତି ନାହିଁ । ସ୍ୱାମୀର ବିପଦ ଶୁଣିଲେ କେଉଁ ସ୍ତ୍ରୀ ସ୍ଥିର ହୋଇ ରହିପାରିବ କହିଲ ? ଗହଣା ଯାଉଛି ଯାଉ । ତୁମେତ ମୋର ଗହଣା...

 

ଏହା କହି ପୁଷ୍ପା ମନୋଜ ପାଦରେ ମଥା ରଖିଲା । କହିଲା—ତୁମେ ଆଶୀର୍ବାଦ କର, ଯେମିତି ଏଇ ଦୁଇଟି ପାଦର ଧୂଳି ନେଇ ଚାଲି ଯାଇପାରେ । ଆଉ ମୋର କିଛି ଲୋଡ଼ା ନାହିଁ.... ।

☆☆☆

 

ଅଫିସ୍‌ ଯିବା ପୂର୍ବ ମୁହୁର୍ତ୍ତ ପର୍ଯ୍ୟନ୍ତ ମନୋଜର ମନଭିତରେ କେତେ ଗୁଡ଼ାଏ ଜ୍ୱାଳା ଯନ୍ତ୍ରଣା ଥିଲା । ଅଫିସରେ ଯାଇ ପାଦ ଦେବାମାତ୍ରେ କୁଆଡ଼େ ସେ ସବୁ ଉଭେଇ ଗଲା ।

 

ପୁଣି ସେହି କର୍ମମୟ ଜଗତ.....ଚଞ୍ଚଳ ରକ୍ତ ପ୍ରବାହ... ଉନ୍ମାଦ ଜୀବନ ସ୍ରୋତ । ଆଉ ତା ମଧ୍ୟରେ ମିସ୍‌ ଲୀନାର ସେଇ ଦୁର୍ଦ୍ଦାନ୍ତ ରୂପ—ଲାବଣ୍ୟ, ଚମତ୍‌କାର ଯାଦୁବୋଳା ଚାହାଣୀ—ଆତ୍ମ ନିବେଦନର ଉଜ୍ୱଳ ନମନୀୟତା । ଯାହା ମନ୍ଦ ନୁହେଁ ଉତ୍ତାପ, କଟାକ୍ଷ ନୁହେଁ କଳରବ ଏବଂ ଆନନ୍ଦ ନୁହେଁ ଅଭ୍ୟୁତ୍‌ଥାନ ।

 

ଲୀନା ଯେ କଣ କହିବାକୁ ଚାହୁଁଥିଲା, ତା’ କାଲି ଭାବି ଭାବି ବି ଠିକ୍ କରି ପାରିଲା ନାହିଁ ମନୋଜ । କେତେବେଳେ ତା ମନରେ ଭୟ ଆସିଛି—କେତେବେଳେ ଆସିଛି ବିସ୍ମୟ ! ଲୀନା କି କିଛି ତାକୁ କଠିନ—କଥା ଶୁଣାଇବାକୁ ଚାହେଁ । ତାକୁ ସତର୍କ କରିଦେବାକୁ ଚାହେଁ ଭବିଷ୍ୟତ ପାଇଁ-। ମନୋଜ ତାର କରିଚି କଣ ।

 

ବାରଟା ବାଜିଲା ।

 

ଅନେକ ଭାବି ଚିନ୍ତି ଠିକ୍ କଲା ମନୋଜ—ଏଇଥର ସେ ନିଜେ ଚାଲି ଯିବ ପାଖକୁ । ସସମ୍ମାନରେ ପ୍ରଶ୍ନ କରିବ, ତୁମେ କାଲି କଣ କହୁଥିଲ ? ତା ପରେ ଯା କହିବ—ସେହିପରି ହେବ ବ୍ୟବସ୍ଥା । ନା ନା, ଆଉ ଡେରି କରିବ ନାହିଁ । ମନୋଜ ସିଟ୍ ଛାଡ଼ି ଠିଆହେଲା ।

 

ଯେମିତି ଉଠି ଠିଆ ହୋଇଚି, ସେଇ ସଙ୍ଗେ ସଙ୍ଗେ ପୁଣି ବସିବାକୁ ହେଲା । ବୟ୍‌ ଆଣି ଚା ରଖିଗଲା, ତା ଟେବୁଲ ଉପରେ । ଚା ଯେତେବେଳେ ଦେଇଗଲା, ଖାଇ ଯିବାଟା ଉଚିତ । କିନ୍ତୁ ଖାଇ ସାରିବା ପରେ ଆଉ ଯିବାର କି ତୁ ଅଛି ? ପୁଣି ଆସିଗଲା ଦଶହଜାର ଶେୟାର । ଇଣ୍ଡିୟାନ ଆଇରନ । ଆଗେ ଗଣି ସେଗୁଡ଼ିକ ଘରକୁ ଉଠାଅ ।

ଲୀନା ପାଖରେ ଯେତେବେଳେ ଯାଇ ପହଞ୍ଚିଲା ମନୋଜ, ସେତେବେଳେକୁ ଦୁଇଟା ଦଶ । ଲୀନା ଯେପରି ତା’ରି ଅପେକ୍ଷାରେ ବ୍ୟଗ୍ର ହୋଇ ବସିଥିଲା । ମନୋଜକୁ ଦେଖିଲା କ୍ଷଣି ସେ କହି ଉଠିଲା, ତୁମକୁ କାଲି ଗୋଟିଏ କଥା କହିବାକୁ ଚାହୁଁଥିଲି—ମନେ ଅଛି ?

ମନେ ଅଛି ବୋଲିତ ଛୁଟି ଆସିଚି ।

ଏତେ ବେଳାବେଳି ?

—ମୁଁ ଦୁଃଖିତ । ମୋର ଡେରି ହୋଇ ଯାଇଚି ।

—ନା ନା, ଦୁଃଖିତ ହେବାର କିଛି ନାହିଁ । ମୁଁ ଦୁଇଥର ଲକ୍ଷ୍ୟ କରିଚି । ଦୂରରୁ ତୁମେ ଖୁବ୍ ବ୍ୟସ୍ତ ଥିଲ କାମରେ ।

—ତୁମେ ଲକ୍ଷ୍ୟ କରିଥିଲ ମତେ ?

ମନୋଜ ଯେପରି ଆନନ୍ଦରେ ଆତ୍ମହରା ହୋଇ ଉଠିଲା । ଲୀନା ଚକ୍ଷୁରେ ଗୋଟିଏ କରୁଣ ଦୃଷ୍ଟି ଫୁଟାଇ କହିଲା...

ତୁମେ ମୋର ଗୋଟିଏ କାମ କରିଦେଇ ପାରିଚ ? ରିୟେର୍ଳି ମିଃ ଚୌଧୁରୀ ! ଯଦି ସମ୍ଭବ ହୁଏ ମୁଁ ଚିରଦିନ ଋଣୀ ରହିବି ତୁମ ନିକଟରେ ।

ଲୀନା ମୁହଁରେ ଦେଖାଗଲା ବିରାଟ ବିଷର୍ଣ୍ଣତା । ମନୋଜ ମନ ମଧ୍ୟରେ ଜାଗି ଉଠିଲା ଦୁର୍ଦ୍ଧର୍ଷ ପୁରୁଷତ୍ୱ । କଣ ଇମିତି କାମ, ଯାହା ସେ ପାରିବନି ?

—ମୋର ଜଣେ କଜିନ୍‌କୁ ମୁଁ ପ୍ରାଣଠୁ ବଳି ଭଲପାଏ । ତାକୁ ଟାଇଫଏଡ ହେଇଚି । ଡାକ୍ତର ପ୍ରେସ୍‌କ୍ରିପସନ୍ କରି ଦେଇଛି ଯେଉଁ ଔଷଧ ସେ ସବୁ ଦୋକାନରେ ମିଳୁନି । ଯାହା ହେଉ, ଯେପରି ହେଲେ ଖୋଜି ଆଣିବ ।

ଏତକ କହି ଲୀନା ପ୍ରେସ୍‌କ୍ରିପିସନ ଆଉ ଶହେ ଟଙ୍କିଆ ନୋଟ ଖଣ୍ଡିଏ ବଢ଼ାଇ ଦେଲା । ମନୋଜ ସେତିକି ନେଇ ଚାଲିଆସିଲା ।

ମନୋଜ ମନରୁ ସରାଗ କୁଆଡ଼େ ଉଭେଇ ଗଲା । ମନରେ ତାର ପ୍ରାନ୍‍ ବାଚୀର ଝଡ଼–ଲୀନା କାଜିନ୍‌କୁ ଭଲପାଏ ? ତାହାହେଲେ ସେ କଣ ମରିଚିକା ପଛରେ ଧାଇଁଛି— ।

ନା ନା ସେ ହୁଏତ କଜିନ୍‌କୁ ଭଲପାଏ ଭଉରୀର ସ୍ନେହ ଦେଇ । କିନ୍ତୁ ତାକୁ ଭଲପାଏ...

ମନୋଜର ମନଟା କିମିତି କିମିତି ହୋଇ ଉଠିଲା । ଅବସାଦରେ ଭାଙ୍ଗି ପଡ଼ିଲା ଯେମିତି । ଏଇ ଟଙ୍କାଟା ଫେରାଇ ଦେଇଥିଲେ ସିନା ବୁଝା ଯାଇଥାନ୍ତା—ସେ କେତେ ବଡ଼ ପ୍ରେମିକ ଆଉ କେତେ ବଡ଼ ଆତ୍ମତ୍ୟାଗୀ ।

ମନୋଜ ଅଧିର ହୋଇ ବାହାରି ପଡ଼େ ଅଫିସରୁ ଆଜି ଟିକିଏ ବେଳାବେଳି । ଅଫିସରଙ୍କ ପାଖରୁ ଛୁଟି ବି ନେଇଛି ସେ ଦେହଟା ଭଲ ଲାଗୁନି କହି ।

 

ସେତେବେଳକୁ ସମୟ ପ୍ରାୟ ଚାରିଟା ଚାଳିଶ । ମନୋଜ ଯେଉଁ ଔଷଧ ଦୋକାନକୁ ଯାଏ, ସେ ମନା କରେ । ମନୋଜ ବୁଲି ବୁଲି ଥକିଲାଣି, କୌଣସି ଦୋକାନରେ ସେ ଔଷଧଟି ମିଳୁ ନାହିଁ । ମନରେ ତାର ନିରାଶ ଭାବ ।

 

ସେତେବେଳକୁ ରାତି ନଅଟା, ଅବସାଦଭରା ମନ ନେଇ ଫେରୁଥାଏ ଘରକୁ । ମନେ ପଡ଼ିଗଲା ତା’ର ପୁରୁଣା ବନ୍ଧୁ ରମେଶ କଥା । ସେ’ତ ଜଣେ ଡାକ୍ତର । ତା’ ପାଖକୁ ଗଲେ ହୁଏତ କିଛି ଗୋଟାଏ ବ୍ୟବସ୍ଥା କରି ଦେଇପାରିବ । ମନର ଅବସାଦ ଟିକିଏ ହାଲୁକା ହେଲା । ଆଶା ନେଇ ଚାଲିଲା ରମେଶ ଘରକୁ ।

 

ରମେଶ ସେତେବେଳକୁ ଦୋତାଲାରେ ବସି ମଦ ଖାଉଥାଏ । ମନୋଜ ଯାଇଁ ପହଞ୍ଚିଲା । ମନୋଜକୁ ଦେଖିବା ମାତ୍ରେ ରମେଶ ହୋ ହୋ ହୋଇ ବସି ଉଠିଲା । କି ପ୍ରାଣଖୋଲା ସେଇ ହସ ।

 

—ଆରେ ଏତେ ରାତିରେ କୁଆଡ଼େ ?

 

ଅନେକ ଦିନ ଏକା ସାଙ୍ଗରେ କଲେଜରେ ପଢ଼ିଛନ୍ତି.....ତାହାପରେ ତ ଆଉ ଦେଖା ସାକ୍ଷାତ ନାହିଁ । ସେଥିପାଇଁ ପୁରୁଣା ବନ୍ଧୁତ୍ୱଟାକୁ ଥରେ ପୁନରୁଦ୍ଧାର କରିବାକୁ ଆସିଲି ।

 

—ପୁନରୁଦ୍ଧାର କରିବାର ସମୟ କ’ଣ ଆଉ ନ ଥିଲା ? ଏହି ରାତି ଦଶଟାରେ ?

 

—କଣ କରିବି କହ ? ସମସ୍ତେ ତ ଆଉ ରୂପା ଚାମଚ ମୁହଁରେ ଦେଇ ଜନ୍ମି ନାହାନ୍ତି । କାହାକୁ ଜନ୍ମିବାକୁ ହୋଇଛି ଜୀବନସାରା ରୂପାର ଚାମଚ ତିଆରି କରିବା ପାଇଁ ବି । ପାପ କରିଛି–ପ୍ରାୟଶ୍ଚିତ କରିବି ନାହିଁ ?

 

ସତେ !

 

ରମେଶ ସହସା ଗମ୍ଭୀର ହୋଇ ଉଠିଲା । ଗୋଟାଏ ସିଗାରେଟ୍ ଧରାଇ ଟିଣଟା ଥୋଇଦେଲା ସେ ମନୋଜ ଆଗରେ । ରେଲ ଇଞ୍ଜିନ ଭଳି ଧୂଆଁ ଛାଡ଼ୁ ଛାଡ଼ୁ ପଚାରିଲା—

 

—ଆରେ କେଉଁଠି ସର୍ଭିସ କରୁଚୁ ପରା ?

 

—ବ୍ୟାଙ୍କ୍‌ ରେ ।

 

—ଆରେ ଦୂର—ଦୂର, ତା’ ଠାରୁ ହାଡ଼କଟା ଲେନ୍‌ରେ ଦଲାଲି କରିବା ଆହୁରି ଭଲ ଥିଲା ।

 

—ସେ ସୁଯୋଗ ବା ପାଉଚି କୋଉଠୁଁ ? ପାଇଲେ ଥରେ ଚେଷ୍ଟା କରି ଦେଖନ୍ତି ।

 

ଟିକିଏ ରହି ପଚାରିଲା ରମେଶ–ବିବାହ କଲୁଣି ?

 

—ସେ ତ ଅନେକ ବର୍ଷରୁ ହେଇ ଗଲାଣି ।

 

—ସ୍ତ୍ରୀଟି କିପରି ?

—ଖୁବ୍ ଭଲ ।

—ଭଲ ମାନେ, ସୁନ୍ଦରୀ ତ ?

—ଯାହାକୁ କୁହାଯାଏ ଅତି ସୁନ୍ଦରୀ ।

—ସ୍ୱାସ୍ଥ୍ୟ କିପରି ?

—ଆଗରୁତ ଭଲଥିଲା, ଏଇନେ ରୋଗା ହେବାକୁ ଆରମ୍ଭ କରୁଚି ।

—ଖାଇବାକୁ ନ ଦେଲେ ରୋଗା ହେବ ନାହିଁ ତ କଣ ଆଉ ମୋଟା ହେବ ? ତୁ ତ ନିଜେ ଖାଇବାକୁ ପାଉନା, ସ୍ତ୍ରୀକି କ’ଣ ଖାଇବାକୁ ଦେବୁ ?

ପୁଣି ହୋ ହୋ ହୋଇ ହସି ଉଠିଲା ରମେଶ । ସେ ଯେ ବେଖାତିର କରି ହସୁଚି—ଠିକ୍ ତା ନୁହେଁ । ଏଇଟା ତା’ର ଅଭ୍ୟାସ । ମନୋଜ ବି ଜାଣେ । ଏ ସ୍ୱଭାବ ସାଙ୍ଗରେ ପରିଚିତ ସେ ତାର କଲେଜ ଜୀବନରୁ ।

ରମେଶ ପୁଣି ଆରମ୍ଭ କଲା—

—ଛୁଆପିଲା କେତୋଟି ?

—ଗୋଟିଏ ବି ନାହିଁ ।

—କାହିଁକି, କିଛି ରୋଗ ଅଛି ନା କ’ଣ ?

—ସେମିତି ତ କିଛି ମନେ ହୁଏନା ।

—ଭଲ, ଭଲ, ଖୁବ୍ ଭଲ କରିଛୁ ଭାଇ ! ଏ ବଜାରରେ ଛୁଆପିଲାର ଭଳି ଝମିଲା ଆଉ ଦୁନିଆରେ ନାହିଁ ।

—ସେଥିପାଇଁ ତ ଚାରିଆଡ଼େ ସରକାରଙ୍କର ଆଜି ଜନ୍ମ ନିୟନ୍ତ୍ରଣର ବିରାଟ ବିଜ୍ଞାପନ–ଛୋଟ ପରିବାର ସୁଖୀ ପରିବାର ।

ତା ପରେ କିଛି ସମୟ ନୀରବ ରହିଲା—କିଛି ଖାଇବୁନି ?

—ନା, ବସାକୁ ଯାଇ ଖାଇବି ।

—ବେଶ୍ ଏବେ କହ, ମୋ ଭଳି ଲୋକ ପାଖରେ ହଠାତ୍ ଏତେ ରାତିରେ.... କି ଦରକାର ? ତୋର ମୁହଁ ଦେଖି ତ ମନେ ହେଉଚି—ତୁ ସେମିତି ଖୁସୀ ବାସିଆ ଆସିନାହୁଁ ।

ମନୋଜ କହିଲା—କଥାଟା ଠିକ୍ ଧରିଚୁ ଭାଇ । ବଡ଼ କିଛି ବିପଦରେ ପଡ଼ି ଆସିଛି ତୋ ପାଖକୁ । ଗୋଟିଏ ଔଷଧ ପାଇଁ ସମସ୍ତ କଲିକତା ଖୋଜି ସାରିଲିଣି–କେଉଁଠି ପାଇଲିନି । ଅଥଚ ଔଷଧ ଯେ ଏତେ ଜରୁରୀ...

 

—କି ଔଷଧ ?

 

ମନୋଜ ସେଇ କାଗଜଟି ଦେଲା । ରମେଶ ପଢ଼ି କହିଲା—

 

—କେଉଁଠି ପାଇଲୁନି ?

 

—ନା ।

 

—ରୋଗଟା କା’ର ?

 

—ମୋର ଜଣେ ଆତ୍ମୀୟର ।

 

—ପାଇଲେ ବଡ଼ ଉପକୃତ ହୁଅନ୍ତୁ—ନୁହେଁ !

 

ରମେଶର ଚାହାଣୀ ସହସା ଦୟାର୍ଦ୍ଦ ହୋଇ ଉଠିଲା । ମୁଖ ମଣ୍ଡଳରେ ଯେପରି ତାର ସହାନୁଭୂତିର ଛାୟା ।

 

ରମେଶ ଉଠି ଠିଆହେଲା । କହିଲା—

 

—ରହ ଟିକିଏ ଦେଖୁଛି ....

 

କି ଆଶ୍ଚର୍ଯ୍ୟ ! ଯେଉଁ ଔଷଧ ସମସ୍ତ ସହର ବୁଲି ମନୋଜ ଯୋଗାଡ଼ କରି ପାରିନି, ଯୋଗାଡ଼ କରିବାର କିଛି ଆଶା ବି ଦେଖିନି—ସେଇ ଦୁର୍ଲ୍ଲଭ ଦୁଷ୍ପ୍ରାପ୍ୟ ଆଉ ଅମୂଲ୍ୟ ବିଶଲ୍ୟ କରଣିଟି ଥୋଇଦେଲା ଆଣି ଚକ୍ଷୁ ଆଗରେ ମୁହୂର୍ତ୍ତକ ମଧ୍ୟରେ ତାର ବନ୍ଧୁ ରମେଶଚନ୍ଦ୍ର ।

 

କୃତଜ୍ଞତାରେ କୃତ କୃତ୍ୟ ହୋଇ ମନୋଜ ସେଟାକୁ ଗ୍ରହଣ କଲା । ପଚାରିଲା—

 

—ୟାର ଦାମ୍ କେତେ ?

 

—ଲଗେଇବି ଗୋଟାଏ ଚାପୁଡ଼ା । ଔଷଧ ପାଇଲୁ ତ ନେଇଯିବୁ । ପଇସା ତତେ ମୁଁ ମାଗୁଚି ?

 

—ନ ମାଗିଲେ ବି ୟାର ଦାମ୍ ତ ଥିବ ଗୋଟାଏ । ୟେ କ’ଣ ତୋ ଘର ତିଆରି ?

 

—ସେ କଥା ମୁଁ ବୁଝିବି । ଏତେ ଜମାଖର୍ଚ୍ଚରେ ତୋର ଦରକାର କଣ ?

 

—କିନ୍ତୁ ୟାର ଅସଲ ଦାମ୍‌ଟାତ ମୋର ଜାଣିବା ନିହାତି ଦରକାର ।

 

—ୟାଚ ଅସଲ ଦାମ୍ ହେଉଚି ଚାଳିଶ ଟଙ୍କା । କିନ୍ତୁ ବର୍ତ୍ତମାନ ବଜାରରେ ଏ ଦରରେ କେହି ବିକ୍ରି କରେନା । ଯା ପାଖରୁ ଯିଏ ଯାହା ମାରି ନେଇ ପାରିଲା । ଶହେଟଙ୍କା ଚାହିଁଲେ ବି ଯାହାର ଦରକାର ଥିବ ସେ ନେଇଯିବ ।

 

—ଏତେ ଟଙ୍କାର ଔଷଧଟା ମୋତେ ବିନାମୂଲ୍ୟରେ ଦବୁ କାହିଁକି ?

 

—ଆଜି ବୋଧେ ମୋର ଏ ମୋଟା ଚେହେରାଟା ଦେଖି ତୋର ସେ କଲେଜ ଜୀବନ କଥା ମନେପଡ଼ୁ ନାହିଁରେ ମନୋଜ । ଯେଉଁଦିନ ମୋ ହାତରୁ ଲେବନ୍‌ଚୁସ ଛଡ଼ାଇ ଖାଉଥିଲୁ ? ଯା’ ରାତି ହୋଇଗଲାଣି ବସାକୁ ପଳା । ନଟିଆ !

 

ତୀବ୍ର ସ୍ୱରରେ ଚହଳ ଛାଡ଼ିଲା ରମେଶ । ନଟିଆ ଛୁଟି ଆସିଲା ।

 

—ବାବୁଙ୍କୁ ଆଗେଇ ଦେଇଆ ।

 

ରମେଶ ସୋଢ଼ା ବୋତଲରୁ ଠିପି ଖୋଲିଲା....

☆☆☆

 

ମନୋଜ ଯେତେବେଳେ ରାସ୍ତା ଉପରକୁ ବାହାରିଆସେ, ଏଗାରଟା ବାଜିବାକୁ ବାକି ପନ୍ଦର ମିନିଟ୍ । ଏଇ ଏତେ ରାତିରେ ବି ତା ମଥାରେ ସହସା ଗୋଟାଏ ଖିଆଲ ପଶିଲା..... । ଗୋଟିଏ କାମ କଲେ କଣ ହୁଅନ୍ତା ? ରାତି ତ ଯା ହବାର ହେଇଗଲାଣି । ଏଇକ୍ଷଣି ଏ ଔଷଧଟା ଯଦି ଯେ ମିସ୍‌ ଲୀନା ଘରେ ଯାଇ ଦେଇ ଆସନ୍ତା, କଣ ଭଲ ହୁଅନ୍ତା ନାହିଁ... ? ଘରଟା ଅବଶ୍ୟ ତାର ଜଣା ନାହିଁ । କେଉଁଦିନ ଯିବାର ବି ସୌଭାଗ୍ୟ ଜୁଟିନି । ଏଇ ସୁଯୋଗରେ ଯଦି ସେ ସେଇଟା ଆଦାୟ କରି ନେଇପାରେ ମନ୍ଦକଣ ? ବସାର ଠିକଣା ଟିକିଏ ସେ ଜାଣେ । ବେର୍ଡଫୋର୍ଡ ଲେନ୍‌ରେ ସେ ରହେ । କିନ୍ତୁ ନମ୍ବରଟା ଠିକ୍ ମନେ ନାହିଁ । ସେଇରାସ୍ତାରେ ଯାଇ ଆଂଲୋ ଇଣ୍ଡିୟାନ ସାହେବକୁ ପଚାରିଲେ ତ ଚଳିବ । ପାଇବନି ସେ ଲୀନାକୁ ?

 

ଲୀନା ବୋଧହୁଏ ଶୋଇଯିବଣି । ଏତେ କମ ରାତିରେ ସେ ଶୋଇବ, ସେ କଣ ଓଡ଼ିଆ ଘରର ଝିଅ ଯେ ରନ୍ଧା ବଢ଼ା ସାରିଦେଇ ବିଛଣା ଧରିବ ? ତାର କେଡ଼େ ବଡ଼ ସମାଜ, କେତେ ବଡ଼ ପାର୍ଟି, ଆନନ୍ଦ ଉପଭୋଗର ଉପକରଣ... । ହୁଏତ ଏଇକ୍ଷଣି ସେ ସିନେମା ଦେଖି ଫେରୁଥିବ । ନ ହୁଏତ ଫେରିଥିବ କ୍ଲବରୁ ଟିକିଏ ଆଗରୁ ।

 

କିନ୍ତୁ ଯାଃ, କାଜିନ୍ ର ଦେହ ଅସୁଖ । ତାକୁ ଘରେ ଛାଡ଼ିଦେଇ ସେ କଣ ଏ ସବୁରେ ମାତିପାରେ ?

 

ସେମାନଙ୍କର କଣ ଏକାନ୍ନବର୍ତ୍ତୀ ସଂସାର ଯେ ଏକା ସାଙ୍ଗରେ ରହି ହଣାମରା ହେବେ....ଗାଳି ଫଜିତ୍ କରିବେ—କୋର୍ଟକୁ ଯିବେ ହାଣ୍ଡି ଭାଗର ମାମଲା ଲଢ଼ିବାକୁ ? ସେମାନେ ନିଜେ ହେଉଛିନ୍ତି ନିଜର ରକ୍ଷକ । ନିଜେ ନିଜର ପଥ ପ୍ରଦର୍ଶକ । ତା ବୋଲି ଯେ ସେମାନେ ଗାଳିମନ୍ଦ ନ ହୁଅନ୍ତି ତାହା ନୁହେଁ । କିନ୍ତୁ ନଣନ୍ଦ ଭାଉଜ ଭିତରେ ନୁହେଁ କି ସ୍ୱାମୀ ସ୍ତ୍ରୀ ଭିତରେ ନୁହେଁ । ସେମାନଙ୍କର ମରାମରି ସ୍ୱତନ୍ତ୍ର ରକମର । ମନ ମିଳିଲା ନାହିଁତ ସ୍ତ୍ରୀ ରିଭଲଭର ଉଠାଇଲା ସ୍ୱାମୀର ଉପପତ୍ନୀକି ଲକ୍ଷ୍ୟ କରି । ମେଣ୍ଟିଗଲା ଝିଝଂଟ ! ମେଞ୍ଚେ ଧୂଆଁ....ଗୋଟିଏ ଚିତ୍କାର....ତାପରେ ନ ହୁଏ ତ ଥରେ ଦୁଇଥର ଥାନାକୁ ଫୋନ୍, ତାପରେ ଆମ୍ବୁଲେନ୍‌ସ—ଦୁଇଟି ସାର୍ଜେଣ୍ଟ, ବେଶ...

 

କିନ୍ତୁ ଆଜି ଯଦି ସେ ନିରୋଳାରେ ମିସ୍‌ ଲୀନାର ଦେଖା ପାଏ, ତେବେ ରାତିର ଏହି ନୈଶ ବୁଡ଼ାନ୍ତରେ ଠିଆ ହୋଇ ସେ ସାର୍ଥକ କରିନେବ ତା’ର ଆଜିକାର ସମସ୍ତ ଶ୍ରମ । ମୁଖା ମୁଖି ଠିଆ ହେବ ଯେ ଆଜି ଲୀନା ଆଗରେ । ତା ପରେ ଗୋଟିକ ପରେ ଗୋଟିଏ ସେ ଖାଲି ନିକ୍ଷେପ କରିବ ପ୍ରଶ୍ନ ଉପରେ ପ୍ରଶ୍ନ ।

 

ଲୀନା କ’ଣ ବିରକ୍ତ ହେବ ? ଅସମ୍ଭବ । ବିରକ୍ତ ହେବାକୁ ତାର ସାଧ୍ୟ କେଉଁଠି ? ବିରକ୍ତ ହେବାକୁ ଗଲେ ତାକୁ ଛାଡ଼ିବ କାହିଁକି ମନୋଜ ? ସାହେବ ତ କେତେ ଅଛନ୍ତି ଲୀନା ସମାଜରେ । କାହିଁ, କେହି ତ ପାରିଲେନି ତା’ର ଦରକାରୀ ଔଷଧଟି କିଣି ଦେବାକୁ । ଆଂଲୋ ଇଣ୍ଡିୟାନ୍‍ର ମୁରାଦି କେତେ ତାହା ମୋତେ ଜଣାଅଛି । ଏହିକ୍ଷଣି ଖାଲି ଲୀନା ଆଉ ମନୋଜ । ବସନ୍ତ ଆଉ ରକ୍ତ ପଳାଶ...ଜ୍ୟୋତ୍ସ୍ନା ଆଉ ସମୁଦ୍ର—ଜୁଆର ।

 

କିନ୍ତୁ ବଡ଼ ଶୋଷ, ବଡ଼ ଭୋକ ଲାଗୁଚି ଯେପରି ।

 

—ନ ଲାଗିବ ବା କେମିଚି ? ସେଇ ଦିନ ତିନିଟାରୁ ସେ ଜଳଖିଆ କରିଚି । କ’ଣ ବା ସେମିତି ଖାଇଚି ? ମାତ୍ର ଛ’ ଅଣାର ତିନିଖଣ୍ଡି ଟୋଷ୍ଟ । ସେ ହଜମ ହେବାକୁ ପୁଣି କେତେ ସମୟ-? କିଛି ନ ଖାଇଲେ ଆଉ ଯିମିତି ସେ ଚାଲି ପାରିବ ନାହିଁ । ତାର ପାଦ ଦୁଇଟିରେ ଅସମ୍ଭବ ଯନ୍ତ୍ରଣା । ଯେମିତି କେଉଁଠି ଟିକିଏ ବସି ପଡ଼ିଲେ ଆରାମ ଲାଗନ୍ତା । କ’ଣ ବସାକୁ ଫେରିଯିବ-? କିନ୍ତୁ ସେଠାରେ ଲୀନା ନାହିଁ ? ନ ଥାଉ, ପୁଷ୍ପା ତ ଅଛି । ସେବା, ଶାନ୍ତି, ଶୁଶ୍ରୁଷାର ପ୍ରତୀକ-। ଲୀନାକୁ ନେଇ କୌଣସି ଦିନ ପାଦଟିପା ହୋଇ ପାରେନା, କିନ୍ତୁ ପୁଷ୍ପାକୁ ନେଇ ହୁଏ । କାହିଁକି କେଜାଣି ପୁଷ୍ପାର ମୂର୍ତ୍ତି ଖଣ୍ଡିକ ନାଚି ଉଠିଲା ତା ମନ—ରାଜ୍ୟରେ । ପୁଷ୍ପା ନିଶ୍ଚୟ ଏହିକ୍ଷଣି ମୋ’ରି କଥା ବସି ବସି ଭାବୁଥିବ । ଓଡ଼ିଆ ଘରର ବୋହୂ...ବଡ଼ ନିର୍ବୋଧ ସେ । କାହିଁକି ଇମିତି ତା କଥା ମନେପଡ଼ୁଚି ? ବୋଧହୁଏ ସେ ଭାବୁଚି ବୋଲି ତାର ପ୍ରତିଧ୍ୱନୀ ଆସି ଆଘାତ ଦେଉଚି ମନୋଜର ଅନ୍ତରରେ । କିନ୍ତୁ ମାମଲା ତ ମାତ୍ର ଗୋଟିଏ ରାତିର । ସବୁଦିନର ତ ନୁହେଁ । ଗୋଟିଏ ରାତି ନ ହୁଏ ତ ଟିକିଏ ଡେରି ହେବ । ମନୋଜ ଯାଇ ନ ହୁଏ ତ ବୁଝେଇ କହିବ ପୁଷ୍ପାକୁ । ଏଇଥିରେ ଇମିତି ମହାଭାରତ ଅଶୁଦ୍ଧ ହୋଇଯିବ କ’ଣ ?

 

—ଚା ଅଛି ?

 

ଗୋଟିଏ ରେସ୍ତୋଁରା ପ୍ରାୟ ବନ୍ଦ ହୋଇ ଆସୁଥିଲା । ଦୋକାନୀ ଚେୟାରଗୁଡ଼ିକୁ ଟେବୁଲ ଉପରକୁ ଉଠାଇ ଦେଇଛି । ଧୋଇବାର ବ୍ୟବସ୍ଥା ହେଉଥିଲା ଘର ଖଣ୍ଡିକ । ଇମିତି ସମୟରେ ମନୋଜ ସେଠାକୁ ପଶିଗଲା ।

 

ମନୋଜ ପୁଣି ଥରେ ପଚାରିଲା—କ’ଣ, ଚା ମିଳିବ ?

 

—ଦେଖୁଚି ରୁହନ୍ତ ।

 

ଚା ମିଳିଲା, କିନ୍ତୁ ଖାଲି ପେଟରେ କେବଳ ଚା ?

 

—ଆଉ କିଛି ନାହିଁ ?

 

—କେକ୍ ଅଛି, ଦେବି ?

 

—ଦିଅ ।

 

ଚା ଆଉ କେକ୍ ଖାଇଲା ପରେ କିଛିଟା ଜୋର ହେଲା ମନୋଜର । ଚା ଦୋକାନଟା ହେଉଚି ଧରମତଲାର । ଏଇଠାରୁ ବୀପନି ଷ୍ଟ୍ରୀଟ୍ । ତାପରେ ବେଡ୍ ଫୋର୍ଡ ଲେନ୍ । ବେଡ୍‌ ଫୋର୍ଡ ଲେନ୍ ରୁ ମନୋଜର ବସା । ବସାଟା ଅବଶ୍ୟ ଦୂର ନୁହେଁ । ଏଣ୍ଟାଲି ମାର୍କେଟର ନିକଟରେ । ବଡ଼ ଜୋରେ ପାଦ ଉଠାଇ ଗଲେ ଦଶ ମିନିଟ୍‌ର ରାସ୍ତା ।

 

ବେଡ୍‌ ଫୋର୍ଡ ଲେନ୍‌ରେ ପହଞ୍ଚି ମନୋଜର ସ୍ନାୟୁବିକ ଦୁର୍ବଳତା ଦେଖାଦେଲା । ଯେଉଁ ଠିକଣାଟା ସେ ଅନୁମାନ କରିଥିଲା, ସେଇଟା ଗୋଟିଏ ଧୋବାର ଦୋକାନ । ଆଗରେ ଦୁଇଟି ଗଧ ବନ୍ଧା ହୋଇଚନ୍ତି । ପାଖଟା ହେଉଚି ଅସ୍ତାବଳ । ଏଇକ୍ଷଣି ସେଠାରେ ଘୋଡ଼ା ନାହିଁ, କିନ୍ତୁ ମଣିଷ ଅଛନ୍ତି । ଆଉ ସେ ମଣିଷ ଗୋଟିଏ ଆଂଲୋ ଇଣ୍ଡିଆନ୍ ପରିବାର । ସମ୍ମୁଖରେ ବଡ଼ ରକମ ଗୋଟିଏ ପର୍ଦ୍ଦା ଝୁଲୁଚି । ଆଉ ବାହାରେ—ରାସ୍ତା ଆଡ଼କୁ ଖଣ୍ଡେ କ୍ୟାମ୍ପ ଖଟରେ ଶୋଇଛି ଶ୍ୱାସ ରୋଗଗ୍ରସ୍ତ ଗୋଟିଏ ବୃଦ୍ଧା । ମଝିରେ ମଝିରେ କାଶୁଛି—ଆଉ କାହାକୁ ଯେମିତି ଗାଳି ଦେଉଛି । ମଶାଗୁଡ଼ାଙ୍କୁ ବୋଧହୁଏ....

 

ବୃଦ୍ଧ ପାଖକୁ ଯାଇ ପଚାରିଲା ମନୋଜ—

 

—ମିସ୍‌ ଲୀନା ମାରଗାରଙ୍କୁ ଜାଣନ୍ତି ?

 

ବୃଦ୍ଧ ଜଣକ କଣ ବୁଝିଲା କେଜାଣି, ଭୟରେ ଚିତ୍‌କାର କରିଲା ।

 

ସଙ୍ଗେ ସଙ୍ଗେ ପର୍ଦ୍ଦା । ଠେଲି—ଶୋଇବା ପୋଷାକ ପିନ୍ଧା ଅବସ୍ଥାରେ ଛୁଟି ଆସିଲେ ଜଣେ ମେମ୍ ଆଉ ଗୋଟିଏ ଟୋକା ସାହେବ ।

 

ସେମାନଙ୍କ ଆଡ଼କୁ ହିଂସ୍ର ଦୃଷ୍ଟିରେ ଚାହିଁ—ଗର୍ଜ୍ଜନ କରି କହିବାକୁ ଲାଗିଲା ସେ ବୃଦ୍ଧ—ଏଇ ଏଇଯା କଳା ଆଦିମ୍‌ଟାକୁ ଦେଖୁଚ—ଏଟା ଚୋର....ଏଟା ସ୍କାଉନ୍‌ଡ୍ରାଲ....

 

—କଣ....କଣ ହେଇଚି ?

 

ବୃଦ୍ଧ କାଶିବାକୁ ଲାଗିଲା, ତୁମେ ସ୍ୱାମୀ ସ୍ତ୍ରୀ ଦୁଇଜଣ ତ ମହା ଆରାମରେ ଭିତରେ ଶୋଇଚ । ଏଣେ ଯେ ବୁଢ଼ା ବାପଟାକୁ ଛୁରୀ ମାରିବାକୁ ଆସିଛି ଏ ହାରାମଜାଦା...ତାକୁ ତ ଠେଲି ଦେଇଚ ଫୁଟ୍‌ପାଥ୍ ଉପରକୁ—ସିଏ ମରୁ ବା ବଞ୍ଚୁ ।

 

ବୃଦ୍ଧ କାଶିବାକୁ ଲାଗିଲା । ଆଉ କହି ପାରିଲାନି ।

 

—ଟୋକା ସାହେବଟା ବିଜୁଳି ପରି ଛୁଟି ଆସି ମନୋଜର ତଣ୍ଟିଟାକୁ ଟିପି ଧରିଲା । ଛୁରା ମାରନେକୋ ତୁମଲୋଗ ଆୟା ହୈ ।

 

କେଉଁଠି ମୋର ଛୁରୀ ? ଆଶ୍ଚର୍ଯ୍ୟ ହେଲା ମନୋଜ । କ’ଣ କହିବ, ଭାବି ପାରିଲା ନାହିଁ-। ତଥାପି—ଆଗରେ ଯେତେବେଳେ ବିପଦ—ମଥା ଠିକ୍ ରଖିବା ଉଚିତ ।

 

ମନୋଜ ନିଶ୍ୱାସ ନେଇ କହିଲା—

 

—ମୋର କଥାଟା ଆଗେ ଶୁଣ । ତା’ ପରେ ତୁମର ଯାହା ଉଚିତ ମନେହୁଏ କର ।

 

ମନୋଜ ତା’ର ସବୁ କଥାଯାକ ଗୋଟି ଗୋଟି କହିଗଲା । ଆଉ ଦେଖାଇଲା, ହାତରେ ଧରିଥିବା ଔଷଧ....

 

ସବୁ ବୁଝ ଟୋକା ସାହେବଟି ଶାନ୍ତ ଭାବରେ କହିଲା—

 

—ଆମେ ଲୀନାକୁ ଜାଣୁନା । ନିକଟରେ ଆମେ ଏଠାକୁ ଆସିଛୁ । ତେବେ ଏଇ ରାତିରେ ତୁମେ ତାର ସନ୍ଧାନ ପାଇବ ନାହିଁ । କାଲି ସକାଳେ ଆସି ବରଂ ଚେଷ୍ଟା କର ।

 

ପ୍ରେମ ହାତରୁ ପରିତ୍ରାଣ ନ ପାଇଲେ ବି ମାଡ଼ ହାତରୁ ତ ପରିତ୍ରାଣ ପାଇଗଲା ମନୋଜ....ସେଇଟା ତା’ର ଗୌରବ...ସେଇଟା ହିଁ ତା’ର ବିଜୟ ।

 

ଆକାଶରେ ତାରାର ସହର । ସପ୍ତର୍ଷି ଧ୍ୟାନ ମଗ୍ନ । ପ୍ରିୟ ବଶିଷ୍ଠଙ୍କ ତପୋଭଙ୍ଗ କରିବାରେ ବିଫଳ ହୋଇ ଅରୁନ୍ଧତୀ ବିଫଳରେ ଜଳୁଛି ।

☆☆☆

 

ଘରକୁ ଫେରି ବା ଶାନ୍ତି କାହିଁ ?

 

ଏକବାରେ ଅଶାନ୍ତି, ଉତ୍ତାଳ ହୋଇ ଉଠିଥିଲା ପୁଷ୍ପା ।

 

—ସହ୍ୟ କରିବାରେ ବି ଗୋଟାଏ ସୀମା ଅଛି । ଅଫିସ ବନ୍ଦ ହୁଏ ପାଞ୍ଚଟାରେ—ଆଉ ତୁମେ ଫେରୁଛ ରାତି ବାରଟାରେ । ବାହାରକୁ ଯେଉଁମାନେ ବାହାରନ୍ତି—ସେମାନେ ହୁଏତ ଏକ ପ୍ରକାର ନିଶ୍ଚିନ୍ତ—ଘରର କଥା ଭୁଲି ରହିବା ସମ୍ଭବ । କିନ୍ତୁ ଘରେ ଯେଉଁମାନେ ରହନ୍ତି, ସେମାନଙ୍କର ଅବସ୍ଥାଟା କ’ଣ ହୁଏ କହିଲ ଦେଖି ? ....ମୋତେ ଦେଖାଶୁଣା କରିବା ପାଇଁ ଗୋଟିଏ ଲୋକ କ’ଣ ରଖି ଯାଇଚ ଯେ, ଯେତେବେଳେ ଇଚ୍ଛା ଆସିବ ?

 

ଅନେକ କଷ୍ଟରେ ପୁଷ୍ପା ଏକଥା କହିଲା, ଚକ୍ଷୁରେ ତା’ର ଜଳ ଆସିଲା । ଅପରାଧୀଟି ଭଳି ଘରକୁ ପଶିଲା ମନୋଜ, କହିଲା—

 

—ବଡ଼ ବିପଦରେ ପଡ଼ି ଯାଇଥିଲି ।

 

—ଯେତେ ବିପଦ କି ସବୁ ତୁମରି ହୁଏ ? ବିପଦଟା କ’ଣ ଶୁଣେ ?

 

ବିପଦ ଯେ କ’ଣ କହିବ, ଆସିବାବେଳେ ମନୋଜ ସେଟା ଠିକ୍ କରି ଆସିନି । ସାର୍ଟ ପେଣ୍ଟ ଖୋଲୁ ଖୋଲୁ ମନୋଜ କହିଲା—

 

—ଅପେକ୍ଷା କର, ଟିକିଏ ସ୍ଥିର ହୁଏ—କହୁଛି ।

 

—ସ୍ଥିର ହୋଇ କହିବାକୁ ଗଲେ ତ ଭୋର ହୋଇଯିବ । ଆଉ କେତେ ସମୟ ଅଛି ବା ରାତି ପାହିବାକୁ ? ଏତେକ୍ଷଣ ଯଦି ଡେରି କରି ପାରିଲା, ଆଉ ଚାରି ପାଞ୍ଚ ଘଣ୍ଟା ରହିଗଲନି ତେଣେ ।

 

—ସେଇଆ ଯଦି ମନେ କରୁଥାଅ—ବେଶ୍, କାଲିଠାରୁ ଆଉ ଆସିବିନି ।

 

ତାତି ଉଠିଲା ମନୋଜ । ତତୋଧିକ ତାତି ଉଠିଚି ପୁଷ୍ପା ।

 

—ତୁମେ ନ ଆସିବ କେମିତି ? ମୁଁ ଯେ କାଲି ଚାଲି ଯାଉଚି ।

 

—କେଉଁଠିକି ଯିବ ?

 

କର୍କଶ କଣ୍ଟରେ କହି ଉଠିଲା ମନୋଜ ।

 

—ଏଇ ଦେଖ ଭାଇ ଚିଠି ଦେଇଛନ୍ତି କଟକରୁ, ମୋତେ ନେଇଯିବା ପାଇଁ ।

 

ପୁଷ୍ପାର ଆପଣାର ଲୋକ କହିବାକୁ ଗଲେ ଏଇ ଭାଇଟି ହିଁ ସମ୍ବଳ । ନାମ ରବିନ୍ଦ୍ର ମହାପାତ୍ର । କାମ କରନ୍ତି ସେକ୍ରଟାରୀଏଟ୍‌ରେ । ମଝିରେ ମଝିରେ ପୁଷ୍ପାକୁ ନେଇଯିବାକୁ ଲେଖନ୍ତି । ପୁଷ୍ପା ଯାଇପାରେନା ।

 

—ଦେଖି ସେ ଚିଠି ?

 

ମନୋଜ ଦୃପ୍ତ ଭଙ୍ଗୀରେ ଛଡ଼ାଇ ନେଲା ପୋଷ୍ଟକାର୍ଡ ଖଣ୍ଡିକ ପୁଷ୍ପା ହାତରୁ । ଅନେକ ଠିକଣା ବଦଳ ହୋଇ—ଅନେକ ଜାଗା ବୁଲି, ଅବଶେଷରେ ଚିଠିଟି ଆସି ଲାଗିଛି ଏଇ ଘାଟରେ–ଏଇ ଠିକଣାରେ ।

 

ଚିଠିଟି ପଢ଼ିସାରି ମନୋଜ କହିଲା—

 

—ପୋଷ୍ଟକାର୍ଡ ଅଛି ?

 

ପୁଷ୍ପା ଦ୍ୱିରୁକ୍ତି ନ କରି ପୋଷ୍ଟ କାର୍ଡ ବଢ଼ାଇ ଦେଲା ମନୋଜ ହାତକୁ ।

 

ସଙ୍ଗେ ସଙ୍ଗେ ମନୋଜ ତାର ଉତ୍ତର ଲେଖିଲା—

 

ପ୍ରିୟ ରବି ଭାଇ !

 

ଆପଣଙ୍କ ଚିଠି ପାଇ ଖୁବ୍ ଖୁସି ହେଲି । ଅନେକ ଥର ମନରେ ଭାବିଚି—ତୁମ ଆଡ଼େ ଯାଇ ଥରେ ବୁଲି ଆସିବାକୁ । କିନ୍ତୁ କାର୍ଯ୍ୟବ୍ୟସ୍ତ ଥିବାରୁ ଯାଇ ପାରିନି । ଆପଣଙ୍କ ଭଉଣୀକି ନେବା ପାଇଁ ଚିଠି ଦେଇଥିଲେ । ସେଥିରେ ମୋର ଆପତ୍ତି ନାହିଁ । ଲେଖିବେ କେବେ ଆସୁଛନ୍ତି—କେବେ ନେଇ ଯାଉଛନ୍ତି ! ଇତି—

 

ମନୋଜ

 

ଠିକଣାଟା ଦେଖି ସାରିବା ପରେ କାର୍ଡଟି ଫୋପାଡ଼ି ଦେଲା ମନୋଜ ପୁଷ୍ପା ଉପରକୁ ।

 

ଆଉ ମୋତେ କିଛି ପଚାରିବନି । ପଚାରିଲେ ବି କିଛି ଜବାବ ପାଇବିନି ।

 

ଏତକ କହି ମନୋଜ ଶୋଇପଡ଼ିଲା ବିଛଣାରେ ।

 

ରାଗ ଅନେକ କମି ଆସିଲା ପୁଷ୍ପାର । ଯେତେ ଯାହା କରୁ ଗୋଟାଏ ଲୋକ ଯେତେବେଳେ ବାହାରୁ ବୁଲି ବୁଲି ଥକା ହୋଇ ଫେରିବ—ତା’ର ଆସିବାଟା ସେଇବେଳେ ବଡ଼ । କେଉଁଠାରୁ ଆସିଚି, କାହିଁକି ଆସିଚି ଡେରି କରି ସେଟା ପରେ ଶୁଣିଲେ ତ ଚଳିବ । ଏଇଆ ଭାବି ସେ ଧୀର କଣ୍ଠରେ କହିଲା—

 

—ଶୋଇଲ ଯେ ଖାଇବନି ?

 

—ନାଁ, ମୁଁ ଖାଇ ଆସିଛି ।

 

ବିପ୍ଳବ ଘୋଷଣା କଲା ମନୋଜ । ତାର କ୍ଳାନ୍ତ ମୁହଁ ଆଡକୁ କିଛି ସମୟ ଚାହିଁ ରହି ପୁଷ୍ପା ମନୋଜ ପାଖକୁ ଯାଇ କସିଲା । ଫିକ୍ କରି ହସି ଦେଇ କହିଲା—

 

ପେଟଟା ଦେଖି ତ ମନେ ହେଉନି, ତୁମେ ଖାଇ ଆସିଚ ବୋଲି, ପେଟ ତ ତୁମର ପିଠିରେ ଲାଗି ଯାଉଚି ।

 

—ଯାଉ, ସେଥିରେ ତୁମର କଣ ଅଛି ? ମୁଁ ଖାଇବିନି । ମନୁଷ୍ୟଙ୍କର ରାଗ ତ ଏଇଠି–ହାତରେ ନୁହେଁ ଭାତରେ ।

 

—କିନ୍ତୁ ମୁଁ ତୁମର ଇମିତି କଣ କରିଚି ଯେ, ମୋ ଉପରେ ରାଗ କରି ତୁମେ ଖାଇବିନି-। ମୁଁ ଯଦି ତୁମର ସ୍ୱାମୀ ହୋଇଥାନ୍ତି ଆଉ ତୁମେ ହୋଇଥାଆନ୍ତ ମୋର ସ୍ତ୍ରୀ....ତୁମର କି କଷ୍ଟ ହେଉ ନ ଥାନ୍ତା ମୁଁ ଡେରି କରି ଏତେ ରାତିରେ ଆସିଲେ ?

 

ଅନେକଟା ଯେମିତି ନରମ ହୋଇ ଆସିଲା ମନୋଜ । କହିଲା—

 

—ରୋଜ ତ ଆଉ ଡେରି କରି ଆସେନି ।

 

—ଡେରି କରି ଯଦି ଆସିବ, ଅଫିସକୁ ଯିବାବେଳେ କହି ଗଲନି କାହିଁକି ? ମୋର ତ ଆଉ ଦୁଇଟି ସ୍ୱାମୀ ନାହାନ୍ତି ଯେ, ଜଣେ ଗଲେ ଆଉ ଜଣେ ପାଇବି ।

 

—ତୁମ ମୁହଁରେ ଟିକିଏ ଲାଜ ନାହିଁ ?

 

—ଲାଜ ନାହିଁ କାହିଁକି ? କିନ୍ତୁ ଲାଜ କରିବା ହେଉଚି କଣ ? ମଧୁଶଯ୍ୟା ରାତିରେ କି କମ୍ ଲାଜ କରିଥିଲି ଜଣେ ପୁରୁଷ ପାଖରେ ଶୋଇବାକୁ ? ତୁମେ ଆଉ ଫାଙ୍କ୍ ଦେଲ କେଉଁଠି ଲାଜ ନେଇ ଘର କରିବାକୁ ?

 

—ସତେ ! ତୁମେ ଏଣିକି ଭାରି ରସିକା ହେଲଣି ଦେଖୁଚି ।

 

—ରସିକ ସ୍ୱାମୀ ପାଖରେ ସ୍ତ୍ରୀ ଅରସିକା ହେଲେ ଚଳିବ ?

 

—ବେଶ୍ ଚାଲ—ଭାତ ବାଢ଼ିବ ।

 

ଧଡ଼ପଡ଼ କି ଉଠି ବସିଲା ମନୋଜ ।

 

—ଆଜି ସନ୍ଧ୍ୟା ତ ହୋଇ ନାହିଁ ?

 

—ହଉ, ନ ହେଲା ମନେ ମନେ କରିନିଅ ।

 

ଖିଆପିଆ ଶେଷ ହେବା ବେଳକୁ ବାଜିଥିଲା ଗୋଟାଏ । ଖାଇସାରି ମନୋଜ ବିଛଣା ଧରିଲା । ପୁଷ୍ପା ସାଦା ପାନ ଖଣ୍ଡିଏ ଭାଙ୍ଗି ଖୁଆଇଦେଲା ମନୋଜ ପାଟିରେ । ମନୋଜ ପାନ ଚୋବାଉ ଚୋବାଉ କହିଲା—

 

—କାଲି କିନ୍ତୁ ଏତେ ରାତି ହେବନି ।

 

—କାଲି ତ ଡେରିହେବ ନାହିଁ କହିଲ, ଆଜି କୋଉଥିପାଇଁ ଡେରି ହେଲା କହିଲ ନାହିଁ ତ ?

 

—ମତେ ଏଇନେ ନିଦ ଆସିଲାଣି । କାଲି ସବୁ କହିବି ।

 

କଥା କହୁ କହୁ ମନୋଜର ଅଳସଭରା ଆଖି ଯୋଡ଼ିକ ବୁଜିହୋଇ ଆସିଲା । କିନ୍ତୁ ପୁଷ୍ପା ନିଦ ଭଙ୍ଗେଇବା ପାଇଁ କୁତୁକୁତୁ କଲା । ମନୋଜ ବିରକ୍ତ ହୋଇ କହିଲା—

 

—ଧେତ୍ ।

 

—ତା’ ହେଲେ କହିବ ନାହିଁ ?

 

—ପାଖକୁ ଆସ କହିବି ।

 

ମନୋଜ ପୁଷ୍ପାକୁ କୋଳକୁ କୋଳକୁ ଭିଡ଼ି ଆଣିଲା । ପୁଷ୍ପା ଢଳି ପଡ଼ିଲା ମନୋଜର ବକ୍ଷ ଉପରେ । ମନର ଝରକା ଡେଇଁ କାମନାର ସରୀସୃପ ମନୋଜ ନିଷିଦ୍ଧ ଅଞ୍ଚଳରେ ଦଂଶନ କଲା । ଅସ୍ୱାଭାବିକ ଏକ ଆଗ୍ନେୟ ଉତ୍ତାପରେ ସେ ଥରିବାକୁ ଲାଗିଲା । କମ୍ପିତ ହାତ ତାର ଚିବୁକ ସ୍ପର୍ଶ କରି ତା ଦେହର ଉତ୍ତାପ ଲାଗିଲା, ଗଣ୍ଡ ଦେଶରେ କେତୋଟି ମୁଦ୍ରାର ଭଉଁରୀ ।

 

ପରଦିନ ମନୋଜର ନିଦ ଭାଙ୍ଗିଲା ବେଳକୁ ଘଡ଼ିରେ ଆଠଟା । ଏଣେ ବଡ଼ି ଝଟିକାରୁ ଉଠି ରନ୍ଧାବଢ଼ା ଏକ ପ୍ରକାର ଶେଷ କରି ଦେଲାଣି ପୁଷ୍ପା । ପୁରୁଷର ବେଳକୁ ଯେଉଁ ନିଦ୍ରାସୁଖ—ସ୍ତ୍ରୀ ମାନଙ୍କର ବେଳକୁ ତାହା ବିନିଦ୍ର ଶାନ୍ତି । ଅଥଚ ପୁଷ୍ପା ଯେମିତି ସ୍ୱାମୀ ପାଇଁ ସବୁ ତ୍ୟାଗ ସ୍ୱୀକାର କରିବାକୁ ସକ୍ଷମ...କଷ୍ଟ ସ୍ୱୀକାରରେ ସର୍ବଂସହା ।

 

ମନୋଜ ଆଖି ମଳି ମଳି ଉଠି କହିଲା—

 

—ଆରେ ବାବା ! ଏତବେଳ ହେଲାଣି, ତମେ ମତେ ଡାକୁନ ?

 

—ଦି’ଥର ଆସିଥିଲି ଡାକିବାକୁ, ଦେଖିଲି ତମେ କଞ୍ଚା ନିଦରେ ଶୋଇଚ...ତେଣୁ ନ ଡାକି ଫେରିଗଲି ।

 

କଳ ପାଖକୁ ଗାଧୋଇବାକୁ ଯାଇ ରୀତିମତ ବିସ୍ମିତ ହୋଇ ଉଠିଲା ମନୋଜ । କାଲି ରାତିରେ ଯେଉଁ ଚିଠିଟା ସେ ଲେଖିଥିଲା ତା’ର ଶଳା ପାଖକୁ, ସେ ଖଣ୍ଡିକ ଲୁଚା କୁଚା ଅବସ୍ଥାରେ ପଡ଼ିଛି ମଇଳା—ପକା ଟବ୍‌ରେ ।

 

—ଏ କ’ଣ ! ଏଟା ଇମିତି ଛିଡ଼ାଇଲା କିଏ ?

 

ପୁଷ୍ପା ହସି ହସି କହିଲା—

 

—ଅଛୁ ତ ଆମେ ଦୁଇଜଣ । ମୁଁ ଆଉ ପୁଷି । କିଏ ଛିଡ଼ାଇଲା ବୋଲି ତୁମର ମନେ ହେଉଛି ?

 

—ତା ହେଲେ ତୁମେ ଛିଡ଼ାଇଛ ନିଶ୍ଚୟ ?

 

ପୁଷ୍ପା ଆଉ କିଛି ନ କହି ଟିକିଏ ହସିଦେଲା ।

 

—ଛିଡ଼ାଇଲ କାହିଁକି ଶୁଣେ ?

 

—ତୁମଭଳିଆ ତ ମୁଁ ଆଉ ପାଗଳ ନୁହେଁ ଯେ, ଚିଠିଟାକୁ ନ ଛିଡ଼ାଇ ଡାକରେ ପକାଇ ଦେବି । ଚିଠି ଦେଇ ଲାଭ କ’ଣ ଶୁଣେ ?

 

—କାହିଁକି, ତୁମେ ପରା କଟକ ଯିବ କହୁଥିଲ ?

 

—ତୁମକୁ ଏକା ଛାଡ଼ି ? ମତେ କଣ ଦଇବ ଛାଡ଼ିଛି ? ମୁଠାଏ ଭାତ ପାଇଁ ତୁମେ ହୋଟେଲକୁ ଯିବ—ଆଉ ମୁଁ ବାପଘରକୁ ଯାଇ ଫୁର୍ତ୍ତି କରିବି ?

 

ତାପରେ ଓଠ ପାଖୁଡ଼ାରୁ ଝରାଇ ଦେଇଥିଲା ସେ ଛୋଟିଆ ହସଟି ।

☆☆☆

 

ପୁଣି ସେହି ଅଫିସ୍‌ । ସେହି ଉତ୍ତଙ୍ଗ ତରଙ୍ଗମାଳା । ତଥାପି ଆଜିକାର ଅଫିସ୍‌ ଯିବାରେ ଆନନ୍ଦ ଅଛି । ଆନନ୍ଦ ନ ଥାଉ—ଅଚେତନ ଅଛି—ଅଛି ଆବେଗ୍ ଅଫୁରନ୍ତ । ପ୍ରତ୍ୟେକ ଘଟଣା ମନୋଜ ଆଜି ବୁଝାଇ କହିବ ମିସ୍‌ ଲୀନାକୁ । ଲୀନା ପାଇଁ ସେ ପ୍ରାଣ ଦେବାକୁ ଯାଇଥିଲା—ସେ କଥା ବି କହିବାକୁ ଭୁଲିବନି । ତାରି ପାଇଁ ସେ ପ୍ରିୟତମାର ସାନିଧ୍ୟରୁ ବିଚ୍ଛିନ୍ନ ହୋଇ ବୁଲୁଥିଲା ଦୀର୍ଘ ପାଞ୍ଚ ଘଣ୍ଟାପାଇଁ କଲିକତାର ଏଗଳି ସେଗଳି କିନ୍ତୁ କିଏ ସେଇ ପ୍ରିୟତମା ? ପୁଷ୍ପା ? ନା ନା, ପୁଷ୍ପା କଥା ସେ ଜଣାଇବନି ଲୀନାକୁ । ପୁଷ୍ପା ଯା’ର—ତା’ର ହୋଇଥାଉ । ପୁଷ୍ପା ତାର ଅନ୍ତଃପୁର–ଲୀନା ନହବତ୍ ଖାନା । ଲୀନାକୁ ନେଇ ନାଚ କରାଯାଏ—ବଲ୍ ଡାଏନ୍‌ସ କରାହୁଏ–ବାଡମିଣ୍ଟନ ଖେଳାଯାଏ... କିନ୍ତୁ ପୁଷ୍ପା ସହିତ ଏସବୁ ଅସଭ୍ୟତା ସ୍ୱପ୍ନରେ ବି ଅଗୋଚର । ପୁଷ୍ପାର ପ୍ରେମ ଦେବୀର.....ଲୀନାର ପ୍ରେମ ଡାହାଣୀର ।

 

 

ଆଜି ଟିକିଏ ବେଳାବେଳି ବାହାରି ପଡ଼ିଲା ବସାରୁ ମନୋଜ । ଅଫିସରେ ଯାଇ ଯେତେବେଳେ ପହଞ୍ଚେ ସେତେବେଳକୁ ଦଶଟା ବାଜିବାକୁ ଦଶ ମିନିଟ୍‌ ବାକି । ଆଉ ଏହି ଦଶମିନିଟ୍ ହାତରେ ପାଇବାରୁ ମନୋଜ ପକ୍ଷରେ ବିଶେଷ ସୁବିଧା ହେଲା ଲୀନା ସହିତ ଆଳାପ କରିବାକୁ । ଲୀନା ବି ଆସେ ପ୍ରାୟ ଦଶଟା ବାଜିବାକୁ ଦଶମିନିଟ୍ ଆଗରୁ । ଏହି ଦଶ ମିନିଟ୍ ଭିତରେ ସେ ତିଆରି ହୋଇପଡ଼େ କର୍ତ୍ତବ୍ୟରେ ଓହ୍ଲାଇ ଯିବାକୁ । ଫ୍ୟାନ୍‌ ର ହାଓ୍ୱାରେ ଶୁଖାଇ ନିଏ ସେ–ତାର ସୁନେଲି ଦେହରେ ଝରି ଆସୁଥିବା ଝାଳ ବିନ୍ଦୁ । ମଥାରେ ପେଣ୍ଡାଏ ବବ୍—କରା ଚୁଳ ମାଖି ନିଏ ଭ୍ୟାନିଟ୍ ବ୍ୟାଗରୁ ବାହାର କରି ମୁଖଆଉ ଦେହରେ ବାସଭରା ଲାଲ ପାଉଡ଼ର । ଆଉ ଖଣ୍ଡିଏ ଛୋଟ ଆଇନାରେ ଦେଖିନିଏ ନିଜର ଲୋଭନୀୟ ମୁହଁଟା.... ।

 

ତେଣୁ ଏଇ ସମୟଟା ହିଁ ପ୍ରଶସ୍ତ–ନିରୋଳା ଅବସ୍ଥାରେ ଲୀନାକୁ ପାଇବାର । ମନୋଜ ପଶିଯାଏ କନକନିଆ ହରିଣଛୁଆ ଭଳି ସୁଟ୍ ପିନ୍ଧା ଯା ଅବସ୍ଥାରେ ଏହି ଛୋଟ ଘର ଭିତରକୁ । ଲୀନା ହସି ହସି ତାକୁ ଅଭିବାଦନ ଜଣାଏ । କଣ କହିବ, ଆଉ କ’ଣ ନ କହିବ, ମନୋଜ ତାହା ଯେମିତି ଭୁଲିଯାଏ ମୁହୁର୍ତ୍ତକ ଭିତରେ । ଖାଲି ବିଭ୍ରାନ୍ତ ଆଖିରେ ଅନାଇ ରହେ ।

 

ଲୀନା କହେ—

 

—କାଲି ରାତିରେ ତୁମକୁ ଯେମିତି ନିଦ ହୋଇନି ମିଃ ଚୌଧୁରୀ ।

 

—ବାସ୍ତବିକ୍ ମିସ୍‌ ମାରଗାର ।

 

ମନୋଜ ପକେଟରୁ ବାହାର କଲା ଔଷଧଟା, ଆଉ ସେଟା ବଢ଼ାଇ ଦେଲା ଲୀନାର କମନୀୟ ହାତକୁ ।

 

ଲୀନା ଆଶ୍ଚର୍ଯ୍ୟ ହୋଇ କହି ଉଠିଲା—

 

—ଏ କ’ଣ ! ତୁମେ ଯେ ଯୋଗାଡ଼ କରି ପାରିଚ ଦେଖୁଚି ଏଇ ଔଷଧଟା । କେଉଁଠୁ ପାଇଲ ?

 

—ସେତ ବହୁତ କଥା, କାଲି ମୁଁ ତ ଏହି ଔଷଧଟା ପାଇଁ ମରଣ ମୁହଁରେ ପଡ଼ିଥିଲି ।

 

ଆଉ ମନୋଜ କହିବାକୁ ଲାଗିଲା, ଗତ ରାତିରେ ଘଟିଥିବା ସମସ୍ତ ଘଟଣା । ସମବେଦନାରେ ସିକ୍ତ ହୋଇ ଲୀନା କହିଲା ।

 

—ଏତେ ରାତିରେ ଯିବାଟା ତୁମର ଠିକ୍ ହୋଇନି । ମୁଁ ତୁମକୁ ଚିହ୍ନେ କିନ୍ତୁ ଅନ୍ୟ ଲୋକତ ଚିହ୍ନନ୍ତି ନାହିଁ । ତା ଛଡ଼ା ମୁଁ ବେଡ୍‍ଫୋର୍ଡ ଲେନ୍‌ରେ ବର୍ତ୍ତମାନ ରହୁନି । ଦୁଇମାସ ହେଲା, ଇଲିୟଟ୍ ରୋଡକୁ ଆସିଚି । ତୁମେ ତ କାଲି କହିନଥିଲ ଯେ ମୋ ଘରକୁ ଯିବ ବୋଲି ।

 

—କାହିଁ, ତୁମେ ତ କେବେ ହେଲେ ଡାକିନା ତୁମ ଘରକୁ ?

 

—ସେଇଟା ଅବଶ୍ୟ ମୋର ଭୁଲ । ଆଚ୍ଛା, କେବେ ଯିବ କୁହ ?

 

ଲୀନା ଚକ୍ଷୁରେ ସମ୍ମୋହନର ଚାହାଣୀ ।

 

ଏଇକ୍ଷଣି ମନୋଜ ଯଦି କହେ—ଆଜି ଯିବି, ସେଇଟା କ’ଣ ଭଲ ହେବ ? ସେଥିରେ କି ସେ ବଡ଼ ହେବ ଲୀଜା ଚକ୍ଷୁରେ ? ତା’ରତ ଗୋଟାଏ ଆତ୍ମ ସମ୍ମାନ ଅଛି । ମନୋଜ କହିଲା ।

 

ନିଶ୍ଚୟ ଯିବି ।

 

—ଆଚ୍ଛା, ତୁମର ଅସୁସ୍ଥ କାଜିନ୍ ଏଇକ୍ଷଣି କେଉଁଠି ? ତୁମରି ଘରେ ?

 

—ମୋ ଘରେ ନୁହେଁ, ଅନ୍ୟ ଜାଗାରେ । ସେଠାକୁ ମୋତେ ଯିବା ଆସିବା କରିବାକୁ ହୁଏ ।

 

—ଓ...ଭୟାନକ ଭୁଲ୍ ହୋଇ ଯାଇଥିଲା ।

 

ମନୋଜ ଏହା କହି ପକେଟ୍‌ରୁ ବାହାର କଲା ସେଇ ଶହେ ଟଙ୍କାର ନୋଟ୍ ଖଣ୍ଡିଆ । ଲୀନା ଆଡ଼କୁ ବଢ଼ାଇ ଦେଲା । ଲୀନା ଆଶ୍ଚର୍ଯ୍ୟ ହୋଇ କହିଲା—

 

—ଔଷଧ ଦାମ ଦେଇନାହିଁ ?

 

ତୁମର କାଜିନ୍‌ର ଦେହ ଅସୁସ୍ଥ । ସେଥିପାଇଁ କ’ଣ ମୋର କିଛି କର୍ତ୍ତବ୍ୟ ନାହିଁ ?

 

ଏହା କହି କ୍ଷିପ୍ର ଗତିରେ ଚାଲି ଯାଉଥିଲା ମନୋଜ, ଆଉ ତା’ଠାରୁ ବ୍ୟତିବ୍ୟସ୍ତ ହୋଇ ଲୀନା ବି ଛୁଟିଥିଲା ନୋଟ୍‌ଟା ହାତରେ ଗୁଞ୍ଜି ଦେବାକୁ....

 

ଠିକ୍ ଏଇପରି ଗୋଟାଏ ଦୃଶ୍ୟ ଆଉ ଧର—ପଗଡ଼ ବେଳେ ପଛରୁ ଆସି ଠିଆ ହେଲେ ମିଷ୍ଟର ମହାପାତ୍ର ।

 

ମହାପାତ୍ର ଏ ବ୍ୟାଙ୍କର ବ୍ରାଞ୍ଚ ସେକ୍ରେଟାରୀ । ବିଦେଶୀ ବେଶ ଭୂଷାରେ ଯେମିତି ସେ ସବୁଠାରୁ ଆଗୁଆ । ମିଜାଜ୍ ଖୁବ ରୁକ୍ଷ । ଅଫିସରେ କେଉଁ ଲୋକ ସହିତ ଭଲରେ ବି ସେ ଦିନେ ମାତୃଭାଷାରେ କଥା କୁହନ୍ତି ନାହିଁ । ସବୁବେଳେ ଇଂଲିଶ୍ । ସତେ ଯେପରି ଇଉରୋପିଆନ୍ ସାହେବ ।

 

ମନୋଜ ଟିକିଏ ଶଙ୍କିଗଲା । ଆଉ ମୁହୂର୍ତ୍ତେ ମାତ୍ର ବିଳମ୍ବ ନ କରି ଚାଲିଗଲା ନିଜ ଜାଗାକୁ ।

 

କିନ୍ତୁ ଲୀନା.... ? ସେ ବିଦ୍ୟୁତ୍ ଚଞ୍ଚଳା ବିହଙ୍ଗିନୀ । ଷୋଡ଼ଶୀ ତରୁଣୀ । ତା’ର ଚାକିରି ମାରିବ କିଏ ? ଏ ଡାଳ ଭାଙ୍ଗିଗଲେ ସେ ଡାଳ ଅଛି । ଏ ଆକାଶ ଶେଷ ହେଲେ, ସେ ଆକାଶ ତା ପାଇଁ ଅପେକ୍ଷା ମାନ । ଏ ଇଉକାଲି ପଟାସ୍ ବନକୁ ରାତି ଆସିଲେ, ସେ ଇଏକୋହାମର ଅରଣ୍ୟରେ ନୂଆ ସକାଳ । ସେଥିପାଇଁ ଭୟ କଣ ? ଲୀନା ଚାକିରି ପାଇଁ ନିଜେ ଯେତେ ସନ୍ତୁଷ୍ଟ ନୁହେଁ....ବ୍ୟାଙ୍କ ତାକୁ ଚାକେରୀ ଦେଇ ତାହାଠାରୁ ବେଶି ଗର୍ବିତ । ବ୍ୟାଙ୍କ ପାଇଁ ସେ ସୃଷ୍ଟି ନୁହେଁ—ତା ପାଇଁ ବ୍ୟାଙ୍କ ସ୍ୱର୍ଣ୍ଣପ୍ରସୂ ।

 

କିନ୍ତୁ ମନୋଜ ବିଚରା ଶଙ୍କାକୁଳ, ଯେହେତୁ ଲୀନା ଆଉ ତା ମଧ୍ୟରେ ସଂଘର୍ଷଟା ନଜରରେ ପଡ଼ିଛି ଏକ ମହାପୁରୁଷର, । ଆଉ ସେ ଏମିତି ଜଣେ ମହାପୁରୁଷ, ଯିଏ ସିଂହ ନୁହେଁ—ବାଘ ନୁହେଁ—ଏକାବାରେ ବୃଶ୍ଚିକ । ମି—ମହାପାତ୍ର ନଜରରେ ପଡ଼ିବା—ଆଉ ସାକ୍ଷାତ ଯମ ନଜରରେ ପଡ଼ିବା ଏକାକଥା । ଏହାପରେ କଅଣ ଯେ ହେବ, ଭାବି ଠିକ୍ କରି ପାରେନା ମନୋଜ-। କଲମ ଧରିବାକୁ ଯାଇ ନିର୍ଜୀବ ହୋଇ ଉଠିଲା ସେ—ବେଳେ ବେଳେ ଲେଖନୀ–ଧରା ହାତଟା ତା’ର କମ୍ପିବାକୁ ଲାଗିଲା—ପ୍ରାଣ ଭିତରେ ତାର ଉଙ୍କି ମାରିଲା ଅସରନ୍ତି ଭୟର ଝଡ଼ ତୋଫାନ ! ଅନ୍ତରରେ ମୁଠା ମୁଠା ଶୂନ୍ୟତା ।

☆☆☆

 

ଦିନେ ଗଲା......ଦୁଇଦିନ ଗଲା...... ଇମିତି ଏକମାସ ବି କଟିଗଲା । ମିସ୍ ଲୀନା ସାଙ୍ଗରେ ୟା ମଧ୍ୟରେ ମନୋଜ ଆଉ ଦେଖା କରିନି । ତାର ସୌନ୍ଦର୍ଯ୍ୟ ତୃଷା ଅନେକ ଦୁଃଖରେ ଏଇ କେଇ ସପ୍ତାହ ଧରି ସେ ଚାପି ରଖିଛି ।

 

କିନ୍ତୁ ଆଜି....ଏତେଦିନ ପରେ ମନୋଜ ଆଉ ଲୀନାର ବିରହ ବରଦାସ୍ତ କରି ପାରିଲାନି । ଯା ଥାଉ କପାଳରେ ! ସେ ଗୋଟିଏ ରବିବାର ଦେଖି, ଯାଇ ଉଠିଲା ମିସ୍‌ ଲୀନା ମାରଗାର କୋଠିରେ । ଆଉ ଯେତେବେଳେ ସେ ଯାଇ ପହଞ୍ଚେ, ସେତେବେଳକୁ ସନ୍ଧ୍ୟା ହୋଇ ଆସିଲାଣି । ବିଜୁଳି ଆଲୁଅରେ ହସି ଉଠୁଚି ମହାନଗରୀ କଲିକତା ।

 

ଇଲିୟଟ ରୋଡର ମସ୍ତବଡ଼ ଗୋଟାଏ କୋଠା । ତଳେ ଉପରେ ସବୁ ଆଂଲୋଇଣ୍ଡିୟାନଙ୍କର ଅବସ୍ଥିତ । ଜଣେ କହିଲା—ଉପରକୁ ଯାଆନ୍ତୁ ।

 

ଉପରକୁ ଉଠୁ ଉଠୁ ବାରଣ୍ଡାରେ ଗୋଟିଏ ବୟ ସାଙ୍ଗରେ ଦେଖା ହେଲା । ମନୋଜ ପଚାରିଲା—

 

—ଏଠାରେ ମିସ୍ ଲୀନା ମାରଗାର ରହନ୍ତି ?

 

—ହଁ ! ଆପଣ କେଉଁଠାରୁ ଆସିଛନ୍ତି ?

 

ଲୀନା ତାକୁ ଠିକଣା—ଲେଖା ଯେଉଁ କାର୍ଡ ଖଣ୍ଡିକ ଦେଇଥିଲା—ତାରି ପିଠି ପାଖରେ ମନୋଜ ତାର ନାମ ଲେଖି ପଠାଇଲା ।

 

ବୟ କାର୍ଡ ଖଣ୍ଡିକ ନେଇ ଅଦୃଶ୍ୟ ହେବାର ମିନିଟ୍‌କ ପରେ ଲୀନାର ଆର୍ବିଭାବ । ଆଉ ଲୀନା ଆସି ଯେଉଁ ବେଶରେ ଠିଆ ହେଲା—ମନୋଜର ଚକ୍ଷୁ ସେ ବେଶ ଗ୍ରହଣ କରିବାରେ ଅଭ୍ୟସ୍ତ ନୁହେଁ । ସେମିଜର ଭଳି ଗୋଟିଏ ଆଲଖାଲ୍ଲା ପିନ୍ଧା ତା’ର ଦେହ । ଗଳା ଠାରୁ ଅର୍ଦ୍ଧେକ ବକ୍ଷତାର ଉଲଗ୍ନ ।

 

ଏ କ’ଣ, ତୁମେ ! ....ମୁଁ ଭାବି ନଥିଲି ଯେ, ତୁମ ଭଳି ଲାଜକୁଳା ଲୋକ ଏଠାକୁ ଆସିବ-

 

ଲୀନା ବିସ୍ମିତ ମୁଖରେ ତାକୁ ସମ୍ବର୍ଦ୍ଧନା ଜଣାଇ ଖଣ୍ଡିଏ ବେତର ଚେୟାର ବଢ଼ାଇ ଦେଲା ମନୋଜ ଆଡ଼କୁ । ନିଜେ ବସିଲା ଆଉ ଖଣ୍ଡିଏ ଚେୟାରରେ ।

 

କେଉଁ କଥାଟା ଆଗେ ଆରମ୍ଭ କରିବ—ମନୋଜ ତାହା ଭାବିବାକୁ ଲାଗିଲା । ସହସା ସେ ଆରମ୍ଭ କଲା—

 

—ତୁମ ସାଙ୍ଗରେ ଅନେକ ଦିନ ପରେ ଆଜି ଦେଖା । ମୋର ଭୟ ହୋଇଥିଲା, ତୁମେ ବୋଧହୁଏ ମୋ ଉପରେ ବିରକ୍ତ ହୋଇଛ ।

 

ନା, ନା, ବିରକ୍ତ ହେବି କାହିଁକି ?

 

—ତୁମର ଅବସ୍ଥା ମୁଁ ଅହରହ କଳ୍ପନା କରିଚି । କଳ୍ପନା କରି ଦୁଃଖ ପାଇଚି ।

 

—ସତେ ନା କଣ ?

 

ଝର ଝର ହୋଇ ହସି ଉଠିଲା ଲୀନା, ତାର ମୁକ୍ତାଭଳି ପରିଷ୍କାର ଦାନ୍ତ ଗୁଡ଼ିକରେ ଯେମିତି ଝଡ଼ ଆବିର୍ଭାବରେ.....ଝାଉଁବନ ।

 

କହିଲା—

 

—ତୁମେ ଭାରି ସେଣ୍ଟିମେଣ୍ଟାଲ ! ଆମ ସମାଜରେ ତୁମଭଳି ଲାଜକୁଳା ଲୋକ ଥିଲେ ଆତ୍ମହତ୍ୟା କରନ୍ତା !

 

—କହୁଚ କ’ଣ ?

 

ଠିକ୍ କହୁଚି । ମନଟା ଆହୁରି କଠିନ କରିବାକୁ ଚେଷ୍ଟାକର । ଏତେ ନରମ ମନ ନେଇ ରହିଲେ ଖାଲି କଷ୍ଟ ପାଇବ—କଷ୍ଟ ଲାଘବ ହେବ ନାହିଁ ।

 

ଏହି ସମୟରେ ଲୀନା କଲିଂବେଲ ଦେଲା । ବୟ ଆସି ଠିଆହେଲା । ଲୀନା ଯେମିତି ଇଙ୍ଗିତରେ କ’ଣ ତାକୁ ଆଦେଶ କଲା । ଦୁଇମିନିଟ୍ ମଧ୍ୟରେ ବୟ ହାତରେ ଧରି ଆସିଲା, ଗୋଟିଏ ପରିଷ୍କାର ଝଲମଲ କାଚର ଗ୍ଲାସ । ସେଥିରେ କେତେ ଟୁକୁରା ହିରାର ଭଳି ବରଫ । ଆଉ ଗୋଟିଏ ଜିଞ୍ଜରର ବୋତଲ ଖୋଲି ରଙ୍ଗିନ୍ ପାନୀୟ ଟିକକ ସେଥିରେ ଢାଳି ଦେଇ ଚାଲିଗଲା ବୟ । ଲୀନା ହସି ହସି ଗ୍ଲାସଟି ମନୋଜ ଆଡ଼କୁ ବଡ଼ାଇ ଦେଲା ।

 

ଭଲ କଥା, ତୁମେ ଯେତେବେଳେ ଆସିଚ ଭଲ ହୋଇଚି । ଆଜି ତୁମର ଟଙ୍କାଟା ନେଇଯାଅ ।

 

—ତୁମେ କଣ ସେ ଟଙ୍କା କଥାଟା ଆଦୌ ଭୁଲି ପାରୁନ ? ମୁଁ ତୁମ ବନ୍ଧୁ ହିସାବରେ କି ଏଇ ଟଙ୍କାଟା ହାତରୁ ଅବ୍ୟାହିତ ପାଇ ପାରେନା ?

 

—ତା’ ହେଲେ ତୁମ ଟଙ୍କା ନେବନି ?

 

ଲୀନା ଇମିତି ଭାବରେ ମନୋଜକୁ କହିଲା, ଯେମିତି ସେ ଅତି ଛୋଟ ଛୁଆ । ତାକୁ ଶାସନ କରିବା ଦରକାର ।

 

ନେବି ନାହିଁ, ଇମିତି କିଛି ପ୍ରତିଜ୍ଞା ନାହିଁ । ତେବେ ଯଦି ଏଇକ୍ଷଣି ଏ ଟଙ୍କା ପ୍ରସଙ୍ଗ ବାଦ୍ ଦିଅନ୍ତି, ସୁଖୀ ହୁଅନ୍ତି ।

 

ବାଦ ଦେବ କେମିତି କୁହନ୍ତୁ ! ତୁମ ନିକଟରେ ଯେ ମୁଁ ଆହୁରି ଉପକାର ପାଇବାକୁ ଚାହେଁ ।

 

ତୁମର ଉପକାର କରି ପାରିବାଟା ଯେ ମୋର ସକଳ ସୌଭାଗ୍ୟର ବିଷୟ, ଏକଥା କି ତୁମେ ବୁଝନା ?

 

କିଛି ସମୟ ନୀରବ ରହି ପ୍ରଶ୍ନକଲା ମନୋଜ—

 

—ଆଚ୍ଛା, ମିସ୍‌ ମାରଗାର ବ୍ୟାଙ୍କ୍ ସେକ୍ରେଟାରୀ ସେଦିନ ତୁମକୁ କିଛି କହି ନାହାନ୍ତି ?

 

—ଯେଉଁଦିନ ଔଷଧଟା ତୁମ ଘରକୁ ନେଇ ଯାଉଥିଲି ?

 

—କହିବାର କଣ ଅଛି ? ଫୋନ୍‌ର ଲାଇନ୍‌ଟା ତାଙ୍କର ଆଉଟ୍‌ ଅଫ୍ ଅର୍ଡର ଥିଲା । ସେଇଥି ପାଇଁ ଡାକି ସେ ଜବାବ ନ ପାଇ ଆସିଥିଲେ ମୋ ପାଖକୁ । ମୁଁ ତାଙ୍କୁ ସେଇକ୍ଷଣି ତ ସବୁ ବୁଝାଇ କହିଛି ।

 

—ମୁଁ ଏ କେଇଦିନ କେତେ ଭୟ ଯେ ପାଇଛି, କଣ କହିବି ? ଠିକ୍ ଏହି କାରଣରୁ ତୁମ ସାଙ୍ଗରେ ଦେଖା ପର୍ଯ୍ୟନ୍ତ କରିବାକୁ ଆସିନି । ମୁଁ ଭାବିଥିଲି, ସେକ୍ରେଟାରୀ ବୋଧେ ସେ ବିଷୟରେ ମୋ ବିରୁଦ୍ଧରେ କିଛି ଷ୍ଟେପ୍ ନେବେ ।

 

ତାଙ୍କର ଷ୍ଟେପ୍ ନେବାର ଏଥିରେ କଣ ଅଛି ? ତୁମେତ କିଛି ଅନ୍ୟାୟ କରିନ । ଆଉ ମୁଁ ମଧ୍ୟ ତୁମ ବିରୁଦ୍ଧରେ କୌଣସି ନାଲିସ କରିବାକୁ ଯାଇନି ।

 

—ସେ ବିଷୟରେ ସେ କିଛି ପଚାରିଛନ୍ତି ତୁମକୁ ?

 

ପଚାରିବାକୁ ତାଙ୍କର ଅଧିକାର କଣ ? ନିଜର ପୁଣି ଆତ୍ମମର୍ଯ୍ୟାଦା ଜ୍ଞାନ ଅଛିତ ! ପଚାରିଥିଲେ ମୋଠାରୁ କଡ଼ା ଉତ୍ତର ପାଇଥାନ୍ତେ ଯେ ।

 

ବଞ୍ଚିଗଲା ମନୋଜ । ମନର ବୋଝଟା ହାଲୁକା ହୋଇଗଲା । ଏଇଥର ଯିବାକୁ ହେବ-। ମନଟା ତାର କହୁ ନ ଥାଏ ଲୀନାକୁ ଛାଡ଼ି ଚାଲିଯିବା ପାଇଁ, କିନ୍ତୁ ଲୀନା ନ ଅଟକାଇଲେ ରହିବ ବା କିପରି ? ଯିବାକୁ ଇଚ୍ଛା ନ ଥିଲେ ବି ଉଠିପଡ଼ି କହିଲା—

 

—ତୁମର ଅନେକ ସମୟ ନଷ୍ଟ କରିଛି ମୁଁ ? ଆଉ ଧୈର୍ଯ୍ୟର ଉପରେ ବି ଆଘାତ କରିଚି । ଏଇଥର ମୁଁ ଆସୁଛି ।

 

—ନା ନା, ସମୟ ଆଉ କ’ଣ ? ଆଉ ଧୈର୍ଯ୍ୟ ବି ମୋର ଯଥେଷ୍ଟ । ଯିବ ତ, ଆଚ୍ଛା ତୁମ ଓଡ଼ିଆ ସଙ୍ଗୀତରୁ ମୋତେ ଗୋଟିଏ ଶୁଣାଇବନି ?

 

ମନ୍ଦ କଣ ? ପ୍ରସ୍ତାବଟି ଉତ୍ତମ ! ମନୋଜ କି ଯିବାପାଇଁ ବ୍ୟସ୍ତ ହୋଇ ଏଠାକୁ ଆସିଛି-? କିନ୍ତୁ ରହିବାକୁ ତାକୁ ଦେଉଛି କିଏ ?

 

ତଥାପି ଯେମିତି ସମୟ ମିଳୁଚି ତାକୁ ବା ଛାଡ଼ିବ କାହିଁକି ?

 

ମନୋଜ କହିଲା—ତା’ହେଲେ ଶୁଣ । ପଲ୍ଲୀ କବିଙ୍କର ଗୋଟିଏ ସଙ୍ଗୀତ ଆବୃତ୍ତି କରୁଛି—

 

ସ୍ଥିର ଦୃଷ୍ଟିରେ ମନୋଜର ଭାବଭଙ୍ଗୀ ଲକ୍ଷ୍ୟ କରିବାକୁ ଲାଗିଲା ଲୀନା, ମନୋଜ ଗାଇବାକୁ ଆରମ୍ଭ କଲା । ଗଳାଟି ନିହାତି ମନ୍ଦ ନୁହେଁ । ଗାଇବାରେ ଆବେଗ ଅଛି—

 

‘‘ତୁମକୁ ମୁଁ ଭଲପାଏ ଅତି ଭଲପାଏ ଗୋ....

ବୁଝନା ମୋ ମନକଥା କବିତାରେ ଗାଏଁ ଗୋ ।୦।’’

 

ଶେଷ ହୋଇନି ସଂପୂର୍ଣ୍ଣ ଗୀତଟି, ତେବେ ବି ଜଳୁଚି ସେଇ ଅନିର୍ବାଣ ଦୀପ ଶିଖା କୁଶବିଦ୍ଧ ଯିଶୁଖ୍ରୀଷ୍ଟଙ୍କ ପବିତ୍ର ପାଦପୀଠରେ....ଆଉ ଠିକ୍ ସେତିକି ବେଳେ ଯେମିତି ଉତପ୍ତ ଝାଞ୍ଜି ପିଟା ଆକାଶରୁ ଖସି ଆସିଲା ଗୋଟାଏ ବିଶ୍ୱ ଧ୍ୱଂସୀ ବ୍ରଜବାଣ । ଅଥବା ସମୁଦ୍ରର ସାଲକ୍ଳୋନ୍ !

 

ମନୋଜର ଅବୃତ୍ତି କରିବା ଧପ୍‌ କରି ବନ୍ଦ ହୋଇଗଲା । ସେ ଚାବୁକଖିଆ କୁକୁର ଭଳି ପଳାଇବାକୁ ରାସ୍ତା ପାଇଲା ନାହିଁ ।

 

ଆଗରେ ଆସି ଠିଆ ହୋଇଛନ୍ତି ଲର୍ଡ ହାଡିଞ୍ଜ ନୁହେଁ—ମି: ମହାପାତ୍ର ଅଧରରେ ତାଙ୍କର ଲମ୍ବା ପାଇପ୍.... ମୁଁହରେ ବିଚିତ୍ର ବ୍ୟଙ୍ଗଧ୍ୱନି—

 

ମାରଭ୍‌ଲେସ୍ !

 

ପୁଣି ସେଇ ଅଫିସ....ପୁଣି ସେଇ ଆଶଙ୍କା । ୟାର ଯେମିତି ଆଉ ଶେଷ ନାହିଁ । ୟାଠାରୁ ସମୁଦ୍ର ତଟ ଯେମିତି ଅନେକ ଦୂର । ଯେଉଁ ସମୁଦ୍ର ତଟରେ ଅବାରିତ ସ୍ୱାଚ୍ଛନ୍ଦ....ଅଫୁରନ୍ତ ଶାନ୍ତି.... ଅପୂର୍ବ ସୂର୍ଯ୍ୟାଲୋକ ।

 

କେତେବେଳେ ଡାକିବେ ତାକୁ ମିଃ ମହାପାତ୍ର....ଏଇ ଟାରଣା ତାକୁ ଯେମିତି ପାଗଳ କରି ପକାଉଥିଲା । ଆଚ୍ଛନ୍ନ ହୋଇ ରହିଲା କାଞ୍ଚନଜଙ୍ଘାର କନକଚୁଡ଼ା କଠିନ ତୁଷାର ସ୍ତୁପରେ । ଅଫିସକୁ ଯାଇ କାର୍ଯ୍ୟ ଶେଷକରିବାକୁ ଯେତେ ତାର ଝୁଙ୍କ୍ ନୁହେଁ....ଝୁଙ୍କ୍ ରହିଲା ତାହାଠାରୁ ବେଶି କେତେବେଳେ ଆସିବ ମିଃ ମହାପାତ୍ରଙ୍କର ଆହ୍ୱାନ ।

 

ସତକୁ ସତ, ମିଃ ମହାପାତ୍ର ଦିନେ ମନୋଜକୁ ଡକାଇ ପଠାଇଲେ । ମନୋଜ ଯାଇ ଠିଆହେଲା କମ୍ପିତ ହୃଦୟରେ ମିଷ୍ଟର ମହାପାତ୍ରଙ୍କ ଖାସ କାମେରାରେ । ମନୋଜକୁ ଦେଖି ମିଃ ମହାପାତ୍ର ହସି ହସି କହିଲେ ।

 

—ବସନ୍ତୁ ଏଇ ଚେୟାରରେ....

 

ସାମନାରେ ପଡ଼ିଥିବା ଚେୟାର ଗୋଟାଏ ଦେଖାଇ ଦେଲେ ।

 

—ସହସା ଆପଣଙ୍କୁ ଡକାଇ କୌଣସି ଅସୁବିଧା ଘଟାଇ ନାହିଁ ତ ?

 

—ନା, ନା, ଅସୁବିଧା ଆଉ କଣ ? ଆପଣ ମୋର ସୁପରିୟର...

 

—ନା, ଡିପାର୍ଟମେଣ୍ଟର ପୁଣି କାର୍ଯ୍ୟ ଅଛି ତ ?

 

ବଡ଼ କୋମଳ ଆଉ ମଧୁର କଣ୍ଠରେ ମିଃ ମହାପାତ୍ର କହିଲେ ।

 

—କାର୍ଯ୍ୟ ତ ଅଛି । ନ ହୁଏତ ଲେଟ୍ ଆଓୟାର୍ସରେ କରିବି ।

 

—ଲେଟ୍ ଆଓୟାର୍ସରେ ବି ଖଟନ୍ତି ଆପଣ ?

 

—ନ ହେଲେ ଉପାୟ କଣ ? ଏତେଗୁଡ଼ା କାମ, ଆଉ କାମ ତୁଳନାରେ ଲୋକ ଏତେ କମ୍ ଯେ, ମ୍ୟାନେଜ୍ କରିବା ମୁସ୍କିଲ୍ ।

 

—ସତେନା କଣ ? କାହିଁ, ଏ କଥାତ ମୋର ନୋଟିସ୍‌କୁ କେହି ଆଣି ନାହାନ୍ତି ।

 

କିଛି ସମୟ ରହି ପୁଣି କହିଲେ—

 

—ଲେଟ୍ ଆଓୟାର୍ସ ପାଇଁ ପଇସା ପାଆନ୍ତି ତ ?

 

ପଇସା ଅନେକ ଆଗରୁ ମିଳୁଥିଲା । ସପ୍ତାହରେ ଛ’ଦିନ ଡେରି କରି ଖଟିଲେ ଦୁଇଦିନର ଓଭର ଟାଇମ୍ ଦେଉଥିଲା ବ୍ୟାଙ୍କ୍, କିନ୍ତୁ ଯେଉଁଠାରେ ପ୍ରତିଦିନର ସମସ୍ୟା, ସେଠାରେ ତ ରୋଜପଇସା ଦେବାଟା ସମ୍ବବ ନୁହେଁ । ପ୍ରତିଦିନର ସମସ୍ୟା, ସେଠାରେ ତ ରୋଜ ପଇସା ଦେବାଟା ସମ୍ଭବ ନୁହେଁ । ସେହିପାଇଁ ଏଇକ୍ଷଣି ଖଟଣି ଅଛି, ପଇସା ଉଠି ଯାଇଛି ।

 

—ପ୍ରତିଦିନ ଏଇପରି ଖଟିବାକୁ ହୁଏନା କଣ ?

 

—ନା, ମିଃ ସିଂହ ଆସିବା ଦିନଠାରୁ ଟିକିଏ ସୁବିଧା ହୋଇ ଯାଇଛି ।

 

—ଠିକ ଅଛି !

 

ମିଃ ମହାପାତ୍ର ସହସା ବ୍ୟସ୍ତ ହୋଇ ପଡ଼ିଲେ କେତେ ଗୁଡ଼ାଏ କାଗଜ ପତ୍ର ମଧ୍ୟରେ । ଏ ଚିଠି ଦେଖନ୍ତି ସେ ଚିଠି ପଢ଼ନ୍ତି....ଆଉ ପାଟିରେ କଲମ ପୂରାଇ କଣ ଯେପରି ଭାବିବାକୁ ଲାଗନ୍ତି । ଏହାର ଭିତରେ ସେ କହିଲେ—

 

—ଟିକିଏ ଅପେକ୍ଷା କରନ୍ତୁ ଚୌଧୁରୀ !

 

କଥାରେ ଯେପରି ମିନତି ଝରି ପଡ଼ୁଛି । ସତେ ଯେମିତି ଗୋଟାଏ ବନ୍ଧୁତ୍ୱର ଆଶ୍ୱାସ । ଖୁବ୍ ଖୁସି ମନରେ କହିଲା ମନୋଜ—

 

ବସୁଛି, ଆପଣ କାର୍ଯ୍ୟ ଶେଷ କରନ୍ତୁ ।

 

ଆଶ୍ଚର୍ଯ୍ୟ ! ହଠାତ୍ ଏ କି ପରିବର୍ତ୍ତନ ମିଃ ମହାପାତ୍ରଙ୍କର । ଯାହାଙ୍କ ପ୍ରତାପରେ ବାଘ ଗୋରୁ ଜଳ ଖାଆନ୍ତି ଏକ ଘାଟରେ...ଯିଏ ଓଡ଼ିଆ କଥା ଭୁଲରେ ବି ଉଚ୍ଚାରଣ କରିବାକୁ କଷ୍ଟ ପାଆନ୍ତି–କିରାନୀଙ୍କ ସହିତ ସମ୍ପର୍କ ଯା’ର ଯା’ର ଅହି ନକୁଳର...ସେ କ’ଣନା ଡାକିଆଣି ମନୋଜକୁ ବସିବାକୁ କହନ୍ତି ତାଙ୍କର ସାମନା ଚେୟାରରେ ! ଏତେ ଭଦ୍ର....ଏତେ ହୃଦୟବାନ ମିଃ ମହାପାତ୍ର ।

 

କାଗଜପତ୍ର ଗୁଡ଼ିକ ଦୁଇ ହାତରେ ଗୋଟିଏ ପାଖକୁ ଉଠାଇ ଦେଇ ମିଃ ମହାପାତ୍ର ମନୋଜ ଆଡ଼କୁ ଚାହିଁ କହିଲେ—

 

—ଆପଣ ରହନ୍ତି କେଉଁଠି ?

 

—ଇଣ୍ଟାଲୀରେ ।

 

—ଆପଣଙ୍କର ଛୁଆପିଲା କେତୋଟି ?

 

—ଛୁଆ ପିଲା ନାହାନ୍ତି ।

 

—ଖରଚ ତାହେଲେ ଆପଣଙ୍କର ଖୁବ୍ କମ୍ ଦେଖୁଛି !

 

—ତାହା ଭାବିଲେ ମୋ ପ୍ରତି ବଡ଼ ଅବିଚାର କରାହେବ ସାର୍ !

 

—କିପରି

 

—ଏହି ଚାକିରି କରି ସର୍ବସ୍ୱାନ୍ତ ହୋଇ ମୋତେ ଗୋଟିଏ ଭଉଣୀପ୍ରାପ୍ତ ବିବାହ ଦେବାକୁ ହୋଇଛି । ତା ପରେ—ଯାହା ମୋର ଶେଷ ସମ୍ବଳ ଥିଲା, ଚୋର ହାତରେ ଟେକି ଦିଆ ହୋଇଛି । ଏଇକ୍ଷଣି ଆୟ ଅପେକ୍ଷା ବ୍ୟୟ ବେଶି । ପ୍ରତ୍ୟେକ ମାସ ଶେଷରେ ଧାର କରିବାକୁ ପଡ଼ୁଛି ।

 

ମିଃ ମହାପାତ୍ରଙ୍କ ମୁହଁରେ କଣ ଯେମିତି ଗୋଟାଏ ଛାୟା ଖେଳିଗଲା । ସେ ଛାୟା ଚିନ୍ତାର...

 

ଦରମା ପାଉଛନ୍ତି ଏଇକ୍ଷଣି ଆପଣ କେତେ ?

 

ଚାରିଶହ ।

 

କିଛି ସମୟ କଣ ଚିନ୍ତା କରି ମିଃ ମହାପାତ୍ର କହିଲେ—

 

—ଆଚ୍ଛା, ଆପଣଙ୍କ ଘରକୁ ଥରେ ଯିବା ।

 

—କ’ଣ କହୁଛନ୍ତି ସାର୍ ! ଏ ଯେ ମୋର ଆଶାତୀତ ସୌଭାଗ୍ୟ । ମୁଁ ଠିକ୍ ବିଶ୍ୱାସ କରିପାରୁ ନାହିଁ, ସତରେ ଆପଣ ଯିବେ ?

 

—ଗଲେ ତ ଆପଣ ବିଶ୍ୱାସ କରିବେ ?

 

—କରିବି । ....କେବେ ଯିବେ କୁହନ୍ତ ।

 

—ଧରନ୍ତୁ ଆଜି ସନ୍ଧ୍ୟା ବେଳକୁ ।

 

ଯଦି ଦୟାକରି ଯାଆନ୍ତି ସାର୍ ଗରୀବ ଘରକୁ....। ଆଜି ନୁହେଁ, ଆଜି ଶୁକ୍ରବାର । ଆପଣ ଅନୁଗ୍ରହ କରି ଯିବେ ରବିବାର ଦିନ । ସେଇଠାରେ ଖିଆପିଆ କରିବେ ।

 

—ଖିଆପିଆ ! କଣ ଇଣ୍ଡିୟାନ ଡିନ୍‌ର ? ଆଚ୍ଛା, ଆଚ୍ଛା, ସେଇଆ ହେବ ।

 

ମୁଁ ଯାଇ ଆପଣଙ୍କୁ ଡାକି ଆଣିବି ।

 

ମନୋଜ ବିନମ୍ର ହୋଇ ଉଠିଲା ଅତ୍ୟନ୍ତ ଆନନ୍ଦରେ ।

 

ନା ନା, ଏତେ ବ୍ୟସ୍ତ ହେବା ଦରକାର ନାହିଁ । କଥା ଯେତେବେଳେ ଦେଉଛି, ନିଶ୍ଚୟ ଯିବି । ତେବେ ରବିବାର ସନ୍ଧ୍ୟା ସମୟକୁ ।

 

ବସାକୁ ଫେରି ମନୋଜର ଆଜି ଆନନ୍ଦର ସୀମା ନାହିଁ । ସମସ୍ତ କଥା ସେ ଗୋଟି ଗୋଟି କହିବାକୁ ଲାଗିଲା ପୁଷ୍ପା ଆଗରେ ।

 

Unknown

ପୁଷ୍ପା ସବୁକଥା ଶୁଣିଲା ।....ଶୁଣିଲା ନାହିଁ ଖାଲି ଲୀନାର ବ୍ୟାପରଟା । ଲୀନାର କଥା ଭୁଲରେ ବି ଜଣାଇନି ମନୋଜ ପୁଷ୍ପାକୁ ।

 

—ପୁଷ୍ପା କହିଲା—ତେବେ ତ ତୁମର ଉନ୍ନତି ହୋଇ ଯାଇପାରେ ।

 

—ନିଶ୍ଚୟ ନା, । ଖାଲି ଗୋଟାଏ ରେକମ୍ୟାଣ୍ଡ କଲେ ହେଲା । ଆଉ ସେ ରେକମ୍ୟାଣ୍ଡ ସହ ଖଣ୍ଡିଏ ଦରଖାସ୍ତ ଯଦି ହେଡ ଅଫିସରେ ଯାଇ ପହଞ୍ଚେ–ବେଶ୍, ମନୋଜ ଚୌଧୁରୀ ସେତେବେଳେ ଆଉ କ୍ଲର୍କ ନୁହେଁ...ଏକାଥରେ ଜୁନିୟର ଅଫିସର ।

 

—ଅଫିସର ହେଲେ କ’ଣ ହେବ ?

 

ଗୋଟିଏ ଚାପା ଆନନ୍ଦ ଯେମିତି ଫଲ୍‌ଗୁର ଭଳି ବହିଗଲା ପୁଷ୍ପାର ଶିରା ପ୍ରଶିରାରେ ।

 

କଣ ହେବ, କଣ ନ ହେବ ଏଇଆ ପଚାରୁଛ ? ଇରେ ବାପରେ ବାପ, ସେଇବେଳେ ମୋର ଖାତିର କେତେ । ସେତେବେଳେ କଣ ମୁଁ ଓଡ଼ିଆ ? ସେତେବେଳେ ସାହେବ ? ଆଉ ସାହେବଙ୍କର ସେତେବେଳେ ଦରମା କେତେ ? ପ୍ରତ୍ୟେକ ବର୍ଷ ଆଲାଉନ୍‌ସ ବଢ଼ିବ....ପ୍ରତ୍ୟେକ ବର୍ଷ ଇନକ୍ରିଜମେଣ୍ଟ ହେବ । ଘରକୁ ଆସିଲେ ସେତେବେଳେ ତୁମେ ବି ସ୍ୱୀକାର କରିବ—ରିୟେଲି ସାହେବ ।

 

—ତୁମର ସାହେବ ହେବାକୁ ଏତେ ମନ ଧାଏଁ କାହିଁକି ? ପୁଷ୍ପା ଆବେଗ ଚଞ୍ଚଳ ଦେହ ନେଇ ମନୋଜର ନିହାତି ପାଖକୁ ଲାଗି ଆସିଲା । ତା’ପରେ ସ୍ୱାମୀର ମୁହଁକୁ ଛୋଟ ଛୁଆ ଭଳି ନିଜ ଛାତିରେ ଚାପି ଧରି କହିଲା—

 

—ତୁମେ ତ ଏହିକ୍ଷଣି ବି ସାହେବ । ତୁମେ କଣ ଓଡ଼ିଆ ?

 

ହୁଁ...

 

ମନୋଜ ପୁଷ୍ପାର କଅଁଳ ଗାଲରେ ନରମ ଚାପୁଡ଼ାଟିଏ ଦେଇ ଟିକିଏ ହସିଦେଲା ।

 

ସମସ୍ତ ରାତି ସ୍ୱାମୀ ସ୍ତ୍ରୀ ଚକ୍ଷୁକୁ ଆଉ ନିଦ ଆସିଲା ନାହିଁ । ଖାଲି ପରାମର୍ଶର ପରେ ପରାମର୍ଶ...ଆଳାପ ପରେ ଆଲୋଚନା....କଣ ଆଣିବାକୁ ହେବ—କଣ ରନ୍ଧାଯିବ—ମୁହେଁ ମୁହେଁ ଖାଲି ତା’ରି ଫର୍ଦ୍ଦ—ତା’ରି କଳ୍ପନା ।

 

ମନୋଜ କହିଲା—

 

ଗୋଟିଏ କାମ କଲେ କଣ ହୁଅନ୍ତା ?

 

—କହୁନା ।

 

ଏଇ ସାଥିରେ ଯଦି ଆଉ ଜଣେ ଦୁଇଜଣ ଅଫିସରଙ୍କୁ ଡାକନ୍ତି ।

 

—ସେଇଟା ଭଲ ହେବ ନାହିଁ । ନିଜେ ଯେତେବେଳେ ସେ ରାଜି ହୋଇଛନ୍ତି ଆମ ଘରକୁ ଆସିବା ପାଇଁ, ତେଣୁ ତାଙ୍କୁ ଏକା ଆଣିବାଟା ଉଚିତ । ଆଉ ପାଞ୍ଚଜଣ ଆସିଲେ କଥାଟା ଖରାପ ହେବ । ତା’ଛଡ଼ା, ସିଏ ଯେତେବେଳେ ଜଣେ ଏତେ ବଡ଼ ଲୋକ, ଆମେରିକା ଫେରନ୍ତା...

 

—ତା’ଆ ତ ସତ !

 

—କିନ୍ତୁ ଆହୁରି ଗୋଟିଏ ବିଷୟ ଭାବିବାର କଥା ।

 

—କ’ଣ ?

 

—ଆଜି ତ ମାସର ଷୋଳ ତାରିଖ । ଏହାରି ଭିତରେ ତ ସବୁ ଫାଙ୍କ୍ । ପାଇସା କଉଡ଼ିର କଥାଟା ପୁଣି ଭାବିବାକୁ ହେବ ତ । ଅତି କମ୍‌ରେ ଘରର ଖରଚ ଏଇକ୍ଷଣି ତ ତିରିଶ ଟଙ୍କା । ତା ପରେ ମହାପାତ୍ରଙ୍କୁ ଖାଇବାକୁ ବେଶି କିଛି ଖରଚ ହେବ ।

 

—କାଲି ଶନିବାର ଅଫିସକୁ ଯାଇ କାହାରି ନିକଟରୁ କିଛି ଧାର ଆଣିବାକୁ ହେବ ।

 

ସେଇଆ କର । ତେବେ ଇମିତି ଅଭାବ ଅନାଟନ ଭିତରେ ଆଉ କେତେଦିନ ଚଳିବା-?

 

—କଣ ରାନ୍ଧିବ ଭାବିଚ ?

 

—ପଲ୍ଲାଉ, ମାଂସ, ଆଳୁ, ବନ୍ଧା କୋବିର ସନ୍ତୁଳା, ଚିଙ୍ଗୁଡ଼ି ମାଛର ରାଇତା, ଆଳୁ ବଘରା, ଚଟଣି....ଆଉ କଣ ? ହୁଏତ ମିଠା ଦହି । ହେବ ନାହିଁ ?

 

—ଖୁବ୍‌ ହେବ । ଦେଖ ପଲ୍ଲାଉ ଖାଇ ମହାପାତ୍ର ବାବୁ ଯେମିତି ପ୍ରଳୟ ନର୍ତ୍ତନ ଆରମ୍ଭ ନକରନ୍ତି ।

 

—ତୁମର ତ ସାହେବ ! ତୁମେ ଆହୁରି ଦେଖ....

 

X X X

 

ଯଥା ସମୟରେ ଲଗ୍ନ ପାଖେଇ ଆସିଲା ମିଃ ମହାପାତ୍ର ଆସିବାର । ପାଖ ବସାରୁ ମନୋଜ ଦୁଇଖଣ୍ଡ ଚେୟାର ମାଗି ଆଣିଥିଲା କେଇ ଘଣ୍ଟାର ପାଇ । ମିଃ ମହାପାତ୍ର—ସାହେବ ମଣିଷ । ଧୋତି, ପଞ୍ଜାବି ପିନ୍ଧନ୍ତି ନାହିଁ । ସପରେ ତ ସେ ଆସି ବସିପାରିବେନି । ସେଥିପାଇଁ ଚେୟାରର ବନ୍ଦୋବସ୍ତ । କିନ୍ତୁ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଯିବା ଉପରେ, ତଥାପି ମିଃ ମହାପାତ୍ରଙ୍କର ଦେଖା ନାହିଁ ।

 

ମନୋଜ ଭୟାନକ ବ୍ୟସ୍ତ ହୋଇ ଉଠିଲା । ଏଣେ ଆୟୋଜନ କରିବା ପରେ ସେ ଯଦି ସତରେ ନ ଆସନ୍ତି... ?

 

—ତୁମେ କ’ଣ ମନେ କରୁଛ ପୁଷ୍ପା ?

 

—ମୁଁ ଆଉ କ’ଣ ଭାବିବି ? ତୁମର ସାହେବ...ତୁମେ ଜାଣ ? ବଡ଼ ଲୋକିଆ ଖିଆଲ–ହୁଏତ ଭୁଲି ଯାଇଛନ୍ତି !

 

ଆଚ୍ଛା ମୁଁ ତାହେଲେ ତାଙ୍କ ବସାକୁ ଯାଉଛି ।

 

—ଯିବତ ଯାଅ ।

 

—କିନ୍ତୁ ସେ ଯଦି ଏହା ମଧ୍ୟରେ ଆସି ଯାଆନ୍ତି ?

 

—ମୁଁ ନ ଫେରିବା ପର୍ଯ୍ୟନ୍ତ ତୁମେ ହୁଏତ ତାଙ୍କ ବ୍ୟବସ୍ଥା ଟିକିଏ ବୁଝୁଥିବ ।

 

—ତାହା ମୁଁ ପାରିବି ନାହିଁ । ମୋତେ ଲାଜ ଲାଗିବ ।

 

—ଆହା, ଦିନକୁ ଦିନତ ତୁମେ ଭୂଆଷୁଣୀ ପାଲଟି ଯାଉଚ । ଘରକୁ ଅତିଥି ଆସିବେ, ଆଉ ତୁମେ ତାଙ୍କୁ ଟିକିଏ ବସେଇ ପାରିବ ନାହିଁ ? ଇମିତି ଲାଜ କରୁଚ ? କାହିଁ, ବୈଦ୍ୟନାଥ ଧାମରୁ ଯେଉଁଦିନ ସନ୍ନ୍ୟାସୀମାନେ ଆସିଥିଲେ, ସେମାନଙ୍କୁ ଖୁବ୍ ବସାଇ ପାରିଥିଲ ଘରେ ! ସେତେବେଳେ ଏ ଲାଜ କେଉଁଠି ଥିଲା ?

 

ମନୋଜ ବାହାରି ଗଲା ମିଃ ମହାପାତ୍ରଙ୍କ ଉଦ୍ଦେଶ୍ୟରେ, ଆଉ ପୁଷ୍ପା ମୁହଁ ହାତରେ ସାବୁନ୍ ଦେଇ ଲୁଗା ବଦଳେଇଲା । ମୁହଁରେ ବୋଳିଲା ପାଉଡର ସ୍ନୋ । ଯଦିଓ ତା’ର ଅସାମାନ୍ୟ ରୂପ ପାଖରେ ପାଉଡ଼ରଟା ଅପ୍ରାସଙ୍ଗିକ ।

 

ମନୋଜ ଚାଲିଯିବାର ଠିକ୍ ଦଶମିନିଟ୍ ପରେ ଘର ଘର ଶବ୍ଦ କରି ଗୋଟାଏ ଟ୍ୟାକ୍‌ସି ଆସି ଠିଆ ହେଲା ମନୋଜ ବସା ଆଗରେ । ଓହ୍ଲାଇ ଆସିଲେ ମିଃ ମହାପାତ୍ର, ଅତ୍ୟନ୍ତ ସହଜ ସରଳ ପୋଷାକରେ । ପିନ୍ଧିଥିଲେ ଅବଶ୍ୟ ସେ ସୁଟ୍ । କିନ୍ତୁ ସେ ସୁଟ୍‌ରେ କେଉଁଠି ନାହିଁ ଆତ୍ମ ଅହଙ୍କାରର ଔଦ୍ଧତ୍ୟ ! ମିଃ ମହାପାତ୍ରଙ୍କ ଚେହେରାଟି ମନ୍ଦ ନୁହେଁ । ବୟସ ଅନୁପାତରେ ସେ ପୌଢ଼ । ତଥାପି ସେ ଏଇକ୍ଷଣି ଦେଖା ଯାଆନ୍ତି ଯେପରି ଯେପରି କଞ୍ଚା ଉମରର ଯୁବକ ।

 

ଛୁଟି ଆସିଲା ପୁଷ୍ପା । ଅଭ୍ୟର୍ଥନା ଜଣାଇବା ପାଇଁ.... ।

 

—ନମସ୍କାର, ଆସନ୍ତୁ....

 

—ଏଇଠାରେ କି ମନୋଜ ଚୌଧୁରୀ ରହନ୍ତି !

 

ମିଃ ମହାପାତ୍ରଙ୍କ ତୀକ୍ଷ୍ଣ ଦୃଷ୍ଟିର ଶର ମଧ୍ୟରୁ ନିଜର ଦୃଷ୍ଟି କି ଫେରାଇ ନେଇ ପୁଷ୍ପା କହିଲା—

 

ହ, ଭିତରକୁ ଆସନ୍ତୁ ।

 

ଘର ଭିତରକୁ ପଶିଗଲେ ମିଃ ମହାପାତ୍ର, ସନ୍ଦେଶର ଗୋଟିଏ ବଡ଼ ବାକ୍‌ସ ହାତରେ ଧରି । ପୁଷ୍ପା ତାଙ୍କୁ ଖଣ୍ଡିଏ ଚେୟାର ଦେଖାଇ ବସିବାକୁ କହିଲା । ଡ୍ରାଇଭର ଗାଡ଼ି ନେଇ ଚାଲିଗଲା ।

 

—ଆପଣଙ୍କର ଆସିବା ଡେରି ହେବା ଦେଖି ସେ ଆପଣଙ୍କ ବସାକୁ ଯାଇଛନ୍ତି ।

 

ଏ କ’ଣ ! ମୁଁ ଯେତେବେଳେ ତାଙ୍କୁ କଥା ଦେଇଛି, ଅବଶ୍ୟ ଆସିବି । ତଥାପି ତାଙ୍କର ବିଶ୍ୱାସ ହେଲା ନାହିଁ । ଦେଖନ୍ତ ଦେଖି, କି ହଇରାଣ ! ଏ କ’ଣ, ଆପଣ ଛିଡ଼ା ହୋଇ ରହିଲେ ଯେ-? ବସନ୍ତୁ ଏ ଚେୟାରଟାରେ ।

 

ପୁଷ୍ପା ଅନିଚ୍ଛା ସତ୍ୱେ ବି ଚେୟାର ଖଣ୍ଡିକରେ ବସିଲା ।

 

ମିଃ ମହାପାତ୍ର ମିଠାଇ ବାକ୍‌ସଟା ପୁଷ୍ପା ହାତକୁ ବଢ଼ାଇ ଦେଇ ପାଇପ୍ ଧରାଇ କହିଲେ–

 

—କି ମୁସ୍କିଲି ! ଟିକିଏ ବେଳାବେଳି ମୋର ଫେରିବାର ଥିଲା, କିନ୍ତୁ ଦୁଃଖର କଥା, ମୁଁ ଗୃହକୁ ଆସିଲି ଅଥଚ ଗୃହସ୍ୱାମୀଙ୍କର ଦେଖାନାହିଁ ।

 

ଗୃହସ୍ୱାମୀ ନାହାନ୍ତି, କିନ୍ତୁ ଗୃହଲକ୍ଷ୍ମୀ ତ ଅଛି । .....କଥାଟା କହୁଁ କହୁଁ ଅଟକିଲା ପୁଷ୍ପା । ସ୍ୱାମୀଙ୍କ ଅନୁପସ୍ଥିତରେ ଭୂଆଷୁଣୀଟା ଏତେଦୂର ଆଗେଇ ଯିବା ଭଲ ନୁହେଁ ।

 

ମିଃ ମହାପାତ୍ର ପୁଣି ଆରମ୍ଭ କଲେ—

 

—ଭିତରେ କେତୋଟି ଘର ଆପଣଙ୍କର ?

 

—ଦେଢ଼ ଗୋଟି । ଗୋଟିଏ ରହିବାର—ଆଉ ଅଧକରେ ରୋଷେଇ ଓ ଭଣ୍ଡାର ଘର-

 

—କେତେ ଭଡ଼ା ଦେବାକୁ ହୁଏ ?

 

—ପଚାଶ ଟଙ୍କା ।

 

ଏହି ଘରେ ତ ଆପଣମାନଙ୍କର ଚଳିବାକୁ ଖୁବ୍ କଷ୍ଟ ହେଉଥିବ ?

 

ନା, କଷ୍ଟ ଆଉ କ’ଣ ?

 

—ଆପଣଙ୍କର ଧୈର୍ଯ୍ୟକୁ ପ୍ରଶଂସା ନ କରି ରହି ପାରୁନି । ଏଇ ଛୋଟ ଘର ଖଣ୍ଡିକରେ ସାରାଦିନ ଆପଣ ଏକା ?

 

—ତା’ ସାଙ୍ଗରେ ଆଉ ଜଣେ ଥାଏ ।

 

—ସତେ ? ସେ ଜଣଟି କିଏ ?

 

—ଗୋଟିଏ ବିରାଡ଼ି ।

 

—ସତେ !

 

ହୋ ହୋ ହୋଇ ହସି ଉଠିଲେ ମିଃ ମହାପାତ୍ର ।

 

—ଭାରି ବୁଦ୍ଧିମତୀ ତ ଦେଖୁଛି ଆପଣ । ମନୋଜ ବାବୁଙ୍କର ଖୁବ୍ ଗୁଡ୍‍ ଲକ୍ ଯେ, ଆପଣଙ୍କ ଭଳି ଜଣେ ସୁନ୍ଦରୀ ଅଥଚ ବୁଦ୍ଧିମତୀକି ସେ ପାଇଛନ୍ତି । ମୁଁ କେବେ ଧାରଣା କରିନି ଯେ ତାଙ୍କର ସ୍ତ୍ରୀ କି ଦେଖି ଏତେ ଖୁସିହୋଇ ପାରିବି ।

 

—ଆପଣ ତ ଏ ପର୍ଯ୍ୟନ୍ତ ଅବିବାହିତ ବୋଲି ଶୁଣୁଛି ?

 

ଚିପା ହସ ହସିଲା ପୁଷ୍ପା, କଥାଟା ଯେମିତି ନିଜ ଅଜଣାରେ ମୁହଁରୁ ବାହାରି ଯାଇଛି ।

 

ଆପଣ ଠିକ୍ ଶୁଣିଛନ୍ତି । ଆଜି ଅବଧି ମୋର ସ୍ତ୍ରୀ ଆଉ ଜଗତରେ ଜନ୍ମିଲା ନାହିଁ ।

 

ପୁଷ୍ପା ଯେମିତି କଣ କହିବାକୁ ଯାଉଥିଲା । ଠିକ୍ ସେହି ସମୟରେ ମନୋଜ ପଶି ଆସିବାରୁ ବିଚ୍ଛିନ୍ନ ହୋଇଗଲା ଦୁଇଜଣଙ୍କର ସ୍ୱର...

 

—ଆରେ, ଆସନ୍ତୁ ! ଆପଣ ତ ଭାରି ସନ୍ଦିହାନ ଲୋକ ଦେଖୁଛି । କଥା ଯେତେବେଳେ ଦେଇଛି ନିଶ୍ଚୟ ଆସିବି । ଆପଣ କଅଣ ନା ଦୌଡ଼ିଛନ୍ତି ମୋତେ ଖୋଜିବାକୁ ? ଟିକିଏ ଅପେକ୍ଷା କରି ପାରିଲେନି ?

 

ନିଜର ଘର ଭିତରକୁ ପଶି ଆସି ମନୋଜ ଯେମିତି ବେକୁବ ବନିଗଲା ।

 

ମିଃ ମହାପାତ୍ର ଖାଇଲେ ବଡ଼ ପରିତୃପ୍ତି ସହକାରେ, ଯାହା ଆଶା କରି ନ ଥିଲେ ପୁଷ୍ପା ଆଉ ମନୋଜ—ମହାପାତ୍ର ସେୟା ଦେଖାଇଲେ ।

 

ବିଦାୟ ସମୟରେ ପୁଷ୍ପା କହିଲା—

 

—ଆଉ ଦିନେ ଆସିବେ, ନିମନ୍ତ୍ରଣ ରହିଲା । ଆଜିର ଆସିବାଟା କିନ୍ତୁ ମଞ୍ଜୁର ନୁହେଁ ।

 

—ମାତ୍ର ଆଉ ଥରୁଟିଏ ଆସିବାକୁ କହୁଛନ୍ତି—ବେଶି ନୁହେଁ ?

 

—ମୁଁ କ’ଣ ସେୟା କହୁଛି ? ନିଇତି ଆସୁ ନାହାନ୍ତି । ତା ହେଲେ ତ ଆମେ ଆହୁରି ଖୁସି ହେବୁ ।

 

—ବେଶ୍, ଆସିବି !

 

ହାସ—ପରିହାସ ଭିତର ଦେଇ ମହାପାତ୍ର ବିଦାୟ ନେଲେ—ବେଶ୍ ରେଖାପାତ କରି-। କିନ୍ତୁ ତା’ଠାରୁ ତାଙ୍କ ମନ ପ୍ରାଣରେ ବେଶି ରେଖାପାତ କରିଥିଲା ପୁଷ୍ପାର ତନୁଲତା–ଆଉ ଉଛୁଳା ରୂପ ଯୌବନ ।

 

ଯେତେବେଳେ ମିଃ ମହାପାତ୍ରଙ୍କ ଗାଡ଼ି ଅଦୃଶ୍ୟ ହୋଇଗଲା ରାସ୍ତା ମଧ୍ୟରୁ ମନୋଜ ପୁଷ୍ପାକୁ ପଚାରିଲା—

 

—ମୋର ଅନୁପସ୍ଥିତିରେ କି କଥାଭାଷା ସବୁ ହେଲ ?

 

—କହୁଛି । ତା ଆଗରୁ ଅପରର ଚେୟାରଗୁଡ଼ିକ ବିଦା କରିଦିଅ ।

 

ବିତି ଯାଇଛି ଗୋଟିଏ ମାସ । ୟା ମଧ୍ୟରେ ଯେ ମନୋଜ ଲୀନା ସାଙ୍ଗରେ ଦେଖା କରିନି, ଏମିତି ନୁହେଁ । କେତେଥର ଦେଖା କରିଛି କେତେ ଗୁଡ଼ିଏ ଜିନିଷ ବି ଉପହାର ଦେଇଛି । ଲୀନା କୌଣସି ଦିନ ଦୁଃଖ ପ୍ରକାଶ ନ କରି ବରଂ ତା ହସ ହସ ମୁଖରେ ଗ୍ରହଣ କରିଛି । ଲୀନା କହିଛି ଆଉ ବେଶି ଡେରି ନୁହେଁ, ଶୀଘ୍ର ତୁମକୁ ନିଯୁକ୍ତି କରିବି ରାତିରେ ମୋର ଟିଉସନ ପାଇଁ । ସେଇ ଆଶାରେ, ସେଇ ଆନନ୍ଦରେ ମନୋଜର ନିଦ ଭାଙ୍ଗେ ବଡ଼ ମଧୁର ସ୍ୱପ୍ନ ଭିତରେ । କଅଁଳ ସକାଳକୁ ସେ ଭାବେ ପୂର୍ବ ଜନ୍ମର ଆଶୀର୍ବାଦ । ସନ୍ଧ୍ୟା ମନେ ହୁଏ ସ୍ୱପ୍ନର ମାନସିଂ କବିତା । ରେଡିଓରୁ ଭାସି ଆସେ ଗୋଟିଏ ମିଠା କଣ୍ଠରେ ସଙ୍ଗୀତ—‘‘କୁସୁମ ମାଳାଟି ସଯତନେ ଗୁନ୍ଥି....-।’’ ମନୋଜ ଭାବେ—ଏ ଗୀତ, ଏ ଗଳା ଯେମିତି ଅନ୍ୟ କାହାରି ନୁହେଁ, ସୁନ୍ଦରୀ ଲୀନାର ।

 

ରାତି ଯାଏ, ଦିନ ଆସେ । ଶୀତ ପରେ ଆସେ ପତ୍ରଝରା ବସନ୍ତ । ବସନ୍ତ ବିଦାୟ ନିଏ, ଆସଇ ଟାଇଁଟାଇଁଆ ଝାଞ୍ଜିପିଟା ବୈଶାଖ ।

 

ଏପରି ଦିନ ଆସେ ଯେଉଁବେଳେ ବିପଦର କୂଳ କିନାରା ମିଳେନା । ଝାପ୍‌ସା ଦେଖା ହୁଏ ଦିଗନ୍ତ....ଅନ୍ଧକାର ମନେ ହୁଏ ଅରୁଣାଚଳ ।

 

ରକ୍ତାକ୍ତ ଅବସ୍ଥାରେ ଅଫିସରୁ ଆସି ଠିଆହେଲା ମନୋଜ । ମଥାରେ ତାର ବ୍ୟାଣ୍ଡେଜ୍ । ରିକ୍‌ସାବାଲାକୁ ପଇସା ଦେଇ ମନୋଜ ଓହ୍ଲାଇଲା । ପୁଷ୍ପା ଦରଜା ଖୋଲି ଦେବାକୁ ଯାଇ, ସ୍ୱାମୀର ଏ ଅବସ୍ଥା ଦେଖି ଆର୍ତ୍ତନାଦ କରି ଉଠିଲା—

 

କାନ୍ଦି ଉଠିଲା ପୁଷ୍ପା । ମନୋଜ ଶାନ୍ତ କଣ୍ଠରେ କହିଲା—

 

—ବ୍ୟସ୍ତ ହୁଅନା । ଟିକିଏ ବିଛଣାଟା ଖେଳାଇଦିଅ, ମୁଁ ଶୁଏଁ ।

 

ମନୋଜ ଶୋଇ ରହିଲା । ପରେ ଜଣାଗଲା ଘଟଣାଟା । ଅଫିସରୁ ମନୋଜ ଆଜି ବାହାରିଥିଲା ଟିକିଏ ଡେରିରେ । ସନ୍ଧ୍ୟା ଗଡ଼ିଗଲାଣି । ଘଡ଼ିରେ ସେତେବେଳକୁ ହୁଏନା ସାଢ଼େ ସାତଟା । ଆସୁଥିଲା ଷ୍ଟାଣ୍ଡ ରୋଡରେ ସେପଟ ଫୁଟପାତ୍‌ରେ ଏକଲା । ହାଓଡା ବ୍ରିଜ୍ ପାଖକୁ ଆସି ପାର୍କ ସର୍କସ ଟ୍ରାମ ଧରିବା ଠିକ୍ ଏହି ସମୟରେ କିଏ ଗୋଟାଏ ଅଜ୍ଞାତନାମା ଲୋକ ଝଡ଼ ବେଗରେ ଛୁଟି ଆସି ମନୋଜ ମଥାରେ ଲାଠିରେ ପ୍ରଚଣ୍ଡ ଆଘାତ କରି ପଳାଇଲା । ପଡ଼ିଗଲା ଚିତ୍‌କାର କରି ମନୋଜ ସେହି ରାସ୍ତା ଉପରେ । ତା ପରେ ଆଉ କଣ ହେଲା ମନୋଜ ଜାଣେନା ।

 

ମନୋଜର ଯେତେବେଳେ ଚେତା ଫେରିଲା, ସେ ଦେଖିଲା ଡାକ୍ତରଖାନାରେ ଇମାରଜେନ୍‌ସି ଓ୍ୟାର୍ଡରେ ପଡ଼ିଛି, ତା ମଥାରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଛି । କିଛି ସମୟ ପରେ ତାକୁ ଗୋଟିଏ ରିକ୍‌ସାରେ ଉଠାଇଦେଲେ ।

 

କାନ୍ଦି କାନ୍ଦି ପୁଷ୍ପାର ଆଖି ଯୋଡ଼ିକ ଫୁଲି ଉଠିଛି । କହିଲା—

 

—ତମର କଣ ମନେହୁଏ ? କାହାରି ସଙ୍ଗରେ କେବେ ଶତ୍ରୁତା ଥିଲା କି ?

 

—ସେ ରକମ ଲୋକ ତ ମୋର ଧାରଣାରେ ଆସୁନି, କାରଣ ମୁଁ କଣ କରିଛି ଯେ, ଶତ୍ରୁତା ରହିବ ମୋ ସାଙ୍ଗରେ ? ଛାଡ଼, ମୋର ଅଦୃଷ୍ଟ ଖରାପ ।

 

—ଦିଅଁ ଦେବତାଙ୍କୁ ଏତେ ଡାକୁଛି, କଣ ତୁମର ଅଦୃଷ୍ଟ ଖରାପ ହେବା ପାଇଁ ? ଆଜି ଯଦି ତୁମର କିଛି କୁଆଡ଼ୁ ହୁଏ, କେଉଁଠି ଠିଆ ହେବି ? ଏ ମୁହଁ ନେଇ କେଉଁଠିକି ଯିବି ?

 

—ମୋର କିଛି ହେବ ନାହିଁ । ଡାକ୍ତର କହିଛି ଭୟର କିଛି କାରଣ ନାହିଁ ।

 

ପୁଷ୍ପା ଭାବୁଥିଲା—ମାସର ଶେଷ । ପଇସା ବି ଶେଷ । ଗଉଡ଼, ଧୋବା ଖବରକାଗଜବାଲା ଆଉ ଘରଭଡ଼ାର ତାଗଦା ଆସିଯିବ । ସ୍ୱାମୀ ତାର ଅଫିସକୁ ନ ଗଲେ ଟଙ୍କା ଆସିବ କୁଆଡ଼ୁ । ଯଦି କିଛି ଔଷଧ କିଣିବାକୁ ହୁଏ ତ ତେଇଁକି ବି ପଇସା ନାହିଁ । ୟା ଠାରୁ ବିପଦ ଆଉ ମଣିଷର କଣ ଅଛି ? କଣ ବା ହୋଇପାରେ ?

 

ଟଙ୍କା ପଇସା ପାଇଁ ପୁଷ୍ପାକୁ ଯେତେ ଭାବିବାକୁ ହୁଏ, ମନୋଜକୁ ତେତେ ଭାବିବାକୁ ପଡ଼େନା । ସେ ଖାଲି ଟଙ୍କା କେଇଟା ଦେଇ ଖଲାସ । ତା ପରେ ଯେ ପୁଷ୍ପାକୁ କି କଷ୍ଟରେ, କି କଠିନ ବିବେଚନାରେ ପ୍ରାତ୍ୟହିକ ତିକ୍ତତାର ସମ୍ମୁଖୀନ ହେବାକୁ ହୁଏ, ସେ କଥା କେବଳ ସେଇ ଜାଣେ । ତାହା ଭାବି ଭାବି ପୁଷ୍ପା ଆଖିରୁ ଲୁହର ଧାର ଗଡ଼ିବାକୁ ଲାଗିଲା ।

 

ଘରେ ଡିବିରି ଜଳୁଛି । ରାତିସାରା ଉପାସ ରହିଲା ପୁଷ୍ପା । ତା ସାଙ୍ଗ ବିଲେଇଟା ବି, ଯଦି ରନ୍ଧା ହୋଇଥିଲା ସବୁଦିନର ଭଳି.... ।

ପରଦିନ ସକାଳେ ଦେଖାଗଲା, ମନୋଜ ଦେହରେ ଖଇଫୁଟା ତାତି ଇମିତି ଜ୍ୱର ଦେଖି ପୁଷ୍ପା ଆତଙ୍କରେ ଶିହରି ଉଠିଲା ।

ଜ୍ୱର କେତେବେଳେ କମେ, କେତେବେଳେ ବଢ଼ିଉଠେ । ପ୍ରବଳ ଜ୍ୱରରେ ବିଳିବିଳେଇ ଉଠେ ମନୋଜ । ଜ୍ୱର ଯେତେବେଳେ କମେ, ସେ ଧୀରେ ଧୀରେ ଡାକେ ପୁଷ୍ପାକୁ । ପୁଷ୍ପା କହେ–

—ମୋର ଡାହାଣ ଆଖି ଯେଉଁବେଳୁ ନାଚିଛି, ସେଇବେଳୁ ଜାଣିଛି ଗୋଟାଏ କିଛି ନା କିଛି ବିପଦ ତୁମେ ଘରକୁ ନେଇ ଫେରିବ ।

ମନୋଜ ଥରେ ଚାରିଆଡ଼କୁ ଚାହିଁବାକୁ ଚେଷ୍ଟା କରେ । କହେ, ଭାରି ଶୋଷ, ଟିକିଏ ଜଳ ଆଣ । ଜଳ ଦେବାକୁ ପୁଷ୍ପା ଡେରି କରେନା ।

—ତୁମପାଇଁ ଗରମ ଦୁଧ ରଖିଛି । ଗୋପାଳ ପାଖରୁ ଆଜି ବଡ଼ତିସେରେ ଦୁଧ ରଖିଛି-। ଆଣିବି ?

ସେରେ କାହିଁକି ରଖୁଥିଲ ? ବାଧା ଦେଇ କହି ଉଠେ ମନୋଜ—

—ସେରେ ଦୁଧର ଦାମ କଣ କମ୍ ?

—ସେଥିରେ ହେଇଛି କ’ଣ ? ସେ ଭାବନା ତୁମର କାହିଁକି ?

—ମୋର ନୁହେଁ କଣ ତୁମର ? ଟଙ୍କା ଏତେ ଆସିବ କେଉଁଠୁ ?

—ଭଗବାନ ଦେବେ ।

ଭଗବାନ ତ ଦେଇଛନ୍ତି ଏଇଆ ! ହତଭାଗୀ ମୀନା ଆସିତ ଋଣରେ ବୁଡ଼େଇ ଦେଇଛି, ତା ପରେ ଆସିଲେ ଚୋର ।

ଟିକିଏ ନୀରବ ରହି ମନୋଜ ପୁଣି ପ୍ରଶ୍ନ କଲା—

......ପୁଷି କି ତ କାହିଁ ଦେଖୁ ନାହିଁ ?

ପୁଷ୍ପା କିଛି ଜବାବ ଦିଏନା । ଖାଲି ଝର ଝର ହୋଇ ତା ଆଖିରୁ ଲୁହ ଗଡ଼େ ।

—କି, କଥା କହୁ ନାହିଁ ଯେ ?

ମନୋଜ ଅନାଏ ପୁଷ୍ପା ମୁହଁକୁ । ନୀରବ ରହି ପୁଷ୍ପା ଆହୁରି କାନ୍ଦି ଉଠେ । ବିନ୍ଦୁ ବିନ୍ଦୁ ଅଶ୍ରୁ ଗାଲଦେଇ ବକ୍ଷସ୍ଥିତ ଲୁଗାରେ ଆସି ଆଶ୍ରୟ ନିଏ । ଶେଷରେ ସେ କାନ୍ଦି କାନ୍ଦି କହେ—

....ନାହିଁ ।

—ନାହିଁ ମାନେ ?

ମନୋଜ ଚମକି ଉଠି ପଚାରେ !

 

ବିଚରାକୁ କାଲି ସାରା ରାତି ଖାଇବାକୁ ଦେଇନି । ସେଇ ଦୁଃଖରୁ କି କଣ, ଆଜି ସକାଳୁ ସେ ମିଆଁଉ ମିଆଁଉ ହୋଇ ଘରୁ ବାହାରି ପଳାଇଲା । କେଉଁଦିନ ଏତେ ସକାଳୁ ସେ କୁଆଡ଼େ ଯିବାର ମୁଁ ଦେଖିନି, ଶେଷରେ ତାକୁ ଗୁଳି ଖାଇ ମରିବାକୁ ହେଲା ।

 

—ଗୁଳି ଖାଇ ? କଣ କହୁଚ ତୁମେ ?

 

ମନୋଜ ବିସ୍ମିତ ଆଉ ବିରକ୍ତ ହୋଇ କହିଲା ।

 

ପୁଷ୍ପା ଅଞ୍ଚଳରେ ଲୁହ ପୋଛି କହିଲା—

 

—ସକାଳେ ଛାତ ଉପରକୁ ଲୁଗା ଶୁକାଇବାକୁ ଯାଇ ଦେଖେ ତ ପୁଷି ସେପାଖେ ଗଳି ଗୋଟିଏ ତେଲଙ୍ଗା ଘରେ ଯାଇ ପଶିଛି । ପଶିଯାଇ ତାଙ୍କ କୁକୁଡ଼ାରୁ ଗୋଟାଏ ମାରି ପକାଇଛି । ଘରର ମାଲିକ ସେଇବେଳେ ଘରେ ଥିଲା । ସଙ୍ଗେ ସଙ୍ଗେ ସେ ଗୋଟାଏ ବନ୍ଧୁକ କାଢ଼ି ଆଣି ମୋ ଆଡ଼କୁ କଟ୍ ମଟ୍‌କି ଚାହିଁ ଧମକ ଦେଇ କହିଲା—ଏ, ‘ମାଈକିନିଆ ! ଏ ବିରାଡ଼ି କାର ? ମୋର ସେଇବେଳେ ଏତକ ସାହସ ହେଲା ନାହିଁ ଯେ କହିବି ଆମର । ମୁଁ ଚୁପ୍ ହୋଇ ରହିଲି । ଧଡ଼ାସ୍ କରି ବନ୍ଧୁକର ଆବାଜ ହେଲା । ଆଉ ଆମର ପୁଷୀ ମୋ’ରି ଆଡ଼କୁ କାତର ଦୃଷ୍ଟିରେ ଚାହିଁ ଗୋଟିଏ ବିକଟ ଆର୍ତ୍ତନାଦ କରି ପଡ଼ିଲା ମାଟିରେ ।

 

ଟିକିଏ ରହିଯାଇ ପୁଣି ପୁଷ୍ପା କହିଲା—

 

—ମୋର ଡାହାଣ ଆଖିଟା ନାଚିଛି ଯେତେବେଳେ, ଏଇଥିର ତ କେତେ କୁଆଡ଼ୁ ବିପଦ ଆସି ପହଞ୍ଚିବ । ଏଇତ ସାମାନ୍ୟ । ଯାଉଛି ତୁମପାଇଁ ଦୁଧ ଆଣେ ।

 

ଯେମିତି ବିଦ୍ୟୁତ୍ ଭଳି ଅଦୃଶ୍ୟ ହେଲା ପୁଷ୍ପା ମନୋଜ ଖୋରୁ । ପ୍ରାୟ ଘଣ୍ଟାକ ପରେ ଜ୍ୱରର ପ୍ରକୋପ ଆହୁରି ବଢ଼ି ଉଠିଲା ମନୋଜ ଦେହରେ । ପୁଷ୍ପା ମନଟା ସନ୍ଦେହ ହୋଇ ଉଠିଲା-। ଏ ବିପଦ ଆହୁରି ଅନେକ ବାଟ ଯିବ । ୟା ହାତରୁ ବୋଧହୁଏ ବଞ୍ଚିବାର ଉପାୟ ନାହିଁ । ଏଇପରି ସେ କେତେ କଣ ଚିନ୍ତା କରିବାକୁ ଲାଗିଲା ।

 

—କଣ କରିବି କହିଲ ?

 

—ଏଇକ୍ଷଣି କିମିତି ଅଛନ୍ତି ସେ ?

 

—ଜ୍ୱର ତ ପୁଣି ବଢ଼ିଛି ।

 

ମୋର ଦିଅର ଆଜି କହୁଥିଲେ, ଇମିତି ଭାବରେ ୟାଙ୍କୁ ପକାଇ ରଖିବା ଠିକ୍ ନୁହେଁ । ଡାକ୍ତର ଡକାନ୍ତୁ ।

 

ଯେଉଁଠାରେ ବାଘର ଭୟ, ସେଇଠାରେ ସଞ୍ଜ ହୁଏ । ଯେଉଁଠାରେ ପଇସାର ଅଭାବ, ସେଇଠାରେ ଖରଚର କଥା । ପୁଷ୍ପା ନୀରବରେ ତାହା ଭାବିବାକୁ ଲାଗିଲା । ଆଉ ବୋହୂଟି କହି ଚାଲିଲା—

 

—ମୋର ସାନ ଭାଇଟିର ଥରେ ଏହିଭଳି ମଥା ଫାଟି ଯାଇଥିଲା । ଶେଷରେ ‘ଟିଟେନାସ’ରେ ପହଞ୍ଚିଲା । ବିଶ୍ୱାସ ଯିବ ନାହିଁ, ପଇସା ଖାଲି ପାଣିସୁଅ ପରି ଛୁଟିଲା । ବ୍ୟସ୍ତ ହେବା ଦରକାର ନାହିଁ । ଟିଟେନାସ୍ ଇଞ୍ଜେକ୍‌ସନ୍ ବାହାରିଲାଣି ।

 

ପୁଷ୍ପାର ମୁହଁ ଶୁଖି ଏଡ଼େ ଟିକିଏ ହୋଇଗଲା । ବିବର୍ଣ୍ଣ ପଡ଼ିଗଲା ଭୟରେ । କେଉଁଠୁ ପଇସା ଆସିବ ? କିଏ ବା ଡାକ୍ତର ଡାକିବ ?

 

ବିରସ ମୁଖରେ ପୁଷ୍ପା ସ୍ୱାମୀର ଶଯ୍ୟା ପାଖରେ ଆସି ଆଶ୍ରୟ ନେଲା । ଆଉ ଠିକ୍ ସେଇ ସମୟରେ, ତାର ସ୍ୱାମୀର ନାଆଁ ଧରି ଡାକିଲା ରାସ୍ତା ଉପରୁ ଜଣେ କାବୁଲୀବାଲା ।

 

କାବୁଲୀବାଲା ବି ଯେମିତି ସୁଯୋଗ ଉଣ୍ଡି ଚୋଟ ମାରିବାକୁ ଆସିଛି । ଦୁଇଦିନ ଆଗରୁ ନୁହେଁ କି ପରେ ନୁହେଁ । ଏକୁ ବି ଆସିବାକୁ ହେଲା ଏହି ସମୟରେ । କର୍କଶ କଣ୍ଠରେ ସେ ବାର ବାର ଡାକିବାକୁ ଲାଗିଲା ।

 

କିନ୍ତୁ କାବୁଲୀବାଲା ବା କାହିଁକି ? ୟା ପାଖରୁ କିଛି ଧାର କରା ହୋଇଚି ନା କଅଣ ? ତା ସ୍ୱାମୀର ଶେଷ ପର୍ଯ୍ୟନ୍ତ ଏମିତି ଅବସ୍ଥା ହୋଇଛି ଯେ, ସେ କାବୁଲି ପାଖରୁ ଧାର କରିଛନ୍ତି ? ଆଉ କଣ କାହାରି ପାଖରୁ ପଇସା ମିଳିଲା ନାହିଁ ? କାହିଁ, ଏକଥା ତ କେବେହେଲେ ସେ କହି ନାହାନ୍ତି ପୁଷ୍ପାକୁ । ଆଉ କାବୁଲୀବାଲାଟା ବସା ବା ଚିହ୍ନିଲା କେମିତି ?

 

କାବୁଲୀର ଡାକ ଯେମିତି କ୍ରମଶଃ ବଢ଼ି ଚାଲିଲା—ମନୋଜ ବାବୁ ହ୍ୟାୟ ?

 

ଜବାବ ନ ଦେଲେ ବୋଧେ ଚଳିବ ନାହିଁ । ଲୋକମାନେ ଜାଣିପାରିଲେ ଆହୁରି କେଳେଙ୍କାରୀ ବଢ଼ିବ । ଏହା ଭାବି ପୁଷ୍ପା ଦରଜା ପାଖକୁ ଯାଇ କହିଲା–

 

—କାହାକୁ ଖୋଜୁଛ ?

 

—ମନୋଜ ବାବୁ ହ୍ୟାୟ ଇହାଁପର ?

 

ପୁଷ୍ପାର ଇଚ୍ଛା ହେଉଥିଲା—ଯେପରି କୁହନ୍ତା, ସେ ଏ ବସାରେ ରୁହନ୍ତି ନାହିଁ । କିନ୍ତୁ ମିଛ କହିବାକୁ ତାର ଜିଭ ପଛେଇଲା । କହିଲା—

 

ଅଛନ୍ତି । କିନ୍ତୁ ବେମାର ।

 

—ବେମାର ! କ୍ୟା ହୁଆ ?

 

—ମୁଣ୍ଡ ଫାଟି ଯାଇଛି ।

 

—ଏଁ ! ଏୟସା ? କାବୁଲୀର ଆଖି ଦୁଇଟା ଯେମିତି ବିସ୍ମୟରେ ବଡ଼ ହୋଇ ଉଠିଲା ।

 

ପୁଷ୍ପା ପଚାରିଲା—

 

ତୁମକୁ ଏ ବସାର ଠିକଣା କିଏ ଦେଲା ?

 

—ହାମ୍ ଅଫିସମେଁ ଗିୟାଥା, ହୁୟାଁସେ ଲାୟା ।

 

କାବୁଲୀ ପୁଣି ଅଫିସକୁ ଯାଇଥିଲା । ଅଫିସରେ ବି ଜଣାଇ ଆସିଛି ।

 

କୁ—ଗ୍ରହର ଗୋଟିଏ ଛିଦ୍ର ମଧ୍ୟରୁ ଯେ ଏକାଧିକ ଅକ୍‌ଟୋପାଶ ଆବିଷ୍କୃତ ହେବ—ଏହା ବୋଧହୁଏ ମନୋଜ ମଥା ଫଟାଇ ଘରକୁ ନ ଆସିଥିଲେ ଆଉ ପ୍ରକାଶ ପାଉ ନ ଥିଲା ।

 

ପୁଷ୍ପା ପୁଣି ପଚାରିଲା—କେତେ ଟଙ୍କା ତୁମ ପାଖରୁ ବାବୁ ଧାର ଆଣିଛନ୍ତି ?

 

ଚାଳିଶ ରୂପେୟା । ଲେକିନ୍ ଖାତାମେ ହ୍ୟାୟ ଷାଠ୍ । ଓଇ ଷାଠେ ରୂପେୟା ବାବୁକୁ ଦେନେ ପଡେଗା ।

 

—ତାଆ ତ ବୁଝୁଛି । କିନ୍ତୁ ଚାଳିଶ ଟଙ୍କା ନେଇ ବାବୁ ତୁମକୁ ଷାଠିଏ ଟଙ୍କା ଦେବେ କାହିଁକି ?

 

—ଓ ଦେନେ ପଡେଗା । ନେହିଁ ତ ହାମ୍ କୋର୍ଟମେ ଯାୟେଗା ।

 

—ସତେ !

 

ରାଗରେ ଆଉ କଥା କହି ପାରିଲାନି ପୁଷ୍ପା । ତାର ମୁହଁ ରାଗରେ ରଙ୍ଗା ପଡ଼ିଗଲା, କିନ୍ତୁ ଉପାୟ କଣ ? ଇଏ ତ ଯେ ସେ ନୁହେଁ—ସାକ୍ଷାତ କାବୁଲୀବାଲା । କେତେ ହଜାର ମାଇଲ ଦୂରରୁ ଆସିଛନ୍ତି ଅପ୍ରତିଦ୍ୱନ୍ଦୀ ବ୍ୟବସାୟ ଚଳାଇବାକୁ ।

 

—ବାବୁ କେବେ ତୁମେ ପାଖରୁ ଧାର ଆଣିଥିଲେ ?

 

—ଗିୟା ମହିନାକା ସତରେ ତାରିଖ୍‌ମେ ।

 

ସତର ତାରିଖ ଥିଲା ଶନିବାର । ପୁଷ୍ପାର ଠିକ୍ ମନେଅଛି, ତା’ ପରଦିନ ମି. ମହାପାତ୍ର ଆସିଥିଲେ ନିମନ୍ତ୍ରଣ ରକ୍ଷା କରିବାକୁ । ଆଉ ଏହି ନିମନ୍ତ୍ରଣର ବ୍ୟୟଭାର ଅବଶିଷ୍ଟ ମାସର ଖରଚ ଯୋଗାଇଛି ଏହି କାବୁଲୀବାଲା ।

 

ସେଦିନର ପାଇଁ କାବୁଲୀବାଲାକୁ ଫେରାଇଲା ସତ, କିନ୍ତୁ ଘରକୁ ଆସି ଅସୁସ୍ଥ ସ୍ୱାମୀ ପାଖରେ ବସି ସେ ଆଉ ଅଶ୍ରୁ ସମ୍ବରଣ କରି ପାରିଲା ନାହିଁ...

☆☆☆

 

ପରଦିନ ସକାଳ :

 

ମଣିଷ ଯେତେବେଳେ ପ୍ରବଳ ଆବର୍ତ୍ତନରେ ଡୁବି ଯାଉଥାଏ, ସାମାନ୍ୟ ତୃଣ ଖଣ୍ଡଟି ବି ତାକୁ ଜଣାଯାଏ ବିରାଟ ଆଶ୍ରୟ । ଭାସି ଆସୁଥିବା କାଠଖଣ୍ଡିକ ମନେହୁଏ ତାର ସର୍ବଶ୍ରେଷ୍ଠ ଅବଲମ୍ବନ । କିନ୍ତୁ ଏ କ୍ଷେତ୍ରରେ ତୁଚ୍ଛାତିତୁଚ୍ଛ ଗୋଟାଏ ଆକର୍ଷଣର ବି ଆୟୋଜନ ଦେଖିଲାନି ପୁଷ୍ପା ।

 

ତେବେ କଣ ତିଳ ତିଳ କରି ମୃତ୍ୟୁ ଉଲଗ୍ନ ରୂପ ଦେଖି ମରିବ ସେ ? ଏଇଆ କଣ ଭଗବାନଙ୍କ ଇଚ୍ଛା ? ସାରା ରାତି ଧରି ସେ ମାନିସୀ କରିଛି ଠାକୁରଦେବତାଙ୍କୁ । ହିନ୍ଦୁର ଠାକୁର ଦେବତା କଣ ଆଉ ଜାଗ୍ରତ ନାହାନ୍ତି ? କିଏ ଜାଣେ....କିନ୍ତୁ ଜାଗ୍ରତ ହୁଏତ ଥିଲେ । ସେଥିପାଇଁ ପୁଷ୍ପାର ସକଳ କାନ୍ଦଣା ସଫଳ କରିବାକୁ ଆସି ଠିଆହେଲା ଜଣେ ।

 

ମିଃ ମହାପାତ୍ର !

 

ପୁଷ୍ପା ଯେ ତାଙ୍କୁ କେଉଁଠି ବସାଇବ, କେଉଁଠି ଠିଆ କରାଇବ ଭାବିବାରେ ବ୍ୟସ୍ତ । ଆଜି ତ ଆଉ ପର ଘରୁ ଧାର କରି ଚେୟାର ଅଣା ହୋଇନି....ତାଙ୍କୁ କହିବ—ବସନ୍ତୁ ଏଇଥିରେ । ସପ ଆଉ ସତରଞ୍ଜି । ଅର୍ଥାତ୍ ଦାରିଦ୍ର୍ୟର ନଗ୍ନ ରୂପକୁ ବିକଟ କରି ତୋଳି ଧରା ହୋଇଛି ସୂର୍ଯ୍ୟ ଆଲୋକରେ ।

 

ମିଃ ମହାପାତ୍ର ଉଦାରଚେତା । ସେଥିପାଇଁ ସେ ଏ ଆଡ଼କୁ ଭୃକ୍ଷେପ ନ କରି କହିଲେ–

 

—ବସିବାର ଦିନ ଅନେକ ଅଛି । କ’ଣ ହୋଇଛି ଆଗେ କହନ୍ତୁ ପୁଷ୍ପାଦେବୀ ! ହଠାତ୍ ରାତିରେ ଗୋଟିଏ ଦୁଃସ୍ୱପ୍ନ ଦେଖିଲି ! ମନେହେଲା ମନୋଜ ବାବୁଙ୍କୁ ଯେମିତି କିଏ ଆସି ଦେଇଛି-। ସକାଳେ ସେ କଥା ମନେ ପଡ଼ିବାରୁ ଭାବିଲି—ସତେ ତ ! ମନୋଜ ବାବୁଙ୍କୁ ତ କାଲି ଅଫିସରେ ଦେଖିନି । ସେଇଥି ପାଇଁ ସିଧା ଚାଲି ଆସିଲି ଆପଣଙ୍କ ପାଖକୁ । ଆସି କିଛି ଅନ୍ୟାୟ କରି ନାହିଁତ-?

—କଣ କହୁଛନ୍ତି ମିଃ ମହାପାତ୍ର ! ଆପଣ ଦେବତା । ତେଣୁ ଦେବତା ଆପଣଙ୍କୁ ପଠାଇ ଦେଇଛନ୍ତି । ଯେମିତି ହେଉ ଆମକୁ ଆଜି ବଞ୍ଚାନ୍ତୁ ।

—ବଞ୍ଚାଇବାର ମାଲିକ ମୁଁ ନୁହେଁ, ଭଗବାନ । ତେବେ ମୋ ଦ୍ୱାରା ଯେତିକି ବ୍ୟବସ୍ଥା ହେବା ସମ୍ଭବ—ତାର ତ୍ରୁଟି ହେବନି । ଏଇନେ କହିଲେ ଦେଖି, ଘଟଣା କ’ଣ ହୋଇଛି ?

ପୁଷ୍ପା ତାର ସ୍ୱାମୀ ଆଡ଼କୁ ଅନାଇ କହିଲା—

—ୟାଙ୍କୁ ଶହେ ତିନି ଜର । ନ ହେଲେ ୟେ ବି ଭଲଭାବରେ କହି ପାରି ଥା’ନ୍ତେ ।

—ନା ନା, ୟାଙ୍କୁ କଷ୍ଟ ଦେଇ ଲାଭ ନାହିଁ । ୟାଙ୍କୁ କଷ୍ଟ ଦେବାକୁ ମୁଁ କହୁନି ।

ମିଃ ମହାପାତ୍ର ବିଚଳିତ ହୋଇ ପଡ଼ିଲେ..... ।

—ଯାହା କିଛି କଥା—ଆପଣଙ୍କ ମୁଖରୁ ଶୁଣି ପାରିଲେ ବିଶେଷ ଭାବରେ ଶାନ୍ତି ପାଇବି । ଏ କ୍ଷେତ୍ରରେ ଭାବନ୍ତୁ ନାହିଁ, ମୁଁ ଜଣେ ଉଚ୍ଚପାହ୍ୟା ସେକ୍ରେଟାରୀ, ଆଉ ଆପଣ ସାମାନ୍ୟ ଜଣେ କିରାନୀର ସ୍ତ୍ରୀ ! ଏଟା ହେଉଛି ରଙ୍ଗମଞ୍ଚ—ବୁଝିଲେ ? ଆମେ ସମସ୍ତେ ଗୋଟିଏ ପାର୍ଟରେ ଅବତୀର୍ଣ୍ଣ ହୋଇଅଛୁ ମାତ୍ର । କହିବାକୁ ଗଲେ ମନୋଜ ବାବୁ ଯାହା—ମୁଁ ବି ସେଇଆ ।

 

ପୁଷ୍ପା କ’ଣ ବୁଝିଲା କିଏ ଜାଣେ । ତଥାପି କହିଲା—ଆପଣଙ୍କୁ ବସାଇ ପାରିଥିଲେ ସୁବିଧା ହୋଇଥାନ୍ତା..... ।

 

ଚଟ୍ କରି ମିଃ ମହାପାତ୍ର ଭଙ୍ଗା ଟୁଲଟା ଟାଣି ଆଣିଲେ ଘର କୋଣରୁ । ଏଇ ଟୁଲଟା ହିଁ ଥିଲା ଏ ଘରର ସାହେବିପଣିଆ ବଜାୟ ରଖିବାର ଏକମାତ୍ର ରକ୍ଷା—କବଚ । ସେଇଥିରେ ସେ ବସିବାକୁ ଯାଇ ଏକ ପାଖିଆ କି ଟଳି ପଡ଼ିଲେ ।

 

ଅନ୍ୟ ସମୟ ହୁଏତ ଏହି ଦୃଶ୍ୟ ଦେଖି ପୁଷ୍ପା ଖିଲ୍ ଖିଲ୍ ହୋଇ ହସି ଉଠିଥାନ୍ତା । ଏହିକ୍ଷଣି ସେ ହସିଲା ନାହିଁ । ମିଃ ମହାପାତ୍ର ଏଇ ଦୁର୍ଦ୍ଦିନରେ ତାର ବଡ଼ ହିତୈଷୀ । ଦୂରବଗାହ ସମୁଦ୍ରରେ ଦ୍ୱୀପବିନ୍ଦୁ । ତାଙ୍କୁ ଦେଖି କ’ଣ ପୁଷ୍ପା ହସି ପାରେ ?

 

ଏଠାରେ ବି ବସିବାର ସୁବିଧା ହେଲାନି ମିଃ ମହାପାତ୍ରଙ୍କର । ସେ ଘରଭିତରୁ ବାହାରି ଯାଇ ବସିଲେ ରାନ୍ଧଣା ଘରର ପିଣ୍ଡା ଉପରେ ।

 

—ଏ କ’ଣ ! ଏଠାରେ ବସିଲେ କାହିଁକି ?

 

ଲଜ୍ଜିତା ପୁଷ୍ପା ଆଉ ଯେମିତି କଥା କହି ପାରିଲାନି ।

 

ମିଃ ମହାପାତ୍ର କହିଲେ—

 

—ରୋଗୀ ରହିଥିବା ଘରେ ବେଶି କଥାବାର୍ତ୍ତା କରିବା ଭାରି ଖରାପ, ଅତି ଅନ୍ୟାୟ । ସେଥିରେ ରୋଗୀର ସ୍ୱାସ୍ଥ୍ୟର କ୍ଷତି ଘଟିପାରେ । କୌଣସି ଡାକ୍ତର ତା ବରଦାସ୍ତ କରିବ ନାହିଁ ।

 

—ଆପଣଙ୍କ ପାଇଁ କଣ ଟିକିଏ ଚା କରି ଆଣିବି ?

 

—ପାଗଳ ହୋଇଛନ୍ତି ଆପଣ ? ଆପଣଙ୍କ ସ୍ୱାମୀଙ୍କ ଦେହ ଅସୁସ୍ଥ, ଆଉ ଆପଣ ଯାଉଛନ୍ତି କ’ଣ ନା ଚା’ ଖୋଇବାକୁ ? କାହିଁକି ଚା’ କଣ ମୁଁ ଖାଇ ଆସିନି ?

 

କଥାଟାରେ ଅପ୍ରତିଭ ହୋଇ ଉଠିଲା ପୁଷ୍ପା ।

 

—କି ? ମନରେ ଦୁଃଖ କଲେ ନା କଣ ? ନା ନା, ଦୁଃଖ ଦେବା ପାଇଁ ମୁଁ କହିନି । ଖାଲି ଚା’ କାହିଁକି, ଅନ୍ୟ ସମୟରେ ଆସି ପଖାଳ ବି ଖାଇଯିବି । କିନ୍ତୁ ବୁଝି ପାରୁଛନ୍ତି ତ ମୋର ସମୟ କେତେ ଅଳ୍ପ ! ଏହି କ୍ଷଣି ପୁଣି ଅଫିସକୁ ଫେରି ଯିବାକୁ ହେବ । ଜଲ୍‌ଦି କହିପକାନ୍ତୁ ଆପଣଙ୍କର ସବୁ କଥା ଗୁଡ଼ିକ ।

 

ପୁଷ୍ପା ଯାହା ଜାଣିଥିଲା, ମନୋଜ ମୁହଁରୁ ଶୁଣିଥିଲା, ସବୁ କହିଗଲା ମିଃ ମହାପାତ୍ରଙ୍କ ପାଖରେ । ଆଉ ମହାପାତ୍ର ଶୁଣି ଯେମିତି ତାଜ୍‌ବ ବନିଗଲେ । ଚକ୍ଷୁ ଦୁଇଟା ଉଠିଗଲା ତାଙ୍କର କପାଳକୁ ।

 

—ଆଶ୍ଚର୍ଯ୍ୟ ! କି ଅରାଜକ ହୋଇ ଉଠିଛି କୁହନ୍ତୁ ଦେଖି ସହରଟା । ଏକଥା ଭାବିଲାବେଳକୁ ଭୟ ଲାଗେ । ଏଠାରେ କ’ଣ ମଣିଷ ବାସ କରି ପାରନ୍ତି ?

 

ତା’ପରେ ସେ ଗୋଟିଏ ପ୍ରକାଣ୍ଡ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ—

 

—ଛାଡ଼, ଯା ହେବାର ତ ହୋଇ ଗଲାଣି । ଭାବି ଆଉ ଲାଭ ନାହିଁ । ମୁଁ ବର୍ତ୍ତମାନ ଯାଉଛି....ଫେର ସନ୍ଧ୍ୟା ବେଳକୁ ଆସିବି।

 

ଆଉ ଶୁଣନ୍ତୁ.....ପ୍ରାୟ ଏଗାରଟା ବେଳକୁ ଜଣେ ସାହେବ ଡାକ୍ତର ଆସିବେ । ସେ ଯାହା କହିବେ, ସେହିଭଳି କାର୍ଯ୍ୟ କରିବେ । ଗୋଟିଏ ଦରୁଓ୍ୱାନକୁ ବି ମୁଁ ପଠାଇବି । ଯାହା ଦରକାର ତାକୁ କହିବେ । ସଙ୍ଗେ ସଙ୍ଗେ ସେ କିଣିଆଣି ଦେବ । ୟା ପାଇଁ ଟଙ୍କା ପଇସା ଆପଣଙ୍କୁ ଦେବାକୁ ହେବନି । ମୁଁ ଆସି ବ୍ୟବସ୍ଥା କରିବି ।

 

ମିଃ ମହାପାତ୍ର ଯେପରି ତୀର ବେଗରେ ରାସ୍ତାରେ ମିଶିଗଲେ ।

 

ପଇସା ଆଉ ପ୍ରକୃତ ଚିକିତ୍ସା ହେଲେ ବେମାର ଛାଡ଼ିବାକୁ କେଇଦିନ ? ଖୁବ୍ ସତ୍ୱର ଆରୋଗ୍ୟ ଲାଭ କଲା ମନୋଜ । ଆଉ ଅଫିସ ଯିବାପାଇଁ ପ୍ରସ୍ତୁତ ହେଲା । କିନ୍ତୁ ମନୋଜର ଯେତେବେଳେ ଅଫିସକୁ ଯିବାଭଳି ଅବସ୍ଥା ଆସିଲା ମି. ମହାପାତ୍ରଙ୍କର ହେଲା ସେଇବେଳେ ଅଫିସରୁ ପଳାଇବାର ଅବସ୍ଥା-। ଆଉ ପଳାଇ କେଉଁଠିକି ବା ସେ ଯିବେ ? ମୋଲ୍ଲାର ଦୌଡ଼ ମସଜିଦ୍ ପର୍ଯ୍ୟନ୍ତ-

 

ହଠାତ୍ କେଉଁଠି କିଛି ନାହିଁ, ଜ୍ୟେଷ୍ଠ ଦିପହରିଆ ଝାଁ ଝାଁ ମୁଣ୍ଡଫଟା ଖରା, ପୁଷ୍ପା ବିଛଣା ଉପରେ ଚେଇଁ ଶୋଇ କ’ଣ ଖଣ୍ଡିଏ ବହି ପଢ଼ୁଛି । ମିଃ ମହାପାତ୍ର ଆସି ହାଜର ।

 

—ଏ କ’ଣ ଆପଣ ଅଫିସ୍‌ ଯାଇ ନାହାନ୍ତି । ପୁଷ୍ପା ଅପ୍ରସ୍ତୁତ ଅବସ୍ଥାରେ ଉଠିପଡ଼ି କହିଲା ।

 

ମି: ମହାପାତ୍ର ଲୋଭିଲା ଆଖିରେ ଅନାଇ ହୋ ହୋ ହୋଇ ହସି ଉଠିଲେ । ତା ପରେ ହସ କମାଇ କହିଲେ ।

 

—ଅଫିସରୁ ତ ଆସୁଛି ନୂଆବୋଉ !

 

—ନୂଆବୋଉ ! ନୂଆବୋଉ କିଏ ? ପୁଷ୍ପା ହସି ହସି ଫାଟି ପଡ଼ିଲା । ମୁଁ ଆପଣଙ୍କର ନୂଆବୋଉ ହେବାକୁ ଗଲି କେଉଁ ଦୁଃଖରେ ? ବୟସରେ କଣ ମୋ ସ୍ୱାମୀ ଏତେ ବେଶି ଯେ, ମୁଁ ଆପଣଙ୍କ ନୂଆବୋଉ ହେବାର ଉପଯୁକ୍ତ ? ତା ଅପେକ୍ଷା କହୁ ନାହାନ୍ତି–ଭାଇବୋଉ ।

 

ଭାଇବୋଉ । ମିଃ ମହାପାତ୍ର ଦାନ୍ତ କଡ଼ରେ ଚାପି ଧରିଲେ ତାଙ୍କର ଜ୍ୱଳନ୍ତ ପାଇପ୍‌ଟା । ଆଖିରୁ ଖୋଲି ପକାଇଲେ ମୋଟା ସେଲୁୟଡ଼ ଫ୍ରେମର କଳା ଗଗଲସ୍‌, ତା ପରେ କହିଲେ—

 

ନା ନା, ଭାଇବୋଉ ନୁହେଁ, ତୁମେ ମୋର ନୂଆବୋଉ । ସୁନ୍ଦରୀ ଶ୍ରୀମତୀମାନଙ୍କୁ ମୁଁ ଚିରଦିନ ନୂଆବୋଉ କରି ରଖିବାକୁ ଚାହେଁ । ନାରୀର ଅସଲ ରୂପ ହେଉଛି ନୂଆବୋଉ । ମୁଁ ହେଉଛି ଚିରନ୍ତନ ପୁରୁଷ....ତୁମେ ହେଉଛ ଚିରନ୍ତନୀ ନାରୀ । ସେହି ନିରନ୍ତନୀ ନାରୀ କତ ଭାଇବୋଉ ହୋଇପାରେ ? ନା ନା, ସେ ଚିରଦିନର ନୂଆବୋଉ । ଆଉ ସେହି ନୂଆବୋଉଟିର ଭୁବନଭୁଳା ରୂପ ମୋତେ ପାଗଳ କରିଛି ବୋଲି ଆଜି ଏହି ମୁଣ୍ଡଫଟା ଦୂରନ୍ତ ଖରାବେଳେ ଛୁଟି ଆସିଛି ଏଠାକୁ । ଯିବାକୁ ହେବ–ମୋତେ ଏହି ଅଳ୍ପ ସମୟ ଭିତରେ ଫେରିଯିବାକୁ ହେବ ।

 

ପାଗଳର ପ୍ରଳାପ ବେଳେ ବେଳେ ବନ୍ଦ ହୁଏ, ଯମେଶ ମହାପାତ୍ରର ବତ୍କୃତା ଥରେ ଆରମ୍ଭ ହେଲେ ତାର ଆଉ ସମାପ୍ତି ନାହିଁ । ଚାଲିଛି ତ ଚାଲିଛି ଯେମିତି ମାଲଗାଡ଼ି ।

 

—ମିଃ ମହାପାତ୍ର କହିଲେ—ନୂଆବୋଉ ! ପ୍ରେମ କବିତା ପଢ଼ିଛନ୍ତି ପଢ଼ନ୍ତୁ ବା ନ ପଢ଼ନ୍ତୁ ଶୁଣିବାକୁ ତ ଆପତ୍ତି ନାହିଁ ? ଦି’ ପହରେ ଶୋଇବା ଅପେକ୍ଷା ଗୋଟିଏ ପ୍ରେମ କବିତା ଶୁଣିବା ଭଲ । ଶୁଣନ୍ତୁ ....

 

‘‘ତୁମକୁ ମୁଁ ଭଲପାଏଁ ଅତି ଭଲପାଏଁ ଗୋ....

ବୁଝନା ମୋ ମନ କଥା କବିତାରେ ଗାଏଁ ଗୋ ।୦।

ଅଜାଣତେ ଆଖି କୋଣୁ ଝରିପଡ଼େ ଲୁହ

ତୁମେ କି ପାଅନା ଭଲ କୁହ ମୋତେ କୁହ

କେଳାର ନାଗୁଣୀ ପରି ଶୁଏ କଳା ରଜନୀ

ମନ ଓରମାନ ମୋର କବିତାରେ ମରେନି

ଆଖିର ଶୋଷ ପାଇଁ ମୁଁ ଯୁଗ ଯୁଗ ଚାହେଁ ଗୋ ।୧।

ଆକାଶରୁ ଖସିପଢ଼େ ଥୋଳା କାକର

ମନହଂସୀପୁରେ ବସେ ମିଳନର ଚାସର

ଘାସ ଗାଲିଚାରେ ଶୋଇ ପାହିଯାଏ ଗୋ ରାତି

ସାତଫଣା ପରି ଝୁଲେ ଧାନ ପେନ୍ଥି ପେନ୍ଥି

କୁହୁଡିର ଲହଡ଼ିର ନିଶି ଭାସି ଯାଏ ଗୋ ।୨।

କମଳା ଲେମ୍ବୁର ଖରା ହସି ଉଠେ ସକାଳେ

ହଳଦିଆ ଫୁଲ ହସେ ସୁନାରି ଗଛମୂଳେ

ମେଘ ବଳୟ ଭିତରେ ଜହ୍ନ ଯାଏ ମରି

ଝରିପଡ଼େ ସକାଳର ସରୁ ସରୁ ଜରି

ଖଳା ବାଡ଼ି ସେପାରିରେ ମେଘ ଝରୁଥାଏ ଗୋ ।୩।

 

ପୁଷ୍ପାର ପାଦ ଠାରୁ ମଥାଯାଏ ଅସ୍ୱସ୍ତିର ଝାଳ କଣ୍ଟି ଉଠିଲା । ଅନ୍ୟ ଲୋକ ହୋଇଥିଲେ ୟାର ପ୍ରତିକାର ସହଜରେ କରି ହୋଇଥାନ୍ତା । କିନ୍ତୁ ୟାଙ୍କ ବେଳକୁ ବାଧିଲା ଟିକିଏ । କେଉଁଠୁ ଯେପରି ଦୁର୍ଲଂଘ୍ୟ ପର୍ବତ ପ୍ରାୟ ଦୁର୍ବଳତାର ମେଘ ଘୋଟି ଆସିଲା । ଯେତେ ହେଲେ ବି, ମଣିଷଟା ଉଚ୍ଚ ଶିକ୍ଷିତ । ୟାଙ୍କରି ଦୟାରୁ ମନୋଜ ବଞ୍ଚି ଉଠିଛି ଅତି ଆଶ୍ଚର୍ଯ୍ୟ ଉପାୟରେ । ତେଣୁ ତାଙ୍କୁ କିଛି କହିବାକୁ ଚରମ ଧୃଷ୍ଟତା ! କିନ୍ତୁ କେତେ ସମୟ, କେତେ ଦିନ ଏଇପରି ଭାବରେ ବ୍ୟତିବ୍ୟସ୍ତ କରିବେ ? ଆଉ ବାହାର ଲୋକ ଏ ସବୁ ଦେଖିଲେ କ’ଣ ଭାବିବେ ? ସେଟା ତ ମିଃ ମହାପାତ୍ରଙ୍କର ବୁଝିବା ରଚିତ ।

 

ପୁଷ୍ପା କହିଲା—

 

—ଯେତେ ଶୀଘ୍ର ପାରନ୍ତି ଆପଣଙ୍କର ବିବାହ କରିବା ଉଚିତ ଯମେଶ ବାବୁ !

 

—ଅଲ୍‌ ରାଇଟ୍ ? ତା’ହେଲେ ଏହି ମୁହୂର୍ତ୍ତରେ ତୁମର ଟିକିଏ ଚା’ କରିବା ଉଚିତ ନୂଆବୋଉ ଏଇ ଅତିଥି ପାଇ । ଭାରି ଶୋଷ ଲାଗୁଛି.... ।

 

–ଏ ଶୋଷ ଚା’ର, ନା ଅନ୍ୟ କିଛିର ଯମେଶ ବୁବା ?

 

—ଅନ୍ୟ କିଛିର ହେବା ବି ଅସମ୍ଭବ ନୁହେଁ । ଦି’ପହର ରାତିରେ ଘୁମନ୍ତ ଅବସ୍ଥାରେ ମଣିଷକୁ ଯେତେବେଳେ ସର୍ପ ଦଂଶନ କରେ ସେଇବେଳେ ସେ ବୁଝି ପାରେନା ଜ୍ୱଳାଟା ସାପ କାମୁଡ଼ାର କି ଅନ୍ୟ କିଛିର । ପରେ କିନ୍ତୁ ତାକୁ ଆଉ କହି ଦେବାକୁ ପଡ଼େନା । ମୋର ବି ହୋଇଛି ସେଇ ଅବସ୍ଥା । ଶୋଷଟା ଚା’ର କି ରୂପର—ବର୍ତ୍ତମାନ ବୁଝିବା ମୁସ୍କିଲ ।

 

—ଚା’ର ଯଦି ହୋଇଥାଏ, ଆପଣଙ୍କୁ ଟିକିଏ ଅପେକ୍ଷା କରିବାକୁ ହେବ ଯମେଶ ବାବୁ-

 

—କାହିଁକି ?

 

ଆମର ଷ୍ଟୋଭ୍ ନାହିଁ । ଗୋଟିଏ ଛୋଟିଆ ଆଞ୍ଚ ଅଛି । କାଠ କୋଇଲା ଧରାଇ ଚା’ କରିଦେଇ ପାରେ ।

 

—ଏତେ ଡେରି ? ୟାଠାରୁ ତ ଗୋଟାଏ ଷ୍ଟୋଭ୍ ସାଙ୍ଗରେ ଧରି ଆସିବା ମୋର ଉଚିତ ଥିଲା ! ବେଶ୍, କାଲି ଗୋଟାଏ ଷ୍ଟୋଭ୍ ପଠାଇ ଦେବି ।

 

—ନା ନା, ଦୁହାଇ ଆପଣଙ୍କୁ । ଆଉ କିଛି ଆମମାନଙ୍କୁ ଦେବା ଦରକାର ନାହିଁ ।

 

—ଏତେ ଅଳ୍ପକେ ଆପଣ ବିଚଳିତ ହୋଇ ପଡ଼ୁଛନ୍ତି ନୂଆବୋଉ ! ମୁଁ କଣ କିଛି ଅନ୍ୟାୟ କରିଛି ?

 

—ନା ନା, ଅନ୍ୟାୟ କରିବା ଭଳି ଅବୋଧ ଲୋକ କ’ଣ ଆପଣ ? ମୁଁ ଖାଲି ଭାବୁଛି ବୟ—ବାବୁର୍ଚ୍ଚିର ତିଆରି କଡ଼ା ଚା’ ଛାଡ଼ି ଗରିବ ଘରର ଚା’ କଣ ଆପଣଙ୍କୁ ଭଲ ଲାଗିବ ?

 

—ଏଟା ତ ଆଗରୁ ଭାବିବା ଉଚିତ ଥିଲା ନୂଆବୋଉ ! ମନୋଜ ବାବୁ ଅସୁସ୍ଥ ସମୟରେ ଯେଉଁଦିନ ସକାଳେ ଆସିଥିଲି, ଆପଣ କହିଥିଲେ–ଟିକିଏ ଚା’ କରି ଆଣିବି ?

 

ପୁଷ୍ପା ମୁହଁରେ ଯେମିତି ଏସିଡ୍‍ ଛାଡ଼ି ଦେଲେ ମିଃ ମହାପାତ୍ର । ପୁଷ୍ପା କିଛି ଉତ୍ତର ଦେଇ ପାରିଲାନି । ଖାଲି କହିଲା—

 

—ବସନ୍ତୁ, ଚା’ ଆଣୁଛି ।

 

ଅନେକ କଷ୍ଟ କରି ଯଦି ବା ସେ ଆଞ୍ଚ ଧରାଇ ଚା’ କରି ଆଣିଲା—ଆସି ଦେଖେ ତ ମିଃ ମହାପାତ୍ର ନାହାନ୍ତି ।

 

ମିଃ ମହାପାତ୍ର ତା ଆଗରୁ କେଉଁବେଳେ କେଉଁ ଫାଙ୍କରେ ଫାଙ୍କି ଦେଇ ଚାଲି ଯାଇଥିଲେ । ଇମିତି କେତେଦିନ ଚାଲିଗଲା । ମି: ମହାପାତ୍ର ଆଉ ଆସିଲେ ନାହିଁ । ପ୍ରଥମେ ପ୍ରଥମେ ପୁଷ୍ପା ଭାବୁଥିଲା ତାଙ୍କର ନ ଆସିବାଟା ଭଲ । ନ ଆସିଲେ ସେ ରକ୍ଷା ପାଇଯାନ୍ତା । କିନ୍ତୁ ପୁଣି ଗୋଟାଏ ଅସ୍ୱସ୍ତି ବି ଦେଖାଦେଲା ତା ମନରେ । ଲୋକଟା ଯଦି ରାଗ କରି ଘରୁ ବାହାରି ଯାଇଥାଏ, ସେଟାତ ଭଲକଥା ନୁହେଁ । ଅନ୍ୟ ଲୋକର ରାଗ, ୟାଙ୍କ ରାଗର ଟିକିଏ ତଫାତ୍ ଅଛି ନିଶ୍ଚୟ । ଏହି ବଜାରରେ ଯଦି ତାଙ୍କର ଚାକିରି ଖଣ୍ଡିକ ଖାଇ ଦିଅନ୍ତି ! ତେଣୁ ଟିକିଏ ଦ୍ୱିଧା ଓ କୁଣ୍ଠା ଭାବରେ ପୁଷ୍ପା ଘଟଣାଟାକୁ ଉଲ୍ଲେଖ କରି ବସିଲା ତାର ସ୍ୱାମୀ ପାଖରେ ।

 

ମନୋଜ ପୁଷ୍ପାଠାରୁ ଶୁଣି କଣ ଟିକିଏ ଚିନ୍ତା କରି କହିଲା—

 

—ଆଚ୍ଛା, ମୁଁ ଯାଇ ଆଜି ପଚାରିବି । ସତେତ, ରାଗକରି ଚାଲିଯିବାଟା କିଛି ଭଲ କଥା ହେଲା ନାହିଁ ।

 

ମନୋଜ ଅଫିସକୁ ଯାଇ ପଚାରିଲା କି ନା ସେ ଜାଣେ । କିନ୍ତୁ ପୁଣି ସେହି ଦି’ପହର ସମୟରେ ଆଗମନ ଘଟିଲା ମିଃ ମହାପାତ୍ରଙ୍କର । ଆଉ ମହାପାତ୍ର ବି [ସାଙ୍ଗରେ ଆଣିଛନ୍ତି ଖଣ୍ଡିଏ ମୂଲ୍ୟବାନ ସିଲ୍‌କ ଶାଢ଼ି ।

 

ମନୋଜ ଅଫିସକୁ ଯାଇ ପଚାରିଲା କି ନା ସେ ଜାଣେ । କିନ୍ତୁ ପୁଣି ସେହି ଦି’ପହର ସମୟରେ ଆଗମନ ଘଟିଲା ମିଃ ମହାପାତ୍ରଙ୍କର । ଆଉ ମହାପାତ୍ର ବି [ସାଙ୍ଗରେ ଆଣିଛନ୍ତି ଖଣ୍ଡିଏ ମୂଲ୍ୟବାନ ସିଲ୍‌କ ଶାଢ଼ି । ପୁଷ୍ପା ମିଃ ମହାପାତ୍ରକୁ ଦେଖି କହି ଉଠିଲା—

 

—ଆପଣ କୁଆଡ଼େ ରାଗ କରିଛନ୍ତି ମୋ ଉପରେ ?

 

—ଆଉ କାହାରି ଉପରେ ନୁହେଁ, ଖାଲି ଆପଣଙ୍କ ଉପରେ ? କାହିଁକି ନ କରିବି ଶୁଣେ-?

 

—କାହିଁକି କରିବେ ବା ଶୁଣେ ?

 

—ମୁଁ ଯା ଚାହେଁ, ତା କଣ ପାରିବି ?

 

—କଣ ଚାହାନ୍ତି ଆପଣ ?

 

—ମୁଁ କଣ ଚାହେଁ, ତାହା ବି ଆପଣଙ୍କୁ କହିବାକୁ ହେବ ନୂଆବୋଉ....

 

....ଦିନ ଚାଲିଯାଏ ମୁହିଁ ଆନମନେ

 

ତାରି ଆଶା—ପଥେ ଚାହେଁ ବାତାୟନେ

 

ଆଗୋ ପ୍ରାଣ ମନେ ମୁହିଁ ଯେ ତାହାର

 

ପରଶ ପାଇବା ପ୍ରୟାସୀ !

 

—ନୂଆବୋଉ ! ଏହାପରେ ଖୋଲି କହିବାକୁ ହେବ ?

 

ପୁଷ୍ପା କଥାର ଧାରା ବଦଳାଇ ଦେବା ପାଇଁ କହିଲା—

 

—ଏତେ କଷ୍ଟକରି ମୁଁ ଯା ସେଦିନ ଆପଣଙ୍କ ପାଇଁ ଚା’ କରି ଆଣିଲି, ଗଲେ ଯଦି ମତେ ଟିକିଏ କହିଦେଇ ଗଲେ ନାହିଁ ?

—ମୁଁ ସତରେ ଭାରି ଦୁଃଖିତ ନୂଆବୋଉ ! ଆଚ୍ଛା, ଆପଣଙ୍କର ଚା ଯଦି ନଷ୍ଟ କରିଥାଏ, ତେବେ ଆମର ତେଣିକି ଦିନେ ଚାଲନ୍ତୁ....ଚା’ ଖାଇବାକୁ ।

—କିଏ, ଆମେ ଦୁଇଜଣ ?

—ହଁ, ଆମେ ଦୁଇଜଣ ।

—ନା, ତା କେମିତି ହେବ ?

—ଖୁବ୍ ହେବ । ଏକ ରକମ ସମୟରେ ଦିନେ ଚାଲନ୍ତୁ ନା, ମନୋଜ ବାବୁ ଜାଣି ବି ପାରିବେନି ।

—ଆପଣ କଣ ମୋତେ ପରୀକ୍ଷା କରୁଛନ୍ତି ?

—ପରୀକ୍ଷା କରି ମୋର ଲାଭ ?

—ଯମେଶ ବାବୁ !

ପୁଷ୍ପାର କଣ୍ଠ ଯେମିତି ସର୍ପ ଗର୍ଜନର ଭଳି । ମିଃ ମହାପାତ୍ର ଆଗେଇ ଆସି ଟିକିଏ ଜୋରରେ କହିଲେ—

—ଏତେ ରାଗି ଉଠୁଛନ୍ତି କାହିଁକି ନୂଆବୋଉ ?

—ନିର୍ଜନ ଦିପହରଟାରେ ଇମିତି ଘରେ ପଶି ଗୋଟିଏ ପର ସ୍ତ୍ରୀକୁ ଅପମାନ କରିବାକୁ ଲଜ୍ଜା ଲାଗେନା ?

—ପର ସ୍ତ୍ରୀ ! ପର ସ୍ତ୍ରୀ କିଏ ? ମୁଁ ଦେଖୁଛି ଆଗରେ ମୋର ଯିଏ ଠିଆ ହୋଇଛନ୍ତି—ସେ ପୁଷ୍ପା ନୁହନ୍ତି, ଉର୍ବଶୀ । ତାକୁ କି ଆରାଧନା କରିବାକୁ ଆସିବାଟା ଅପମାନ ? ତାକୁ କି ଆରତି କରିବାକୁ ଯିବାଟା ଅନ୍ୟାୟ ?

ମିଃ ମହାପାତ୍ର ଆଉ କ୍ଷଣମାତ୍ର ଅପେକ୍ଷା ନ କରି ପୁଷ୍ପାର ଆହୁରି ନିକଟକୁ ଆଗେଇ ଆସିବାକୁ ଲାଗିଲେ । ଠିକ୍ ଏଇ ସମୟରେ ପଡ଼ୋଶୀ ଘରର ଝରକାଟା ଧଡ଼ କରି ବନ୍ଦ ହୋଇଗଲା ।

ଝରକା ବନ୍ଦର ବିକଟ ଶବ୍ଦଟା ଯେମିତି ମେଞ୍ଚାଏ କାଳି ଛାଟିଦେଲା ପୁଷ୍ପାର ନିର୍ମଳ ନିଷ୍କପଟ ମୁହଁ ଉପରକୁ ।

ମିଃ ମହାପାତ୍ର ଦପ୍‌ କରି ଠିଆ ହୋଇଗଲେ । ଠିଆ ହୋଇଗଲେ ଚିତ୍ରାର୍ପିତର ଭଳି । ଆଉ ଆଗେଇବାକୁ ସାହସ କଲେ ନାହିଁ—ଆଗେଇବା ବି ଦର୍କାର କଲା ନାହିଁ ତାଙ୍କର । ଖାଲି ହସି ଉଠିଲେ ଠୋ ଠୋ ହୋଇ ।

ହସ ବନ୍ଦ ହେବାରୁ କହିଲେ—ବାଃ, କି ମାରଭଲେସ୍‌ ପୋଜ୍ ଖଣ୍ଡିକ—ଚିରଦିନ ମୋର ମନେ ରହିବ । ନାରୀର ଏଇ ପୋଜ୍ ଦେଖିବାକୁ ମୋତେ ଯେ କେତେ ଭଲ ଲାଗେ । ନାରୀ ଚକ୍ଷୁରେ ଆଲୋକ ଦେଖିଛି—ଇମିତି ଅନଳ ଦେଖି ନ ଥିଲି । ତାପରେ ବଢ଼ାଇଦେଲେ ସେ ସେହି ଶାଢ଼ି ବାକ୍‌ସଟି, କହିଲେ—

—ନୂଆବୋଉ ! ଆପଣଙ୍କ ପାଇଁ ଏ ସିଲିକ ଶାଢ଼ିଟା ଆଣିଛି । ନେଲେ ଅନୁଗୃହୀତ ହେବି ।

—ମୋତେ ମାଫ୍ କରନ୍ତୁ ଯମେଶ ବାକୁ ।

ପୁଷ୍ପାର ଟଣା ଟଣା ଆଖି ଦୁଇଟି ଛଳ ଛଳ ହୋଇ ଉଠିଲା । କହିଲା ସେ—

—ଆଉ ଅପମାନ କରନ୍ତୁ ନାହିଁ । ଜନସମାଜରେ ମୋର ମୁହଁ ଦେଖାଇବା ଆପଣ ସବୁ ଦିନ ପାଇଁ ଆଜି ବନ୍ଦ କରିଦେଲେ ।

—ଜନସମାଜମାନେ, କେଉଁଟାକୁ ବୁଝାଇବାକୁ ଚାହାନ୍ତି ଆପଣ ? ଏହି ପଡ଼ୋଶୀ ଘରର ସାଜି ବୋହୂଟା ?

—ହଁ ଠିକ୍ ସେଇଆ । ପୁଷ୍ପା ଆଖିରୁ ଲୁହ ପୋଛୁ ପୋଛୁ କହିଲା—ୟା ସାଙ୍ଗରେ ଅନବରତ ମୋର ଦେଖା ହେବ । ୟା ସାଙ୍ଗରେ ମୋତେ ବସା ଉଠା କରିବାକୁ ହେବ । ସେଇବେଳେ ଅପମାନ ହାତରୁ ବଞ୍ଚେଇବାକୁ ଆପଣ ବି ପାଖରେ ଥିବେ ନାହିଁ । ଆଉ ଅପର କେହି ବି ଆସି ମୋତେ ରକ୍ଷା କରି ପାରିବେନି । ସେଇବେଳେ ମୁଁ କି ଜବାବ ଦେବି ?

—ଜବାବ ଦେବାକୁ ସତେ ଦରକାର କରିବ ନୂଆବୋଉ ?

ସେମିତି ଲୋଭିଲା ଆଖିରେ ଅନାଇଥିଲେ ମି. ମହାପାତ୍ର ପୁଷ୍ପା ଆଡ଼କୁ । ପୁଷ୍ପା କରୁଣ କଣ୍ଠରେ ଉତ୍ତର ଦେଲା ।

—ନିଶ୍ଚୟ !

—କିନ୍ତୁ ଯେଉଁଦିନ ଡାକ୍ତର ବିହୁନରେ ମନୋଜ ବାବୁ ମୃତ୍ୟୁଶଯ୍ୟାରେ, ତାଙ୍କୁ ବଞ୍ଚାଇବାକୁ ଅନ୍ୟ କିଛି ଉପାୟ ନ ଥିଲା ଆପଣଙ୍କର, ସେ ଦୁର୍ଦ୍ଦିନରେ ଆଗେଇ ଆସିଥିଲି ମୁଁ—ସେଇବେଳେ ତ କାହିଁ କିଛି ଜବାବ ଦେବାକୁ ହୋଇନି ଆଣେଙ୍କୁ ୟାଙ୍କ ପାଖରେ ?

ଯେମିତି ଗୋଟାଏ ଚାବୁକି ପାହାର ବସିଗଲା ପୁଷ୍ପା ମୁହଁରେ । ସ୍ଥିର ଅକମ୍ପିତ ଅବସ୍ଥାରେ ଠିଆହୋଇ ରହିଲା ପୁଷ୍ପା । ତଥାପି କଥାର ଜବାବ ଦେବାକୁ ହେବ । କଥାର ଯେତେବେଳେ ଯୁଦ୍ଧ ଲାଗିଛି, ସେ ଯୁଦ୍ଧରେ ହାର ମାନିଲେ ଚଳିବ ନାହିଁ । ପୁଷ୍ପା ସଂଯମପୂର୍ଣ୍ଣ ଭାଷାରେ କହିଲା—

—ତା’ର ସୁଯୋଗ ନେଇ କି ଆପଣ ମୋତେ ଏମିତିଭାବେ ସବୁ ସମୟରେ କ୍ଷତ ବିକ୍ଷତ କରିବାକୁ ଚାହାନ୍ତି ? ଆପଣଙ୍କର ମନର ଉଦାରତା ଏହାଠାରୁ ଆଉ ବେଶି ଦିଗନ୍ତର ସନ୍ଧାନ ପାଇବ ନାହିଁ ?

—ସେ ବିଚାରର ଦିନ ଏଇକ୍ଷଣି ଆସିନି । ସେ ବିଚାର କଲାଭଳି କ୍ଷମତା ଆପଣଙ୍କର ନାହିଁ ନୂଆବୋଉ ! ତା ଯଦି ଥାଆନ୍ତା ତେବେ ଭଗବାନ ଆପଣଙ୍କୁ ନାରୀ କରି ନ ଥାନ୍ତେ—ସୃଷ୍ଟି କରିଥାନ୍ତେ ପୁରୁଷ ପରି ।

ମିଃ ମହାପାତ୍ର ପକେଟରୁ ବାହାର କଲେ—ତାଙ୍କର ନାମ ଠିକଣା ଛାପା ହୋଇଥିବା ଖଣ୍ଡିଏ ଭିଜିଟିଂ କାର୍ଡ । ସେଇଟାକୁ ସେ ବଢ଼ାଇଦେଲେ ପୁଷ୍ପା ହାତକୁ । କହିଲେ—

—ମୁଁ ଜାଣେ, ଆପଣ ଆଜି ସମ୍ମତ ନ ହେଲେ ବି ଦିନେ ହେବେ । ଦିନେ ସ୍ୱଇଚ୍ଛାରେ ଯିବେ ମୋର ଏହି ବସାକୁ । ଆପଣଙ୍କୁ ଯିବାକୁ ହେବ । ମୁଁ ଆହ୍ୱାନ କରି ଯାଉଛି ଆପଣଙ୍କୁ । ସେଇଦିନର ପ୍ରୟୋଜନରେ ଏହି ଠିକଣାଟା ଲାଗିବ । ଯତ୍ନ କରି ରଖନ୍ତୁ—ଗୋପନରେ ମୁଖସ୍ଥ କରନ୍ତୁ । ଚା’ ପାଇଁ ଆଉ ଅଳି କରିବିନି ଆପଣଙ୍କୁ । କଲେ ବି ବୁଝୁଛି, ମୋତେ ଚା’ ଖୋଇଲା ଭଳି ମନର ଅବସ୍ଥା ଆପଣଙ୍କର ଆଉ ନାହିଁ । ମୁଁ ଯାଉଛି....।

ଯମେଶ ମହାପାତ୍ର ଯିବାପାଇଁ ଗୋଡ଼ ବଢ଼େଇ, ପୁଣି ଫେରି କହିଲେ—

—ଏହି ସିଲ୍‌କ ଶାଢ଼ିଟା ଆପଣଙ୍କ ପାଇଁ ଆଣିଥିଲି । ଏଇଟା ରଖିଗଲି ।

ପୁଷ୍ପା ବାଧା ଦେବାକୁ ଯାଉଥିଲା । ମିଃ ମହାପାତ୍ର କହିଲେ—

—ବାଧା ଦେଇ ଲାଭ ନାହିଁ । ଏଟା ଆପଣଙ୍କୁ ନେବାକୁ ହେବ । ସେଦିନ ଯଦି ଔଷଧପତ୍ର ଦେବାକୁ କୌଣସି ବାଧା ଦେଇ ନ ଥାନ୍ତି, ତେବେ ଏଟାକୁ ନେବାରେ କୌଣସି ଆପତ୍ତି ଉଠି ପାରେନା ।

ମହାପାତ୍ର ଦୁଷ୍ଟ ଝଡ଼ ଭଳି ବାହାରି ଗଲେ ଫେଲ୍ କ୍ୟାପ୍‌ଟା ମଥାରେ ଦେଇ । ପୁଷ୍ପା ବିସ୍ମୃୟାଭୂତ ହୋଇ ଛିଡ଼ା ହୋଇଥିଲା । ତାର ମନ ଭିତରେ ଯେ ସେଇବେଳେ କି ଝଡ଼ ତୋଫାନ ଛୁଟୁଥିଲା ସେଇ ଜାଣେ ।

ମନୋଜ ଆସିଲା ଟିକିଏ ଡେରି କରି । ରାତି ସେତେବେଳକୁ ଆଠଟା । ଆଜିକାଲି ମନୋଜର ନିଇତି ଡେରି ହୁଏ । ପଚାରିଲେ କହେ ‘‘ଅଫିସରୁ ବାହାରିବାକୁ ଡେରି ହେଲା ।’’

ପୁଷ୍ପା ଆଉ ଏଇକ୍ଷଣି କିଛି କହେନା । ମନୋଜ ସେଦିନ ଆସି ରାସ୍ତା ଉପରେ, ତାକୁ ଡାକିଲା ସେହି ପ୍ରତିବେଶୀ ବୋହୂଟିର ଦିଅର । କେତେ କଣ ସେ କହିଗଲା ମନୋଜର ପାଖରେ ତାର ଠିକ୍ ନାହିଁ । କେଇଟା କଥା ପୁଷ୍ପା କାନରେ ବି ବାଜିଲା–କେଇଟା ଶୁଭିଲାନି ।

ପୁଷ୍ପା ଭାବିଥିଲା, ମନୋଜ ଆସି ନିଶ୍ଚୟ ତାକୁ ମାରିବ, କିନ୍ତୁ ଆଶ୍ଚର୍ଯ୍ୟ । ନିତି ଦିନିଆ ଭଳି ଆସି ସାର୍ଟ ପେଣ୍ଟ ଖୋଲିଲା ମନୋଜ, ସେ ବିଷୟରେ ପଦେ କଥା ବି ପଚାରିଲାନି ।

ପୁଷ୍ପା ମନରେ କାଳବୈଶାଖୀର ଝଡ଼ । କୌଣସି ସ୍ୱାମୀ ତାର ସ୍ତ୍ରୀ ନାଁରେ ଏପରି ଅଭିଯୋଗ ଶୁଣି ସ୍ଥିର ହୋଇ ରହିପାରେ ? ତେବେ ୟାଙ୍କର କାହିଁକି ଏ ପରିବର୍ତ୍ତନ ?

ପୁଷ୍ପା ବହୁତ କିଛି ଭାବେ । କିନ୍ତୁ କୌଣସି କୂଳ କିନାରା ପାଏନା । ଶେଷକୁ ସ୍ଥିର କରେ ନିଜେ କଥାଟା ପକାଇବ । ଅନ୍ତତଃ ଆଉ କିଛି ନ ହେଲେ ବି ନିଜର ମନର ବୋଝଟା ଟିକିଏ ହାଲୁକା କରିବା ପାଇଁ ।

ତହିଁ ଆରଦିନ ସକାଳ । ପୁଷ୍ପର କଥାଟା ପକାଇବାକୁ ଯାଇ କହିଲା—

—ଦେଖୁଛ, ତୁମର ମିଃ ମହାପାତ୍ର ଶାଢ଼ିଟା ଆଣି ପକାଇ ଦେଇ ଯାଇଛନ୍ତି । କିନ୍ତୁ କାହିଁକି, ତୁମେ ଏଇଟା ଫେରେଇ ଦେଇ ପାରିବନି ?

—ମୋତେ ଆଉ ଦେଇନି ଯେ, ମୁଁ ଫେରେଇ ଦେବି ?

ଏତେ କରୁଣ...ଏତେ ମିଠାଳିଆ ଭାବରେ ମନୋଜ କଥାଟା କହିଲା ଯେ, ତା ଶୁଣି ପୁଷ୍ପା ରାଗି ଉଠିବାର କଥା । କିନ୍ତୁ ରାଗି ଉଠିବ ବା ସେ କା’ ଉପରେ ?

ପୁଣି ଆସିଲେ ଯମେଶ ମହାପାତ୍ର । ସେଦିନ ଆଉ ଦ୍ୱିପ୍ରହର ବେଳ ନୁହେଁ... ସନ୍ଧ୍ୟା ସମୟ । ଆସି କହିଲେ—

—ନୂଆବୋଉ ! ଚା’ କରନ୍ତୁ ।

ପୁଷ୍ପା କହିଲା—

ବସନ୍ତୁ ! ଚା’ କରୁଛି ।

ମିଃ ମହାପାତ୍ର କହିଲେ—ଆଜି ଆଉ କବିତା ଗାଇବି ନାହିଁ । ଆଜି ଖାଲି ଗଦ୍ୟ କାହାଣୀ । ଆଉ ଏପରି କିଛି ଅସଭ୍ୟତା ବି କରିବି ନାହିଁ, ଯେଉଁଥିରେ ଆପଣଙ୍କର ଜନ-ସମାଜରେ ମୁଖ ଦେଖାଇବା ବି ବନ୍ଦ ହେବ ।

—ହଠାତ୍ ଏତେ ଅନୁତାପ ଆସିଲା କେମିତି ଯମେଶ ବାବୁ ? ହସି ପୁଷ୍ପା ପଚାରିଲା ।

ମିଃ ମହାପାତ୍ର କହିଲେ—କହିବି ! ସବୁ ଗୋଟି ଗୋଟି କରି କହି ଦେବି ।

ଚା’ ଖାଇବା ଶେଷ ହେଲାରୁ ସେ ବାଗେଇ ବସିଲେ । କହିଲେ—ଭୟ ନାହିଁ ଆପଣଙ୍କର, ମନୋଜ ବାବୁ ଏଇକ୍ଷଣି ଆସିବେନି । ତାଙ୍କର ଆସିବା ଆଜି ଡେରି ହେବ ।

ସହସା କାହିଁକି କେଜାଣି କହି ଉଠିଲା ପୁଷ୍ପା—କାହିଁକି, ଆଜି ପୁଣି ତାଙ୍କ ମୁଣ୍ଡ ଫଟାଇ ଦେବ ନା କଣ ?

ଯେମିତି ଯୋକ ମୁହଁରେ ଲୁଣ ପଡ଼ିଲା । ଚମକି ଉଠିଲେ ମିଃ ମହାପାତ୍ର ।

—କହୁଛନ୍ତି କଣ ନୂଆ’ଉ ! ଶେଷ ବେଳକୁ ମୋ ଭଳି ଲୋକ ନାଆଁରେ ଆପଣ ଏହି ବଦନାମ ଦେଲେ ? ମୋର ଅପରାଧ, ମୁଁ ଆପଣଙ୍କ ପାଖକୁ ଆସେ । ଏଭଳି କଥା କହିଲେ ଏଇ ମୁହୁର୍ତ୍ତରେ ଏଠାରୁ ଚାଲିଯିବାକୁ ବାଧ୍ୟ ହେବି ।

—ଏତେ ରାଗି ଉଠୁଛନ୍ତି କାହିଁକି ଯମେଶ ବାବୁ ?

 

—ରାଗିବିନି ? ଚରିତ୍ରହୀନ କୁହ, ଲମ୍ପଟ କୁହ, ତାହା ସହ୍ୟ କରିବି କିନ୍ତୁ ଏଭଳି ଚୋର ବଦମାସ ଗୁଣ୍ଡା ଡକାୟତ କହିଲେ ଆଦୌ ତାହା ବରଦାସ୍ତ କରିବି ନାହିଁ କହି ଦେଉଚି ନୂଆବୋଉ-!

 

—ମୁଁ କଣ ସେଇଆ ଆପଣଙ୍କୁ କହିଲି ? ପୁଷ୍ପା ବୁଝାଇଲା–ଆପଣ ବସନ୍ତୁ । ଆପଣ କି ଚୋର ବଦମାସ ଗୁଣ୍ଡା ଡକାୟତ ହୋଇ ପାରନ୍ତି ? କେତେ ବିଦେଶ ଭୂଇଁ ବୁଲି ଆସିଛନ୍ତି । କେଡ଼େ ଉଚ୍ଚ ଶିକ୍ଷିତ ।

 

—ତେବେ ?

 

—ମୁଁ ଆପଣଙ୍କ ସାଙ୍ଗରେ ଥଟ୍ଟା କରୁଥିଲି । ଥଟ୍ଟା ବୁଝୁ ନାହାନ୍ତି ? ନୂଆବୋହୂର ସମ୍ପର୍କ ତ ଥଟ୍ଟା ଟାପରାର ।

 

ଏଇବାର ହସି ପକାଇଲେ ମିଃ ମହାପାତ୍ର । ହସି ହସି କହିଲେ—ଚା’ ଅଛି ଆଉ ?

 

କେଟ୍‌ଲିରେ ଅବଶିଷ୍ଟ ଟିକିଏ ଚା’ ରଖିଥିଲା ପୁଷ୍ପା ନିଜ ପାଇଁ । ମିଃ ମହାପାତ୍ରଙ୍କ କପ୍‌ରେ ସେଇତକ ସେ ଢାଳି ଦେଲା । ଚା ଖାଇସାରି ମିଃ ମହାପାତ୍ର କହିଲେ—

 

କଥାଟା ନିହାତି ଖରାପ । ସେଥିପାଇଁ ଭାବୁଛି, କହିବି କି ନାହିଁ । ଆପଣଙ୍କ ପାଖରେ କହିବା ଠିକ୍ ହେବ କି ନା ।

 

କଥା ଶୁଣିଲେ କିଏ ନିଶ୍ଚିନ୍ତ ରହିପାରେ ? ପୁଷ୍ପା କହିଲା—

 

—ମୋ ପାଖରେ କହିବା ପାଇଁ ଆସିଛନ୍ତି ଅଥଚ ଏଇକ୍ଷଣି ଭାବୁଛନ୍ତି କଥାଟା କହିବା ଠିକ୍ ହେବ କି ନା । ଏ ପୁଣି କି ରକମ କଥା ?

 

—ନା, କଥାଟା କେତେକ ଜରୂରୀ—ଆଉ ନିହାତି ସାଙ୍ଘାତିକ । ସେଥିପାଇଁ ଭାବୁଛି....

 

—ଆପଣଙ୍କର ସେ ଭାବନା ଚିନ୍ତା ରଖି କଥାଟା କଣ ଆଗେ କହି ପକାନ୍ତୁ ।

 

ପୁଷ୍ପା ମନେ ମନେ ବିଷାକ୍ତ ହୋଇ ଉଠିଲା । ମିଃ ମହାପାତ୍ର ଆଉ କିଛି ନ କହି ଧୂଆଁ ଉପରେ ଧୂଆଁ ଛାଡ଼ି ଚାଲିଛନ୍ତି—ଧୂଆଁର ରିଙ୍ଗ୍ ସୃଷ୍ଟି କରୁଛନ୍ତି ପାଇପ୍ ସାହାଯ୍ୟରେ ।

 

ପୁଷ୍ପା ବ୍ୟସ୍ତ ହୋଇପଡ଼େ । ...କଣ କୁହନ୍ତୁ ନା ?

 

—ନିହାତି ଶୁଣିବେ ତା’ହେଲେ ?

 

—କହିଲେ ତେବେ ତ ଯାଇ ଶୁଣିବି । ନ କହିଲେ ଆଉ ଶୁଣୁଚି କେମିତି ?

 

କିନ୍ତୁ କଥାଟା ମନୋଜ ବାବୁର ସପକ୍ଷରେ ନୁହେଁ ।

 

ମନେ ପ୍ରାଣେ ଶଙ୍କିତ ହୋଇ ଉଠିଲା ପୁଷ୍ପା ।

 

—କଥାଟା କଣ କୁହନ୍ତୁ ?

 

ଆଚ୍ଛା, ୟେ ଇମିତି ନୁଙ୍ଗୁରା କାମ କରନ୍ତି କାହିଁକି କହିଲେ ଦେଖି ?

 

—କି ନୁଙ୍ଗୁରା କାମ ?

 

—ଏଇ ଧରନ୍ତୁ, କାବୁଲି ପାଖରେ ଦେଏଣା । ଏହା କେଉଁ ଭଦ୍ର ଲୋକର ଛୁଆ କେବେ କରେ ? ମୋତେ ତ କଳ୍ପନାରେ ବି ଆସେନା ।

 

ଆପଣଙ୍କ କଳ୍ପନାରେ ଯା ନ ଆସେ—ସେଟା ଯଦି ଅପର କେହି କରିବାକୁ ନିହାତି ବାଧ୍ୟ ହୁଏ ତେବେ କ’ଣ ମିଃ ମହାପାତ୍ର ସେଇଟାକୁ ନୁଙ୍ଗୁରା କାମ କହିବେ ?

ତା’ହେଲେ ଦେଖୁଛି, ବ୍ୟାପରଟା ଆପଣଙ୍କୁ ଅଜଣା ନୁହେଁ । କିନ୍ତୁ ଏହାର ଫଳ କି ବିଷମୟ ହୋଇଛି ଜାଣନ୍ତି ? କାବୁଲିବାଲା ଅଫିସର ନିୟମ ପକ୍ଷରେ ଗୋଟାଏ ମସ୍ତବଡ଼ ଅପରାଧ । ଅଫିସ କୌଣସି ଦିନ ଯାହା ବରଦାସ୍ତ କରିପାରେନା ।

ଆପଣ ଥାଉଁ ଥାଉଁ କି ଏହାର କିଛି ଗୋଟାଏ ସୁ-ବ୍ୟବସ୍ଥା ହୋଇ ପାରିବନି ଯମେଶ ବାବୁ ?

ଆପଣଙ୍କ ପାଇଁ ସବୁ କିଛି ସୁବିଧା କରିପାରେ ନୂଆବୋଉ, ମୋର ଅନୁରୋଧ ଖାଲି ଥରୁଟିଏ ରକ୍ଷା କରିଲେ...

—କଣ କୁହନ୍ତୁ !

—ମୋ ସଙ୍ଗରେ ବୁଲିଯିବା ପାଇଁ ଯଦି ଏକମତ ହୁଅନ୍ତେ...

ମୋ ଭଳି ଗୋଟିଏ ମୂର୍ଖ ଝିଅ ଉପରେ ଆପଣ ଏତେ ଆଶା ବି ରଖନ୍ତି.... ? ଉପକାର ପ୍ରତି ବଦଳରେ କଣ ଏଇଆ ଚାହାନ୍ତି ? ଭୁଲି ଯାଆନ୍ତୁ...

—ତା’ ହେଲେ ଆପଣ କହୁଛନ୍ତି, ମୋ ସଙ୍ଗରେ ବୁଲିଯିବା ସମ୍ଭବ ନୁହେଁ ?

—ମୁଁ କାହିଁକି, ଆପଣ କହନ୍ତୁ—ଯଦି ବିବାହ କରି ଥାଆନ୍ତେ ଆଉ ଶୁଣି ପାରନ୍ତେ ଆପଣଙ୍କ ଅମତରେ ଆପଣଙ୍କ ସ୍ତ୍ରୀ ଯାଇଚି ଅପର ଲୋକ ସାଙ୍ଗରେ ସିନେମା ବା ପାର୍କକୁ ବୁଲିବା ପାଇଁ—ଆପଣ ସହ୍ୟ କରି ପାରନ୍ତେ ?

 

—ଏତେ କଳ୍ପନା ଶକ୍ତି ଖରଚ କରିବାକୁ କ୍ଷମତା ମୋର ନାହିଁ । ଯା କିଛି ମୋତେ ବୁଝିବାକୁ ହେବ ବିଜ୍ଞାପନର ନଜର ଦେଇ ନୁହେଁ ବାସ୍ତବ ଦୃଷ୍ଟିର ବୈଜ୍ଞାନିକ ପରିପ୍ରେକ୍ଷିରେ । ମୋର ସ୍ତ୍ରୀ ସ୍ୱଚ୍ଛନ୍ଦରେ ବାହାରି ଯାଇ ପାରନ୍ତା, ଆଉ ମୁଁ ମଧ୍ୟ ଖୁସି ହୁଅନ୍ତି ସେଥିରେ.... ଅବଶ୍ୟ ଅବୈଧ ପ୍ରେମରୁ ଯଦି ନିଜକୁ ମୁକ୍ତ ରଖି ପାରିଥାନ୍ତି ।

 

ଆପଣ କି ତେବେ କହିବାକୁ ଚାହାନ୍ତି ମିଃ ମହାପାତ୍ର, ମୋର ସ୍ୱାମୀ କାର ଅବୈଧ ପ୍ରେମରେ ଆବଦ୍ଧ ?

 

ପୁଷ୍ପା ଝଲସି ଉଠିଲା ତୁଷାରାଚ୍ଛାଦିତ ଗିରିଶୃଙ୍ଗର ଭଳି ।

 

—ଖାଲି କହିବାକୁ ଚାହେଁ ନା’ ଚାକ୍ଷୁସ ଆପଣଙ୍କୁ ଦେଖାଇ ଦେବାର ଶପଥ ଗ୍ରହଣ କରିପାରେ । ଆଉ ସେଇଟାହିଁ ମୋ ପକ୍ଷରେ ଏଇକ୍ଷଣି ଅତି ସହଜ ।

 

—କହୁଛନ୍ତି କଣ ମିଃ ମହାପାତ୍ର ।

 

ଅଜ୍ଞାତରେ ବିସ୍ମୟ ସୂଚକ ସ୍ୱର ବାହାରି ଆସିଲା ପୁଷ୍ପାର ଗଳା ଦେଇ । ପର କ୍ଷଣରେ ଜାଗିଲା ସନ୍ଦେହ ।

 

—ଆପଣ ଯଦି ଭୁଲାଇ ମୋର କିଛି କ୍ଷତି କରନ୍ତି ?

 

—ଆପଣଙ୍କର ଭଳି କରିବା ଅପେକ୍ଷା ନିଜର କ୍ଷତିଟାକୁ ବଡ଼ ବୋଲି ମାନେ ନୂଆବୋଉ ! ମୁଁ ଖାଲି ଆଶ୍ଚର୍ଯ୍ୟ ହେଉଛି, ଆପଣ ଓଡ଼ିଆ ଘରର ବୋହୂବୋଲି ମନୋଜବାବୁ ଆପଣଙ୍କୁ ଏହି ଦୀର୍ଘଦିନ ଧୋକା ଦେଇ ରଖି ପାରିଛନ୍ତି । ସେଇ ଧୋକାବାଜୀର ମୁଖା ମଧ୍ୟରୁ ଆପଣଙ୍କୁ ମୁଁ ମୁକ୍ତି ଦେବି ।

 

—ମୁକ୍ତି ମୁଁ ଚାହେଁନା । ବନ୍ଧନ ମୋ ନିକଟରେ ବଡ଼ ମୂଲ୍ୟବାନ । ତେବେ ଇଚ୍ଛା ହେଉଛି, ମୋର ଅଦୃଷ୍ଟକୁ ନୁହେଁ—ଆପଣଙ୍କୁ ଥରେ ପରୀକ୍ଷା କରି ଦେଖିବାକୁ ।

 

—ଭୟ ଯଦି ହେଉଛି, କାହାକୁ ବି ସାଙ୍ଗରେ ନେଇ ପାରନ୍ତି । ମୋର ଅବଶ୍ୟ କିଛି ଆପତ୍ତି ନାହିଁ । ତେବେ କଳଙ୍କଟା ହେବ ଆପଣଙ୍କୁ ବେଶୀ । ଲଜ୍ଜା ଲାଗିବ ଯେତେବେଳେ ଆପଣ ଦେଖିବେ ଆପଣଙ୍କର ସ୍ୱାମୀ ଗୋଟାଏ ବିଜାତୀୟା ନାରୀର ବାହୁ ବନ୍ଧନ ଭିତରେ କେତେ ସହଜରେ ଧରାଦେଇଛନ୍ତି । ଏହା ଜାଣିକି କାହାକୁ ସଙ୍ଗରେ ନେବାପାଇଁ ଆପଣ ଇଚ୍ଛା କରିବେ କୁହନ୍ତୁ ।

 

—ଇଚ୍ଛା ଅନିଚ୍ଛାର କଥା ନୁହେଁ !

 

ପୁଷ୍ପାର ସେତେବେଳକୁ ସର୍ବ ଶରୀର କମ୍ପୁଥାଏ । ତା’ର ସମ୍ମୁଖରେ ଥିବା ପୃଥିବୀକୁ ଅଭିଶାପ ଦେବାକୁ ଇଚ୍ଛା ହେଉଥାଏ । ମନେ ହେଲା, ଯେଉଁ ପ୍ରେମ ଯେଉଁ ମାୟା ତାର ଶକ୍ତି, ତାର ସଞ୍ଚୟ ତାହା ସବୁ ଯେମିତି ବିଷାକ୍ତ ହୋଇ ଉଠିଛି । ସେ ଯେମିତି ବିଶ୍ୱାସଘାତକର ମୂର୍ତ୍ତି ଧାରଣ କରି ତାକୁତ ଗ୍ରାସ କରିବାକୁ ଆସୁଛି । ଅନାଘ୍ରାତ ନନ୍ଦନ—କୁସୁମ ମଧ୍ୟରେ ପ୍ରବେଶ କରିଛି ଅବାଞ୍ଚିତ ଅଦୃଶ୍ୟ କାଳକୀଟ !

 

ପୁଷ୍ପା ଆଉ ମୁହୂର୍ତ୍ତେ ବି ବିଳମ୍ବ କରି ପାରିଲାନି । ମିଃ ମହାପାତ୍ର ଲକ୍ଷ୍ୟ କରି କହିଲେ–

 

ଚାଲନ୍ତୁ, କେଉଁଠିକି ଗଲେ ଦେଖିବି । କେତେ ଦୂରକୁ ନେଇ ଦେଖାଇବେ ? କିନ୍ତୁ ମନେ ରଖନ୍ତୁ—ଏଇକ୍ଷଣି ବି ଚନ୍ଦ୍ର ସୂର୍ଯ୍ୟ ଆକାଶରେ ଉଠୁଛନ୍ତି—ଏଇକ୍ଷଣି ବି ଈଶ୍ୱର ବୋଲି କୌଣସି ମହାଶକ୍ତିର ଅସ୍ତିତ୍ୱ ଅଛି । ଯଦି ମୋତେ ଠକାଇବାକୁ ଚାହାନ୍ତି, ଆପଣଙ୍କର ପରିଣାମ ବି ଭୟାବହ ହୋଇ ଉଠିବ ।

 

—ମୋତେ ଥରୁଟିଏ ମାତ୍ର ବିଶ୍ୱାସ କର ନୂଆବୋଉ !

 

ମିଃ ମହାପାତ୍ର ପୁଷ୍ପାକୁ ଗାଡ଼ି ଭିତରକୁ ଉଠାଇ ସଶବ୍ଦରେ ଦରଜା ବନ୍ଦ କରିଦେଲେ । ନିଜେ ଡ୍ରାଇଭ୍ କରିବାକୁ ଲାଗିଲେ ନିଜର କାର୍ ।

 

ସେଇ କାର ପୁଣି ଫେରି ଆସିଛି ପୁଷ୍ପାର ଫାଟକ ନିକଟକୁ । ପୁଷ୍ପା ପାଗଳ ନୁହେଁ-ପୁଷ୍ପା ପଥର !

 

ମିଃ ମହାପାତ୍ରର କ୍ଷମତା ଅଛି ସତ୍ୟ ଅସାଧ୍ୟ ସାଧନ କରିବାରେ ଅପାତତଃ ମିଥ୍ୟାକୁ ବି ସେ ଭୋଜବାଜିର ଭଳି ସତ୍ୟ କରି ପାରନ୍ତି, ଏହା ମାନିବାକୁ ହେବ ପୁଷ୍ପାକୁ । ପୁଷ୍ପା ନିଜର ଚକ୍ଷୁକୁ ବିଶ୍ୱାସ କରି ପାରିନି । ପାରିନି ସେଇବେଳେ, ଯେଉଁବେଳେ ସେ ଯାଇ ଦେଖିଲା—ଦୋତଲା ଉପରେ ଗୋଟିଏ ଆଂଲୋଇଣ୍ଡିୟାନ୍ ପରିବାରର ରହିବା ଘର । ଯେଉଁ ଘରେ ରହିଛି ଯୀଶୁଖ୍ରୀଷ୍ଟଙ୍କର ମୂର୍ତ୍ତି । କ୍ରସ୍ ଚିହ୍ନ । ତାର ତଳକୁ ଗୋଟିଏ ଉଚ୍ଚ ଜାଗାରେ ଜଳୁଛି ପ୍ରଦୀପ ଦାନୀରେ ଦୁଇଟି ମହମବତୀ—ଆଉ ତାର କିଛି ଦୂରରେ ଗୋଟିଏ ସୌଖୀନ ଆଂଲୋଇଣ୍ଡିୟନ୍ ଯୁବତୀର ବାହୁ ଫାଶରେ ଆବଦ୍ଧ ହୋଇ ରହିଛନ୍ତି ତାର ସ୍ୱାମୀ....

 

ପଡ଼ି ଯାଉ ଯାଉ ସେ ଅଟକି ଯାଇଥିଲା । ଅଟକି ଯାଇଥିଲା ମିଃ ମହାପାତ୍ରଙ୍କ ହାତ ଉପରେ, ନହେଲେ ହୁଏତ ଚେତାଶୂନ୍ୟ ହେବା ବି ତା ପକ୍ଷରେ କିଛି ଆଶ୍ଚର୍ଯ୍ୟ ନଥିଲା । ଆଶ୍ଚର୍ଯ୍ୟ ନଥିଲା, ସିଡ଼ି ଉପରୁ ଗଡ଼ି କ୍ଷତ ବିକ୍ଷତ ଅବସ୍ଥାରେ ତଳକୁ ଖସି ପଡ଼ିବା । ଅଥଚ ମିଃ ମହାପାତ୍ରଙ୍କୁ ବଲିହାରୀ ! ଯାହା ଶପଥ କରିଥିଲେ, ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । ନେଇଯିବା ସମୟରେ ବି ଦେଖାଇ ନାହାନ୍ତି କୌଣସି ଅଶୋଭନୀୟ ଆଚରଣ...... ଆସିବା ବେଳରେ ବି ବାଢ଼ି ନାହାନ୍ତି କିଛି ଅନ୍ୟାୟ ଅସଙ୍ଗତ ପ୍ରସ୍ତାବ । ତାଙ୍କ ହୃଦୟର ଅପୂର୍ବ ଉଦାରତାକୁ ସୂର୍ଯ୍ୟର ଶେଷ ରଶ୍ମି ବିନ୍ଦୁର ଭଳି ବିଛାଡ଼ି ଦେବାକୁ ବି ସେ କୃପଣତା କରି ନାହାନ୍ତି ।

 

ଏଇକ୍ଷଣି କଣ ହେବ ? କ’ଣ ଭାବୁଛନ୍ତି ମିଃ ମହାପାତ୍ର ମନ ଭିତରେ ସିଏ କି ଏତେ ସହଜେ ହୃଦୟ ଜୟ କରିବେ ପୁଷ୍ପାର ? ପୁଷ୍ପା ବି କ’ଣ ହୃଦୟ ଅଜାଡ଼ି ଦେବାକୁ ଲାଳାୟିତ... ?

 

ଗାଡ଼ି ତୀର ବେଗରେ ଛୁଟି ଆସି ଦପ୍ କରି ଠିଆ ହୋଇଗଲା । ପୁଷ୍ପା ଏକା ନିଶ୍ୱାସକେ ଓହ୍ଲାଇ ଆସିଲା କାର୍ ଭିତରୁ । ଝଡ଼ ଭଳି ଘରକୁ ପଶିଯାଇ ଭିତର ପଟରୁ ଦରଜା ଦେଇ ସେ ଖିଲ ଆଣ୍ଟିଦେଲା ।

 

ମିଃ ମହାପାତ୍ର ବାହାରେ ଥାଇ ପାଟି କରି କହି ଉଠିଲେ—

 

—ଏ କ’ଣ ! ଇମିତି ଦରଜା ଦେଇଦେଲେ କାହିଁକି ନୂଆବୋଉ ? ଖୋଲନ୍ତୁ—ମୁଁ ଭିତରକୁ ଯିବି, ଖୋଲନ୍ତୁ ।

 

ପୁଷ୍ପା ଉନ୍ମାଦିନୀ ଭଳି ଚିତ୍‌କାର କରି କହି ଉଠିଲା ।

 

—ନା ନା ନା ! ଦରଜା ମୁଁ ଖୋଲିବି ନାହିଁ । ଭିତରକୁ ଆସିବା ଦରକାର ନାହିଁ—ଆପଣ ଦୂର ହୋଇ ଯାଆନ୍ତୁ—ଦୂର ହୋଇ ଯାଆନ୍ତୁ ।

 

ମୁଁ ଦୂର ହୋଇଗଲେ ଆପଣଙ୍କର କିନ୍ତୁ ବିରାଟ ସର୍ବନାଶ ହେବ ? ଭାବି ଚିନ୍ତି କଥା କୁହନ୍ତୁ ।

 

ମିଃ ମହାପାତ୍ର ଭୟ ଦେଖାଇବାକୁ ଲାଗିଲେ ।

 

—ଖୁବ୍ ଭାବିଛି, ଖୁବ୍ ଚିନ୍ତା କରିଛି । ଆପଣ ଚିରଦିନ ପାଇଁ ଦୂର ହୁଅନ୍ତୁ । ଆପଣଙ୍କୁ ଆଉ ମୋର ପ୍ରୟୋଜନ ନାହିଁ, ଢେର ହୋଇଛି, ଢେର ହୋଇଛି..... ।

 

—କିନ୍ତୁ ମୁଁ ତ ଦେଖୁଛି—କିଛି ହୋଇନି ।

 

—ଆପଣଙ୍କର ଯାହା ଇଚ୍ଛା ଖୁସି କହି ପାରନ୍ତି—ମୁଁ ଦରଜା ଖୋଲିବି ନାହିଁ ।

 

—କିନ୍ତୁ କେଉଁଠି ଅନ୍ୟାୟ ଦେଖିଲେ କହୁ ନାହାଁନ୍ତି ? ଯମେଶ ମହାପାତ୍ରଙ୍କ ସ୍ୱର ନରମ ।

 

—କୌଣସି କଥା କହିବାକୁ ମୁଁ ବାଧ୍ୟ ନୁହେଁ । ଚାଲି ଯାଆନ୍ତୁ ଏଠାରୁ ଅସଭ୍ୟ ନିର୍ଲ୍ଲଜ ଭଳି ଠିଆହୋଇ ମୋତେ ଆଉ ବିରକ୍ତ କରନ୍ତୁ ନାହିଁ ।

 

ନଥ୍‌କରି ହସି ପଡ଼ିଲା ପୁଷ୍ପା ଘରର ଚଟାଣ ଉପରେ । ମିଃ ମହାପାତ୍ର ଚାଲିଗଲେ, ଶେଷରେ ନିରୂପାୟ ଅବସ୍ଥାରେ କାର୍‌ଟିର ବିକଟ ଗର୍ଜ୍ଜନ ଶୁଣାଇ.... ।

 

ଯିବା ସମୟରେ ଖାଲି କହିଗଲେ—

 

‘‘ଆଚ୍ଛା, ଓଏଟ୍ ସମ୍ ଟାଇମ୍ ।’’

 

ଭିକ୍‌ଟୋରିଆ ମେମୋରିଆ ହଲ୍ ପାଖକୁ ଆସି ସେ କାର୍‌ଟି ଠିଆ କରାଇଲେ । ଅନେକ ସମୟ ଧରି ଚୁପ୍ ହୋଇ ବସି ରହିଲେ ମିଃ ମହାପାତ୍ର ତା’ରି ଭିତରେ । ତା’ପରେ ଧୀରେ ଧୀରେ ସିଗାରେଟରେ ଅଗ୍ନି ସଂଯୋଗ କରାଇଲେ । ଆପଣା ମନକୁ ପାଗଳଙ୍କ ଭଳି ହସି ଉଠିଲେ ଥରେ ହୋ ହୋ ହୋଇ ।

 

ଚମତ୍କାର ପାର୍ଟ କରିଛି ଲୀନା ମାରଗାର । ପାର୍ଟ କ’ଣ ଆଉ ଲୀନା କରିଛି ? ତାହାରି ଦ୍ୱାରା ତ କରାଇଛନ୍ତି ମିଃ ମହାପାତ୍ର । କୃତୀତ୍ୱ ତାଙ୍କରି ।

 

ଗୌରାଙ୍ଗୀରେ ଗୋଟିଏ ସାହେବ ହୋଟେଲ । କିଛିଦିନ ଆଗରୁ ସେଠାରେ ଡିନାରର ନିମନ୍ତ୍ରଣ କରିଥିଲେ ମିଃ ମହାପାତ୍ର ଲୀନାକୁ । କି ସତରେ ମନୋଜ ସଙ୍ଗରେ ଲୀନାର ଆଳାପ—କାଜିନ୍‌କୁ ବଞ୍ଚାଇବା ପାଇଁ କି ଭାବରେ ଔଷଧ ଯୋଗାଡ଼ ହୋଇଛି, ଲୀନା ବା ମନୋଜକ କାହିଁକି ମାଷ୍ଟର ରଖିଛି—ଏ ସମସ୍ତ ଜାଣି ନେଇଥିଲେ ମିଃ ମହାପାତ୍ର ଲୀନା ନିକଟରୁ ଅତି କୌଶଳରେ । ମନୋଜ ପ୍ରତି ଲୀନାର ଶ୍ରଦ୍ଧା ଦେଖି ସେ କମ୍ ଆଶ୍ଚର୍ଯ୍ୟ ହୋଇ ନାହାନ୍ତି । ସେଇବେଳେ ସେ ତାଙ୍କର ଅମୋଘ ଅସ୍ତ୍ର ନିକ୍ଷେପ କରିଥିଲେ—ଜାଣ, ମନୋଜଟା କି ଭୀଷଣ ବ୍ଲାକ୍‌ମାର୍କଟିୟାର ? ପଛରେ ତା’ର ପୋଲିସର ନଜର ପଡ଼ିଛି । ତୁମେ ତାକୁ ଔଷଧ ଦମନ ଦେଇଚ କାହିଁକି ? ଅଫିସରେ ସେ ତୁମ ନାମରେ ଯେଉଁ କୁତ୍ସା ରଟନା କରୁଛି, ସେ ସବୁ କାନରେ ଶୁଣିବା କଥା ନୁହେଁ-। ସମୟ ସମୟରେ ଏ କଥା ଶୁଣି ପଳାଇ ଯିବାକୁ ଇଚ୍ଛା ହୁଏ । ମନୋଜ ବିବାହିତ, ତାହା ତୁମେ ଜାଣ ? ତାର ସ୍ତ୍ରୀ ବି କମ୍ ବିଗିଡ଼ି ନାହିଁ ତୁମ ଉପରେ ।

 

ସେଇ କଥା କେଇପଦ ଯଥେଷ୍ଟ କାମ କରିଥିଲା । ପାଚି ଉଠିଥିଲା ରାଗରେ ଲୀନା ।

 

ଶହେ ଟଙ୍କିଆ ନୋଟ୍‌ଟି ଲୀନା ନିକଟରୁ ହାତ କରି ମିଃ ମହାପାତ୍ର ତାକୁ ପରାମର୍ଶ ଦେିଥିଲେ—ମନୋଜ କଣ ଇମିତି ପଢ଼ିଛି ଯେ ତୁମକୁ ଟିଉସନ କରିବ ? କାବୁଲି ସେଦିନ ଅଫିସକୁ ଆସିତ ତା’ ଚେହେରା ବିଗାଡ଼ି ଦେଇଛି । ଗୋଟିଏ କାମ ତୁମକୁ ମଥା ଥଣ୍ଡା କରିବାକୁ ହେବ । ତୁମେ ଦିନେ ଅଫିସରେ ଫୋନ୍ କରିବ ମନୋଜକୁ—ତୁମ ବସାକୁ ଯିବାପାଇଁ । ଯଦି ଯାଏ, ସମୟଟା ସଙ୍ଗେ ସଙ୍ଗେ ମୋତେ ଜଣାଇବା ମୁଁ ସେଇ ସଙ୍ଗେ ସଙ୍ଗେ ତାର ବସାକୁ ଯାଇ ତାର ସ୍ତ୍ରୀକୁ ଆଣି ତୁମ ବସାକୁ ଯିବି । ତୁମ ବସାରେ ପହଞ୍ଚି ମୁଁ କାଶିଦେବା ମାତ୍ରେ, ତୁମେ ସେଇବେଳେ ଗୋଟିଏ ଥର ନିଖୁଣ ଅଭିନୟ କରିବ । ମନୋଜକୁ ହସି ହସି ଟାଣିନେବ ତୁମର ବାହୁବନ୍ଧନ ଭିତରକୁ । ଯେପରି ମନୋଜ ଘୃଣାକ୍ଷରରେ ଜାଣି ନ ପାରେ—ତାର ସ୍ତ୍ରୀ ଠିଆ ହୋଇଥିବ ଦର୍ଶକ ହୋଇ । ତାପରେ ତାର ସ୍ତ୍ରୀକି ନେଇ ମୁଁ ସଙ୍ଗେ ସଙ୍ଗେ ଚାଲିଆସିବି । ଆଉ ତୁମେ ସେଇବେଳେ ଏପରି ଅପମାନ କରିବ ମନୋଜକୁ—ଯେପରି ସେ ଭୁଲରେ କୌଣସି ଦିନ ତୁମ ପାଖକୁ ଆଉ ଯିବାକୁ ସାହସ ନ କରେ । ତୁମର ଦରମା ଏହି ମାସଠାରୁ ବଢାଇ ଦେବି ।

 

କାର୍‌ରୁ ଓହ୍ଲାଇ ମି. ମହାପାତ୍ର ପଦଚାରଣ କରିବାକୁ ଲାଗିଲେ ଶାଗୁଆ ଘାସ ଉପରେ-

 

କାଳ ରାତିର ବୁକୁ ଫଟାଇ ଆଉ ଥରେ ହସି ଉଠିଲେ ସେ ପିଶାଚର ହସ ।

 

ଭିକ୍‌ଟୋରିଆ ସ୍ମୃତି-ସୌଧ ସେଇବେଳେ ମ୍ଳାନ ଜୋତ୍ସ୍ନାରେ ଏକ ଭୌତିକ ଆକାର ଧାରଣ କରିଥିଲା ।

☆☆☆

 

ଏହା ମଧ୍ୟରେ ବିତିଯାଇଛି ତିନୋଟି ମାସ । ଆଗକାର ଦିନଗୁଡ଼ିକ ସାଙ୍ଗରେ ଆଜିକା ଦିନର ଯେମିତି ଆକାଶ ପାତାଳ ପ୍ରଭେଦ ।

 

ମ୍ଳାନ ବିଷର୍ଣ୍ଣ ମୁଖରେ ଫେରିଆସେ ମନୋଜ, ଚାରିଆଡ଼େ ବୁଲି ବୁଲି ଅବଶେଷରେ ଘରକୁ । ପୁଷ୍ପା ଗୋଟାଏ କଥା ଆଉ ପଚାରି ପାରେନା । ପଚାରିବାକୁ ତାର ଛାତି ଫାଟିଯାଏ । ସେ ଭାବେ, କିଛି ଖବର ଥିଲେ ମନୋଜ ତାକୁ ନିଶ୍ଚୟ କହିବ—ନ କହି ରହି ପାରିବନି । ତେବେ ଅନର୍ଥକ ଆଉ ମଣିଷଟାକୁ ବିରକ୍ତ କରି ଲାଭ କଣ ?

 

ମନୋଜ କହେ, ସମୟଟା କି ସାଙ୍ଘାତିକ ରକମର ଖରାପ ପଡ଼ିଛି ? ଚାକିରିଟା ନେଲା ତ ନେଲା—ଏଇ ରକମ ବଦନାମ ଦେଇ ? ଚୋର ଆଖ୍ୟା ଦେଇ ?

 

ବ୍ୟାଙ୍କ ମନୋଜକୁ ବରଖାସ୍ତ କରିଛି ତିନିମାସ ହେଲା । ମି ମହାପାତ୍ର ପୁଷ୍ପା ପାଖରୁ ସେହି ଅପମାନିତ ହୋଇ ଚାଲିଯିବା ପରେ । ଆଉ ବରଖାସ୍ତ ଯେମିତି କରିଛି, ପ୍ରଭିଡେଣ୍ଟ ଫଣ୍ଡର ଟଙ୍କାଗୁଡ଼ାକ ବି ସେମିତି ବାଜ୍ୟାପ୍ତ କରିଛି । ଅନେକ ଦିନ ପୂର୍ବରୁ ଗୋଟିଏ ଫ୍ରଡ୍‍ କେସ୍ ସଙ୍ଗରେ କୁଆଡ଼େ ଖୁବ୍‌ ଗୋଟାଏ ସ୍ପଷ୍ଟ ସୂତ୍ର ଆବିଷ୍କାର କରିପାରିଛି ବ୍ୟାଙ୍କ ମନୋଜ ବିରୁଦ୍ଧରେ । ତା’ରି ଫଳରେ ତାକୁ ତଡ଼ି ଦେଇଛି ଗୋଟିଏ ପଇସା ନ ଦେଇ ।

 

ୟା ବିରୁଦ୍ଧରେ ମନୋଜର ହୁଏତ ଅନେକ କିଛି କରିବାର ଥିଲା । ତାହା କରିବାକୁ ଗଲେ କୋର୍ଟ ହେଉଛି ଏକମାତ୍ର ପ୍ରଶସ୍ତ ଜାଗା....ତାହା ବି ସେ ଜାଣିଥିଲା । ତଥାପି ଏହି ଅନ୍ୟାୟ ଅବିଚାରକୁ ତାକୁ ମଥା ପାତି ମାନି ନେବାକୁ ହେଉଛି ! ଯେହେତୁ ତା ହାତରେ ପଇସା ନାହିଁ ।

 

ପୁଷ୍ପା କିଛି କହେନା, ଚୁପ କରି ଶୁଣେ । ମି ମହାପାତ୍ର ଧମକ ଦେଇ ଚାଲିଯିବା ପରେ ପୁଷ୍ପା ଜାଣିଥିଲା—ଇମିତି ଗୋଟାଏ କିଛି ଘଟିବ । ତେଣୁ ଚାକିରି ଚାଲିଯିବା ଦୃଷ୍ଟିରୁ ମନୋଜ ଯେତେ ବିଚଳିତ, ପୁଷ୍ପା ସେତେ ନୁହେଁ । ତଥାପି ତାର ମନର ନିଭୃତ କୋଣରୁ ବେଳେ ବେଳେ ଗୋଟିଏ ପ୍ରଶ୍ନ ମଥା ଟେକି ଠିଆ ହୁଏ—ସେହି ଯୁବତୀଟିର ଖବର କଣ ? ତା ପାଖକୁ କି ତାର ସ୍ୱାମୀ ଏବେ ବି ଯାଆନ୍ତି ? କିନ୍ତୁ ଆଜି ଅବଧି ଭୁଲରେ ବି ସିଏ ସେ କଥା ପଚାରି ପାରୁନି ମନୋଜକୁ । ତାର ମନେହୁଏ, ଚାକିରି ଯିବା ସଙ୍ଗେ ସଙ୍ଗେ ସେ ମେମ୍ ବୋଧହୁଏ ଚାଲି ଯାଇଛି । ତା ପାଖକୁ ବା ଯିବ କେତେବେଳେ ମନୋଜ ? ସନ୍ଧ୍ୟା ହେଲାକ୍ଷଣି ମନୋଜ ଏଇକ୍ଷଣି ଆଉ କୁଆଡ଼କୁ ଯାଏନା । ରହେ ଘର ଭିତରେ । ଦିନବେଳେ ଅବଶ୍ୟ ତାକୁ ବାହାରିବାକୁ ହୁଏ ଚାକିରି ଚେଷ୍ଟାରେ—ଜୀବିକା ସନ୍ଧାନରେ ।

 

କିନ୍ତୁ ସେ ଖବରରେ ବି ଯଦି ନିତ୍ୟ ନୈମିତ୍ତିକ ନିରାଶର ନମୂନା ଭାସେ.... ମନ ତିକ୍ତ ନ ହୋଇ କ’ଣ ଠିକ୍ ରହିବ ? ଏଇ କେଇମାସ ଅଯତ୍ନ ବର୍ଦ୍ଧିତ ମୁଖ ମଣ୍ଡଳରେ ଅସଂଖ୍ୟ କୁଞ୍ଚିତ କୃଷ୍ଣଶିରା ବୟସର ଅଯତ୍ନ ବର୍ଦ୍ଧିତ ମୁଖ ମଣ୍ଡଳରେ ଅସଂଖ୍ୟ କୁଞ୍ଚିତ କୃଷ୍ଣଶିରା ବୟସର ଜାଲ ବୁଣିଛି । ଦୁଶ୍ଚିନ୍ତାରେ ମନୋଜ ଯେମିତି ବୁଢ଼ା ହୋଇ ଯାଇଛି । ଗାଲ ପଶି ଯାଇଛି । ମୁହଁର ଦୁଇ ଦିଗରୁ ଦୁଇଟି ହନୁହାଡ଼ ଠେଲି ହୋଇ ବାହାରି ଉଠୁଛି । ଆଉ ଏ ବଜାରରେ ଯା’ର ଚାକିରି ନାହିଁ, ତା ଠାରୁ ଯେ ହତଭାଗା କିଏ ଅଛି—ମନୋଜ ତା ନିଜ କଥାରୁ ବେଶ ପରୀକ୍ଷା କରି ନେଇ ପାରିଚି ।

 

ତା’ ଆଡ଼କୁ ଅନାଇଲା କ୍ଷଣି ପୁଷ୍ପାର କଷ୍ଟ ହୁଏ... । ଆଗେ ଆଗେ ଚାକିରି ଥିବାବେଳେ, ମନୋଜ ଦିନକ ଅନ୍ତରରେ ଦାଢ଼ି କମାଏ ସପ୍ତାହରେ ଦୁଇଥର ସୁଟ୍ ଲଣ୍ଡ୍ରିକି ଦିଏ, ଏହିକ୍ଷଣି କେଉଁଠି ସେ ନିୟମିତ ଦାଢ଼ି କମାଇବା ଆଉ କେଉଁଠି ସେ ସୁଟ୍‌ର ପରିଚ୍ଛନ୍ନତା ? ସୁଟ୍ ସଫା କରିବାକୁ ପଇସା ଦର୍କାର । ଦାଢ଼ି କମେଇବା ପାଇଁ ବ୍ଲେଡ଼ ବି ପଇସା ଦେଇ କିଣିବାକୁ ପଡ଼େ-। ଅଭାବ ଖାଲି ପଇସାର ।

 

ମିଃ ମହାପାତ୍ରକୁ ବି ଧରିଥିଲା ଶେଷ ପର୍ଯ୍ୟନ୍ତ । ପଚାରିଥିଲା ‘‘କାହିଁକି ମୋତେ ତଡ଼ୁଛନ୍ତି ଏ ରକମ ମିଛ ବଦନାମ ଦେଇ ?’’ କିନ୍ତୁ ମି; ମହାପାତ୍ର ସତରେ ହେଉ ବା ମିଛରେ ହେଉ ଟିକିଏ ଦୁଃଖ ପ୍ରକାଶ କରିଥିଲେ ମନୋଜର ଏ କଥାରେ । ଆଉ ମଧ୍ୟ ଆଶ୍ୱାସନା ଦେଇ କହିଥିଲେ—ଯଦି ଛଟେଇ ଆପଣଙ୍କୁ କରୁଛନ୍ତି—କରନ୍ତୁ । ବର୍ତ୍ତମାନ ଆପଣ ଚାଲି ଯାଆନ୍ତୁ । କିଛି ଭାବନ୍ତୁ ନାହିଁ । ପୁଣି ଆପଣଙ୍କୁ ମୁଁ ଆଣିବି । ଦେଖିବେ ମହାପାତ୍ର କିମିତି ଲୋକ ?

 

ମନୋଜ ସବୁ ଗୋଟି ଗୋଟି କରି ପୁଷ୍ପା ପାଖରେ କହେ । ପୁଷ୍ପା ଉତ୍ତର ଦିଏ—ମତେ ତ ହୁଏ ଭଲ ବୋଲି । କାହା ଭିତରେ କ’ଣ ଅଛି କିଏ ଜାଣେ ?

 

ମନୋଜ ପ୍ରଶ୍ନ କରେ–ତୁମର କ’ଣ ମନେହୁଏ ? ସେ ମୋତେ ପୁଣି ନେବେ ?

 

ପୁଷ୍ପା ଜବାବ ଦିଏ—ନେଇ ପାରନ୍ତି, ଆଉ ନ ନେଇ ବି ପାରନ୍ତି । ତୁମର କ’ଣ ଏମିତି କ୍ଷମତା ନାହିଁ ଯେ, ଆଉ କେଉଁଠି ଗୋଟିଏ ଚାକିରି... ।

 

ସେ କଥାର ଜବାବ ନ ଦେଇ ମନୋଜ କହେ—ଆଉ ଦିନେ ମିଃ ମହାପାତ୍ରଙ୍କୁ ଯାଇ ଦେଖା କରିବି ?

 

—ନା ।

 

ପ୍ରାୟ ଆତଙ୍କରେ ଶିହରି ଉଠେ ପୁଷ୍ପା ।—ତା ଅପେକ୍ଷା ନିଜର ଆତ୍ମମର୍ଯ୍ୟାଦା ବଜାୟ ରଖି ଆଉ କିଛି ଦିନ ଚେଷ୍ଟା କର । ମୋର ମନ କହୁଚି ନିଶ୍ଚୟ କେଉଁଠି କିଛି ଗୋଟାଏ ବ୍ୟବସ୍ଥା ହେବ । ତୁମେ ପୁରୁଷ ଲୋକ, ଏତିକିରେ ଭାଙ୍ଗି ପଡ଼ିଲେ ଚଳିବ କେମିତି ?

 

ଆହୁରି ବୁଲେ ମନୋଜ । କିନ୍ତୁ ଆହୁରି ହତାଶା ସାଙ୍ଗରେ ନେଇ ଘରକୁ ଫେରେ ସେ ଦିନ ଶେଷରେ ।

 

କେଇଦିନ ପରେ ।

 

ସନ୍ଧ୍ୟାବେଳକୁ ଫେରି ଆସି ମନୋଜ ଦେଖେ ପୁଷ୍ପା ଗୋଟିଏ ବାସନ ବାଲୀ ପାଖରେ ବିକ୍ରି କରିବାକୁ ବସିଛି ତାର ଖଣ୍ଡିଏ ସିଲିକ ଶାଢ଼ି । ଯେଉଁ ଶାଢ଼ିଟା ମିଃ ମହାପାତ୍ର ଦେଇଥିଲେ ।

 

ଦେଖି ତ ମନୋଜର ଚକ୍ଷୁ ଦୁଇଟା ସ୍ଥିର ।

 

—ୟେ ତୁମେ କ’ଣ କରୁଛ ?

 

—ଠିକ୍ କରୁଛି । ତୁମେ ଘରକୁ ଯାଇ ବସିଲ । ଏ ଶାଢ଼ି ତ ଆଉ ତୁମ ପଇସାରେ କିଣା ନୁହେଁ ଯେ, ମୋତେ ସୁଟ୍‌କେଶରେ ସାଇତି ଦେବାକୁ ହେବ ।

 

ମନୋଜ ଘରେ ଆସି ବସିଲା ସତ, କିନ୍ତୁ ମନ ଭିତରଟା ତାର ଛଟପଟ ହେବାକୁ ଲାଗିଲା । କିଛି ସମୟ ପରେ ପୁଷ୍ପା ବି ଫେରି ଆସିଲା । ଶାଢ଼ିଟା ବିକ୍ରି ନ କରି–ହାତରେ ଧରି । ମନୋଜ ଚାହିଁଲା ପୁଷ୍ପାର ମୁହଁ ଆଡ଼କୁ । ଯେମିତି ଶିଶୁ ଚାହେ ଦୟାମୟୀ ଜନନୀକି । ତା ପରେ ପଚାରିଲା—

 

—କଣ ହେଲା ?

 

—ହେଲା ନାହିଁ । ଭାରି କମ୍ ଦର କହିଲା । କହୁଛି ଦଶଟଙ୍କା । ତୁମେ କହିଲ, ଏ ଶାଢ଼ିର ଦାମ କଣ ଦଶଟଙ୍କା ? ମୁଁ ଗୋଟାଏ ଦିନ ବି ପିନ୍ଧିନି, ଯାହାକୁ କହନ୍ତି ଏକବାରେ ନୂଆ । ତାକୁ ଦଶଟଙ୍କାରେ ବିକିବି ?

 

—ବିକିବା ପାଇଁ ତୁମ ପାଖରେ କିଏ ବାଡ଼ ଦେଇଛି କହିଲ ?

 

ମନୋଜ ଆଉ ଚାପି ରଖି ପାରିଲା ନାହିଁ ତାର ବକ୍ଷସ୍ଥିତ ବିରକ୍ତିକି ।

 

—ବିକୁଛି କଣ ଆଉ ଖୁସିରେ ?

 

ପୁଷ୍ପାର କ୍ଷୋଭ ବି ଦୁର୍ନିବାର ହୋଇ ଉଠିଲା ।

 

—ଦ୍ୱିପ୍ରହରରେ କାବୁଲିବାଲା ଆସିଥିଲା ।

 

—ଆସିଥିଲା ? ମୁଁ ଦେଖୁଛି ନ ମରିବା ପର୍ଯ୍ୟନ୍ତ ମୋର ଆଉ ଶାନ୍ତି ନାହିଁ ।

 

ଯେମିତି ଆତଙ୍କରେ ଶିହରି ଉଠିଲା ମନୋଜ । ଅସ୍ତରାଗର ମଉଳା ଖରା ଭଳି କ୍ଷୀଣ ହସରେ ମୁହଁ ଖଣ୍ଡିକ ଆଲୋକିତ କରି ପୁଷ୍ପା କହି ଉଠେ ମନୋଜ ପାଖକୁ ଆଉଜିପଡ଼ି—

 

—ତୁମେ କଣ ପାଗଳ ହୋଇଗଲ ? ଚାକିରି କଣ କାହାରି ଯାଏନା ? ଏକା ତୁମରି ଯାଇଛି ଯେ, ତୁମେ ମୃତ୍ୟୁ କାମନା କରୁଛ ?

 

ମନୋଜ କହେ—ଯା ହେଉ, ଗୋଟାଏ ବ୍ୟବସ୍ଥା ଆଜି କରି ଆସି ପାରିଛି ।

 

—କ’ଣ କରିଲ ଶୁଣେ ? ପୁଷ୍ପା ସ୍ୱାମୀଙ୍କୁ ସାନ୍ତ୍ୱନା ଦିଏ—ସଞ୍ଜୀବିତ କରେ ।

 

ମନୋଜ କହିଲା—ବ୍ୟବସ୍ଥା ଅବଶ୍ୟ ସାମାନ୍ୟ । ତୁମର ପସନ୍ଦ ହେବକି କ’ଣ ସନ୍ଦେହ-। ଯା ହେଉ, ତଥାପି ପ୍ରାଣ ବଞ୍ଚେଇବା ପାଇଁ ସେଇ କାମଟା କରିବାକୁ ଠିକ୍ କରିଛି ।

 

—କାମଟା କ’ଣ ?

 

—ରିକ୍‌ସା ଚଳାଇବା । ଭୟ କରନା । କଲିକତାରେ ସାତ ହଜାର ରିକ୍‌ସା ଅଛି । ଆଉ ତାର ଚାଳକ ଚୌଦ ହଜାରରୁ ବି ଉପର । ଏକ ସମୟରେ ଗୋଟିଏ ଲେଖା ଦଳ ରିକ୍‌ସା ବାହାର କରି ଆଣନ୍ତି ଗ୍ୟାରେଜ୍ ଭିତରୁ । ବାରଘଣ୍ଟା ରିକ୍‌ସା ଧରି ବୁଲିଲେ ତାର ଭଡ଼ା ଦେବାକୁ ହୁଏ, ମାଲିକକୁ ମାତ୍ର ଗୋଟିଏ ଟଙ୍କା । ତା ଉପରେ ଯେତିକି ତୁମର କ୍ଷମତା—ସେତିକି ଆୟ । କିଛି ଝମିଲା ନାହିଁ—ଝଞ୍ଜଟ ନାହିଁ । ଖାଲି ଲାଇସେନ୍‌ସ କରି ନେଲେ ହେଲା । ଆଉ ଏ ପଥରେ ଯେଉଁମାନେ ଗୋଡ଼ ଦେଇଛନ୍ତି ସେମାନଙ୍କ ଠାରୁ ଯେ ମୁଁ ଖୁବ୍ ଉନ୍ନତ–ଇମିତି ବି ନୁହେଁ । ମୋ ଭଳି ସେମାନେ ବି ସଂସାରୀ । ମୋରି ଭଳି ସେମାନେ ବି ସଂଗ୍ରାମୀ । କ୍ଷତି କ’ଣ ?

 

ନା, କ୍ଷତି କିଛି ନାହିଁ । କିନ୍ତୁ ତା ଆଗରୁ ମୋର ମୃତ୍ୟୁ ହୋଇଯାଉ ।

 

ପୁଷ୍ପା ସେ ଘରୁ ଚାଲିଆସେ । ବାହାରେ ଠିଆ ହୋଇ ଆଖିରୁ ଝରଝର ଲୁହ ଗଡ଼ାଏ ।

 

ଦୁଃଖର ରାତି ଯେମିତି ଶେଷ ହୁଏନା । ନିଦ ଆସେନା ପୁଷ୍ପାର ଆଖିକି । ଉପବାସୀ ପୁଷ୍ପା ମନୋଜ ମୁଣ୍ଡର କେଶରାଶିରେ ହାତ ବୁଲାଏ ସ୍ନେହ ଓ ସରାଗରେ । ତାପରେ ନିବିଡ଼ ଭାବରେ ତାକୁ ନିଜର ବକ୍ଷ ଉପରକୁ ଆଉଜାଇ ଆଣି କହେ, ଇମିତି ବାଇଆ ବାତୁଳଙ୍କ ପରି କାହିଁକି ହଉଚ ? ରିକ୍‌ସା ତୁମେ ଚଳାଇ ପାରିବ ନାହିଁ—ସେ ଶରୀର ତୁମର ନୁହେଁ । ସେ ସମାଜ ବି ତୁମେ ପାଇନା । ତା ଅପେକ୍ଷା ମୋର କଥା ମାନ । ତୁମେ ଆଉ କିଛି ଚାକିରିର ସନ୍ଧାନ କର ।

 

ମନୋଜ କିଛି ଉତ୍ତର ଦିଏନା, ତାର ଛାତି ଥରାଇ ବାହାରି ଆସେ ଗୋଟିଏ ବିରାଟ ଦୀର୍ଘ ନିଶ୍ୱାସ....

 

ବାଲିଠାରୁ ବାଲିଗଞ୍ଜ !

 

ଏତେ ରାସ୍ତା ବୁଲିବା କଥା ଶୁଣିଲେ ଦିନେ ହସ ଲାଗୁଥିଲା ମନୋଜକୁ । ଏଇକ୍ଷଣି ଆଉ ହସ ଲାଗେନା । ଏଇକ୍ଷଣି ସବୁ ସମ୍ଭବ । ସବୁ ସ୍ୱାଭାବିକ ।

 

ଆହୁରି ଗୋଟିଏ ମାସ କଠିନ ଚେଷ୍ଟା କରି ଚାଲିଲା ମନୋଜ । ଏ ବଜାରରେ ପ୍ରାଣ ଗଲେ ହୁଏତ ପ୍ରାଣ ମିଳେ କିନ୍ତ ଚାକିରି ମିଳେନା ।

 

ଗୋଟିଏ ମାର୍ଚ୍ଚେଣ୍ଟ ଅଫିସରେ କିଛି ଆଶା ପାଇଥିଲା ମନୋନ । କହି ବି ଥିଲା ସେ ଅମୁକ ବ୍ୟାଙ୍କରେ କାମ କରୁଥିଲା ଆଗରୁ । ତାହା ଜାଣିବା ପାଇଁ ସେମାନେ ଅଫିସ ଫୋନ କଲେ ଇମିତି ଗୋଟିଏ ଲୋକପାଖକୁ—ଯିଏ ଏକବାରେ ସ୍ୱୟଂ ମହାପାତ୍ର ।

 

ମହାପାତ୍ର କହିଲେ—କହୁଛନ୍ତି କଣ ? ସେ ଲୋକଟାକୁ ଚାକିରି ଦେବେ ? ଖବରଦାର, ଅଫିସ ତାହେଲେ ରସାତଳକୁ ଯିବ । ସେ ଏକ ଜନ୍ତୁ ମହାଶୟ, ପୁରା କମ୍ୟୁନିଷ୍ଟ ।

 

ଖବରଟା ଜାଣିବା ପାଇଁ ମନୋଜ ସେଦିନ ପହଞ୍ଚିଲା ଯାଇ ମାର୍ଚ୍ଚେଣ୍ଟ ଅଫିସରେ, ତାକୁ ଦେଖିବା ସଙ୍ଗେ ସଙ୍ଗେ ଅଫିସ ଜଣାଇଲା—ଦୁଃଖର ବିଷୟ ପୋଷ୍ଟ ଖାଲି ନାହିଁ । ମଝିରେ ମଝିରେ ଆସି ଖବର ନେବେ ।

 

ୟେ ପୁଣି ଆଉ ଗୋଟିଏ ଚଚାନ୍ତ । ଆଉ ଗୋଟାଏ କୂଟନୀତି । ‘‘ମଝିରେ ମଝିରେ ଆସି ଖବର ନେବେ ।’’ ମୁହଁ ଖୋଲି କହିବେନି, ତୁମକୁ ନେବୁ ନାହିଁ । ମାରିବେ ଖାଲି ବୁଲେଇ ବୁଲେଇ । ଇମିତି ଲୋକ ଏ ବଜାରରେ କେଇଜଣ ବା ଅଛନ୍ତି ଯାର ଧୈର୍ଯ୍ୟ ଆଉ ରସଦ ଦୁଇଟି ଯାକ ମହଜୁତ୍ । ମହଜୁତ୍ ଯଦିବା ଥାଏ—ତେବେ ସେ ଚାକିରିର ପାଇଁ ଜବରଦସ୍ତ ଇମିତି ମଥା ପିଟି ମରିବ କାହିଁକି ? ଏପରି ମିଠା ଭଦ୍ରତା ଅପେକ୍ଷା ତିକ୍ତ ଗଳା ଧକ୍‌କା ବି ଅନେକ ତୃପ୍ତି କର ।

 

ମନୋଜ ସେଠୁ ନମସ୍କାର ଜଣାଇ ବାହାରି ଆସେ । ମନରେ ତାର ଧୈର୍ଯ୍ୟ ଭଙ୍ଗର ଅକ୍ରେଷ୍ଟା ।

 

ଆଉ କେତେଦିନ ପରେ ।

 

ଗୋଟିଏ ଜାଗାରେ ପ୍ରାୟ ଠିକ୍ ହୋଇଗଲା ତାର ଚାକିରି ।

 

କଥା ହେଲା, କାଲିଠାରୁ ଆସି ଯୋଗ ଦେବାକୁ ହେବ କାମରେ । ମନୋଜ ବି ରାଜି ହୋଇ ଘରକୁ ଫେରିଲା । କିନ୍ତୁ ଇମିତି ତାର ଦୁର୍ଭାଗ୍ୟ, ପରଦିନ ଚାକିରିକୁ ବାହାରିବା ସମୟରେ, କମ୍ପ ଦେଇ ଆସିଲା ଜ୍ୱର । ଯାଇ ପାରିଲା ନାହିଁ ସେ ଅଫିସକୁ ।

 

ଯେଉଁଦିନ ଜ୍ୱର କମିଲା, ଯୋଗଦାନ କରିବାକୁ ଗଲା ସେହି ଅଫିସକୁ ସେମାନେ କହିଲେ, ଆଉ ଆପଣଙ୍କୁ ଦରକାର ନାହିଁ । ଲୋକ ନିଆ ସରିଛି । ଯା କଥାରେ ଠିକ୍ ନାହିଁ–ତାର ପୁଣି କାମର ଠିକ୍ କଣ ?

 

ହୋଇ ଯାଇଛି ମାମଲା ଫତେ ! ମନୋଜ ମନମରା ହୋଇ ଫେରିଲା ରାସ୍ତାକୁ । ଭୋକ ଜ୍ୱଳାରେ ପେଟ ଭିତରଟା ଖାଲି କଁ କଁ ହୋଇ ଉଠୁଥିଲା, ମଥାରେ ହେଉଥାଏ ଅସମ୍ଭବ ଯନ୍ତ୍ରଣା । ତଥାପି ତାକୁ ନୀରବରେ ତାହା ହଜମ କରି ପଥ ଅତିକ୍ରମ କରିବାକୁ ହେଉଥିଲା । ଏପରିକି ଟ୍ରାମରେ ଉଠିବାର ଦୁଃସାହସ ବି ତାର ନ ଥିଲା । ପାଖରେ ପଇସା ନ ଥିଲେ ପଇସା ପ୍ରତି କି ନିଷ୍ଠୁର ମମତା ଜାଗେ ? କି ଲୋଭିଲା ଦୃଷ୍ଟି ପଡ଼େ ? ବାରବାର ମନୋଜର ମନେ ହେଉଥିଲା, ଗୋଟିଏ ଦୀନ ହୀନ ଭିକାରୀର ଯାହା ସଞ୍ଚୟ ଅଛି—ତାର ତା’ ବି ନାହିଁ । ଗୋଟିଏ କାଙ୍ଗାଳୀ ମନରେ ଆଜି ଯାହା ସାହସ–ସେ ଗୃହୀ ହୋଇ ବି ତା ମନରେ ସାହସର ଏକାନ୍ତ ଅଭାବ-

 

ଆଉ ପଇସା ପାଖରେ ନ ଥିଲେ ଘରକୁ ଫେରି ବି ପୁରୁଷର ଶାନ୍ତି ନାହିଁ । ଘର ବି ସେଇବେଳେ ତା ନିକଟରେ ଶ୍ମଶାନ ? ତେଣୁ ଗୋଟିଏ ପାର୍କରେ ଯାଇ ସେ ଲମ୍ବଖମ୍ବ ହୋଇ ଶୋଇ ପଡ଼ିଲା—ଶୋଇଗଲା ତମାଳ ଗଛ ଛାଇରେ ମଥା ରଖି ସବୁଜ ଘାସ ଉପରେ ।

 

ଆଃ, କି ଶାନ୍ତି । କିନ୍ତୁ ଏ ଶାନ୍ତି କେତେ ସମୟ ପାଇଁ ?

 

ସଂସାରର ଆବର୍ତ୍ତ ମଧ୍ୟରୁ କେତେ ସମୟ ତୁମେ ପଳାଇଯାଇ ପାରିବ ପଳାତକ ଆସାମୀର ଭଳି ? ଭୀରୁ କାପୁରୁଷର ଭଳି ? ତୁମକୁ ଉଠିବାକୁ ହେବ । ଯାର ଗୃହ ନାହିଁ, ତାର ବନ୍ଧନ ଅଛି । ଯାହାର ଚାକିନୀ ନାହିଁ ତାର ସ୍ତ୍ରୀ ଅଛି । ଉଠିବାକୁ ହେଲା ମନୋଜକୁ । ଆଉ ପାର୍କରୁ ଯେତେବେଳେ ସେ ବାହାରେ ସେତେବେଳେ ପ୍ରାୟ ସନ୍ଧ୍ୟା ।

 

ସନ୍ଧ୍ୟା ସମୟରେ କଲିକତାର ସୌନ୍ଦର୍ଯ୍ୟ ସ୍ୱତନ୍ତ୍ର । ଦି’ ପହରରେ ଶୋଇ ରହେ ଅଫିସର ଫାଇଲ ଭିତରେ । ବିରାଟ ପ୍ରାସାଦର କର୍ମମୟ ଆବେଷ୍ଟନୀର ଅନ୍ତରାଳେ । ସନ୍ଧ୍ୟାର ସହର ଛୁଟି ଚାଲେ ଜାହାଜ ଯାତ୍ରୀଙ୍କ ଭଳି । ସେଇବେଳେ ସେ ମୌନ ନୁହେଁ, ମୁଖର । ନିଭୃତ ନୁହେଁ, ନିଶ୍ଚିତ ରୂପେ ପ୍ରକାଶମାନ । ଗର୍ଜନ କରି ଛୁଟି ଚାଲେ ବସ୍ । ଘଣ୍ଟା ବଜାଇ ଦୌଡ଼େ ଦୂରନ୍ତ ବେଗରେ ଟ୍ରାମ । ଆଉ ଏକ ଶ୍ରେଣୀର ଝିଅମାନେ ଛୁଟନ୍ତି ଅଫିସ ଆଡ଼କୁ । ସଂସ୍କୃତି କ୍ଲବର ରିହାଲସଲ ଚାଲିବ ସେଠାରେ ରାତି ନଅଟା ପର୍ଯ୍ୟନ୍ତ । ଯୁବକମାନେ ମଦିରା ସଙ୍ଗସୁଖ ଲାଭ କରି ହୋଇ ଉଠିବେ ଆତ୍ମହରା । ଦି’ପହରର ଘୁମନ୍ତ ସମହ ଚିତ୍ର ବିଚିତ୍ର ହୋଇ ଜାଗି ଉଠେ ସବୁଜ ସନ୍ଧ୍ୟାରେ ।

 

ଆଉ ଠିକ୍ ଏହି ସମୟରେ ମନୋଜର ଦୃଷ୍ଟି ଆବଦ୍ଧ ହେଲା ଆଦ୍ଧବ ଗୋଟିଏ ଅଦ୍ଭୁତପୂର୍ବ ଦୃଶ୍ୟ ଉପରେ ।

 

ମିସ୍‌ ଲୀନା ମାରଗାର । ଲୀନା ଚାହିଁଛି ଧାବମାନ ଟାକ୍‌ସି ଚାଳକର ପଛରେ ବସି । ମଥାର ଅବାଧ୍ୟ କେଶରାଶିକୁ ଶାସନ କରିବାକୁ ବାନ୍ଧିଛି ସେ ରଙ୍ଗିନ୍ ସିଲ୍‌କର ରୁମାଲ । ଦେହବାସ ପବନରେ ଫୁଲି ଫୁଲି ଉଠୁଛି । ଆଉ ତାକୁ ଉଡ଼ାଇ ନେଇ ଯାଉଛି ଏକ ସୁପୁରୁଷ ସାହେବ ।

 

ଠିକ୍ ଏଇ ରକମ ଦୃଶ୍ୟ ଆଉ ଦିନେ ସେ ଦେଖିଥିଲା । ସେ ଦିନ ରବିବାର ଅପରାହ୍ନ । ଲୀନା ସେଦିନ ମଟରରେ ବସି ଯାଉ ନଥିଲା, ଯାଉଥାଏ ପାଦରେ ଚାଲି । ଆଉ ଏହି ସାହେବଟା ଲୀନାକୁ ସାଥିରେ ନେଇ ଚାଲୁଥିଲା ହାତରେ ଲୀନାର କଟିଦେଶ ବେଷ୍ଟନ କରି । ଆଉ ଟିକିଏକ ପରେ ହୁଏତ ଲୀନା ତାକୁ ଦେଖି ପାରିଥାନ୍ତା । ସେଦିନର ସେଇ ଇଚ୍ଛା ମଧ୍ୟରୁ ଭଗବାନ ତାକୁ ଖୁବ୍ ବଞ୍ଚାଇଛନ୍ତି । ଲୀନା ତାକୁ ଦେଖିନି କିନ୍ତୁ ମନୋଜ ଲୀନାକୁ ଦେଖିଛି ।

 

ଆଜି ସେ ଦେଖିଲା, ଆଉ ନମସ୍କାର ଜଣାଇଲା ଲୀନାକୁ । କି ସାଙ୍ଘାତିକ ଭାବରେ ସୃଷ୍ଟି କରିଛନ୍ତି ବିଧାତା । ଦିନେ ମନୋଜର ପ୍ରାଣ ଭିତରେ ଥିଲା କେତେ ସୁନେଲି ସ୍ୱପ୍ନ—କେତେ ରଙ୍ଗିନ ଆକାଂକ୍ଷା ! ନିମିଷକେ ତା ଧୂଳି ସତ୍ କରିଦେବାକୁ ପଛେଇଲାନି, ଏହି ଛଳନାମୟୀ ପ୍ରେମହୀନା ତରୁଣୀ । ପଢ଼ିବା ବାହାନାରେ ଡାକନେଇ ତାକୁ କି ଭାବରେ ଲୁବ୍‌ଧ ନ କଲା । ଆଉ ଲୁବ୍‌ଧ କରିବା ସଙ୍ଗେ ସଙ୍ଗେ କି ଦାରୁଣ ଅପମାନ ଦେଇ କୁକୁରର ଭଳି ତଡ଼ିଦେଲା ବାହାରକୁ ! ଏତେଟା ମନୋଜ ଆଶା କରି ନ ଥିଲା । ମନୋଜ ତାର କି କ୍ଷତି କରିଛି ? ତାର କାଜିନ୍‌କୁ କଞ୍ଚାଇଛି ଅସମୟରେ ବନ୍ଧୁ ହୋଇ ଗୋଟିଏ ପଇସା ପର୍ଯ୍ୟନ୍ତ ଲୀନା ନିକଟରୁ ସେ ଗ୍ରହଣ କରିନି, ତାର ବିନିମୟ, ତାର ପରିଣାମ କଣ ଏଇଆ ! ଛାଡ଼, ଲୀଳା ହେଉଛି ଚାକିରିର ଦାନ, ମଉସୁମ୍‌ମ ଯେମିତି ବର୍ଷାର । ଚାକିରି ଯେତେବେଳେ ଯାଇଛି ଲୀନାକୁ ଭୁଲିଯିବା ବି ଏଇକ୍ଷଣି ସହଜ । ଏଇକ୍ଷଣି ଲୀନା ନାହିଁ—ଅଛି ପୁଷ୍ପା । ସ୍ନେହ ନାହିଁ—ଅଛି ମମତା ।

 

ଦରଜା ପାଖରେ ପାଦ ଦେଇଛି କି ନା ପୁଷ୍ପା ଛୁଟି ଆସିଲା । ମୁଖରେ ତାର ଆଶାର ଛାୟା । ସେ ବୋଧେ ଭାବିଥିଲା ସ୍ୱାମୀ ତାର ଫେରିଛନ୍ତି ଚାକିରି ପାଇ ।

 

ମନୋଜ ବିଷର୍ଣ୍ଣ ବଦନରେ ଚାହିଁଲା ପୁଷ୍ପା ଆଳକୁ ।

 

—ହେଲା ନାହିଁ । ଯାର କଥାର ଠିକ୍ ନାହିଁ—ତାର ପୁଣି କାମର ଠିକ୍ କଣ ?

 

ଯେମିତି ଆଘାତଟା ଲାଗିଲା ମନୋଜ ଠାରୁ ପୁଷ୍ପା ମନରେ ବେଶି । ତୋଫା ମୁହଁଟି ସଙ୍ଗେ ସଙ୍ଗେ ତାର କଳା ପଡ଼ି ଉଠିଲା ।

 

—ଫେରିବାକୁ ତାହେଲେ ଏତେ ଡେରି ହେଲା କାହିଁକି ?

 

—ବୁଲୁଥିଲି, ଆଉ କ’ଣ କରିବି ?

 

—ତୁମର ଖଣ୍ଡିଏ ଚିଠି ଆସିଛି ଆଜି ।

 

—କାହିଁ ଆଣିଲ ।

 

ପୁଷ୍ପା ଖାମ୍‌ଟା ଆଣି ମନୋଜ ହାତରେ ଦେଇ ଅପେକ୍ଷା କରିବାକୁ ଲାଗିଲା । ଲଫାପା ଖୋଲି ମନୋଜ ଚିଠି ପଢ଼ିଲା । କିନ୍ତୁ ମୁହଁରେ ତାର ଏପରି କୌଣସି ଭାବ ଦେଖା ଦେଲା ନାହିଁ–ଯା ଦେଖି ଅନୁମାନ କରାଯିବ, କିଛି ଆଶାର ଖବର ବା ଆନନ୍ଦର ଖବର ଅଛି ସେଥିରେ, ତାର ମୁଖମଣ୍ଡଳଟି ଆହୁରି ବିଷାଦରେ ଭରି ଉଠିଲା ।

 

ଅନେକ ସମୟ ସ୍ଥିର ଭାବରେ ରହି ପୁଷ୍ପା ପ୍ରଶ୍ନ କଲା—

 

—କାର ଚିଠି ?

 

ମ୍ରିୟମାଣ ମନୋଜ କହିଲା ଖୁବ୍ ଦରଦଭରା କଣ୍ଠରେ—

 

—ଓକିଲର । ଘରବାଲା ପକ୍ଷରୁ ଓକିଲ ଜଣାଇଛି ଏହି ଦଶ ଦିନ ମଧ୍ୟରେ ସମସ୍ତ ଭଡ଼ା ଚୁକ୍ତି ନ କଲେ, ସେ କେଶ୍ ମୋ ଉପରେ କରିବ । ଏଇଟା କେବଳ ବାକୀ ଥିଲା ।

☆☆☆

 

ତା’ ପରଦିନ । ମନୋଜ ଚାକିରିର ଅନୁସନ୍ଧାନରେ ବାହାରିଗଲା । ବହୁ ଜାଗା ବୁଲିବୁଲି ତା’ର ଗୋଡ଼ ଦୁଇଟା ଥକି ପଡ଼ିଲାଣି । ରାତି ସେତେବେଳକୁ ପ୍ରାୟ ନଅଟା । ଭାରି ଶୋଷ ହେଲାଣି ଟିକିଏ ଚା ଖାଇବ । ପକେଟ ଅଣ୍ଡାଳିଲା । ପଇସା କାହିଁ ? ଥିଲା ଖଣ୍ଡିଏ କାର୍ଡ । ସେଥିରେ ଲେଖାଥିଲା ମହାପାତ୍ରଙ୍କର ନାମ ଓ ଠିକଣା ।

 

ମନୋଜ ମନ ଭିତରେ ଯେମିତି କିଏ ନିଆଁ ଧରେଇ ଦେଲା । ତେବେ କ’ଣ ମିଃ ମହାପାତ୍ର ଆସନ୍ତି ତା’ର ଅନୁପସ୍ଥିତିରେ । ଏହି ବିଷୟ ନେଇ ଅଭିଯୋଗ କରିଥିଲେ ଦିନେ ପଡ଼ୋଶୀ ଘରର ସେଇ ଭଦ୍ରଲୋକଟି ! ସେଇବେଳେ ମନୋଜ ଘୃଣାକ୍ଷରରେ ବି ମଥା ଖେଳାଇନି ପୁଷ୍ପାର ଚରିତ୍ର ସମ୍ବନ୍ଧରେ । ମନରେ ଭାବିଥିଲା—ଘଟଣାଟା ମିଥ୍ୟା, ସମ୍ପୂର୍ଣ୍ଣ ଭାବରେ ଅତିରଞ୍ଜିତ-। କିନ୍ତୁ ଆଜି—ଏଇକ୍ଷଣି ଏଇ କାର୍ଡଖଣ୍ଡିକ ସଦ୍ୟ ବିଷକ୍ରିୟା ସୃଷ୍ଟି କରିଛି ତା’ର ଶିରା ପ୍ରଶିରା–ନିଆଁ ଲଗାଇ ଦେଇଛି ତା ରକ୍ତରେ । ମନେ ହେଉଛି, ସେ ଭଦ୍ର ଲୋକର କଥା ଅକ୍ଷରେ ଅକ୍ଷରେ ସତ୍ୟ । ମିଃ ମହାପାତ୍ର ଆଲିଙ୍ଗନ କରିଥିଲେ ପୁଷ୍ପାକୁ–ଆଉ ପୁଷ୍ପା ତାହା ଅନୁଭବ କରିଛି ପରମ ସ୍ୱସ୍ତିରେ । ପୁଷ୍ପା ତାହା ବାଧା ଦେଇନି—ସ୍ୱାମୀଙ୍କ ମୁଖକୁ ଅନାଇ ଟିକିଏ ହେଲେ ବି ଆପତ୍ତି ଜଣାଇନି । ନା ନା, ମନୋଜ ଏହିକ୍ଷଣି ପୁଷ୍ପାର ସ୍ୱାମୀ ନୁହେଁ—ପୁଷ୍ପାର କେହି ନୁହେଁ । ସେ ଉପଯୁକ୍ତ ଜବାବ ଚାହିଁବ ଆଜି ତା ପାଖରୁ—ଉପଯୁକ୍ତ ଉତ୍ତର । ସେଥିରେ ସେ ଯଦି ଖୁସି ହୋଇପାରେ ତେବେ ତା’ର ସଂସାର—ତାର ସମାଜ—ତା’ର କର୍ତ୍ତବ୍ୟ ! ନହେଲେ ଏହି ପ୍ରଳୟରେ ସଙ୍ଗେ ସଙ୍ଗେ ସବୁ ଭାସିଯାଉ । ଭାସିଯାଉ ପୁଷ୍ପା ତୁଚ୍ଛ ଗୋଟିଏ ଛଣ କୁଟା ଭଳି-

 

ମନୋଜ ପହଞ୍ଚିଲା ଆସି ବସାରେ । ଶୋଷରେ ତାର ତଣ୍ଟି ଶୁଖି ଯାଉଛି, ଜଳ ଦର୍କାର-। ଗ୍ଲାସେ ଥଣ୍ଡା ଜଳ ! କିନ୍ତୁ କିଏ ଦେବ ? କାହାକୁ ହୁକୁମ କରିବ ସେ ? ପୁଷ୍ପାକୁ ଜଳ ମାଗିବ ? ନା, ତା’ ଅପେକ୍ଷା ନିଜେ ଆଣି ପିଇବା ଭଲ । ସ୍ୱାବଲମ୍ବି ହେବାକୁ ଶିଖୁ ସେ । ପୁଷ୍ପାକୁ କୌଣସି କଥାରେ ଆଉ ସେ ପ୍ରଶୟ ଦେବାକୁ ରାଜି ନୁହେଁ ।

 

ମନୋଜ ନିଜେ କୁଞ୍ଜଟାକୁ ଟାଣି ଆଣିଲା, କିନ୍ତୁ ଏ କଣ ! ଜଳ କାହିଁ ? ଟୋପିଏ ହେଲେ ବି ଜଳ ଯେ ପୁଷ୍ପା କଳରୁ ଆଣି ରଖିନି.... !

 

ପଶୁ ଭଳି ସେ ଖାଲି ଚାହିଁ କହିଲା । ଆଖି ବୁଲାଇ ନେଲା ଥରେ ଚାରି ଆଡ଼କୁ । କିନ୍ତୁ ଆଶ୍ଚର୍ଯ୍ୟ ! ପୁଷ୍ପା କୁଆଡ଼େ ଗଲା ? କୁଆଡ଼େ ଗଲା ସେ ଘର ଛାଡ଼ି ?

 

ପୁଷ୍ପା କୁଆଡ଼େ ଯାଇନି । ନିଶ୍ଚୟ ସେ ଏଇଠି କେଉଁଠି ଅଛି । ତା’ର କ୍ଷୁଦ୍ର ପରିଧି ମଧ୍ୟରେ ସେ ତନ୍ନ ତନ୍ନ କରି ଖୋଜି ଆସିଲା ।

 

ଠନ୍‌ ଠନ୍ ହେଇ ରାତି ଦଶଟା ବାଜିଲା ଯେମିତି କେଉଁ ଘଡ଼ିରେ । କିନ୍ତୁ ପୁଷ୍ପାକୁ ସେ କେଉଁଠି ଖୋଜି ପାଇଲାନି । ତେବେ କ’ଣ.... ?

 

ମୁହୂର୍ତ୍ତକ ମଧ୍ୟରେ ମନୋଜ କଠିନ କଠୋର ହୋଇ ଉଠିଲା । ହାତ ଦୁଇଟି ହେଲା ତାର ମୁଷ୍ଟିବଦ୍ଧ—ଦୃଷ୍ଟି ହେଲା ତା’ର ଘାତକର—ମନ—ଭିତରେ ଚେଇଁ ଉଠିଲା ତାର ଶୟତାନ !

 

ଯା ହେଉ, ଗୋଟାଏ କିଛି ପ୍ରତିକାର କରିବାକୁ ହେବ । ନିଜର ପଥ ତାକୁ ପରିଷ୍କାର କରିନେବାକୁ ହେବ ଏଇକ୍ଷଣି । ରାଗରେ ଅଗ୍ନିବାଣ ହୋଇ ମନୋଜ ଘରୁ ବାହାରି ଆସିଲା । ବାହାରକୁ ଦୌଡ଼ିଆସି ଠିଆ ହେଲା ରାସ୍ତାରେ । ଠିକ୍ ସେହି ସମୟରେ ଦେଖିଲା ପୁଷ୍ପା ପଶି ଆସୁଛି ଘର ଭିତରକୁ ।

 

କେତେବେଳୁ କେଉଁଠିକି ଯାଇଥିଲା କିଏ ଜାଣେ । ଘରକୁ ଫେରୁଛି ଏତେ ରାତିରେ—ଏଇ ରାତି ଦଶଟାରେ । କେଉଁ ସ୍ୱାମୀ ଏହା ବରଦାସ୍ତ କରିପାରେ ?

 

ମନୋଜ ତାକୁ ଦେଖିବାକ୍ଷଣି ଫେରି ଆସିଲା ଘର ଭିତରକୁ । ପୁଷ୍ପା ଘରକୁ ପଶି ଆସିବା ସମୟରେ ଗର୍ଜନ କରି କହି ଉଠିଲା—

 

—ସେଇଠି ଠିଆ ହ—! ଘରକୁ ଗୋଡ଼ ବଢ଼ାନା ।

 

—କାହିଁକି ? କଣ ହୋଇଛି ? କାହିଁକି ପଶି ପାରିବିନି ଶୁଣେ ?

 

ମନୋଜ ଆହୁରି ବଡ଼ ପାଟିରେ କହି ଉଠିଲା—

 

—ନା, ପଶି ପାରିବୁ ନାହିଁ । ମୁଁ ଯାହା କହୁଛି—ତାହା ତୋତେ ମାନିବାକୁ ହେବ । ତୋର କଥା ମୁଁ ଶୁଣିବାକୁ ବାଧ୍ୟ ନୁହେଁ ।

 

ଅବାକ୍ ବିସ୍ମୟରେ ଚାହିଁରହିଲା ପୁଷ୍ପା । ଆଜି ଏ କି ମୂର୍ତ୍ତି ତା ସ୍ୱାମୀର ? ଏ ରକମ ଅବସ୍ଥାରେ କେବେହେଲେ ତ ସେ ଦେଖିନି ତାଙ୍କୁ ।

 

ଅଭିମାନ ଯେପରି ଜଳ ସ୍ତମ୍ଭର ରୂପ ନେଲା ପୁଷ୍ପା ଅନ୍ତରରେ । ପୁଷ୍ପା ବି ରହି ପାରିଲାନି । ଇଷତ୍ ଚିତ୍‌କାର କରି କହି ଉଠିଲା ସେ—

 

—କେଉଁଦିନ ତୁମ କଥାରେ ଅବାଧ୍ୟ ହୋଇଚି ମୁଁ—ଦେଖେଇ ପାରିବ ? ମିଛରେ ଏମିତି ତର୍ଜନ ଗର୍ଜନ କରୁଛ କାହିଁକି ?

 

ଚକ୍ଷୁ ଦୁଇଟି ତାର ଲୁହରେ ଚକ୍ ଚକ୍ କରି ଉଠିଲା । ଚକ୍ ଚକ୍ ହୋଇ ଉଠିଲା ଯେମିତି ଅନ୍ଧାରରେ ମାନ-ସରୋବର । ସେଆଡ଼କୁ ତାର ଭୃକ୍ଷେପ ନଥିଲା ମନୋକର । ଚାପୁଡ଼ା ଉଠାଇ ଧାଇଁଗଲା—

 

—ମୋର ଅନୁପସ୍ଥିତିରେ ଅବାଧ୍ୟ ହୋଇନୁ, କିନ୍ତୁ ମୋ ଆଖିରେ ଧୂଳି ଫିଙ୍ଗି ମହାପାତ୍ର ସାଙ୍ଗରେ.....

 

—ଇମିତି କଥା ତୁମେ କହି ପାରିଲ ମୋତେ ।

 

—ହଜାରବାର କହିବି । ତୁ କଣ ମନେ କରିଛୁ, ମୁଁ ଘାସରେ ମୁହଁ ଦେଇ ଚାଲେ ? କିଛି ବୁଝେନା ? ସେଦିନ ସେ ପଡ଼ିଶା ଘରର ଭଦ୍ର ଲୋକଙ୍କ କଥା ମିଛ ବୁଝିଥିଲି....

 

—ଠିକ୍ ଜାଣିଚ ତାହେଲେ ! ପର ମୁହଁରୁ ମିଛକଥା ଶୁଣି ତୁମେ ତାହେଲେ ଏତେ ଗରମ ! କିନ୍ତୁ ମୁଁ ଯେ ନିଜ ଆଖିରେ ଦେଖିଛି, ତୁମେ ଗୋଟିଏ ଖ୍ରୀଷ୍ଟାନ୍ ଝିଅ ପ୍ରେମରେ ମଜଗୁଲ ହୋଇ ତା’ର ନରମ କୋଳରେ ମଥା ଥୋଇ...

 

ଅବାକ୍ ହୋଇଗଲା ମନୋଜ । କେତେ ସମୟ ପାଇଁ ତାର ଜବାବ୍ ଦେବାର କ୍ଷମତା ଲୋପ—ପାଇଗଲା । ପର ମୁହୂର୍ତ୍ତରେ ଗର୍ଜି ଉଠି କହିଲା–ମୋତେ ଫାଙ୍କି ଦେବାପାଇଁ ଏ ସବୁ ତୋ’ର ଫିକର । ମୋତେ ଜବାବ ଦେ—ଏତେ ରାତିରେ କୁଆଡ଼େ ଯାଇଥିଲୁ ?

 

—ମୁଁ କହିବିନି ।

 

—ତୋତେ କହିବାକୁ ହେବ ।

 

ରାଗ ସମ୍ଭାଳି ପାରିଲାନି ମନୋଜ । ରାଗ ହେଉଚି ଚଣ୍ଡାଳ ଭଳି । କ୍ରୂର ନୃଶଂସ ହୋଇ ସେ ହାତରେ ଧରିଥିବା କଂସା ଗ୍ଲାସଟାକୁ ତ୍ରୁଟି ଦେଲା ପୁଷ୍ପାର କପାଳକୁ । ରକ୍ତର ସୁଅ ସହିତ ପୁଷ୍ପାର ଅବରୁଦ୍ଧ ଅଭିମାନ ବି ଶତଧାରରେ ଲୁହ ହୋଇ ଝରି ପଡ଼ିବାକୁ ଲାଗିଲା । ଖାଲି କାନ୍ଦିବାକୁ ଲାଗିଲା ସେ ଅସହାୟ ଶିଶୁଟି ଭଳି । ଯେତେ କାନ୍ଦଣା, ତେତେ ରକ୍ତ.... ।

 

ଘୃଣାରେ ମୁଖ ଫେରାଇ ନେଲା ମନୋଜ..... । ଯା, ଦୂର ହୋଇ ଯା ଏଠାରୁ ! ଦୂର ହୋଇ ଯା ମୋ ଆଖି ଆଗରୁ ।

 

—ଦୂର ହୋଇ ଯାଉଛି । ଦୂର ହୋଇ ଚିରଦିନ ପାଇଁ ଚାଲି ଯାଉଛି ତୁମର ଆଖି ଆଗରୁ । କେତେଥର ମୋର ଭାଇ ମୋତେ ନେଇ ଯିବାକୁ ଚାହିଁଛନ୍ତି । ସେଇବେଳେ ଯାଇ ନ ଥିଲି, ଖାଲି ପଡ଼ି ରହିଥିଲି ତୁମରି ମାୟାରେ । ଦିନେ ହେଲେ ବି ତୁମର ଭଲ ଛଡ଼ା ଖରାପ ଚାହିଁନି–ତୁମର ମଙ୍ଗଳ ଛଡ଼ା ଅମଙ୍ଗଳ କାମନା କରିନି । ତା’ର ଉପଯୁକ୍ତ ଫଳ ଆଜି ଦେଇଛ ତୁମେ-! ଥାଅ, ଭଗବାନ ତୁମର ମଙ୍ଗଳ କରନ୍ତୁ । ଏ ଜୀବନରେ ଯେମିତି ତୁମକୁ ସ୍ୱାମୀ ବୋଲି ପାଇଛି, ପର ଜୀବନରେ ଯେମିତି ସେହିପରି ତୁମକୁ ପାଏଁ । ଆଉ ମୁଁ କିଛି ଚାହେଁନା । ତୁମର ମଙ୍ଗଳ ହେଉ ।

 

ତାପରେ ସେହି ରକ୍ତାପ୍ଳୁତ ଅବସ୍ଥାରେ ଧୀରେ ଧୀରେ ସେ ବାହାରିଗଲା । ମନୋଜ ତାକୁ ଆଉ ଡାକିଲା ନାହିଁ ପଛରୁ ।

 

ସେତେବେଳକୁ ଅନ୍ଧାର କଟିଯାଇ ଆକାଶ ଛାତିରେ ଜହ୍ନ ଉଠିଛି....କୃଷକ ଦାଆ ଭଳି ଦ୍ୱିତୀୟାର ବଙ୍କା ଜହ୍ନ... !

 

ଦେଖୁ ଦେଖୁ ଭୋର ହୋଇଗଲା ।

 

କେତେ ପ୍ରଳୟର କେତେ ଭୀଷଣ ରାତି ତ ଶେଷ ହୋଇ ଯାଇଛି—ୟେତ ତୁଚ୍ଛ ଗୋଟାଏ ରାତି । ସକାଳ ହେଲା । ପୃଥିବୀ ଜାଗିଲା ଆଉ ନିଦ ବି ଭାଙ୍ଗିଲା ମନୋଜର । ନିଦ ଭାଙ୍ଗିବାରୁ ମନଟା ତା’ର କେମିତି କେମିତି କରି ଉଠିଲା ।

 

ସତରେ କଣ ପୁଷ୍ପା ନାହିଁ ? ପୁଷ୍ପା କଣ ସତରେ ଚାଲି ଯାଇଚି ତା’ ଘର ଛାଡ଼ି ? ମନୋଜ ଉଠି ପଡ଼ିଲା । ତନ୍ନ ତନ୍ନ କରି ଅନୁସନ୍ଧାନ କରି ଆସିଲା ଘରର ଚାରିଆଡ଼େ । ସତରେ ପୁଷ୍ପା ଚାଲି ଯାଇଛି । କିନ୍ତୁ କୁଆଡ଼େ ଗଲା ସେ ? କଲିକତାର କେଉଁ ରାସ୍ତା—ଘାଟ ବା ସେ ଚିହ୍ନେ-? କାଲି ରାତିରେ ସେ କୁଆଡ଼େ ଯାଇଥିଲା । କି ଅଟକ ପ୍ରତିଜ୍ଞା ତା’ର । ଭାଙ୍ଗିଗଲା ତଥାପି ନଇଁଲା ନାହିଁ ।

 

ସକାଳ ସାତଟା ବାଜୁ ନ ବାଜୁଣୁ ଗୋଟିଏ ବୁଢ଼ୀ ଆସି ହାଜର ହେଲା ।

 

—ବାବା, ଝିଅ ମୋର କେଉଁଠି ଅଛି, ତାକୁ ଟିକିଏ ଡାକିଦେଲୁ ?

 

—ଝିଅ ? ଝିଅ କିଏ ?

 

—ଏଇ ଆମ ପୁଷ୍ପା ।

 

—ଆପଣଙ୍କୁ ତ ଚିହ୍ନି ପାରୁନି ।

 

—ମୋତେ ଚିହ୍ନିବ କିମିତି ବାବା ? ମୁଁ ଆସିଲା ବେଳକୁ ତ ତୁମେ ଆଉ ଘରେ ନ ଥାଅ । ତୁମେ ଅଫିସକୁ ଯାଇ ଥାଅ ସେଇବେଳେ । ଝିଅଟି ମୋର ଭାରି ଭଲ ବାବା ।

 

—ତା ସହିତ ଆପଣଙ୍କର ଚିହ୍ନା ହେଲା କେମିତି ?

 

—ଏଇ ପଡ଼ାରେ ରହେ, ଚିହ୍ନା ହେବନି ? ଏଇ ତ ପାଞ୍ଚୋଟି ଘର ବାଦ ଦେଇ ଆମ ଘର । ମୁଁ ଅନେକ ଦିନ ହେଲା ଏଠାକୁ ଯିବା ଆସିବା କରେ । ଝିଅ ବି ବେଳେ ବେଳେ ଆମ ଘରକୁ ଯାଏ । ହଁ ବାବା, ମୋର ତେଣେ କେତେ କାମ ଅଛି, ଝିଅକୁ ଟିକିଏ ଡାକି ଦେଲ ।

 

—ସିଏ ନାହିଁ ।

 

—କୁଆଡ଼େ ଯାଇଛି ?

 

—କାଲି ରାତିରେ ମୁଁ ତାକୁ ମାରି ତଡ଼ି ଦେଇଛି ।

 

—ସେ କଣ କହୁଚ ବାବା ! ଇମିତି ଲକ୍ଷ୍ମୀ ପ୍ରତିମାକୁ ମାଡ଼ ଦେଇ ତଡି ଦେଲ ? ତୁମେ ମିଛ କହୁଚ ବାବା ! ତାକୁ ଡାକ, ମୁଁ ଥରେ ଦେଖିଦେଇ ଯାଏଁ ।

 

—ଏତେ ବ୍ୟସ୍ତ ହେଉଛନ୍ତି କାହିଁକି ? ତା ସାଙ୍ଗରେ ଆପଣଙ୍କର ଦରକାର କଣ ?

 

—କାଲି ରାତି ଦଶଟା ହେଲାଣି । ଆମ ଘରକୁ ଯାଇ କହିଲା, ‘‘ମାଉସୀ ! ସେରେ ଚାଉଳ ଧାର ଦେବ ? ଆଜକୁ ଦୁଇଦିନ ହେବ, ଖାଡ଼ା ଖାଡ଼ା ଉପାସ । ମୋ ପାଇଁ ମାଗୁନାହିଁ, ରାତିରେ ଫୁଟେଇ ତାଙ୍କୁ ଦୋ’ଟି ଖୋଇବି ।’’ ଇମିତି କପାଳ ଯେ, ଚାଉଳ ତ ଦୂରର କଥା, ମୁଠେ ଅଟା ବି ଦେଇ ପାରିଲିନି । ଆଜି ରେସନ ଆସିବ, ତେବେ ଯାଇ ହାଣ୍ଡି ଚୁଲିକି ଉଠିବ । ମୁଁ, ଭାସ୍କର ସାହୁ ଦୋକାନରୁ ବାକୀ କରି ତା ପାଇଁ ସେରେ ଚାଉଳ କାନିରେ ବାନ୍ଧି ଆଣିଛି । ଏଇ ରକମ ଦୁଃଖ କଷ୍ଟରେ କେମିତି ଯେ ଝିଅଟା ମୋର ଘର ଚଳାଉଛି, ସେ କଥା ତୁମେ କୁଆଡ଼ୁ ବୁଝିବ ? ଅନେକ ଥର ସେ ତୁମକୁ ଲୁଚେଇ, ମତେ ପତରରେ ଠୁଙ୍ଗା ବନେଇଁ ଦେଇଛି, ମୁଁ ତାକୁ ବଜାରରେ ବିକି ପଇସା ଆଣି ଦିଏ । ଛିଟ କନା କିଣି ଆଣିଦିଏ, ସିଏ ସେଥିରେ ଜାମା ତିଆରି କରି, ମୋରି ହାତରେ ବିକିବାକୁ ଦିଏ । ମାଇକିନିଆ ଝିଅ, ଅଭାବ ସାଙ୍ଗରେ ଆଉ କେତେ ଯୁଝନ୍ତା.... ?

 

ମନୋଜର ଆଖି ଦୁଇଟା ଛଳ ଛଳ ହୋଇ ଉଠିଲା ।

 

—ମାଉସୀ ! ମୁଁ ଖଳ ଲୋକଙ୍କ କଥା ଶୁଣି ତାକୁ ମାରିଛି....ମାରି ତା ମୁଣ୍ଡ ଫଟାଇ ଦେଇଛି....ତାକୁ ତଡ଼ି ଦେଇଛି ଘରୁ । ତମେ ଆଗରୁ କାହିଁକି ଏ ସବୁ ମୋତେ କହିଲନି ?

 

—ବାବା ! ତୁମେ ଭଲ କାମ କଲ ନାହିଁ....ମା’କୁ ମୋର ଘରୁ କାଢ଼ି ଦେଲ..

 

ବୁଢ଼ୀର ଅନ୍ତର ଫାଡ଼ି ଦି’ ଟୋପା ଲୁହ ବହି ଆସିଲା । ବୁଢ଼ୀ ଚାଉଳ ବୁଜୁଳିଟି ଧରି ଫେରିଗଲା । ....ଯେମିତି ବୁଢ଼ୀର ନିଜ ଝିଅ କାନ୍ଦି ବିଦାୟ ନେଇଛି ବୁଢ଼ୀର କୋଳ ଖାଲି କରି ।

☆☆☆

 

ଟେବୁଲ ଉପରେ ଥୁଆ ହୋଇଛି ବିଭିନ୍ନ ରକମର ମଦ ବୋତଲ ମିଃ ମହାପାତ୍ର ତାର ସଦ୍‌ବ୍ୟବହାରରେ ଲାଗି ପଡ଼ିଛନ୍ତି । ସହସା ବିଜୁଳି ପରି ଆସି ଠିଆହେଲା ପୁଷ୍ପା । ମଥାର କେଶରାଶି ବିଶୃଙ୍ଖଳ.....ଚକ୍ଷୁର ଚାହାଣୀରେ ବନ୍ୟା...ବେଶଦାମ ଅସଞ୍ଜତ...ରକ୍ତାକ୍ତ ।

 

ଏତେଟା ଆଶାକରି ନ ଥିଲେ ମିଃ ମହାପାତ୍ର । ଯାହାକୁ ପ୍ରତିଦିନ ପ୍ରତି ରାତ୍ରିରେ ମନର ମାଧୁରୀ ମିଶାଇ ସେ ପୁଷ୍ଟ କରିଛନ୍ତି, ବାସନା କରିଛନ୍ତି ତାନ୍ତ୍ରିକ ଭଳି, ଆଜି ଆପେ ଆପେ ଆସିଛି ସେହି ମାନସୀ...ସମ୍ଭୋଗର ସୁଧାପାତ୍ରୀ ।

 

ପୁଷ୍ପା ଆଉ ଟିକିଏ ସାମ୍ନାକୁ ଆଗେଇ ଆସି କହିଲା—

 

ମୁଁ ଆସିଛି ! ତଳେ ଟେକ୍‌ସି ଠିଆ ହୋଇଛି, ତାର ଭଡ଼ାଟା ଦେଇ ଦିଅନ୍ତୁ ।

 

ଏ କି କଥା ଶୁଣୁଛନ୍ତି ମିଃ ମହାପାତ୍ର ? ପୁଷ୍ପା ଆସିଛି, ଏହା କଣ ସତ୍ୟ !

 

ମିଃ ମହାପାତ୍ର ଟେକ୍‌ସି ଡ୍ରାଇଭରକୁ ଡାକି ତାର ପଇସା ତାକୁ ଦେଇ ଖଣ୍ଡିଏ ଚେୟାର ଉପରେ ବସି କବିତାଟି ଆବୃତ୍ତି କଲେ ।

 

‘‘ମୋହରି ଚକ୍ଷୁର ବିଜୁଳି ଉଜ୍ଜ୍ୱଳେ ଆଲୋକେ

ହୃଦୟେ ତୁମର ଝଞ୍ଜାର ମେଘ ଝଲକେ ।’’

 

ତା’ପରେ ଟିକିଏ ଗମ୍ଭୀର ହୋଇ କହିଲେ—

 

—ସ୍ୱାମୀର ଚାକିରି ପାଇଁ ଛୁଟି ଆସିଲେ ବୋଧେ ?

 

—ଚାକିରି ତ ତାଙ୍କର ଅନେକ ଦିନରୁ ନେଇ ସାରିଛନ୍ତି । ସେଥିପାଇଁ ଆସିଥିଲେ ତ ଅନେକ ଆଗରୁ ଆସିଥାନ୍ତି ।

 

—ତା’ ହେଲେ ଘଟଣା କଣ ? ହଠାତ୍ ଏହି ଦୁଷ୍‌କୃତର ପ୍ରତି ଏତେ ଉଦାରତା କାହିଁକି-?

 

—ଉଦାରତା ନ ଦେଖାଇ ଆଉ ରହି ପାରିଲି କେଉଁଠି ? ଭୁଲିଯାଇଛନ୍ତି

 

—ସେଦିନ ଆପଣ କହି ଆସିଥିଲେ, ‘ଦିନେ ସ୍ୱଇଚ୍ଛାରେ ଯିବେ ମୋର ବସାକୁ ଯିବାକୁ ହେବ । ମୁଁ ଆହ୍ୱାନ ଜଣାଇ ଯାଉଛି ଆପଣଙ୍କୁ..... ।’’

 

ସତେନା କଣ ? କହିଥିବି ବୋଧେ । କାହିଁ ମନେତ ପଡ଼ୁନି ।

 

—ହାତ ମୁଠାରେ ପାଇଲେ ଅନେକ କିଛି ଭୁଲିଯାଏ ମଣିଷ । ଅନେକ କିଛି ମନା ପଡ଼େନା । ମୁଁ କିନ୍ତୁ ଭୁଲିନି ଆପଣଙ୍କ କଥା । ଆପଣ ଆହ୍ୱାନ କରିଥିଲେ, ମୁଁ ଆଜି ବସିଛି ତାର ଜବାବ ଦେବାପାଇଁ । ଆପଣ ଆମର ସୁଖ—ସଂସାରରେ ନିଆଁ ଜାଳି ଦେଇଛନ୍ତି, ମୁଁ ଆସିଛି ତାର କୈଫିୟତ ନେବା ପାଇଁ ।

 

—ରାତି ବାରଟାରେ ମଦ୍ୟପ ଯମେଶ ମହାପାତ୍ର ସାମ୍‌ନାରେ କୈଫିୟତ ମାଗିବା ପାଇଁ ତୁମକୁ ଭୟ ଲାଗେନା ? ରାତି ବାରଟାରେ ଆସିଛନ୍ତି ମୋ କଥାରେ ଜବାବ ଦେବାପାଇଁ ? ତୁମ କଥା ଶୁଣି ମୋତେ ହସମାଡ଼ୁଛି ନୂଆବୋଉ !

 

ମିଃ ମହାପାତ୍ର କଥାରେ ପୁଷ୍ପା ଅପ୍ରତିଭ ହୋଇଗଲା ଆଉ ତାର ନିଶାର ଖିଆଲ ଦେଖି ଶଙ୍କିଗଲା ମଧ୍ୟ । ଭୟରେ ପଛଘୁଞ୍ଚା ଦେଇ ବାହାରି ଆସୁଥିଲା, ମିଃ ମହାପାତ୍ର କହିଲେ—

 

—ଭୟ କରନା ନୂଆବୋଉ ! ମୁଁ ହିଂସ୍ରଜନ୍ତୁ ନୁହେଁ, ମୁଁ ମଣିଷ । ମିଃ ମହାପାତ୍ର ଆପଣାର ଦ୍ୱାରସ୍ଥ ହେଇ ପ୍ରେମ ଭିକ୍ଷା କରିଥିଲା, ଆଉ ଆପଣ ଯେତେବେଳେ ଅସହାୟ ଅବସ୍ଥାରେ ରାତି ବାରଟାରେ ତାର ଦ୍ୱାରସ୍ଥ ହୋଇଛ, ସେ ଆଜି ଆଉ ପ୍ରେମ ଭିକ୍ଷା କରିବ ନାହିଁ, କରିବ ସ୍ନେହଭିକ୍ଷା । ନୂଆବୋଉ ! ମୁଁ ନିଶାର ଖିଆଲରେ କହୁ ନାହିଁ । ମୁଁ ପଶୁ ନୁହେଁ, ମଣିଷ ।

 

ପୁଷ୍ପା ପିତୁଳା ପରି ଛିଡା ହୋଇଥିଲା । ଆଖିରୁ ତାର ଲୁହର ନିର୍ଝର ଅବାରିତ ଗତିରେ ବହି ଚାଲିଥାଏ । ମିଃ ମହାପାତ୍ର ମଦ ବୋତଲରୁ ଆଖି ଫେରାଇ ଚାହିଁଲେ ପୁଷ୍ପା ଆଡ଼କୁ । ଚମକି ଉଠି କହିଲେ—

 

—ଏ କଣ ନୂଆବୋଉ ! ଆପଣଙ୍କ ମୁଣ୍ଡ ଫାଟିଲା କିପରି ?

 

—ସେ କଥା ଥାଉ ଯମେଶ ବାବୁ । ଦୟା ଦେଖେଇବେ ପରେ । ଆଗେ କୁହନ୍ତୁ, ଆମର ସୁଖର ସଂସାରରେ ବିଷ ଢାଳି ଦେଲେ କାହିଁକି ?

 

—ତାର ଜବାବ ଆଜି ଦେବି ନାହିଁ, ଦେବି ସେହିଦିନ—ଯେଉଁଦିନ ଆପଣଙ୍କର ଛୋଟିଆ ସଂସାରଟିରେ ପୁଣି ହସର ଜୁଆର ଖେଳାଇ ପାରିବି । କଣ ନୂଆବୋଉ ! ଆପଣ କାନ୍ଦୁଛନ୍ତି ? ଖାଲି କାନ୍ଦି କିଛି ଲାଭ ନାହିଁ ନୂଆବୋଉ ! ମୋତେ ଅଭିଶାପ ଦିଅନ୍ତୁ ।

☆☆☆

 

ବାରଣ୍ଡାରେ ବସି ଦିଗନ୍ତ ବିସ୍ତାରି ନୀଳ ଆକାଶକୁ ଅନାଇ ରହିଛି ପୁଷ୍ପା । କ’ଣ ଯେ ସେ ଭାବୁଛି ସେଇ ଜାଣେ । ମିଃ ମହାପାତ୍ର କେତେବେଳୁ ପହଞ୍ଚିଲେଣି ତାକୁ ଜଣାନାହିଁ । ମିଃ ମହାପାତ୍ର ଧୀରେ ଧୀରେ ଆଗେଇ ଆସି ଦୋଷିଟି ଭଳି ଛିଡ଼ାହୋଇ ରହିଲେ ପୁଷ୍ପା ସାମ୍ନାରେ । ପୁଷ୍ପା ଆଖି ଟେକି ଅନାଇଲା । ସତେ ଯେପରି ଆଖିରେ ତାର ଯୁଗରଯୁଗାନ୍ତର-ବେଦନା ଭରି ରହିଛି । ମିଃ ମହାପାତ୍ର ଧୀର ଗଳାରେ କହିଲେ—

 

—ନୂଆବୋଉ !

 

—ଯମେଶ ବାବୁ !

 

—ନୂଆବୋଉ ! ମୁଁ ଆଜି ଖବର ପାଇଲି ମନୋଜବାବୁ ତୁମକୁ ଖୋଜି ଖୋଜି କଟକ ଚାଲି ଯାଇଛନ୍ତି । ମୁଁ କହିଥିଲି...

 

ଯମେଶ ବାବୁ ! ଆଉ କାହିଁକି ସେ କଥା କହୁଛନ୍ତି ? କିପରି ଯାଇ ଏ ପୋଡ଼ାମୁହଁ ଦେଖାଇବି ? ମୁଁ ବୁଝୁଛି, ଆପଣ ମୋ’ ପାଇଁ ଗୁଡ଼ାଏ ଅଯଥା ଖର୍ଚ୍ଚାନ୍ତ ହେଲେଣି, ସେଥିପାଇଁ...

 

—ନୂଆବୋଉ । ଯାହା କୁହ ପଛେ, ତୁମେ ଫେରି ଚାଲ ତୁମ ଘରକୁ । ପୁଣି ହସିଉଠୁ ତୁମର ସେହି ଛୋଟିଆ ସଂସାରଟି । ‘ଅତୀତକୁ ଭାବିଲେ କ’ଣ ଫେରି ଆସିବ ? ଅତୀତ ଅତୀତରେ ହିଁ ମିଶିଯାଇଛି । ତୁମେ ଫେରିଚାଲ ତୁମପାଇଁ ମନୋଜବାବୁ ପାଗଳପରି ଏଣେତେଣେ ଖୋଜି ବୁଲୁଛନ୍ତି । ବର୍ତ୍ତମାନ ସେ ରିକ୍ତହସ୍ତ, ଭଗ୍ନସ୍ୱାସ୍ଥ୍ୟ ନେଇ କେତେ କଷ୍ଟ ପାଉଥିବେ ଥରେ ଭାବି ଦେଖିଲ ନୂଆବୋଉ !

 

ପୁଷ୍ପାର ଆଖି ଛଳ ଛଳ ହୋଇଗଲା । ଆଉ କିଛି କହିପାରିଲା ନାହିଁ । ଖାଲି ଚାହିଁ ରହିଲା ମିଃ ମହାପାତ୍ର ମୁହଁକୁ । ଆଖିରୁ ଠପ୍ ଠପ୍ ହୋଇ ଦୁଇବୁନ୍ଦା ଲୁହ ନିଗିଡ଼ିପଡ଼ିଲା । ବାଷ୍ପରୁଦ୍ଧ କଣ୍ଠରେ କହିଲା—

 

—ଯମେଶବାବୁ ! କେଉଁଠୁ ଖବର ପାଇଲେ ସେ କଟକ ଯାଇଛନ୍ତି ବୋଲି ?

 

—ସେ କଥା ପରେ ଶୁଣିବ ନୂଆବୋଉ ! କାଲି ଆମେ କଟକ ଯିବା । ମୁଁ ଆଜି ଅଫିସରେ ମଧ୍ୟ ତାଙ୍କ ଚାକିରି ଫେରି ପାଇବାର ବ୍ୟବସ୍ଥା କରି ଦେଇଛି । ତୁମେ ଆଉ କିଛି ଭାବନା, ନୂଆବୋଉ ! ଆମେ କାଲି ନିଶ୍ଚୟ କଟକ ଯିବା ?

 

ହାଓଡା ପୁରୀ ଏକ୍‌ସପ୍ରେସ ଏକମୁହେଁ । ହୋଇ ଛୁଟି ଚାଲିଛି । ଗୋଟିଏ କାମେରାରେ ମାତ୍ର ଦଶଜଣ । ତା ଭିତରେ ଥିଲେ—ପୁଷ୍ପା ଆଉ ମିଃ ମହାପାତ୍ର । ରାତି ସେତେବେଳକୁ ପ୍ରାୟ ତିନିଟା ହେବ । କାମେରାରେ ବସିଥିବା ଯାତ୍ରୀମାନେ ସବୁ ଦିନରେ ଢୋଳାଉଥାନ୍ତି, ତାଙ୍କ ସାଙ୍ଗରେ ମିଃ ମହାପାତ୍ର ମଧ୍ୟ । କେବଳ ଜଣକ ଆଖିକୁ ନିଦ ନ ଥାଏ, ତା’ର ମନରେ ଚିନ୍ତାର ଅସରନ୍ତି ଖିଅ-

 

କଅଣ ସେ କଲା ? ଆଜି ପୁଣି କ’ଣ କରିବାକୁ ଯାଇଛି ? ଯିଏ ତା’ର ସକଳ ନିର୍ଯ୍ୟାସ ଢାଳି ତା’ ମୁହଁରେ ହସର ଲହଡ଼ି ଭାଙ୍ଗିଥିଲା, ତାର ଟିକକ ଧୈର୍ଯ୍ୟହରାରେ ସେ ଆଗେଇଗଲା ଏତେଦୂର ? ମନୋଜ କ’ଣ ନ କରିଛି ପୁଷ୍ପାର ସନ୍ତୋଷ ପାଇଁ ? କାହିଁ ସେ’ତ ଟିକିଏ ହେଲେ ଭାବିଲା ନାହିଁ ତା’ର ସେହି ଆମାୟିକ ସ୍ନେହ ସରାଗକୁ ?

 

ମିଣିପିଲୋକ ! କେତେ ଅବା ସହିବେ ! ଦି’ଦିଟା ଦିନ ଉପବାସରେ ବିତାଇଥିଲେ । ସେଥିରେ ପୁଣି ଖରା—ତରା ନ ମାନି ଚାକିରି ପାଇଁ କେତେ ଦୌଡ଼ାଦୌଡ଼ି, ଏତେ ହଇରାଣ କାହା ପାଇଁ ? ନିଜର ପେଟ ପାଇନା ପୁଷ୍ପା ମୁହଁରେ ହସ ଫୁଟାଇବା ପାଇଁ ?

 

ଆଜି ସେ କିପରି ମୁହଁ ଦେଖାଇବାକୁ ଯିବ ତାଙ୍କୁ । ଯେଉଁ ମିଃ ମହାପାତ୍ର ପାଇଁ ତା’ର ସ୍ୱାମୀର ଆଜି ଏ ଅବସ୍ଥା, ଯାହାପାଇଁ ତାଙ୍କର ଆନନ୍ଦମୁଖର ଛୋଟିଆ ସଂସାରଟି ଆଜି ସାହାରା ମରୁଭୂମି, ସେ ପୁଣି ଶେଷରେ ତାଙ୍କର ସାହାଯ୍ୟ ନେଲା.... । ଟିକିଏ ହେଲେ ଭାବିଲା ନାହିଁ ସେ ମଧୁରାତିର ମଧୁରଞ୍ଜନ କଥା । ଭୁଲିଗଲା ମନୋଜର ଅକପଟ ସ୍ନେହବୋଳା କଥାକୁ.....

 

ନା, ସେ ଏ ପୋଡ଼ାମୁହଁ ଆଉ ଦେଖାଇବାକୁ ଯିବନାହିଁ । ଏଇ ବେଳରେ ସେ ତା’ର କର୍ତ୍ତବ୍ୟ କରିନେବ । ସମସ୍ତେ ଶୋଇଯାଇଛନ୍ତି । ଆଉ ଡେରି କରିବ ନାହିଁ ।

 

ଜୀବନର ସବୁ ମାୟା ମମତା ତୁଟାଇଦେଲା କ୍ଷଣିକ ଭିତରେ । ତା’ର ଆଖି ଆଗରେ ଦେଖାଗଲା ମହାକାଳର ତାଣ୍ଡବ ନର୍ତ୍ତନ । ଧୀରେ ଧୀରେ ଆଗେଇଗଲା ସେ ଦରଜା ପାଖକୁ । ପଛକୁ ଥରେ ଅନାଇଦେଲା, ପୁଣି ଚାହିଁଲା ଆଗକୁ । ଆଉ କାହାରିକୁ ଅନାଇଲା ନାହିଁ । ମହାକାଳର ପ୍ରଖର ସ୍ରୋତରେ ଭସାଇଦେଲା ନିଜ ଜୀବନତରୀଟିକୁ । କିନାରା ଧରାଦେବାପାଇଁ କେହି ହେଲେ ଏତେ ବଡ଼ ଦୁନିଆଟାରେ ଆଗେଇ ଆସିଲେ ନାହିଁ.... !!

 

ବହୁକ୍ଷଣ ପରେ ମିଃ ମହାପାତ୍ରଙ୍କର ଯେତେବେଳେ ନିଦ ଭାଙ୍ଗେ ଚାହିଁ ଦେଖନ୍ତି ପୁଷ୍ପା ନାହିଁ । ପୁଣି ଥରେ ଭଲଭାବରେ ଦେଖିନେଲେ । ଜଣ ଜଣ କରି ସମସ୍ତଙ୍କୁ ପଚାରିଲେ । କାହିଁ ? କେହି ତ କହିଲେ କାହିଁ ପୁଷ୍ପା କୁଆଡ଼େ ଗଲା ? ବହୁତ ଭାବିଲେ, ଅନେକ ଚିନ୍ତା କଲେ । କିଛି ଠିକ୍ କରି ପାରିଲେ ନାହିଁ । ଦୀର୍ଘ ନିଃଶ୍ୱାସଟିଏ ଛାଡ଼ି ବସିପଡ଼ିଲେ ବେଞ୍ଚଉପରେ ।

 

ସେ ଯିବେ । ସେ ଏକୁଟିଆ ଯିବେ ମନୋଜ ପାଖକୁ । କହିବେ ସବୁ ଘଟଣା । ସବୁ ଭୁଲ ମଧ୍ୟ ମାଗିନେବେ ।

☆☆☆

 

ଉ ! ମରିଗଲି । ଟୋପିଏ ପାଣି.... ।

ସୁଧାକର ବାବୁ ଅନାଇଲେ ଚାରିଆଡ଼କୁ । କାହାର ଏ ଆର୍ତ୍ତକଣ୍ଠର କରୁଣ ସ୍ୱର । ଆଗେଇଗଲେ ସେଇ ଆଡ଼କୁ । ଦେଖିଲେ ତରୁଣୀଟିଏ ରକ୍ତାକ୍ତ ଅବସ୍ଥାରେ ପଡ଼ିଛି ରେଳଲାଇନ୍ କଡ଼ରେ । ସୁଧାକରବାବୁଙ୍କ ଦେହ ଶୀତେଇ ଉଠିଲା । ଦୌଡ଼ିଯାଇ ପାଖରେ ଥିବା ଟୁବୁଳାରୁ ଆଞ୍ଜୁଳାଏ ପାଣି ଆଣି ମୁହଁରେ ଦେଲେ । ଆଉ କାଳ ବିଳମ୍ବ ନ କରି ମେଡିକାଲକୁ ନେଇଯିବାର ବ୍ୟବସ୍ଥା କଲେ ।

ମିଃ ମହାପାତ୍ର ପୁଷ୍ପାର ଭାଇର ଠିକଣା ଆଗରୁ ସଂଗ୍ରହ କରିଥିଲେ । ପଚାରି ପଚାରି ଯାଇଁ ପହଞ୍ଚିଲେ । ଛ’ ବର୍ଷର ପିଲାଟିଏ ପିଣ୍ଡାରେ ବସିଛି । ପିଲାଟିକୁ ପଚାରିଲେ—

—ଏଇଟାକି ରବିବାବୁଙ୍କ ଘର ?

—ହଁ । ଆପଣ କେଉଁଠୁ ଆସିଛନ୍ତି ? ବାପାଙ୍କୁ ଡାକିନେବି ?

—ହଁ, ଡାକିଦେଲୁ ।

ପିଲାଟି ଘରକୁ ଯାଇ ତା ବାପାକୁ ଡାକିଦେଲା । ରବିବାବୁ ଘରୁ ବାହାରି ଆସି ପଚାରିଲେ—

—ଆପଣ କାହାକୁ ଖୋଜୁଛନ୍ତି ?

—ନମସ୍କାର । ମୁଁ କଲିକତାରୁ ଆସିଛି । ମନୋଜବାବୁ ଓ ମୁଁ ଗୋଟିଏ ଅଫିସରେ କାମ କରୁ, ମୋ ନାଁ ଯମେଶ ମହାପାତ୍ର । ମନୋଜବାବୁ ଅଛନ୍ତି ?

—ବସନ୍ତୁ । ତାଙ୍କୁ ଟାଇଫଏଡ ଜ୍ୱର । ସେ ଆଜିକି ଚାରିଦିନ ହେଲା ମେଡିକାଲରେ ଅଛନ୍ତି ?

—ଟାଇଫଏଡ ! ବର୍ତ୍ତମାନ ସେ କିପରି ଅଛନ୍ତି ?

—ଅବସ୍ଥା । ଖୁବ୍ ଭଲ ନୁହେଁ । ଆପଣ କିପରି ଜାଣିଲେ ମୋ ଠିକଣା ?

—ଆପଣଙ୍କ ଭଉଣୀ ଠାରୁ ।

—ଆପଣ ତା ହେଲେ ପୁଷ୍ପାକୁ ଜାଣନ୍ତି ? ସେ କୁଆଡ଼େ ଚାଲିଯାଇଛି ଆପଣ ତାର କିଛି ଖବର ଜାଣନ୍ତି ?

—ସେ ବହୁତ କଥା ରବିବାବୁ । ଆପଣଙ୍କ ଭଉଣୀ ଆଉ କୁଆଡ଼େ ନ ଯାଇ ମୋରି ବସାକୁ ଯାଇଥିଲେ ।

—ତାହାହେଲେ ବର୍ତ୍ତମାନ ସେ କେଉଁଠି ?

—ମୁଁ ଖବର ପାଇଲି, ମନୋଜବାବୁ ଏଠାକୁ ଆସିଛନ୍ତି । ମୁଁ ତାଙ୍କୁ ସାଙ୍ଗରେ ନେଇ ଏଠାକୁ ଆସୁଥିଲି । ରାତି ପ୍ରାୟ ଚାରିଟା ହେବ । ଆଖିକୁ ନିଦ ଆସିଲା । ଟିକିଏ ଶୋଇ ପଡ଼ିଲି । ଯେତେବେଳେ ନିଦ ଭାଙ୍ଗେ ଦେଖେତ ଆପଣଙ୍କ ଭଉଣୀ ଆଉ ନାହିଁ...

 

ମିଃ ମହାପାତ୍ରଙ୍କ ସ୍ୱର ଦରଦଭରା ହୋଇଗଲା । ମୁହଁରେ ତାଙ୍କର ବିସ୍ମୟର ସୂଚନା ।

 

ରବିବାବୁ ସବୁ ଶୁଣିଲେ । ଯାହା ଶୁଣିଲେ, ତାହା ଠାରୁ ଅନୁମାନ କଲେ ଢେର ବେଶି । ପୁଷ୍ପାର ଏ ପରିବର୍ତ୍ତନ କାହିଁକି ? ସେ ଅବା ଯମେଶ ବାବୁଙ୍କ ବସାକୁ ଯାଇଥିଲା କାହିଁକି ? ଯିଏକି ମନୋଜ ଦୁଃଖରେ ସମବେଦନା ପ୍ରକାଶ କରି କଟକ ପର୍ଯ୍ୟନ୍ତ ଆସିପାରିଲେ, ସେ କ’ଣ ସେଇଦିନ ରାତିରେ ପୁଷ୍ପାକୁ ଆଣି ମନୋଜ ବସାରେ ଛାଡ଼ି ଦେଇ ପାରି ନ ଥାନ୍ତେ ?

 

କିଛି ସ୍ଥିର ସିନ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ ରବିବାବୁ । ମନଟା ତାଙ୍କର ସନ୍ଦେହ ହୋଇ ଉଠିଲା । ଟିକିଏ ଗୁମ୍ ଖାଇଯାଇ କହିଲେ—

 

—ଆଚ୍ଛା ଯମେଶବାବୁ । ଘର କରି ଭଲ ମନ୍ଦ ଝଗଡ଼ାଝାଣ୍ଟି କାହା ଘରେ ନାହିଁ ? ସ୍ୱାମୀ ସ୍ତ୍ରୀଙ୍କ ଭିତରେ କୌଣସି କାରଣରୁ ଯଦି ମନାନ୍ତର ଘଟିଲା, ପୁଷ୍ପା ଆପଣଙ୍କ ଦ୍ୱାରସ୍ଥ ହୋଇଥିଲା କାହିଁକି ?

 

—ବନ୍ଧ ହିସାବରେ.... ।

 

—ଆପଣ ବନ୍ଧୁର କର୍ତ୍ତବ୍ୟ କରିଛନ୍ତି ? ଆପଣଙ୍କର କଣ ଉଚିତ ନ ଥିଲା, ସେଇ ମୂହୁର୍ତ୍ତରେ ପୁଷ୍ପାକୁ ଆଣି ମନୋଜ ବସାରେ ଛାଡ଼ିଦେଇଯିବା ? ଛାଡ଼ନ୍ତୁ, ମୁଁ କାହାରିକୁ ଦୋଷ ଦେଉ ନାହିଁ ଯମେଶବାବୁ । ସବୁ ଦୋଷ ପୁଷ୍ପାର । ପୁଷ୍ପା ହତଭାଗୀଟାଏ.... ।

 

ରବିବାବୁଙ୍କ ଆଖି ଛଳ ଛଳ ହୋଇଉଠିଲା । କଣ୍ଠ ବାଷ୍ପରୁଦ୍ଧ ହୋଇଗଲା । ସେ ଆଉ କିଛି କହିପାରିଲେ ନାହିଁ । ଖାଲି ଚାହିଁରହିଲେ ମିଃ ମହାପାତ୍ର ମୁହଁକୁ ।

 

—ରବିବାବୁ । ପ୍ରକୃତରେ ମୁଁ ଦୋଷୀ । ତାଙ୍କର ଆନନ୍ଦମୁଖର ଛୋଟିଆ ସଂସାରଟିରେ ବିଷ ଢାଳି ଦେଇଛି ମୁଁ । ଆପଣଙ୍କୁ ସବୁ କହିବି । ମୂଳରୁ ଶେଷ ପର୍ଯ୍ୟନ୍ତ ସବୁ କହିବି । ବର୍ତ୍ତମାନ ଆପଣଙ୍କ ଭଉଣୀର ସନ୍ଧାନ କିପରି ପାଇବା ଚିନ୍ତା କରନ୍ତୁ । ମୁଁ ମଙ୍ଗଳାବାଗ ଥାନାରେ ଡାଏରୀ ଦେଇ ଆସିଛି ।

 

ନୀଡ଼ ବାହୁଡ଼ା ବଗ ବଗୁଲିଙ୍କ ଡେଣାରେ ପାଦ ଥୋଇ ସନ୍ଧ୍ୟା ଓହ୍ଲାଇ ଆସୁଥାଏ, ଦେହରେ ତାର ଯୌବନର ସମ୍ଭାର ।

☆☆☆

 

ମେଡିକାଲର ପାଖାପାଖି ଦୁଇଟି କୋଠରୀରେ ଦୁଇ ଜଣ—ପୁଷ୍ପା ଆଉ ମନୋଜ । ଦୁଇଜଣଙ୍କର କରୁଣ ସ୍ୱର ମିଳାଇ ଯାଉଛି ଅନନ୍ତ ଆକାଶରେ । କେହି କାହାରି ଚିତ୍‌କାର ଶୁଣି ପାରୁ ନାହାନ୍ତି...କେହି କାହାରିକୁ ଦେଖି ପାରୁନାହାନ୍ତି । ଚକୁଆ ଚକୋଇ ଭିତରେ ଆଜି ବ୍ୟବଧାନ ଅସୀମ ରେଖା ।

 

ରବି ବାବୁ ଆଉ ଯମେଶବାବୁ ଛିଡ଼ାହେଲେ ଆସି ମନୋଜ ଖଟିଆ ପାଖରେ । ମନୋଜ ମୁହଁ ଫେରାଇ ଚାହିଁଲା । ଲୋତକପୂର୍ଣ୍ଣ ନିସ୍ଫ୍ରଭ ଆଖି ଦୁଇଟିରେ ଖାଲି ଚାହିଁ ରହିଲା ଯମେଶ ବାବୁଙ୍କ ମୁହଁକୁ ।

 

—ମନୋଜ ବାବୁ.... ।

 

—ଯମେଶ ବାବୁ ! ଆପଣ ଆସିଛନ୍ତି.... ।

 

ମିଃ ମହାପାତ୍ର ଛଳ ଛଳ ଆଖିରେ ଚାହିଁ ରହିଥାନ୍ତି ମନୋଜର ଶୁଖିଲା ମୁହଁଟିକୁ । କଣ୍ଠ ତାଙ୍କର ବାଷ୍ପରୁଦ୍ଧ ହୋଇ ଯାଇଥାଏ ।

 

ମିଃ ମହାପାତ୍ର ଆଉ ରବିବାବୁ ମନୋଜ ଖଟିଆର ଦୁଇ ପାଖରେ ଦୁଇଟା ଟଳ ଆଣି ବସିଲେ । ମିଃ ମହାପାତ୍ର ଅଙ୍ଗୁର ଗୋଟିଏ ଗୋଟିଏ ମନୋଜ ପାଟିରେ ଦେଉଥା’ନ୍ତି । ମନୋଜ ବିନା ଦ୍ୱିଧାରେ ଖାଉଥାଏ ଆଉ ତୃପ୍ତିର ନିଶ୍ୱାସ ଛାଡ଼ୁଥାଏ ।

 

କିଛିକ୍ଷଣ ପରେ ମିଃ ମହାପାତ୍ର ସବୁ କହିଗଲା ଗୋଟି ଗୋଟି କରି ବିଗତ ଘଟଣାଗୁଡ଼ିକ । ମନୋଜ ଏକ ଧ୍ୟାନରେ ଶୁଣି ଯାଉଥାଏ । ତା’ର ଆଖିରୁ ଦୁଇଧାର ଲୁହ ବୋହିଆସି ତକିଆ ଭିଜାଇ ଦେଲାଣି ।

 

ମିଃ ମହାପାତ୍ର ଚାହିଁଲେ ମନୋଜକୁ । ଆଶ୍ୱାସନା ଦେଲେ । ପୁଷ୍ପାକୁ ନିଶ୍ଚୟ ଆଣିବେ ସେ, ସେ ଯେଉଁଠି ଥାଉନା କାହିଁକି ଖୋଜି ବାହାର କରିବେ ।

 

ଛ’ଟା ବାଜିଲା । ରୋଗୀଙ୍କ ପାଖରୁ ଚାଲିଯିବା ପାଇଁ ସତର୍କ ଘଣ୍ଟି ଦିଆଗଲା । ସମସ୍ତେ ଚାଲିଗଲେ; କିନ୍ତୁ ରହିଗଲେ କେବଳ ମିଃ ମହାପାତ୍ର ଆଉ ରବିବାବୁ ।

 

ଅପେକ୍ଷାକରି ରହିଲେ ଡାକ୍ତର ଆସିବା ସମୟକୁ । ସାଢ଼େ ସାତଟାରେ ଡାକ୍ତର ବାବୁ ଆସିଲେ । ମିଃ ମହାପାତ୍ର ଡାକ୍ତର ବାବୁଙ୍କୁ କହି ମନୋଜ ପାଇଁ ପେଇଂ ବେଡ୍‍ର ବ୍ୟବସ୍ଥା କରିଦେଲେ । ସମସ୍ତ ଖର୍ଚ୍ଚର ଦାୟିତ୍ୱ ନିଜେ ବହନ କରିଲେ ।

 

କ୍ରମଶଃ ମନୋଜର ଅବସ୍ଥା ଭଲ ଆଡ଼କୁ ଗତି କରୁଛି । ମିଃ ମହାପାତ୍ର ଦିନ ଚାରିଟାବେଳେ ମନୋଜ ପାଖକୁ ଆସନ୍ତି । ଫଳଫୁଲୁରୀ ମଧ୍ୟ ଆଣନ୍ତି । ନିଜ ହାତରେ ଖୁଆଇ ଦିଅନ୍ତି । ମନୋଜ ଟିକିଏ ତାଙ୍କ ହାତରୁ ଖାଇବାକୁ ଲଜ୍ଜାବୋଧ କରେ । ଆଜି ମିଃ ମହାପାତ୍ର ମନୋଜର ଉଚ୍ଚ ପାହ୍ୟା ଅଫିସର ନୁହେଁ, ଏକ ମାଆ ପେଟର ବଡ଼ ଭାଇ ।

 

ତିନିଦିନ ପରି ଆଜି ବି ଫଳଫୁଲୁରି କିଛି ନେଇ ଆସିଛନ୍ତି ମିଃ ମହାପାତ୍ର । ଆଉ ଆଣିଛନ୍ତି ମନୋଜର ଚାକିରିର ପୁନର୍ନିକ୍ତି ପତ୍ର । ଆଜି ଡାକ ପିଅନ ଆଣି ଦେଇ ଯାଇଥିଲା ।

 

ମିଃ ମହାପାତ୍ର ମନୋଜ ହାତକୁ ଚିଠିଖଣ୍ଡକ ବଢ଼ାଇ ଦେଲେ । ମନୋଜ ଚିଠି ଖଣ୍ଡିକ ପଢ଼ି ଆନନ୍ଦରେ ଆତ୍ମହରା ହୋଇଗଲା । କୃତଜ୍ଞତା ପୂର୍ଣ୍ଣ ଆଖିରେ ଚାହିଁ ରହିଲା ମିଃ ମହାପାତ୍ରଙ୍କ ମୁହଁକୁ । ଆଉ ଭାବି ଯାଉଥିଲା କେତେ କ’ଣ ! ଭାବାବେଗରେ କହିପକାଇଲା–—

 

—ଯମେଶବାବୁ ! ମତେ ମରଣ ମୁହଁରୁ ଫେରାଇଲେ, ଆପଣଙ୍କ ଦୟାରୁ ପୁଣି ଚାକିରି ମଧ୍ୟ ଫେରି ପାଇଲି । ଆଉ ପୁଷ୍ପା..... ?

 

ମନୋଜର ଆଖି ଛଳ ଛଳ ହୋଇଗଲା । ସେ ଆଉ କିଛି କହିପାରିଲା ନାହିଁ । ମନୋଜର ଏଇ କଥାପଦିକ ମିଃ ମହାପାତ୍ରଙ୍କ ହୃଦୟରେ ଦୁଃଖର ଗଭୀର ରେଖାପାତ କଲା । ସାନ୍ତ୍ୱନା ଦେବାପାଇଁ ମୁହଁରୁ ଭାଷା ବାହାରିଲା ନାହିଁ ମିଃ ମହାପାତ୍ରଙ୍କର । ଖାଲି ଚାହିଁ ରହିଲେ ମନୋଜ ଆଡ଼କୁ । ଭାବନାର ଉଛୁଳା ଢେଉ ତାଙ୍କ ହୃଦୟରେ ଲହଡ଼ି ଭାଙ୍ଗୁଥିଲା । କିଛିକ୍ଷଣ ପରେ ଧୀର ଗଳାରେ କହିଲେ—

 

—ମନୋଜ ବାବୁ । ମୁଁ ଭାବୁଛି ଆଜି ପୁଣି କଲିକତା ଯାଇ ନୂଆବୋଉର ଖୋଜ ନେବି-। ଏଠି ତ ମୁଁ ପ୍ରତିଦିନ ଥାନାକୁ ଯାଇ ଖୋଜ ନେଉଛି କିନ୍ତୁ ଖବର କିଛି ପାଉନାହିଁ-

 

ଛଅଟା ବାଜି ଯାଇଥିଲା । ରୋଗୀଙ୍କ ପାଖରୁ ବାହାରିଯିବା ପାଇଁ ସତର୍କ ଘଣ୍ଟି ବାଜି ଉଠିଲା । ସମସ୍ତେ ଗୋଟିଏ ଗୋଟିଏ ବାହାରି ଗଲେ । ମିଃ ମହାପାତ୍ର ମଧ୍ୟ ବାହାରି ଆସିଲେ ।

 

ମିଃ ମହାପାତ୍ର ବାହାରି ଆସି ମେଡିକାଲ ଗେଟ୍ ପାଖରେ ହୋଇଛନ୍ତି ହଠାତ୍ ଚମକି ଉଠିଲେ । ଏ କ’ଣ । ସେ ଯାହା ଦେଖୁଛନ୍ତି ସ୍ୱପ୍ନ ନା ସତ୍ୟ ଦୌଡ଼ିଯାଇଁ ପଛରୁ ଡାକିଲେ—

 

ନୂଆବୋଉ !

 

ପଛକୁ ଫେରି ଚାହିଁଲା ପୁଷ୍ପା । ମୁହଁରେ ଭାଷା ନାହିଁ । ପଥର ପ୍ରତିମା ପରି ଛିଡ଼ା ହୋଇ ପଡ଼ିଲା ।

 

—ନୂଆବୋଉ..... !

 

—ଯମେଶ ବାବୁ... !

 

—ନୂଆବୋଉ ! ତୁମେ ଏଇଠି ଅଛ । ମନୋଜ ବାବୁ ଆଜକୁ ପନ୍ଦର ଦିନ ହେଲା ଟାଇଫଏଡ୍ ଜ୍ୱରରେ ମେଡିକାଲରେ ପଡ଼ିଛନ୍ତି..... !!!!

 

ପୁଷ୍ପାର ଆଖିରୁ ଦୁଇଧାର ଲୁହ ବୋହି ଆସିଲା ସେ ଆତୁର କଣ୍ଠରେ କହିଲା—

 

—ଯମେଶବାବୁ ! ମୁଁ ଯିବି ତାଙ୍କ ପାଖକୁ ?

 

—ଆସ ନୂଆବୋଉ ।

 

ଦୁହେଁ ଫେରିଗଲେ ପୁଣି ମେଡିକାଲ ନିକଟକୁ । ମନୋଜ ବିଛଣାରେ ବସିଥାଏ । ପୁଷ୍ପା ଲୁହଭରା ଆଖିରେ ଯାଇଁ ଛିଡ଼ା ହେଲା ମନୋଜ ବିଛଣା ପାଖରେ । ମନୋଜ ପୁଷ୍ପାକୁ ଦେଖି ଆନନ୍ଦର ଫଲଗୁଧାରା ବୁହାଇଦେଲା ।

 

ମିଃ ମହାପାତ୍ର ଡାକ୍ତରଙ୍କୁ କହି ପୁଷ୍ପା ମନୋଜ ସେବାଲାଗି ରହିବା ପାଇଁ ଅନୁମତି ଘେନି ଆସିଲେ । ମି: ମହାପାତ୍ର ଫେରିଆସିଲେ ରବିବାବୁଙ୍କ ଘରକୁ । ପୁଷ୍ପା ରହିଲା ମନୋଜ ପାଖରେ ।

 

ଟିଇବ ଲାଇଟର ପାଉଁଶିଆ ଆଲୋକରେ ହସି ଉଠୁଥିଲା ମନୋଜ ରହିଥିବା କେବିନଟି,, ଆଉ ସେଇ ସଙ୍ଗରେ ପୁଷ୍ପା ମୁହଁରେ ଫୁଟି ଉଠୁଥିଲା ମୃଦୁ ହସର କ୍ଷୀଣ ରେଖାଟିଏ । ମନୋଜ ପୁଷ୍ପାକୁ ଭିଡ଼ିଆଣି ତା ଗାଲରେ ଆଙ୍କିଦେଲା ଗୋଟିଏ— ‘‘କଅଁଳ ଚୁମ୍ବନ ।’’

Image